ଭାରତବର୍ଷ

 

 

 

 

 

 

 

 

 

 

 

ଭାରତବର୍ଷ

ଗୌରହରି ଦାସ

 

ସୂଚିପତ୍ର

 

୧.

ଭାଙ୍ଗି ପଡ଼ୁଥିବା ଭୂଗୋଳ

୨.

ଉତ୍ତାନପାଦ

୩.

ବିପ୍ଳବୀ

୪.

ମୁକାବିଲା

୫.

ଯୁଦ୍ଧ

୬.

ଏକଲା ମଣିଷ

୭.

ମୁଖାବତରଣ

୮.

ପବିତ୍ର ସକାଳ

୯.

ଚଉଧୁରୀ ପୋଖରୀ

୧୦.

ସମ୍ରାଟ

୧୧.

ଭାରତବର୍ଷ

Image

 

ନିଜକଥା

 

ପ୍ରତି ଭାରତୀୟ ମନରେ ତା’ ଦେଶକୁ ନେଇ କଳ୍ପନାର ସ୍ୱତନ୍ତ୍ର ମାନଚିତ୍ରଟିଏ ରହିଛି । ଦେଶର ଆଶା ପ୍ରତ୍ୟାଶା ନେଇ ଭିନ୍ନ ଚିତ୍ରଟିଏ ରହିଛି, ଭିନ୍ନ ସ୍ୱପ୍ନଟିଏ ରହିଛି । ସେ ସ୍ୱପ୍ନ ସହ ଯୋଡ଼ିହୋଇ ରହିଛି ତା’ ନିଜର, ନିଜ ପରିବାରର ପୁଣି ତା’ ଚାରିପାଖରେ ରହୁଥିବା ମଣିଷ, ପଶୁପକ୍ଷୀ, ପାହାଡ଼, ଝରଣା, ନଈ, ସମୁଦ୍ର ଓ ଗଛଲତାଙ୍କର ସୁଖ ଓ ସମୃଦ୍ଧି; ନିଜ ଦେଶର କଳା, ସାହିତ୍ୟ, ଇତିହାସ ଓ ସଂସ୍କୃତିର ସମୃଦ୍ଧି, ଏ ଦେଶର ଅର୍ଥନୀତି ଓ ରାଜନୀତିର ସମୃଦ୍ଧି । ଭାରତରେ ଜନ୍ମଲାଭ କରୁଥିବା ପ୍ରତିଟି ନବଜାତକ ପାଇଁ ଅପେକ୍ଷା କରି ରହୁ ଏକ ଅର୍ଥପୂର୍ଣ୍ଣ ଭବିଷ୍ୟତ, ପ୍ରତିଟି ଅସହାୟ ଓ ଦୁର୍ବଳପାଇଁ ଆଶ୍ରୟର ନିର୍ଭର ପ୍ରତିଶ୍ରୁତି, ଶାନ୍ତିର ନିରାପଦ ସାନ୍ତ୍ୱନା–ଏମିତି ଅନ୍ତରଙ୍ଗ କାମନାଟିଏ ଯୋଡ଼ି ହୋଇ ରହିଛି ସେହି ଚିତ୍ର ସହ । ଏ ଦେଶର କୋଟି କୋଟି ମଣିଷଙ୍କ ପାଇଁ ଭାରତ କେବଳ ମାତ୍ର ଏକ ଭୌଗୋଳିକ ଅବସ୍ଥିତି ନୁହେଁ, ଏହା ସେମାନଙ୍କର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଚେତନାର ଅବିଚ୍ଛେଦ୍ୟ ଅଙ୍ଗ । ସେମାନଙ୍କର ପଥ, ପାଥେୟ ଓ ଲକ୍ଷ୍ୟ ।

 

ପ୍ରତି ଭାରତୀୟ ଖାଇବାକୁ ଖାଦ୍ୟ, ରହିବାକୁ ଘର ପାଇବ, ଭାରତର ଶିଶୁ ଓ କିଶୋର ସ୍କୁଲ୍‍ରେ ପାଠ ପଢ଼ିବ, ଯୁବକ କର୍ମଠ ଓ ଉପାର୍ଜନକ୍ଷମ ହେବ–ଏସବୁ ସେହି ସ୍ୱପ୍ନର ନ୍ୟୂନତମ ଚାହିଦା । ସେହିମାନଙ୍କୁ ନେଇହିଁ ସୁଜଳା ସୁଫଳା ଶସ୍ୟଶ୍ୟାମଳା ଭାରତବର୍ଷର ଯେତେସବୁ ଯୋଜନା, ଯେତେ ସବୁ ପରିକଳ୍ପନା ।

 

କିନ୍ତୁ ଏସବୁ ହୁଏ ନାହିଁ । ଘଟଣାମାନେ ଏପରି ଘଟନ୍ତି ନାହିଁ । ଭାରତବର୍ଷର ଶିଶୁ ଖାଦ୍ୟ, ବସ୍ତ୍ର, ସ୍ୱାସ୍ଥ୍ୟସେବା ଅଭାବରେ ଅକାଳ ମୃତ୍ୟୁ ବରଣ କରେ । ବୋମା ବିସ୍ଫୋରଣ କି ଭୂମିକମ୍ପର ଧକ୍କାରେ ଭାଙ୍ଗିରୁଜି ପଡ଼ୁଥିବା କାନ୍ଥ, ପାଚେରି ତଳେ ଚାପିହୋଇ ଆଖି ବୁଜିଦିଏ ଭାରତର ଅସହାୟ ଶିଶୁ । ରାଜନୈତିକ ପଶାପାଲିରେ ଶହ ଶହ ଶିଶୁଙ୍କର ରକ୍ତାକ୍ତ କବନ୍ଧ ପୁଣି ପାଲଟେ ପଶାପାଲିର ଗୋଟି । ବିଡ଼ି କାରଖାନା, ରାସ୍ତାକଡ଼ ଚା’ ଦୋକାନ, ନହେଲେ ଦିଆସିଲି କାରଖାନା ଭିତରେ ରୁନ୍ଧି ହୋଇଯାଏ ଏ ଦେଶ ଶିଶୁର ଶୈଶବ । ଭାରତବର୍ଷର କୃଷକ ବଞ୍ଚିରହେ ପ୍ରବଞ୍ଚିତ ବର୍ତ୍ତମାନକୁ ନେଇ । ରାଜନୀତିର ଧୂର୍ତ୍ତତା ଓ ସର୍ବଗ୍ରାସୀ କ୍ଷୁଧା ହଜାର ହଜାର ପରିବାରକୁ ଉଚ୍ଛନ୍ନ କରିଦିଏ । ଧର୍ମ ନାଆଁରେ, ସମ୍ପ୍ରଦାୟ ନାଆଁରେ ବିଷମଞ୍ଜି ବୁଣି ଦିଆଯାଏ ଭାରତର ଗାଁ ଓ ସହରରେ ।

 

କାହିଁକି ଏପରି ହୁଏ ? ସ୍ୱପ୍ନଗୁଡ଼ିକ ଏପରି ବିଡ଼ମ୍ବିତ ହୋଇପଡ଼ନ୍ତି କାହିଁକି ? କାହିଁକି ଯୁବକଟିଏ ଭବିଷ୍ୟତ ଭୁଲି ଆତଙ୍କବାଦର ରାସ୍ତା ବାଛିନିଏ ? କାହିଁକି ନବବିବାହିତା ବୋହୂଟିର ପାଦରୁ ଅଳତା ଦାଗ ନ ଲିଭୁଣୁ କିରାସିନି ଢାଳି ତାକୁ ପୋଡ଼ି ଦିଆଯାଏ ? ପ୍ରେମ ନାଁରେ ପ୍ରତାରିତା ଓ ପରିତ୍ୟକ୍ତା ହୁଏ ଏହି ଦେଶର ବଢ଼ିଲା ଝିଅ କାହିଁକି ? କାହିଁକି ନୀତି, ଆଦର୍ଶ ଓ ମୂଲ୍ୟବୋଧ ନିଲାମ ହୋଇଯାଏ ଦିନ ଦିପହରେ ? କାହିଁକି ବିଚ୍‌ ବଜାରରେ ଧର୍ଷିତା ହୁଏ ଏ ଦେଶର ମା’ ଓ ମର୍ଯ୍ୟାଦା ? ମନ୍ତ୍ରୀ ଦରବାରରୁ ବାରମ୍ବାର ଠୋକର୍ ଖାଇ ଫେରୁଥାଏ ଗାଁର ଗରିବ କାହିଁକି ? କାହିଁକି ଶାସନ ନାଁରେ ଚାଲିଥାଏ ଜୁଲୁମ, ଶୋଷଣରାଜ ଓ ଶୃଙ୍ଖଳା ନାଁରେ ଅନ୍ଧାରି ଶାସନ ?

 

ଏପରି ପ୍ରଶ୍ନର ତାଲିକା ଖୁବ୍‌ ଦୀର୍ଘ, କାଶ୍ମୀରଠାରୁ କୁମାରୀକା ଯାଏଁ ପ୍ରଲମ୍ବିତ । ସେସବୁ ଯେତିକି ଉତ୍ପୀଡ଼କ ସେତିକି ଅସ୍ୱସ୍ତିକର । ତା’ରି ଭିତରେ ଭାରତର ମାନଚିତ୍ର ଆଜି ବିବର୍ଣ୍ଣ, ବିଖଣ୍ଡିତ କାଗଜ ଟୁକୁଡ଼ା ଖଣ୍ଡେ ।

 

କିନ୍ତୁ ଏହାହିଁ କ’ଣ ଶେଷ ପରିଣତି ? ଏହାହିଁ କ’ଣ ଭାରତର ଭବିଷ୍ୟତ ? ଏଇଥିପାଇଁ କ’ଣ ନିଜ ଜୀବନକୁ ବଳି ପକେଇ ଲଢ଼ିଥିଲେ ଲକ୍ଷ ଲକ୍ଷ ଭାରତୀୟ ? ଏଭଳି ଏକ ନିଷ୍ଠୁର ପରିଣତି କଦାପି ଶେଷସତ୍ୟ ହୋଇପାରେନା । ସବୁ ରାତି ଶେଷରେ ସୂର୍ଯ୍ୟୋଦୟ ଅଛି, ଅନ୍ଧାରି ସୁଡ଼ଙ୍ଗ ଶେଷରେ ଆଲୋକିତ ଆକାଶ ଅଛି, ଅନ୍ତତଃ ଅଛି ବୋଲି ଆଶାଟିଏ ରହିଛି । ବର୍ତ୍ତମାନକୁ ଅସ୍ୱୀକାର କରିବା ଯେତିକି କଷ୍ଟ, ଏଭଳି ଆଶାଟିକୁ ଭୁଲିଯିବା ସେତିକି ଦୁଃସାଧ୍ୟ । ଏହି ଆଶାରେହିଁ ବଞ୍ଚନ୍ତି କୋଟି କୋଟି ମଣିଷ, କୋଟି କୋଟି ଭାରତୀୟ ।

 

‘ଭାରତବର୍ଷ’ ସଂକଳନର ପ୍ରାୟ ସବୁ ଗଳ୍ପ ଏହିଭଳି ସମସ୍ୟାକୁ ନେଇ ଲିଖିତ । ସେସବୁ ସମସ୍ୟାର ସମାଧାନ ସୂତ୍ର ଗଳ୍ପର ଚରିତ୍ରମାନଙ୍କ ପାଖରେ ନଥିଲା, ଯେମିତି ଆମପରି ଅନେକଙ୍କ ପାଖରେ ତାହା ନାହିଁ । ସେହି ଦୃଷ୍ଟିରୁ ବେଶ୍‌ କିଛି ଗଳ୍ପର ସ୍ୱର କରୁଣ, ବିଷଣ୍ଣ ମନେ ହୋଇପାରେ । ଚରିତ୍ରମାନେ ମନେ ହୋଇପାରନ୍ତି ଜଣେ ଜଣେ ପରାସ୍ତ ମଣିଷ । ମାତ୍ର ଲଢ଼ିବା ଯେଉଁମାନଙ୍କର ଅଙ୍ଗୀକାର, ପରାସ୍ତ ହେବା ସେମାନଙ୍କ ପାଇଁ ଶେଷ ଘଟଣା ନୁହେଁ । ସେମାନେ ଏକାଧିକବାର ପରାସ୍ତ ହେଲେ ମଧ୍ୟ ନିରସ୍ତ ହୁଅନ୍ତି ନାହିଁ । ଏହିପରି ତାଙ୍କର ସଂଗ୍ରାମ ଜାରି ରହିଥାଏ–ଏ ପୁରୁଷରୁ ସେ ପୁରୁଷ, ପୁଣି ଉତ୍ତରପୁରୁଷ ଯାଏଁ । କେବଳ ବଦଳୁଥାଏ ସମୟ, ବଦଳୁଥାନ୍ତି ପକ୍ଷ ଓ ପ୍ରତିପକ୍ଷ ।

 

‘ଭାରତବର୍ଷ’ ସଂକଳନରେ ପ୍ରକାଶିତ ସମସ୍ତ ଗଳ୍ପ ପୂର୍ବରୁ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ଏହି ଅବସରରେ ମୁଁ ସଂପୃକ୍ତ ପତ୍ରିକାର ସମ୍ପାଦକମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି । ‘ଓଡ଼ିଶା ବୁକ୍‌ ଷ୍ଟୋର୍‌’ ସଂକଳନଟି ପ୍ରକାଶ କରିବାର ଦାୟିତ୍ୱ ଗ୍ରହଣ କରିଥିବାରୁ ମୁଁ ଏହି ପ୍ରକାଶନ ସଂସ୍ଥାର ମୁଖ୍ୟ ଶ୍ରୀ ଗୋବିନ୍ଦ ଚରଣ ପାତ୍ରଙ୍କୁ ଧନ୍ୟବାଦ ଜଣାଉଛି । ପାଣ୍ଡୁଲିପି ପ୍ରସ୍ତୁତି ଏବଂ ସ୍ଥଳବିଶେଷରେ ନିଜର ସୁଚିନ୍ତିତ ମତାମତ ଦେଇ ଗଳ୍ପଗୁଡ଼ିକୁ ସଂଶୋଧିତ କରିବା ଦିଗରେ ସାହାଯ୍ୟ କରିଥିବାରୁ ମୁଁ ଅଗ୍ରଜ ପ୍ରତିମ ଅଧ୍ୟାପକ ଡକ୍ଟର ପ୍ରକାଶ କୁମାର ପରିଡ଼ାଙ୍କୁ ମୋର କୃତଜ୍ଞତା ଜଣାଉଛି । ଯେଉଁ ପାଠକପାଠିକାମାନେ ମୋତେ ଚିଠି ଲେଖି ଏହି ଗଳ୍ପଗୁଡ଼ିକ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ଓ ଯେଉଁ ବନ୍ଧୁମାନେ ମୋତେ ଏହି ସଂକଳନ ପ୍ରକାଶପାଇଁ ଉତ୍ସାହିତ କରିଥିଲେ, ସେମାନଙ୍କୁ ମଧ୍ୟ ଏହି ଅବସରରେ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି ।

 

–ଗୌରହରି ଦାସ

Image

 

ଭାଙ୍ଗି ପଡ଼ୁଥିବା ଭୂଗୋଳ

 

ଅନେକ ଯୁଗ ହେଲାଣି ଏ ଟ୍ରେନ୍‌ଟି ଚାଲିଛି । କେତେ ବର୍ଷ, କେତେ ଖ୍ରୀଷ୍ଟାବ୍ଦ ଓ କେତେ ଶତାବ୍ଦୀ ବିତିଗଲାଣି ଏହା ଭିତରେ, ହିସାବ କରିହୁଏ ନାହିଁ । ହୁଏତ ବିତିଗଲାଣି କେତେ ମନ୍ୱନ୍ତର । ତଥାପି ଟ୍ରେନ୍‌ଟିର ଯାତ୍ରା ସରିନାହିଁ ।

 

କେଉଁ ନିର୍ଦ୍ଦିଷ୍ଟ ଷ୍ଟେସନ୍‌ ଅଭିମୁଖେ ପୁରୁଣା, କଳଙ୍କିଲଗା ଏହି ଟ୍ରେନ୍‌ଟିର ଦୀର୍ଘଯାତ୍ରା ତାହା ଡବାଗୁଡ଼ିକର ଅଧିକାଂଶ ଯାତ୍ରୀ ଜାଣନ୍ତି ନାହିଁ । ସେମାନେ ଶୁଣିଛନ୍ତି, ଟ୍ରେନ୍‌ଟି ତାଙ୍କ ଗାଁ ବା ସହର ଦେଇ ହୁଏତ ଯାଇପାରେ । ତାହା ସମ୍ଭବ ହେଲେ, ସେମାନେ ସହଜରେ ନିକଟତମ ଷ୍ଟେସନ୍‌ରୁ ଓହ୍ଲେଇ ନିଜ ନିଜ ଘରକୁ ଯାଇପାରିବେ ।

 

ଆଦିମ ସରୀସୃପ ପରି ଲମ୍ବିଯାଇଛି ପୁରୁଣା ଟ୍ରେନ୍‌ର ଡବାଗୁଡ଼ିକ–ପଛକୁ ପଛ, ପଛକୁ ପଛ । ଗୋଟେ ମୁଣ୍ଡରୁ ଚାହିଁଲେ ଆର ମୁଣ୍ଡ ଆଦୌ ଦିଶେ ନାହିଁ । କେତେ ଗାଁ, କେତେ ସହର, କେତେ ନଈ, କେତେ ପାହାଡ଼, କେତେ ମନ୍ଦିର, କେତେ ଗିର୍ଜା, କେତେ ଗୁରୁଦ୍ୱାର, କେତେ ମସଜିଦ, କେତେ ପ୍ରାସାଦ ଓ କେତେ ଝୁମ୍ପୁଡ଼ିବସ୍ତି ଟପି ଲମ୍ବିଯାଇଛି ଲୁହାର ରେଳ ଧାରଣା । ସେହି ରେଳ ଧାରଣା ଉପରେ ଚାଲିଛି ଟ୍ରେନ୍‌ଟି ଝୁକ୍‌... ଝୁକ୍‌... ଝୁକ୍‌... ଝୁକ୍‌ ଆୱାଜ୍‌ କରି, ବର୍ଷ ବର୍ଷ ଧରି-

 

ଏହା ଭିତରେ ଟ୍ରେନ୍‌ର ଇଞ୍ଜିନ୍‌ ବଦଳି ଯାଇଛି । କୋଇଲାରୁ ଡିଜେଲ୍‌ ଓ ଡିଜେଲ୍‌ରୁ ଏବେ ବିଦ୍ୟୁତ୍‌ ଚାଳିତ ହୋଇଛି ଟ୍ରେନ୍‌ଟିର ଇଞ୍ଜିନ୍‌ । ଡ୍ରାଇଭର ଓ ଖଲାସିମାନେବି ବଦଳି ହୋଇଗଲେଣି । ବଦଳି ହୋଇଗଲେଣି ଟି.ଟି.ଇ, କଣ୍ଡକ୍ଟର୍, ସନ୍ତ୍ରୀ ଓ ସେବକ । କେତେ ମରିଗଲେଣି, କେତେ ହଜିଗଲେଣି, କେତେ ଅବସର ନେଇଗଲେଣି ଓ କେତେ ବହିଷ୍କୃତ ହୋଇ ସାରିଲେଣି, ସେ ଖବର ଜଣାନାହିଁ । ଏଡ଼େ ବଡ଼ ଟ୍ରେନ୍‌ଟାର ସବୁ ଖବର ରଖିବା କାହାରି ପକ୍ଷେ ସମ୍ଭବ ନୁହେଁ ।

ଟ୍ରେନ୍‌ଟି ଚାଲିଥିଲା ।

ଯେମିତି ଓ ଯେଉଁ ଢଙ୍ଗରେ ଟ୍ରେନ୍‌ମାନେ ଚାଲନ୍ତି, ସେହିପରି ଏ ପୁରୁଣା ଟ୍ରେନ୍‌ଟି ମଧ୍ୟ ଚାଲିଥିଲା । ଡବାଗୁଡ଼ିକରେ ଖୁନ୍ଦାଖୁନ୍ଦି ହୋଇ ଯାତ୍ରୀ–ପୁରୁଷ, ନାରୀ, ବୁଢ଼ା, ବୁଢ଼ୀ, ବାଳକ, ବାଳିକା, କିଶୋର, କିଶୋରୀ ଓ ଶିଶୁ । ସିଟ୍‌ ଉପରେ ଓ ତଳେ ଚାପିଚୁପି ହୋଇ ସେମାନଙ୍କ ଆସବାବପତ୍ର–ବିଛଣା ଓ ତକିଆ, ବ୍ୟାଗ୍‌ ଓ ବ୍ରିଫ୍‌କେଶ୍, ଛତା ଓ ଚପଲ, ଚଷମା ଓ ଆଶାବାଡ଼ି ।

କିଛିବର୍ଷ ତଳେ ଟ୍ରେନ୍‌ଟି ଅଟକିଥିଲା ଗୋଟେ ବଡ଼ ଷ୍ଟେସନ୍‌ରେ । ନେଳି, ନାରଙ୍ଗୀ ଓ ଅଭ୍ରରଙ୍ଗରେ ସଜା ହୋଇଥିଲା ସେହି ଷ୍ଟେସନ୍‌ର ପ୍ଲାଟ୍‌ଫର୍ମ୍ । ଖୁବ୍‌ ପରିଷ୍କାର ଓ ପରିଚ୍ଛନ୍ନ ଥିଲା ଷ୍ଟେସନ୍‌ଟି । ଟ୍ରେନ୍‌ର ଯାତ୍ରୀମାନେ ସମସ୍ତେ ପ୍ରଚୁର ଖୁସି ଦିଶୁଥିଲେ । ସେମାନେ ସମସ୍ତେ ନାଚୁଥିଲେ, ଗୀତ ଗାଉଥିଲେ । ଫୁଲ ଫିଙ୍ଗୁଥିଲେ ଓ ମିଠା ବାଣ୍ଟୁଥିଲେ ପରସ୍ପର ମଧ୍ୟରେ । ସେମାନେ ଭୁଲିଯାଉଥିଲେ ଡ୍ରାଇଭର ବଦଳି ହେବାର ଖବର, ଲମ୍ବା ଟ୍ରେନ୍‌ର ପଛରୁ ଓ ଆଗରୁ ଆଉ କିଛି ଡବା କଢ଼ା ହେଇଯାଇଥିବାର ଦୁଃସମ୍ବାଦ । କିଛି କିଛି ଯାତ୍ରୀ ମନଦୁଃଖ କରିଥିଲେ ଅବଶ୍ୟ, କିନ୍ତୁ ଅନ୍ୟ ଯାତ୍ରୀମାନେ ସେମାନଙ୍କୁ ବୁଝେଇ ଦେଇଥିଲେ । ଭାବପ୍ରବଣ ଯାତ୍ରୀମାନେ ବୁଝି ଯାଇଥିଲେ । ସେମାନେ ତାଙ୍କ ମେଳରୁ ଦାଢ଼ି ରଖିଥିବା ଓ ଗଜଲ୍‌ ଗାଉଥିବା ଲୋକମାନଙ୍କୁ ଆଉ ଗୋଟେ ଛୋଟିଆ ଟ୍ରେନ୍‌ରେ ଚଢ଼ୁଥିବାର ଦେଖୁଥିଲେ । ସେମାନଙ୍କ ଟ୍ରେନ୍‌ ସାମ୍ନାରେ ଥିଲା ଗୋଟେ ସବୁଜ ପତାକା । କେହି କେହି ମନଦୁଃଖ କରୁଥିଲେ, ସେହି ବଡ଼ ଷ୍ଟେସନ୍‌ର ସଫା ପ୍ଲାଟ୍‌ଫର୍ମ୍ ଉପରକୁ ଓହ୍ଲେଇ ଆସି ଆଲିଙ୍ଗନ କରୁଥିଲେ ପୁରୁଣା ଟ୍ରେନ୍‌ର ଯାତ୍ରୀଙ୍କୁ । ହାତ ହଲେଇ ବିଦାୟ ନେଇ ଯାଇଥିଲେ, ବିଦାୟ–ଅଲ୍‌ବିଦା । ସେ ଟ୍ରେନ୍‌ ଚାଲିଗଲା ସିନ୍ଧୁ ଡେଇଁ–ପୁରୁଣା ଟ୍ରେନ୍‌ଟା ଏପଟେ ଆସିଲା ଗଙ୍ଗା ଡେଇଁ ।

ସେସବୁ ପୁରୁଣା ଦିନର କଥା । ବର୍ଷ ବର୍ଷ ହେଇ କେତେଗୁଡ଼ାଏ ବର୍ଷ ଏହା ଭିତରେ ବିତିଗଲାଣି । ପାଖାପାଖି ପଚାଶବର୍ଷ । ସେଦିନ ଯେଉଁ କୋଳପୋଛା ଛୋଟପିଲାଟା ଏ ଟ୍ରେନ୍‌ର ସେମୁଣ୍ଡ ଡବାର ସେଇ କୋଣକୁ କୁଁ କୁଁ କରି ମାଆକୋଳରେ ଲଟକି ଯାଇଥିଲା, ଏବେ ସେ ବୁଢ଼ା ହେଲାଣି । ଦୁନିଆ ବଦଳିଗଲାଣି । ଟ୍ରେନ୍‌ର ମଣିଷମାନଙ୍କ ଚେହେରା ଓ ଚରିତ୍ର ବଦଳିଗଲାଣି । ତଥାପି ଯାତ୍ରୀମାନେ ମଝିରେ ମଝିରେ ସେଦିନକୁ ମନେପକାନ୍ତି । ବର୍ଷରେ ଥରେ ଦି’ଥର ଏ ଡବାରୁ ସେ ଡବା ଘୂରି ଆସନ୍ତି । ପୁଣି ଫେରିଆସନ୍ତି ଆପଣା ଆପଣା ଜାଗାକୁ ।

ବଡ଼ ସାନ ହେଇ ଏବେବି ପୁରୁଣା ଟ୍ରେନ୍‌ରେ ଅଛି ବତିଶଟା ଡବା । ସବୁ ଡବାରେ ଯାତ୍ରୀ ହାଉଯାଉ । ସବୁ ଡବାର ରଙ୍ଗ ଅଲଗା । ଯାତ୍ରୀମାନେ ଏକାପରି ହେଲେବି ସେମାନେ କଥା କୁହନ୍ତି ଯେ ଯାହା ଭାଷାରେ । ଅଲଗାଅଲଗା ଭଙ୍ଗୀରେ ନାଚନ୍ତି । ବେଳେବେଳେ ଦୂର ଡବାର ଟାପ୍‌ରୁ ପାଣି ଆଣି ଯାଇଥିବା ମଣିଷଟି, ସେ ଡବାର ଲୋକଙ୍କୁ ଦେଖି ବିସ୍ମିତ ହୁଏ । ଏତେ ବର୍ଷ ଏକା ଟ୍ରେନ୍‌ରେ ଯା–ଆସ କରିବା ସତ୍ତ୍ୱେ ସିଏ ବୁଝିପାରେ ନାହିଁ, ସେ ଡବା ମଣିଷଙ୍କ କଥାରୁ ପଦୁଟିଏ । ତାକୁ ଲାଗେ ସିଏ ହୁଏତ ଏହା ଭିତରେ ଆଉ ଗୋଟେ ଗାଡ଼ିରେ ବସିଯାଇଛି, ପ୍ରାୟ ପଚାଶବର୍ଷ ତଳେ ଦାଢ଼ି ରଖିଥିବା ଓ ଗଜଲ୍‌ ଗାଉଥିବା ଯାତ୍ରୀ ଯେମିତି ବସି ଯାଇଥିଲେ ନୂଆ ଗୋଟେ ଟ୍ରେନ୍‌ରେ । ତାକୁ ଲାଗେ ସେ ବି ବୋଧହୁଏ ସେହିପରି ଗୋଟେ ଅଲଗା ଟ୍ରେନ୍‌ରେ ବସିଯାଇଛି ।

 

କିଏ କାହାର ଭାଷା ନ ବୁଝିଲେବି ପୁରୁଣା ଟ୍ରେନ୍‌ର ଯାତ୍ରୀମାନେ ଅନେକ କାଳ ଖୁସି ଥିଲେ । ସେମାନେ ଭିନ୍ନ ଭିନ୍ନ ରକମର ନାଚ ନାଚୁଥିଲେ, ଗୀତ ଗାଉଥିଲେ । କ୍ଳାନ୍ତି, ଅବସାଦ ଭୁଲିଯିବା ପାଇଁ କିଏ ନାଉତୁମ୍ବା, କିଏ କେନ୍ଦରା ତ କିଏ ବଇଁଶୀ ବଜଉଥିଲା । କିଏ ରୁଟି ଖାଇଲେ ଆଉ କିଏ ଭାତ ଖାଉଥିଲା, କିଏ ମାଛ ଖାଇଲେ ଆଉ କିଏ ପନିପରିବା ଖାଉଥିଲା । କିନ୍ତୁ ସେମାନଙ୍କ ଗୀତ ଶୁଣିବା ସଉକର ରଙ୍ଗ ଥିଲା ଗୋଟିଏ, ପେଟ ଭୋକର ଚେହେରା ଥିଲା ଗୋଟିଏ, କ୍ଷୀର ଓ ମାଛର ଫରକ ସେଠି ବିଲ୍‌କୁଲ୍ ଜଣାପଡ଼ୁ ନଥିଲା ।

 

ସବୁ ଠିକ୍‌ଠାକ୍‌ ଚାଲୁଥିଲା ।

 

ମଝି ଡବାର ବୁଢ଼ାଟିଏ ଭାରି ହସଖୁସିଆ ମଣିଷ । ଗାଧୁଆଘର କାନ୍ଥକୁ ଲାଗି ସିଟ୍‌ଟିରେ ସେ ବସିଥାଏ । ସଞ୍ଜବତି ଲାଗିଲେ ଯାହାର ମନହୁଏ ସେ ଆସି ବସେ ବୁଢ଼ାଟି ପାଖରେ । ଉପର ବର୍ଥରୁ ଟୋକା ମଣିଷ, ମଝି ବର୍ଥରୁ ମଝିଲା ମଣିଷ ଓ ତଳ ବର୍ଥରୁ ବୁଢ଼ା ବୁଢ଼ୀମାନେ ଆସି ଏକାଠି ହୁଅନ୍ତି । ଶାସ୍ତ୍ର ପୁରାଣ ଶୁଣନ୍ତି, ଭାଗବତ, ଚଣ୍ଡୀ ମାହାତ୍ମ୍ୟ ଚର୍ଚ୍ଚା କରନ୍ତି । ବୁଢ଼ାଟି କହେ ସୁଖ ଦିନର କଥା, ଦୁଃଖ ଦିନର କଥା–ଆଉ ତା’ର ଅଙ୍ଗେ ନିଭେଇବା କଥା ।

 

ଦିନେ ଦିନେ ରେଳ ଭିତରେ ଖାଇବାକୁ ନେଇ ଝଗଡ଼ା ହେଇଯାଏ । ଇଞ୍ଜିନ୍‌ ବଗିର ମଣିଷମାନେ ଧାଇଁଆସନ୍ତି । ତାଙ୍କ ସାଙ୍ଗରେ ସନ୍ତ୍ରୀ, ହାତରେ ବନ୍ଧୁକ, କମରରେ ଛୁରି । ମୁଣ୍ଡ ଉପରେ ଲୁହା ଟୋପି । ଯିଏ ବଡ଼ପାଟିରେ କଥା କହୁଥାଏ, ତାକୁଇ ଆଗେ ସେମାନେ ଧରି ନିଅନ୍ତି-। ଘୋଷାଡ଼ି ଘୋଷାଡ଼ି ନେଇଯାଆନ୍ତି ସେ ମୁଣ୍ଡକୁ । ସେଇଠି ତାକୁ ଦିନାକେତେ ରଖି ପୁଣି ଛାଡ଼ି ଦିଅନ୍ତି ।

 

ବୁଢ଼ାଟି ଖୁଁ ଖୁଁ ହେଇ କାଶେ । ବୟସ ବଢ଼ିଗଲାଣି । ଏବକୁ ଦେହ ହାତ ଠିକ୍‌ ରହୁନାହିଁ-। ତଥାପି ସେଇ ତ ଏ ଟ୍ରେନ୍‌ଟାର ପୁରୁଣା ମଣିଷ । ସେ ନ କହିଲେ ଆଉ କାହାଠୁଁ ଶୁଣିବେ ନୂଆ ମଣିଷଗୁଡ଼ାକ ତାଙ୍କ ପିଛିଲା ଦିନର କଥା ? ବୁଢ଼ା ପୁଣି କହିବାକୁ ଆରମ୍ଭ କରେ :

 

ଥରେ କ’ଣ ହେଲାନା, ଡ୍ରାଇଭରମାନେ ଗୋଟେ ନିୟମ ଜାରି କରିଦେଲେ । ରାତିକ ଭିତରେ ସେମୁଣ୍ଡରୁ ଏମୁଣ୍ଡ ଚହଳ ପଡ଼ିଗଲା । ‘ସମସ୍ତେ ଏଣିକି ଗୋଟିଏ ଭାଷାରେ କଥାବାର୍ତ୍ତା କରିବେ, ଆମକୁ ଅସୁବିଧା ହେଉଛି ଏତେ ବଡ଼ ଟ୍ରେନ୍‌ଟାର ସବୁ ଯାତ୍ରୀଙ୍କ କଥାବାର୍ତ୍ତା ବୁଝିବାପାଇଁ-।’

 

“କିଛି ଯାତ୍ରୀ ରାଜି ହେଇଗଲେ । ଆଉ କିଛି ରାଜି ହେଲେ ନାହିଁ । ଯେଉଁମାନେ ସିଟ୍‌ ନ ପାଇ ଛିଡ଼ା ହୋଇଥିଲେ, ଯେଉଁମାନେ ଦିପହର ଓଳିକ ଖାଇବା କିଣିନେଇ ରାତିକି ରଖିଦେଉଥିଲେ ଓ ପାଇପ୍‌ର ପାଣି ପିଇ ବଞ୍ଚିଯାଉଥିଲେ, ସେମାନେ ପାଟିତୁଣ୍ଡ କଲେ ନାହିଁ । ଡ୍ରାଇଭର ଯାହା କହୁଛନ୍ତି, କଣ୍ଡକ୍ଟର୍ ଯାହା ନିର୍ଦ୍ଦେଶ ଦେଉଛି ଓ ଟି.ଟି.ସି. ଯେମିତିକା ନିୟମ କରୁଛି, ସେଗୁଡ଼ିକୁ ମାନିନେଲେ ଯାଏଁ । ଆମେ ସେତେବେଳେ ଯୁଆନ୍‌ ଥିଲୁ । ଆମେ ଏ କଥାର ବିରୋଧ କଲୁ... ।”

 

ବୁଢ଼ାଟି ଏତିକିବାଟ ଯାଏଁ କହି ଚୁପ୍‌ ହୋଇଯାଇଥିଲା । ଟ୍ରେନ୍‌ଟା ଆଉ ଗୋଟେ ନଈ ଉପରେ ଚାଲିବାକୁ ଆରମ୍ଭ କରିଥାଏ । ପୋଲର ରେଳ ଧାରଣା ଉପରେ ଲୁହା ଚକ ଗଡ଼ିବାର ଶବ୍ଦରେ ବୁଢ଼ାର କଥା କାହାକୁ ଶୁଭିବ ନାହିଁ ଜାଣି ସେ କଥା ବନ୍ଦ କରି ଦେଇଥାଏ ।

 

ଗୋଟେ ଧୂସର ଅପରାହ୍‌ଣ । ଚାରିପଟେ ଗଛ, ପାହାଡ଼ । ଏପଟେ ଦଳେ ମୟୂର ବୁଲୁଛନ୍ତି । ଓଟ ଓ ମଇଁଷି ପିଠିରେ ବସି ଚାଲିଛନ୍ତି କେତେ ମଣିଷ । ଝରକା କାଚଟା ଉପରକୁ ଟେକିଦେଲା ବୁଢ଼ା ମଣିଷଟି । କେତେ ମିଠା ଖୋଲା ପବନ !

 

ବୁଢ଼ା ପୁଣି କହିବାକୁ ଆରମ୍ଭ କଲା, “ସବୁ କଥା ସମସ୍ତେ କୋଉ କାଳେ କ’ଣ ମାନିଛନ୍ତି-? ଅମାନିଆ ପିଲାବି ଅଛନ୍ତି ! ବୁଝେଇ ସୁଝେଇ କହିଥିଲେ ହୁଏତ ସେମାନେ ମାନିଥାଆନ୍ତେ-! ସେକଥା କେହି କଲେ ନାହିଁ । ଡ୍ରାଇଭରମାନେ କଣ୍ଡକ୍ଟର୍‍ଙ୍କୁ ଦୋଷ ଦେଲେ, କଣ୍ଡକ୍ଟର୍‍ମାନେ ଦୋଷ ଦେଲେ ଟି.ଟି.ସି.ମାନଙ୍କୁ । ଯାତ୍ରୀଙ୍କ କଥା କେହି ବୁଝିଲେ ନାହିଁ । ସନ୍ତ୍ରୀମାନେ ଆସିଲେ-। ଯିଏ ପାଟିତୁଣ୍ଡ କରୁଥିଲେ ସେମାନଙ୍କୁ ଗୁଳି ନାଛିଦେଲେ । ମୋରି ଏଇ ବାଁ କାନ୍ଧରେବି ବାଜିଥିଲା ସନ୍ତ୍ରୀର ଚାରି ପାଞ୍ଚ ପାହାର ।”

 

ଏମିତି କଥା ଶୁଣିଲେ ଯାତ୍ରୀଙ୍କ ଭିତରେ କୋକୁଆଭୟ ଖେଳିଯାଏ । ସାନ ପିଲାଏ ମାଆମାନଙ୍କ କୋଳରେ ମୁହଁ ଗୁଞ୍ଜିଦିଅନ୍ତି । କିଛି ସମୟ ଲାଗି ଗୋଟେ ଓଜନିଆ ଦୀର୍ଘଶ୍ୱାସ ଡବା ଉପରେ ଓହଳି ରହେ ।

 

ପାନ, ସିଗ୍ରେଟ, ଚାହାବାଲାଙ୍କର ଭିଡ଼ରେ ହଠାତ୍‌ ସେ ଡବାଟା ଗହଳି ହୋଇଯାଇଥିଲା-। ବୁଢ଼ାଟି ଖଣ୍ଡେ ପାନ କିଣିନେଇ ତା’ କୋଥଳିରୁ ବାହାର କଲା ପାନଛେଚା । ଦୁର୍ବଳିଆ ଦାନ୍ତ ବଡ଼ବଡ଼ ଗୁଆଖଣ୍ଡ ଚୋବାଇପାରେ ନାହିଁ । କିନ୍ତୁ ପାନଖଣ୍ଡେ ନହେଲେ ବୁଢ଼ାର ପାଟିଟା ପିତୁଳିଆ ଲାଗେ । ଏଇଟା ତା’ର ପୁରୁଣା ଅଭ୍ୟାସ ।

 

ଠୁକୁ ଠୁକୁ କରି ପାନ ଛେଚି ଚାଲିଥିଲା ବୁଢ଼ାଟି । ଆଖପାଖ ସିଟ୍‌ର କେତେଜଣ ସଞ୍ଜ ପହରୁ ଶୋଇଗଲେଣି । ଦିନସାରା ଏପଟ ସେପଟ ହେଇ ସେମାନେ ହାଲିଆ ହେଇ ପଡ଼ିଥିବେ । କ’ଣ ବା ଖାଇବାକୁ ପାଉଛନ୍ତି ଆଜିକାଲିର ପିଲାଏ ? ଆମ ପିଲାବେଳ ଅଲଗା ଥିଲା–ବୁଢ଼ା ମନକୁ ମନ ଶୁଣାଇ କହିଲା ।

 

ଫ୍ରକ୍‌ପିନ୍ଧା ଝିଅଟିଏ, ବୁଢ଼ାର ଡାହାଣ କଡ଼ ସିଟ୍‌ରେ ଝରକାକୁ ଆଉଜି ବସିଥାଏ । ଏମିତି ତ କିଛି ଖୁଣିବାର ନାହିଁ । ଡଉଲ ଡାଉଲ ଚେହେରା । କଥାକୁହା ଆଖି ଯୋଡ଼ିକ । ଅଣ୍ଟା ତଳକୁ ପାଦ ଯୋଡ଼ିକ କିନ୍ତୁ ସରୁ ହୋଇଯାଇଛି ବିଚାରୀର । ସେ କୁଆଡ଼େ ଯା–ଆସ କରିପାରେ ନାହିଁ । ଏଇ ଡବାଟି ଛଡ଼ା କୁଆଡ଼େ ଯାଇପାରେ ନାହିଁ ଝିଅଟି । ବୁଢ଼ାର କଥା ଶୁଣିବାପାଇଁ ତା’ର ଭାରି ଆଗ୍ରହ ।

 

: ଜେଜେ, ତମେ ତ ଏ ଟ୍ରେନ୍‌ର ସବୁଯାକ ଡବା ବୁଲିଛ । ଇଞ୍ଜିନ୍‌ ବଗି ପର୍ଯ୍ୟନ୍ତବି ଯାଇଛ । କୁହନା, ଆର ଡବାମାନଙ୍କରେ ସେମାନେ କ’ଣ କଥାବାର୍ତ୍ତା ହୁଅନ୍ତି ? କି ଗପ ଶୁଣାନ୍ତି ନିଜ ନିଜ ଭିତରେ ? କି ଗୀତ ଗାଇ ମାଆ ଶୁଆଇଦିଏ ଅମାନିଆ କୋଳପୋଛା ଛୁଆକୁ ? ସେମାନେ ଆମଠୁ ଭଲରେ ଅଛନ୍ତି ନା ? ମୁଁ କୁଆଡ଼େ ଯାଇପାରେ ନାହିଁ ଏଇ ଗୋଡ଼ ଦିଇଟା ଯୋଗୁଁ । ଶେଷବେଳକୁ ଝିଅଟିର କଣ୍ଠସ୍ୱର କେମିତି ଓଜନିଆ ଓଜନିଆ ଶୁଭେ ।

 

ପାନଛେଚା ବନ୍ଦ କରି ବୁଢ଼ାମଣିଷଟି ନାତୁଣୀ ବୟସର ଝିଅଟିକୁ ଚାହେଁ । ଆଉ କିଛିଦିନ ପରେ ଝିଅଟି ବାହାଯୋଗ୍ୟ ହେବ । କିନ୍ତୁ କେଉଁ ରଜାପୁଅ ଆସି ଗ୍ରହଣ କରିବ ନିଜ ପାଦରେ ଚାଲିପାରୁ ନଥିବା ଏଇ ଝିଅଟିକୁ ?

 

ବୁଢ଼ା କହିଲା, “କହୁଚିରେ ମା’, ଧୀରେସୁସ୍ଥେ ସବୁକଥା କହୁଛି । ସେ ଦିନକାଳ ଥିଲା, ଯେତେବେଳେ ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଚାଲି ଯାଉଥିଲି । କିନ୍ତୁ ଆଜିକାଲି ସେତିକି ସ୍ୱାଧୀନତାବି ମୋର ନାହିଁ । ଦିନସାରା ସେଇଥିପାଇଁ ମୁଁ କମ୍ବଳ ଢାଙ୍କିହୋଇ ଏଇଠି ପଡ଼ି ରହିଥାଏ । କିଏ ବୁଝିବ ଯେ ଏଇ ବୁଢ଼ା ମଣିଷଟାରବି ବହୁତ ଦୁଃଖ ଅଛି !”

 

ଝିଅଟିର ଓଠରୁ ହସ ନିଭିଯାଇଥିଲା । ଧୀରେ ଡାହାଣ ହାତଟି ବଢ଼େଇଦେଲା ବୁଢ଼ା ଆଡ଼କୁ । ବୁଢ଼ା ପାଖେ ଝିଅଟିର ହାତ ପହଞ୍ଚୁ ନଥିଲା । କିନ୍ତୁ ସମ୍ପର୍କର ମିଠା ମହକରେ ତା’ର ଅସ୍ତିତ୍ୱ ରୋମାଞ୍ଚିତ ହୋଇ ଉଠୁଥିଲା ।

 

ଦୁଃଖ ମୋରବି ଅଛି । ପୁଅଟିଏ, କଲେଜରେ ପଢ଼ୁଥିଲା । ବରାବର କୁକୁଡ଼ା ତା’ ଛୁଆକୁ ଡେଣାତଳେ ଢାଙ୍କି ରଖିଲା ପରି ଆମେ ଦି’ ପରାଣୀ ତାକୁ ଢାଙ୍କି ରଖୁଥିଲୁ । ପୁଅଟି ବଡ଼ହେଲା । ତା’ରି ବୟସର ଝିଅଟେ ସାଙ୍ଗରେ ତା’ର ସମ୍ବନ୍ଧ ହେଲା । ଆମର ଅରାଜି ହେବାରେ କିଛି ନଥିଲା । କିନ୍ତୁ ଝିଅଟି ଥିଲା ଅଲଗା ଧର୍ମର...

 

ଝିଅର ମାଆବାପ ତାକୁ ନେଇଗଲେ । ଆମେ ଟ୍ରେନ୍‌ଟାସାରା ଖୋଜିଲୁ । ପୁଅ ପାଗଳ ପରି ହେଇଗଲା । ପାଇଲୁ ନାହିଁ । ପୁଅଟି ମୋର ଏ ଦୁଃଖ ଜଣେଇଲା ଇଞ୍ଜିନ୍‌ ବଗିର ମଣିଷଙ୍କୁ । ସେମାନେ ଶୁଣିଲେ ନାହିଁ । ନେଳି ଟ୍ରେନ୍‌ର ଡ୍ରାଇଭରମାନେ କହିଲେ, ଏଇସବୁ ମୋରି ଚକ୍ରାନ୍ତ । ତାଙ୍କ ଧର୍ମକୁ ନଷ୍ଟ କରିବାପାଇଁ ମୁଁ ପୁଅକୁ ଶିଖେଇ ଏସବୁ କରିଛି ।

 

: ତା’ପରେ ?

 

ଦିନେ ରାତିରେ କାହାକୁ କିଛି ନ କହି ପୁଅ ମୋର ଘରଛାଡ଼ି ଚାଲିଗଲା । ଏଇଠି କେଉଁଠିକି ଯାଇଥିବ ଭାବି ଆମେ ଖୋଜିଲୁ ନାହିଁ । ଦିନେ ଗଲା, ଦିଦିନ ଗଲା, ମାସେ ବିତିଗଲା, ପୁଅ ଫେରିଲା ନାହିଁ । ମାଆ ତା’ର ବିଛଣା ଧରିଲା । କିଛି ଖାଇଲା ନାହିଁ, କିଛି ପିଇଲା ନାହିଁ । ଦିନରାତି ମୋ ପୁଅ, ମୋ ପୁଅ କହି ଝୁରିହେଲା । ଡବାଟାଯାକର ମଣିଷ ବୁଝେଇଲେ, ପୁଅ ଫେରିଆସିବ । ସେ ଶୁଣିଲା ନାହିଁ । ପୁଅ ମୋର ଆଉ ଫେରିଲା ନାହିଁ । ଯେଉଁ ଝିଅପିଲାଟିକି ସେ ଆଦର କରୁଥିଲା, ତାକୁହିଁ ଥରେ ଭେଟିବାକୁ ଚାଲିଯାଇଥିଲା ତାଙ୍କ ଟ୍ରେନ୍‌କୁ । ବାଟରେ ଝିଅଘର ଲୋକ ପୁଅକୁ ମୋର ଅଟକେଇଲେ । ତାକୁ ଦିଗଡ଼ କରି କୁଆଡ଼େ ହାଣିଦେଲେ...

 

ଝିଅଟି ହାତ ବଢ଼େଇଲା ଆଉଥରେ । କାନ୍ଦ ନାହିଁ ଜେଜେ, ଦୁଃଖ କଥାଗୁଡ଼ା ନ କହିଲେ ପଛେ ନକୁହ । ତମେ କାନ୍ଦନାହିଁ କିନ୍ତୁ...

 

ବୁଢ଼ା ନିଜ ଆଖିରୁ ଲୁହ ପୋଛିଦେଲା । ପୁଅର ମୃତ୍ୟୁ ତା’ପାଇଁ ଗତ ଜନ୍ମର ଘଟଣା । ତାକୁ ମନେରଖି ଝୁରିହେବାର ଅର୍ଥ କିଛି ହୁଏ ନାହିଁ ।

 

ଥଣ୍ଡା ପବନ ଜୋରରେ ବହିଆସୁଥିଲା ଝରକା ଦେଇ । ଦେଖ୍‌, ଦେଖ୍‌ ମାଆ ! ଏଇ ଆହ୍ଲାବାଦ ସହର । ସେପଟେ ଦେଖ୍‌ ତ୍ରିବେଣୀ ଘାଟ ।

 

ଝିଅଟି ଝରକା ବନ୍ଦ କରିଦେଉ ଦେଉ କହିଲା, “ତମକୁ ଖୁବ୍‌ କାଶ ହେଉଛି । କମ୍ବଳଟା ମୁଣ୍ଡ ଉପରକୁ ଉଠେଇଦିଅ । ନିଦ ଆସିଲେ ଶୋଇପଡ଼ିବ । ମୋତେ ତ ରାତିରେ ନିଦ ହୁଏ ନାହିଁ-। ମୁଁ ରାତିସାରା ଚେଇଁ ଚେଇଁ ଆକାଶ ଓ ପୃଥିବୀର ରଙ୍ଗ ବଦଳେଇବା ଦେଖେ । ମୋତେ ଭାରି ଭଲ ଲାଗେ ।”

 

ବୁଢ଼ା ମଣିଷଟି ଟିକେ ହସିଲା । ବଡ଼ କରୁଣ ସେ ହସ । ଝିଅଟିର ମୁହଁ ଉପରେ ଓଢ଼ଣାଟିଏ ଦେଇଦେଲେ ଟିକି ବୋହୂଟେ ପରି ଦିଶିବ । ଅଚିହ୍ନା ବୁଢ଼ା ମଣିଷଟା ପ୍ରତି କେତେ ଦରଦ ତା’ର ? ଗୋଟେ ଦୀର୍ଘଶ୍ୱାସ ତା’ର ପଞ୍ଜରା ଥରେଇ ବାହାରି ଆସିଲା । ପୁଣି ମନେପଡ଼ିଲା, କୁଆଡ଼େ ଉଭେଇଗଲା ଗୋଟେ ଚବିଶବର୍ଷର ଜିଅନ୍ତା ମଣିଷ ? ଯାହାପାଇଁ ସେ ଖୋଜିଥାନ୍ତା ଏଇମିତି ଟିକି ବୋହୂଟିଏ ।

 

“ଶୋଇବି କ’ଣରେ ମାଆ, ମୋର ବା ଦିନକାଳ ଆଉ କେତେ ? କାହାକୁ ଜଣକୁ କହିଯିବି ସବୁ ମନକଥା । ତୁ ଶୁଣୁଥିବାଯାକେ ମୁଁ କହୁଥିବି । ତୋରି ମାଧ୍ୟମରେ ଏ ପୁରୁଣା ଟ୍ରେନ୍‌ର ସବୁ ମଣିଷଙ୍କ ପାଖେ ସେ କଥା ପହଞ୍ଚେଇବାକୁ ଚେଷ୍ଟା କରୁଥିବି । ବାଟରେ ଯଦି କେତେବେଳେ ଆଖି ବୁଜିଦିଏ, ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ କଥା ମୋର ସରିଯାଏ, ତୁ ଚିନ୍ତା କରିବୁ ନାହିଁ । ମୋରି କଥାକୁ ତୁ ଅନ୍ୟ ଯାତ୍ରୀମାନଙ୍କୁ ଶୁଣେଇ ଯିବୁ । ମନକଥା କହିଦେଲେ ବଡ଼ ହାଲୁକା ଲାଗେରେ ଭିତରଟା ।”

 

ବୁଢ଼ା ମଣିଷଟି ଅଣ୍ଟାସଳଖି ବସିବାକୁ ଚେଷ୍ଟା କରୁଥିଲା । ଗଛ ରୋଷଣି ଶବ୍ଦରେ ଗାଁଦାଣ୍ଡ କମ୍ପିଉଠିଲା ପରି ହଠାତ୍‌ ଟ୍ରେନ୍‌ଟା ଦୁଲୁକିଗଲା । ଯାତ୍ରୀମାନେ ଯେ ଯାହା ବିଛଣାରୁ ଉଠିପଡ଼ିଲେ । ବେଶବାସ ଅସଂଯତ, ଅସମ୍ଭାଳ ଅବସ୍ଥା । କିଏ ଗୋଟେଇ ଧରିଲା ନିଜର ବ୍ୟାଗ୍‌ ଓ ପଇସାମୁଣା, କିଏ କୋଳପୋଛା ଛୁଆଟାକୁ ତ ଆଉ କିଏ ନିଜର ବୁଢ଼ା ବାପକୁ । ଯୁବକମାନେ ତଳକୁ ଓହ୍ଲେଇପଡ଼ିଲେ ଖପ୍‌ଖାପ୍‌ । ହଜାରେ ଏକ ରୋଷଣି ଏକା ସାଙ୍ଗରେ ଜଳିଲେ ଯେମିତି ଆଲୋକମୟ ହେଇଯାଆନ୍ତା ଗୋଟେ ବିସ୍ତୀର୍ଣ୍ଣ ଉପତ୍ୟକା, ଠିକ୍‌ ସେଇପରି ଦୃଶ୍ୟ । ଢୋ ଢୋ ଶବ୍ଦରେ ରାତିର ନିଶୂନ ପ୍ରହର ମୂର୍ଚ୍ଛିତ ହୋଇଉଠିଛି । ରେଳ ଧାରଣା ଦୁଇକଡ଼ ଗଛ ଡାଳରୁ ରାତିର କ୍ଳାନ୍ତ ଚଢ଼େଇମାନେ ଅତର୍କିତ ବିସ୍ଫୋରଣରେ ଚିରଚିରେଇ ଉଠିଛନ୍ତି ।

 

ସବୁରି ମନରେ ଆତଙ୍କ, ଭୟ ଓ ସନ୍ଦିଗ୍ଧ କୌତୂହଳ, କ’ଣ ହେଲା ? କ’ଣ ହେଲା କେଉଁଠି ? ଟ୍ରେନ୍‌ଟା ଅଟକିଯାଇଛି କାହିଁକି ଅପନ୍ତରା ଭୂଇଁରେ ? କେତେବେଳେ ଆରମ୍ଭ କରିବ ଯାତ୍ରା ? ଇଏ କେଉଁ ଷ୍ଟେସନ୍‌ ? ନା, ମଝିରାସ୍ତାରେ ଅଟକିଛି ଟ୍ରେନ୍‌ ?

 

ନିଦୁଆଳି ଆଖିମାନଙ୍କରେ ପ୍ରଶ୍ନବାଚୀ । ଭୋକିଲା ଛୁଆଟା କାନ୍ଦୁଛି ରୋଗିଣା ମାଆର ଛାତି ଜାବୁଡ଼ି । ସବୁତକ ଅଫିମକୁ ଏକାଥରକେ ଗିଳିଦେଇ ବଡ଼ କଷ୍ଟରେ ଦୁଇ ଘଣ୍ଟାର ନିଦ ଯୋଗାଡ଼ କରିଥିବା ମୋଟା ମଣିଷଟି ନିଦ ଭାଙ୍ଗିଯାଇଥିବା ଯୋଗୁଁ ଅକାରଣରେ ବିରକ୍ତ ହେଉଛି !

 

କିଏ ଜଣେ କହିଲା, ସେମୁଣ୍ଡ ଡବାରେ ଗଣ୍ଡଗୋଳ ଲାଗିଛି । ସେମାନେ କହୁଛନ୍ତି ଅଲଗା ଟ୍ରେନ୍‌ରେ ପଳେଇଯିବେ । ଏଇ ଟ୍ରେନ୍‌ଟା ପୁରୁଣା, କଳଙ୍କିଲଗା, ଏହାର ଗାଧୁଆଘର ଅସନା, ଏଠି ଗୋଡ଼ ଲମ୍ବେଇବାକୁ ଜାଗା ନାହିଁ । ତାଙ୍କ ଠାକୁରଙ୍କୁ ଏଠି କେହି ସମ୍ମାନ ଦେଉନାହାନ୍ତି । ଏ ଟ୍ରେନ୍‌ର ମକା ପୋକଡ଼ା, ରୁଟି ଗମୁଆଁ ଓ କ୍ଷୀରଗୁଡ଼ା ପାଣିମିଶା । ସେମାନେ ଏଠି ରହିବେ ନାହିଁ । ସ୍ୱତନ୍ତ୍ର ହୋଇଯିବେ । ସନ୍ତ୍ରୀମାନେ ପହଞ୍ଚିଯାଇଛନ୍ତି । ଭୀଷଣ ଗଣ୍ଡଗୋଳ । ସମସ୍ତେ ତୁନି ପଡ଼ିଯାଅ ।

 

ଗୋଟେ ଚାପା ଭୟ ଓ ଉତ୍ତେଜନାରେ ମଝି ଡବାର ମଣିଷମାନେ ତୁନି ପଡ଼ିଗଲେ । ବୁଢ଼ା ମଣିଷଟି ଉଠିଆସି ଧୀରେ ସାଉଁଳିଦେଲା ଛୋଟୀ ଝିଅର ଅଲରା ମୁଣ୍ଡବାଳ । କିଛି ହେବ ନାହିଁ, ଧୈର୍ଯ୍ୟ ରଖ । ସେମାନଙ୍କୁ କିଏ ମତେଇଦେଇଛି । ନହେଲେ ସେଇ ଡବାର ଲୋକମାନେ ତ ଏହି ପୁରୁଣା ଟ୍ରେନ୍‌ର ଚକ ଖଞ୍ଜିବାଠାରୁ ଇଞ୍ଜିନ୍‌ରେ କୋଇଲା ଢାଳିବାଯାଏ ସବୁଠୁ ମେହନତୀ କାମ କରିଥିଲେ । ଦିନକପାଇଁ ତ ସେମାନେ ପୁରୁଣା ଟ୍ରେନ୍‌ଟା ପ୍ରତି ଏତେ ଅନାସ୍ଥା, ଏତେ ଅନାଦାର ପ୍ରକାଶ କରି ନଥିଲେ ! ନିଶ୍ଚୟ କିଛି ଦୁଷ୍ଟଲୋକ ଏସବୁ ଭିଆଇଛନ୍ତି ।

 

ଏଣିକି ଡବାମାନଙ୍କରେ ଗଣ୍ଡଗୋଳ ନିତିଦିନିଆ ଘଟଣା ହେଇଯାଉଥିଲା । ପାନ, ସିଗ୍ରେଟ ବିକାଳିଙ୍କ ଭିନ୍ନ ଆଉ କାହାର ଅବାଧ ପ୍ରବେଶ ନଥିଲା ଟ୍ରେନ୍‌ର ସବୁ ଡବାଗୁଡ଼ାକ ଭିତରେ-। ତାଙ୍କରି ମୁହଁରୁ ମଣିଷମାନେ ଶୁଣନ୍ତି, ଗଣ୍ଡଗୋଳ ଲାଗିଥିବା ଡବାଗୁଡ଼ିକର ଖବର । ସେମାନେବି ବେଳେବେଳେ ଖୁବ୍‌ ଡରିଯାଇଥାଆନ୍ତି । କାହା ଜୀବନକୁ କାହାର ଭୟ ନାହିଁ !

 

ଏବେ ଏ ପୁରୁଣା ଟ୍ରେନ୍‌ଟାକୁ ଅନେକେ ଅନାଦର କଲେଣି । ମଝି ଡବାର ବୁଢ଼ା ମଣିଷର ଏଇଟାହିଁ ଦୁଃଖ । ସନ୍ତ୍ରୀମାନେ କ’ଣ ଟ୍ରେନ୍‌ ? ଡ୍ରାଇଭରମାନେ ଟ୍ରେନ୍‌ ? ନା ଟି.ଟି.ସି.ମାନେ ଟ୍ରେନ୍‌ ? ତମେମାନେ ଏଇ ମଣିଷମାନଙ୍କ ଉପରେ ଅଭିମାନ କରି, ୟାଙ୍କରି କାରବାରରେ ଅନାସ୍ଥା ପ୍ରକାଶ କରି ପୁରୁଣା ଟ୍ରେନ୍‌ଟାକୁ ଛାଡ଼ିଯିବ ବୋଲି କହୁଛ ?

 

ଦୁଇ ତିନିଟା ବଡ଼ବଡ଼ ଡବା ଏହା ଭିତରେ ପୁରୁଣା ଟ୍ରେନ୍‌ଠାରୁ ଅଲଗା ହୋଇଯିବେ ବୋଲି ଖୋଲାଖୋଲି ଜଣେଇ ଦେଇସାରିଲେଣି । ଟ୍ରେନ୍‌ର ଚେନ୍‌ଟଣା କାରବାର, ଜୋରିମାନା, ଜେଲ୍‌ ଆଦେଶ, ଗୁଳି ଓ ବୋମା ବିସ୍ଫୋରଣ ବେଶ୍‌ ଦେହସୁହା ହୋଇଗଲାଣି । ଡ୍ରାଇଭରମାନଙ୍କ ଭିତରେବି ଭାଳେଣି । ଘନଘନ ବଦଳୁଛନ୍ତି ଡ୍ରାଇଭର । ଯିଏ ସବୁ ଯାତ୍ରୀଙ୍କ କଥା ସମ୍ଭାଳି ନ ପାରିବ, ସବୁ ଡବାର ଦୁର୍ଦ୍ଦଶା ସମାଧାନ ନ କରିପାରିବ, ସିଏ ଇଞ୍ଜିନ୍‌ ବଗିରେ ରହିବ କାହିଁକି ?

 

ଟ୍ରେନ୍‌ର ସବୁଠୁ ବଡ଼ ଡବା ପ୍ରତି ଇଞ୍ଜିନ୍‌ ବଗିର ଭୀଷଣ ଭୟ । ବୁଢ଼ା ଝିଅଟିକୁ ଏକଥା କହିବାବେଳେ ଝିଅର ଆଖିଯୋଡ଼ିକ ବଡ଼ବଡ଼ ହୋଇଯାଏ । କାହିଁକି ଏ ଭୟ ? ଇଞ୍ଜିନ୍‌ ବଗିବାଲା କ’ଣ କାହାକୁ ଭୟ କରନ୍ତି ?

 

: କରନ୍ତି । ଅଲବତ୍‌ ଭୟ କରନ୍ତି । ଅନେକ ବର୍ଷ ତଳେ ସେହି ଡବାର ଦଳେ ଯାତ୍ରୀ ଗୋଟାଏ କ୍ୟାଲେଣ୍ଡର ଟାଙ୍ଗିଥିଲେ ଗେଟ୍‌ ମୁହଁ ପାଖରେ । ସେତେବେଳକୁ ନେଳି ଟ୍ରେନ୍‌ଟା ଅଲଗା ହେଇଯାଇ ନଥିଲା ଏଇ ଆମର ଟ୍ରେନ୍‌ଠାରୁ । ମିଶିକି ଥିଲେ । ମିଶିକି କହିଲେ କ’ଣ କି ଖାଲି ଉପରକୁ ଦେଖେଇବା ପାଇଁ । ବୁଢ଼ା ଏକଥାଗୁଡ଼ାକ କହିବାବେଳେ ବେଶ୍‌ ଚାପାଗଳାରେ କହେ । କାହିଁ କେଉଁଠି କମ୍ପାନୀବାଲାଏ ଶୁଣୁନାହାନ୍ତି ତ ? ସେମାନେ ଏକଥା ଶୁଣିଲେ ତାକୁ ଧରିନେବେ । ବାନ୍ଧି ପକେଇବେ । ଏଇଟା ଗୋଟେ ଭଣ୍ଡ, ଧର୍ମାନ୍ଧ, ଶଠ ବୋଲି କହି ଡ୍ରାଇଭର ବଗିକୁ ତାକୁ ନେଇଯିବେ ।

 

ଝିଅଟି ସାହସ ଦେବା ଭଙ୍ଗୀରେ କହିଲା, “ତମେ ବଡ଼ ଡରକୁଳା ମଣିଷ । କେହି କୁଆଡ଼େ ନାହିଁ । ତମେ କୁହ ।”

 

“ହଁ, କହୁଛି”–ବୁଢ଼ା ଆଖିରେ ତଥାପି ଅବିଶ୍ୱାସ । କାଳେ କେଉଁ ଚା’ବିକାଳି କି ପାନବିକାଳି ଶୁଣିଦେଲେ ଟ୍ରେନ୍‌ଟାସାରା ରାଷ୍ଟ୍ର ହୋଇଯିବ । ସକାଳୁ ସକାଳୁ ନ ଘଟିବା ଘଟଣାହିଁ ଘଟିବ ଏଇ ଅପେକ୍ଷାକୃତ ଶାନ୍ତ ଡବାଟିରେ ।”

 

“ହଁ, ଉପରକୁ ମିଳିମିଶି ରହିଥିବା ଏହି ଲୋକଙ୍କ ଭିତରେ ଦି’ କିସମର ଯାତ୍ରୀ ଥିଲେ । ପ୍ରଥମ ଦଳଟି କ୍ୟାଲେଣ୍ଡର ଝୁଲେଇ ଗଲା ପରେ ଆରଦଳ ଆସି ତା’ରି ଉପରେ ଆଉ ଗୋଟେ କ୍ୟାଲେଣ୍ଡର ଝୁଲେଇଦେଲେ । ଅଲଗା କଣ୍ଟାଟେ ପିଟି ସେମାନେ ତାଙ୍କ ଫଟୋ ଝୁଲେଇ ପାରିଥାଆନ୍ତେ । କିନ୍ତୁ ତାହା କଲେ ନାହିଁ । ଏବେ ନେଳି ଟ୍ରେନ୍‌ଟା ଅଲଗା ହେଇଯିବା ଦିନଠାରୁ ଆମ ଏଇ ଟ୍ରେନ୍‌ର ସେଇ ସବା ବଡ଼ ଡବାଟାରେ ଅନର୍ଥ ଲାଗିଛି । ଏମାନେ କହୁଛନ୍ତି, ନୂଆ କ୍ୟାଲେଣ୍ଡରକୁ ଚିରିଦେବେ । ଦୋସରା ଯାତ୍ରୀଏ କହୁଛନ୍ତି, ସେ କ୍ୟାଲେଣ୍ଡର ସେଇଠି ରହିବ ।”

 

: କ୍ୟାଲେଣ୍ଡରକୁ ନେଇ ଏତେ ଝଗଡ଼ା ? ଆଉ କିଛି କାମ ନାହିଁ, ଖାଇବା ପିଇବା, ଚାକିରି, ବାହାଘର ।

 

: ଚୁପ୍‌, ଚୁପ୍‌ । ଧୀରେ, ଧୀରେ । ବୁଢ଼ା ନିଜ ହାତପାପୁଲିରେ ଝିଅଟିର ପାଟି ଚାପିଧରିଲା । ଏଇଥିପାଇଁ ତୋତେ ଏଗୁଡ଼ା କହିବାକୁ ଯାଉ ନଥିଲି । କଥାଟା ସେତିକି ସହଜ ହେଇଥିଲେ ଏତେ ବଡ଼ବଡ଼ ମଣିଷ କ’ଣ ତାକୁହିଁ ନେଇ ଲଢ଼ୁଥାଆନ୍ତେ ?

 

: କ୍ୟାଲେଣ୍ଡର, ମୂର୍ତ୍ତି ପ୍ରତିମା କି ଠାକୁର ଠାକୁରାଣୀ କେହି ନଥିଲେ ଖୁବ୍‌ ଭଲ ହେଇଥାଆନ୍ତା । ମଣିଷ ଉପରେହିଁ କାହିଁକି ଏତେ ବିପଦ ? ଗାଈଗୋରୁ, ମେଣ୍ଢା, ଛେଳିଙ୍କର ଏସବୁ ସମସ୍ୟା ନାହିଁ ଜେଜେ !

 

ବୁଢ଼ା କ’ଣ କହିବାକୁ ଯାଉଥିଲା, ହେଲେ ଅନ୍ଧାର ଭିତରେ କିଏ ଜଣେ ଡବା ଭିତରେ ଏପଟ ସେପଟ ହେଉଥିଲା ବୋଧ କରି ବୁଢ଼ା ଚାପାଗଳାରେ କହିଲା, “ତମେ କିଏ ବାବୁ ? ଏଠିକି ଆସ । କଥା ହେବା ?”

 

ଲୋକଟା କୋଉକାଳୁ କାହାସାଙ୍ଗେ ମନଖୋଲି କିଛି କଥାବାର୍ତ୍ତା ହୋଇନାହିଁ ଯେପରି । ଧୀରେ ଧୀରେ କମ୍ପାଟ୍‍ମେଣ୍ଟର ଚଟାଣ ଉପରେ ଶୋଇଥିବା ପୁରୁଷ, ନାରୀ, ବ୍ୟାଗ୍‌ ଓ ବିଛଣା ପାରହୋଇ ସେ ଆସି ବୁଢ଼ା ପାଖରେ ଛିଡ଼ାହେଲା ।

 

ଇଏ ତ ପାନବିକାଳି । “କ’ଣ ଟିକେ କହିଲ, ସେଆଡ଼ିକା ଖବର ? ବୁଢ଼ା ମଣିଷ ମୁଁ, ଆଉ କୁଆଡ଼େ ଯା–ଆସ କରିପାରୁନାହିଁ ।”

 

ଲୋକଟି କିଛି ସମୟ ଗୁମ୍‌ହେଇ ରହିଲା । କିଛି କହିବାକୁ ଯେପରି ତା’ର ଇଚ୍ଛା ହେଉନାହିଁ । ଥରେ ଡବାର ଚାରିଆଡ଼ ଓ ଆଉଥରେ ଛୋଟୀ ଝିଅଟିର ମୁହଁକୁ ଚାହିଁଦେଇ ସେ ଡବାର ଲାଇଟ୍‌ଟା ଲିଭେଇଦେଲା ।

 

“ଆର ଡବାମାନଙ୍କର ହାଲତ ତମେ ଚିନ୍ତା କରିପାରିବ ନାହିଁ । ମୋତେ ତ ଲାଗୁଛି ଏ ଟ୍ରେନ୍‌ ଏଇଠି କୋଉଠି ମଝିବାଟରେ ଅଟକିଯିବ । ଚାରି ପାଞ୍ଚଟା ଡବାରେ ମୁର୍ଦ୍ଦାରଙ୍କ ସଂଖ୍ୟା ଜିଅନ୍ତା ମଣିଷଙ୍କ ସଂଖ୍ୟାଠୁ ଟପିଗଲାଣି । ଖାଲି କବନ୍ଧ, ଖପୁରି ଓ ରକ୍ତ । ଗୁଳି, ବୋମା ଓ ଗ୍ରେନେଡ଼୍ । କମ୍ପାନୀର ଆଇନ ଦି’ ରକମର ଥିଲା । ତମପାଇଁ ଗୋଟେ ଆଇନ ଆଉ ନେଳି ଟ୍ରେନ୍‌ବାଲାଙ୍କ ପିଲାପିଚିକାଙ୍କ ପାଇଁ ଦୋସରା ଆଇନ । ସବା ଶେଷମୁଣ୍ଡର ସେଇ ଯେଉଁ ଏୟାର କଣ୍ଡିସନ୍‌ଡ଼ ବଗି ଅଛି, ସେଠିକି ଆମେ ଯାଇପାରିବା ନାହିଁ । ଏବେ ତାକୁ ନେଇ ଗଣ୍ଡଗୋଳ ଚାଲିଛି-। ନେଳି ଟ୍ରେନ୍‌ର କିଛି ଯୁବକ ଆସି ପହଞ୍ଚିଯାଇଛନ୍ତି ଏଇ ପାଖଆଖରେ । ତାଙ୍କ ପାଖେ ବହୁତ ଟଙ୍କା, ବହୁତ ଗୁଳି, ବହୁତ ବନ୍ଧୁକ । କମ୍ପାନୀ ପ୍ରତିଦିନ ଆଇନ ବଦଳେଇ ଚାଲିଛି ସେମାନଙ୍କୁ ସନ୍ତୁଷ୍ଟ କରିବାପାଇଁ, ଆଜି ଏକଥା କହିଲେ କାଲି ସେକଥା କହୁଛି । ଗୋଟେ ଡ୍ରାଇଭରକୁ ସେମାନେ ବୋମାରେ ଉଡ଼େଇଦେବା ଖବର ଶୁଣିଛ ତ ?”

 

ସତକଥା କହିବାକୁ ଗଲେ ଏ ଖବର ବୁଢ଼ା କି ସେ ସାନଝିଅ ଦି’ ଜଣଯାକ କେହି ସେପର୍ଯ୍ୟନ୍ତ ଶୁଣି ନଥିଲେ । ହଠାତ୍‌ ଗୋଟେ ଆତଙ୍କରେ ଦୁହେଁ ଶିହରିଉଠିଲେ । ଏଇଠି କୋଉଠି ଗୋଟେ କୋଣରେ ଯେମିତି କୁଣ୍ଡଳୀ ମୋଡ଼ି ରହିଛି ବିରାଟ ଅଜଗର ! ଟିକିଏ ଅନ୍ୟମନସ୍କ ହେଲେ ଦି’ଜଣଙ୍କୁ ଗିଳିଦେବ ।

 

ପାନବିକାଳିଟି ତରତର ହେଉଥିଲା । ଅନ୍ଧାର ଭିତରେ ଲୋକଟିର ଚେହେରା ବେଶ୍‌ ବାରିହେଉଛି । ଶାନ୍ତସୁଧାର ପିଲାଟାଏ । ପୁଣି ସେଇ ଦୀର୍ଘଶ୍ୱାସର ପୁନରାବୃତ୍ତି । ଗୋଟେ ଚବିଶବର୍ଷ ବୟସର ଯୁବକର ସ୍ମୃତି, କିଛି ସ୍ୱପ୍ନ, କିଛି ଅଶ୍ରୁ ଓ କିଛି ଆବେଗର ଗୋଟେ ଜିଅନ୍ତା ପ୍ରତିମା । ବଞ୍ଚିଥିଲେ ଆଜି କେଡ଼ୁଟେ ହୁଅନ୍ତାଣି–ବୁଢ଼ା ଭାବୁଥିଲା ।

 

ପାନବିକାଳି ତରୁଣଟି ଚାଲି ଯାଉ ଯାଉ କହୁଥିଲା, “ପାଖରେ ରୁଟି କି ଭାତ ଅଛି ନା ? କିଏ ଜାଣେ କାଲି କ’ଣ ହେବ ? ଟ୍ରେନ୍‌ଟା ହୁଏତ ପଡ଼ିରହିବ ଏଇ ମଝିବାଟରେ କାଲି ଦିନସାରା । ଦୁଇ ତିନିଟା ଡବାର ଯାତ୍ରୀମାନେ ଆନ୍ଦୋଳନ କରିଛନ୍ତି । ଟ୍ରେନ୍‌ର ଚକ ଗଡ଼ିବାକୁ ସେମାନେ ଦେବେନାହିଁ । ଚକା ବନ୍ଦ ଡାକରା ତାଙ୍କର ଆଜି ରାତିରୁ ଆରମ୍ଭ ହେଇଗଲାଣି ।”

 

: ହାୟ ଭଗବାନ ! ମୋ ପାଖରେ ଟୋପାଏବି କ୍ଷୀର ନାହିଁ । କଅଁଳା ଛୁଆଟା କ’ଣ କରିବ ?

 

ଏଇ ଚାରିଦିନ ତଳେ ଡବା ଭିତରେ ଗୋଟେ କଣ୍ଢେଇ ଛୁଆ ପରି ଝିଅଟେ ଜନ୍ମ କରିଥିବା ମାଆଟି ବିଳାପ ଆରମ୍ଭ କରି ଦେଇଥିଲା । ବୁଢ଼ାଙ୍କ ଅଜାଣତରେ ସେ ଡବାର ଅନେକ ଯାତ୍ରୀ ହୁଏତ ଶୁଣିସାରିଥିଲେ ଏଇ ଦୁଃସମ୍ବାଦ । ହୁଏତ ସେମାନେ ମଧ୍ୟ ରାତ୍ରିର ଅନ୍ଧକାରରେ ଅପେକ୍ଷା କରିଥାନ୍ତି ପାନବିକାଳି ଓ ଚା’ବିକାଳିମାନଙ୍କୁ । ସେମାନଙ୍କ ଭିନ୍ନ ଆଉ କାହା ପାଖରୁ ସତକଥା ଶୁଣିବାକୁ ମିଳେ ନାହିଁ । କମ୍ପାନୀବାଲାଏ ଯାହା ସବୁ ପ୍ରଚାର କରନ୍ତି ସେଗୁଡ଼ା ଅଧା ସତ, ଅଧା ମିଛ । ଆର ମାସରେ ଗୋଟେ ଯୁବତୀ ଝିଅକୁ କମ୍ପାନୀର ସନ୍ତ୍ରୀ ଦୁଇଜଣ ଟେକିନେଲେ । ତା’ ଆଗରୁ ଇଞ୍ଜିନ୍‌ ଡବାକୁ ଡାକି ନେଇଥିବା ଚାରିଜଣ ଯାତ୍ରୀଙ୍କ ଭିତରୁ ତିନିଜଣ ଅନ୍ଧ ଓ ଛୋଟା ହୋଇ ଫେରିଲେ ତ ଆର ଜଣକ କୁଆଡ଼େ ଗଲା କେହି ଜାଣିଲେ ନାହିଁ । କମ୍ପାନୀବାଲାଏ କହୁଛନ୍ତି, ସବୁ ଠିକ୍‌ ଚାଲିଛି । ମିଛ କଥା !

 

ବୁଢ଼ା କହିଲା, ‘ମାଆଲୋ, ଆମର ଏଇ ଡବାଟି ଭାରି ଭଲ । ବେଶୀ ଭାତ ନାହିଁ ଆମ ପାଖରେ, ବେଶୀ ରୁଟି ନାହିଁ । ଏସବୁ ନ ଥାଉ ପଛକେ, କିନ୍ତୁ ପାଣି ଅଛି, ପବନ ଅଛି, ଶାନ୍ତି ଅଛି । ଆଗପଛ ଡବାଗୁଡ଼ାକ କଥା ଆଉ ଶୁଣି ହେଉନାହିଁ । ଗୋଟେ ଛୋଟ ଡବାର ଯାତ୍ରୀଗୁଡ଼ାକ ବାଛି ବାଛି କଅଁଳା ଛୁଆଗୁଡ଼ାଙ୍କ ବେକ କାଟି ପକେଇଛନ୍ତି ।

 

ଆଉ ଟିକକରେ ଝିଅଟି ପଡ଼ିଯାଇଥାଆନ୍ତା । ମୂର୍ଚ୍ଛା ହେଇଗଲା ପରା ! ଆହା, କାହିଁକି କହିଲା ଏସବୁ କଥା ପିଲାଟାକୁ ? କାହାକୁ ଡାକିବ ? ଯାତ୍ରୀମାନେ ଶୋଇଛନ୍ତି । ପାଣି ବୋତଲରୁ ମୁନ୍ଦାଏ ଛିଞ୍ଚିଦେଲା ଝିଅଟିର ମୁହଁରେ । ହେ ଭଗବାନ, ପିଲାଟାକୁ ଭଲ କରିଦିଅ ।

 

ତଥାପି ରାତି ପାହିନାହିଁ । ପୁରୁଣା କଳଙ୍କିଲଗା ଟ୍ରେନ୍‌ଟି ରେଳ ଧାରଣା ଉପରେ ପେଟେଇ ପଡ଼ିଛି । ଆଜି ଦିନଟା ହୁଏତ ପଡ଼ିରହିବ ଏଇ ଅଗନାଅଗନି ଜଙ୍ଗଲ ଭିତରେ । ଜଙ୍ଗଲରେ ବାଘ ଅଛି, ସାପ ଅଛି ଓ ଖଣ୍ଟମାନେବି ଅଛନ୍ତି । ଯାତ୍ରୀମାନଙ୍କ ପାଖରେ ଭାତ ନାହିଁ, ରୁଟି ନାହିଁ, ପିଇବା ପାଣି ସରିଆସୁଛି ।

 

ଡବା ଭିତରେ ଓଜନିଆ ପାଦ ଶବ୍ଦ । ସନ୍ତ୍ରୀ ଆସିଲେ । ସନ୍ତ୍ରୀଙ୍କୁ ଘେରି ଲୁହାଟୋପି ପିନ୍ଧା କମ୍ପାନୀର ନିରାପତ୍ତା ରକ୍ଷୀ । ସେମାନେ ଏମୁଣ୍ଡ ସେମୁଣ୍ଡ ଧାଉଁଛନ୍ତି, ଦଉଡ଼ୁଛନ୍ତି । କମ୍ପାଟ୍‍ମେଣ୍ଟର ଚଟାଣରେ ବୁଢ଼ୀଟେ ଶୋଇଥିଲା, ସେମାନେ ତାକୁ ଦଳିଦେଇଗଲେ । ସାନ ପିଲାଟାର ରବର କଣ୍ଢେଇଟା କେଁ କେଁ କାନ୍ଦିଉଠିଲା ସନ୍ତ୍ରୀର ବାଇଓନେଟ୍‌ ଭୁସାରେ । ସେଇଟା ବୋମା ନୁହେଁ, କଣ୍ଢେଇ–ଏକଥା ବାରମ୍ବାର କହିବା ସତ୍ତ୍ୱେବି ସନ୍ତ୍ରୀଟା ଶୁଣିଲା ନାହିଁ । ତା’ର ରାଗ, ଏଇ ଡବାରେ ଲୁଚି ରହିଛନ୍ତି ଦଳେ କମ୍ପାନୀ–ଶତ୍ରୁ । ସେମାନଙ୍କୁ ସେ ଖତମ୍‌ କରିଦେବ । ଗୋଟେ ଆସାମୀକୁ ଖତମ୍‌ କରିବାପାଇଁ ଦଳେ ନିରପରାଧ ମଣିଷ ମରିଯାଆନ୍ତୁ କି ଭାଙ୍ଗିଯାଆନ୍ତୁ, କିଛି ଚିନ୍ତା ନାହିଁ । ସର୍ଚ୍ଚ, ଆରେଷ୍ଟ୍‌, ଫାୟାର୍... । ଏଇପରି କିଛି ଶବ୍ଦ କହୁଥିଲେ ସନ୍ତ୍ରୀମାନେ ।

 

ବୁଢ଼ା ମଣିଷ କମ୍ବଳଟା ହଟେଇଦେଲା । ହାତପାଆନ୍ତାରେ ଗୋଟେ ସିନ୍ଦୂରିତ ସକାଳ । ସ୍ମୃତିରେ ଏବେବି ସତେଜ ସେଇ ଦୂର ଷ୍ଟେସନ୍‌ର ମଧୁର ସ୍ମୃତି । ସେଇ ନାରଙ୍ଗୀ ଓ ସବୁଜ ରଙ୍ଗର ଷ୍ଟେସନ୍‌ । ମଝିରେ ରେଳର ଚକ ପରି ଗୋଟେ ଚକ୍ର ଶୋଭିତ ପୁରୁଣା ଟ୍ରେନ୍‌ର ସଂଶୋଧିତ ପତାକା । ସ୍ୱର୍ଗଠୁ ସୁନ୍ଦର ଓ ଅମୃତଠୁଁ ମିଠା ଏଇ ଟ୍ରେନ୍‌ର ପ୍ରତି ଇଞ୍ଚ୍‌ ଜାଗା । ହଜାର ହଜାର ଯାତ୍ରୀଙ୍କ ପାଦଧୂଳିରେ ଶ୍ରୀମଣ୍ଡିତ ଏଇ ସେ କିମ୍ବଦନ୍ତୀ, ପୁରାଣ ଓ ଇତିହାସର ଆଦର୍ଶ–ପୁରୁଣା ରେଳଗାଡ଼ି । ପିଠି ଓ ମୁଣ୍ଡରେ ଲାଠି ଓ କୋରଡ଼ାର ଉତ୍ପୀଡ଼କ ସ୍ମୃତି । ଅଥଚ ଏମିତି କାହିଁକି ହେଲା-? କାହିଁକି ଡ୍ରାଇଭର ବଦଳିଯିବା ଓ ଗୋଟାଏ ବଡ଼ ଟ୍ରେନ୍‌ରୁ ଅଲଗା ଆଉ ଗୋଟେ ଟ୍ରେନ୍‌ ବାହାରିଯିବା ସତ୍ତ୍ୱେ ଆଜିକାଲି ସବୁରାତି ଏପରି ଭୟଙ୍କର ମନେ ହୁଏ ? କାହିଁକି ସଞ୍ଜ ଆଳତିରେ ମହକି ଉଠୁଥିବା ପ୍ରତିଟି ସଞ୍ଜ ସକାଳ ଆଜିକାଲି ବାରୁଦ ଓ ଗୁଳିର ଧୂଆଁରେ ବିଷେଇଯାଏ ଏହି ପୁରୁଣା ଟ୍ରେନ୍‌ର ?

 

–ଭାଗ୍ୟ, ସବୁ ଭାଗ୍ୟରେ ମାଆ ! ବୁଢ଼ା ଆଉଥରେ ଦୀର୍ଘଶ୍ୱାସ ନେଲା । ବେଶୀ ଭାବପ୍ରବଣ ହୋଇଗଲେ ସେ ବାରମ୍ବାର ନିଃଶ୍ୱାସ ନିଏ । ପୁରୁଣା କାଶ ବେମାରଟା ପଦାକୁ ବାହାରିଆସେ ।

 

ସେଇ ଛୋଟୀ ଝିଅଟି ପ୍ରବୋଧନା ଦେଲା–ସବୁ ଠିକ୍‌ ହେଇଯିବ ଜେଜେ ! ଏଇ ଦେଖ, ସକାଳ ହେଇଆସିଲାଣି । ଏଇଠି ପାଖରେ ମିଳିବ ପାଣି, ରୁଟି ଓ ଭାତ । ପ୍ରଚୁର ଖୋଲାପବନ ଓ ବିପଦମୁକ୍ତ ଉଷ୍ଣ ସମ୍ପର୍କ । ସବୁ ଠିକ୍‌ ହୋଇଯିବ ।

 

ଅନେକ ଦିନ ହେଲାଣି ନିଜ ଡବାଟାର ଏମୁଣ୍ଡରୁ ସେମୁଣ୍ଡ ବୁଲିନାହିଁ ବୁଢ଼ାଲୋକ । ସକାଳର ଶୀତଳ ପବନରେ ଦେହଟା ଟିକେ ସତେଜ ଲାଗୁଛି । ରାତିର ସେ ଭୟ ନାହିଁ । ମୁହଁକୁ ମୁହଁ ଦିଶୁଛି । ଆଗରେ କିଏ ଛିଡ଼ାହେଲେ ତାକୁ ଚିହ୍ନିହେଉଛି ।

 

ନିଜ ସିଟ୍‌ରୁ ଉଠିଲାବେଳେ ଝିଅଟି ପ୍ରଶ୍ନିଳ ଆଖିରେ ଚାହିଁଲା–କୁଆଡ଼େ ? ବୁଢ଼ା ଟିକିଏ ହସିଲା–ସକାଳ ହେଲାଣି । ଏତେବେଳେ କ’ଣ ବସିରହିବା କଥା ?

 

ଝିଅଟି ତଳକୁ ମୁହଁ ପୋତିଦେଲା । ବୁଢ଼ା ବୁଝିପାରିଲା, ଚାଲିବାକୁ ଅକ୍ଷମ ଗୋଟେ ସାନଝିଅ ସାମ୍ନାରେ ବୁଲିବାର ପ୍ରସ୍ତାବ ବାଢ଼ିବସିବା କେତେ ଅନ୍ୟାୟ । ତା’ପରେ ସେ ଝିଅଟିର ପାଖକୁ ଘୁଞ୍ଚିଆସି ହାତ ବଢ଼େଇଦେଲା–ଆ–ଆ–ମୋ ସାଥିରେ । ମୋରି ଉପରେ ଭରାଦେଇ ଉଠିଆ । ମୁଁ ବୁଲେଇନେବି ତୋତେ ସାରା ଟ୍ରେନ୍‌ଟା ।

 

ବୁଢ଼ାର କଣ୍ଠରେ ପ୍ରଚୁର ଆତ୍ମବିଶ୍ୱାସ । ଝିଅଟି ଉଠିପଡ଼ିଲା ଗୋଟେ ଭାବାବେଗରେ । କିନ୍ତୁ ଉଠୁ ଉଠୁ ବିଚାରୀ ତଳେ ପଡ଼ିଗଲା । ବୁଢ଼ା ଆଗେଇଯାଇ ଟେକିଧରିଲା ଝିଅଟିକୁ । ଆଶ୍ଚର୍ଯ୍ୟ, ଝିଅଟି ମୁହଁରେ ଦୁଃଖ ନାହିଁ; ବରଂ ଲାଜମିଶା ହସ ! ତମେ ଯାଅ ଜେଜେ–ତମରି ପାଦରେ ମୁଁ ବୁଲିଆସିବି, ତମରି ଆଖିରେ ଦେଖିନେବି ଯାହାସବୁ ଦେଖିବାର ଅଛି ।

 

ବୁଢ଼ା ଚାଲିଗଲା ।

 

ଝିଅଟି ଗୋଟେ ବୁଲାବିକାଳିକୁ ପାଖକୁ ଡାକିଲା । ତା’ ପାଖରୁ କିଣିରଖିଲା ଗୋଟେ ବିସ୍କୁଟ୍‌ ପ୍ୟାକେଟ୍‌ । ଜେଜେ ଫେରିଲେ ଗରମ ଚା’ରେ ବୁଡ଼େଇ ଖାଇବ ।

 

ବୁଢ଼ା ମଣିଷଟିକୁ ନିଜ ଡବାର ଚେହେରା ଲାଗୁଥିଲା ନୂଆ । କେତେ ବଦଳିଗଲାଣି ଡବାର ଚିତ୍ର ଓ ଚେହେରା ! ମଣିଷମାନେ ସବୁ ଅଚିହ୍ନା ଦିଶୁଛନ୍ତି । ଦୋକାନୀମାନେବି ନୂଆ । ସନ୍ତ୍ରୀ ଓ ନିରାପତ୍ତା ରକ୍ଷୀମାନେ ନୂଆ । ଟି.ଟି.ସି. ଓ କମ୍ପାନୀ ଅଧିକାରୀଙ୍କୁବି ସେ ଚିହ୍ନେ ନାହିଁ । ଏମାନଙ୍କ ନାଆଁ ଅବଶ୍ୟ ସେ ବେଳେବେଳେ ଶୁଣିଛି ପାନ ଓ ଚା’ବିକାଳିଙ୍କଠାରୁ ।

 

ସବୁ ସିଟ୍‌ରେ ଖୁନ୍ଦାଖୁନ୍ଦି ମଣିଷ । ସୋରିଷ ପଡ଼ିବାକୁ ଜାଗା ନାହିଁ । ଚଟାଣ ଉପରେ ଶୋଇଯାଇଛି କେଉଁଗୋଟେ ଦୂର ଗାଁର ମାଇପିଟିଏ । ପାଖରେ ତିନି ଚାରିବର୍ଷର ଝିଅପିଲାଟେ ରାହାଧରି କାନ୍ଦୁଛି । କେହି ଶୁଣୁନାହିଁ ତା’ର ସେ କାନ୍ଦଣା । ଗୋଟେ ଗୋଟେ ସିଟ୍‌ରେ ସାତ ଆଠଜଣ ବସିଛନ୍ତି । ହାତଗୋଡ଼ ହଲେଇବାକୁ ଜାଗା ନାହିଁ । ବେସିନ୍‌ ପାଖରେ ଭିଡ଼, ଗାଧୁଆଘର ପାଖରେ ଭିଡ଼ । ହୋହଲ୍ଲାରେ କିଏ କ’ଣ କହୁଛି ବୁଝାପଡ଼ୁନାହିଁ । ଟ୍ରେନ୍‌ର ଡବା ଲାଗୁଛି ଗୋଟେ ଶୁଖୁଆ କି ମାଛହାଟ ପରି ।

 

ବୁଢ଼ା ଆଉ ଆଗକୁ ନଯାଇ ଫେରିଆସିଲା । ତଥାପି ଢେର୍‌ଗୁଡ଼ାଏ ବାଟ ୟା ଭିତରେ ଚାଲିଯାଇଥିଲା ।

 

ନିଜ ସିଟ୍‌ ପାଖରେ ପହଞ୍ଚି ପ୍ରଥମେ ସେ ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ । ତା’ ସିଟ୍‌ ଉପରେ ଛାଡ଼ିଯାଇଥିବା ଛିଣ୍ଡା କମ୍ବଳଟାରେ କିଏ ନିଆଁ ଲଗେଇଦେଇଥିଲା । ଭାଙ୍ଗିରୁଜି ଖେଳେଇ ହୋଇଯାଇଥିଲା ତା’ର ଟିଣ ବାକ୍‌ସ ଓ ତା’ ଭିତରର ସାଇତା ସମ୍ପତ୍ତି । ପୁରୁଷ, ସ୍ତ୍ରୀ, ବୁଢ଼ା, ବୁଢ଼ୀ, ରୋଗିଣା ମଣିଷ ଓ ସାନପିଲାଏ ସମସ୍ତେ ସନ୍ତ୍ରସ୍ତ । ଗୁଡ଼ାଏ ସନ୍ତ୍ରୀ ବନ୍ଧୁକ ଧରି ଛିଡ଼ା ହୋଇଥିଲେ । ସମସ୍ତେ ନିଜ ନିଜ ସିଟ୍‌ ଛାଡ଼ି ହାଣମୁହଁକୁ ଯାଉଥିବା ଛେଳି ପରି ଚାହିଁ ରହିଥିଲେ ।

 

କ’ଣ ହେଇଛି... ? ଏତକ ପଚାରି ଆସିବାବେଳକୁ ଜଣେ କିଏ ବୁଢ଼ାକୁ ବନ୍ଧୁକ ବେଣ୍ଟରେ ଭୁସିଦେଲା । ବୁଢ଼ା ମଣିଷଟି କଟା କଦଳୀ ଗଛ ପରି ପଡ଼ିଗଲା କମ୍ପାଟ୍‍ମେଣ୍ଟର ଚଟାଣରେ ।

 

ସନ୍ତ୍ରୀମାନେ ଆଦେଶ ଦେଉଥିଲେ, “ନିଜ ନିଜ ଜାଗା ଛାଡ଼ି ଉଠିଯାଅ । ବହୁତ ବସିଗଲଣି ତମେ । ଡବାର ଏ ବାଆଁପଟ ସିଟ୍‌ଗୁଡ଼ାକୁ ଯଦି ତମେ ଅନେଇବ, ତାହାହେଲେ ତମ ଆଖି ଖୋଳିଦେବୁ । ପାଦ ବଢ଼େଇବ ତ ଜଙ୍ଘ ପାଖରୁ ଗୋଡ଼ ହାଣିଦେବୁ ।

 

: ମୋତେ ବାନ୍ତି ହେଉଛି, ମୁଁ ଟିକେ ଝରକା ପାଖରେ...

 

: ଚୋ–ଅ–ପ୍‌ । ବୁଢ଼ୀଟିର କଥା ତା’ ପାଟିରୁ ସରିବା ପୂର୍ବରୁ ଗୋଟେ ଟୋକା ସନ୍ତ୍ରୀ ମାଡ଼ିଆସିଲା ଲାଠି ଉଞ୍ଚେଇ ।

 

ବୁଢ଼ା ମଣିଷଟିର ଚେତା ଫେରି ଆସୁଥିଲା । ସେ ଧୀରେ ଧୀରେ ଖବରଟା ବୁଝିବାକୁ ଚେଷ୍ଟା କରୁଥିଲା । କମ୍ପାନୀବାଲାଙ୍କ ହୁକୁମ, କେବଳ ତାଙ୍କର ଜୟ ଜୟକାର କରୁଥିବା ମଣିଷମାନେ ଝରକା ପାଖ ସିଟ୍‌ଗୁଡ଼ାକରେ ଏବେ ବସିବେ । ସେମାନଙ୍କ ସଂଖ୍ୟା ଯେତେ କମ୍‌ ହେଲେ ମଧ୍ୟ, ତାଙ୍କପାଇଁ ଟ୍ରେନ୍‌ର ଅଧାରୁ ଅଧିକ ସିଟ୍‌ ସଂରକ୍ଷିତ ରହିବ । ସେଠି ଅନ୍ୟ କେହି ବସିପାରିବେ ନାହିଁ । ଇଏ ଏହି ଡବାର ନୂଆ ନିୟମ ।

 

ବନ୍ଧୁକ ବେଣ୍ଟର ଆଘାତରେ ତଥାପି ଯନ୍ତ୍ରଣା ଜର୍ଜରିତ ବୁଢ଼ା ବିଳିବିଳେଇଲା ପରି କହୁଥିଲା, “ନଜର ଲାଗିଗଲା । ମୋର ଏହି ଶାନ୍ତସୁନ୍ଦର ଡବା ଉପରେ କେଉଁ ଡାହାଣୀର ନଜର ପଡ଼ିଗଲା... ।”

 

: ଗୋଟେ ଯୁବକ ଆଗେଇଗଲା ସନ୍ତ୍ରୀ ଆଡ଼କୁ । ତା’ ସ୍ତ୍ରୀ କାଲି ରାତିଠୁ ପ୍ରସବବେଦନାରେ ଚିତ୍କାର କରୁଛି । ହାତଯୋଡ଼ି ମିନତି କରିବା ଭଙ୍ଗୀରେ ସେ କହିଲା, “ମୋ ସ୍ତ୍ରୀ ମରିଯିବ ବାବୁ, ତାକୁ ଗୋଟେ ସିଟ୍‌ ଦିଅ । ଜୟ ଜୟକାରବାଲାଏ ଆସିଲେ ଆମେ ପଛେ ଉଠିଯିବୁ । ମରିଯିବ ବିଚାରୀ... ।”

 

ସନ୍ତ୍ରୀଟି ନାଲିଆଖି ଦେଖାଇ ମାଡ଼ିଆସିଲା–ଚୁପ୍‌ କର । ତମ ମାଇକିନାର ସୁଖଦୁଃଖ ବୁଝିବାପାଇଁ କମ୍ପାନୀ ଆମକୁ ଚାକିରି ଦେଇନାହିଁ । ଜୟ ଜୟକାରବାଲାଏ ଆଜି ନଆସିଲେ କ’ଣ ହେଲା, କାଲି ଆସିପାରନ୍ତି, ପଅରିଦିନ କି ତା’ ପରଦିନ ସେମାନେ ଆସିପାରନ୍ତି । ସେମାନଙ୍କ ପାଇଁ ଆମକୁ ଆଗରୁହିଁ ସିଟ୍‌ ସଂରକ୍ଷିତ ରଖିବାକୁ ପଡ଼ିବ ।

 

ଅଶୀବର୍ଷର ବୁଢ଼ୀଟିଏ ଏହି ଗହଳଚହଳ ଭିତରେ ଚିପିହୋଇଯାଇଥିଲା । ଏସବୁ କାନୁନକଟକଣା ବିଷୟରେ ସେ କିଛି ଜାଣେନାହିଁ । ଅଣ୍ଟା ନୋଇଁଗଲାଣି । ସିଏ ଗୋଟେ ଖାଲି ସିଟ୍‌ର ଧାରକୁ ଭରାଦେଇ କେବଳ ଛିଡ଼ା ହୋଇଥିଲା । ସନ୍ତ୍ରୀଟିଏ ବୁଢ଼ୀ ଆଡ଼େ ଚାହିଁଲା କଟମଟ କରି । ଡରରେ ସିଟ୍‌ ଉପରୁ ହାତ ଖସେଇ ଆଣିଲା ବୁଢ଼ୀଟି । ହଡ଼ବଡ଼େଇ ଯାଇ ବୁଢ଼ୀ କହିଲା, “ମୁଁ ବି ତମ କମ୍ପାନୀର ଜୟଜୟ କରିବି ପୁଅ, ମୋତେ ଟିକେ ଜାଗା ଦିଅ ।”

 

କୁମ୍ଭୀରର ମୁହଁ ପରି ନିଷ୍କରୁଣ ଦିଶୁଥିବା ଆଉ ଗୋଟେ ସନ୍ତ୍ରୀ ହସିଉଠିଲା । କି ବିକଟାଳ ସେ ହସ ? “ଖବରଦାର୍‌ ବୁଢ଼ୀ । ସେ ସିଟ୍‌ ଆଡ଼େ ଚାହିଁଛୁ ତ ? ତୁ ଚାହିଁଲେବି ଜୟ ଜୟକାର କରିପାରିବୁ ନାହିଁ । ସେମାନେ ଜନ୍ମରୁ ସେ ଭାଗ୍ୟ ନେଇ ଆସିଛନ୍ତି, ଷଣ୍ଢ ଜନ୍ମରୁ ଜଟା ନେଇ ଆସିଲା ପରି । ତମ ଦିନକାଳ ସରିଗଲା–ଭାଗୋ । ଭାଗୋ ।”

 

: କିନ୍ତୁ ଆମେ ତାଙ୍କୁ ଆମ ସାଙ୍ଗରେ ବସେଇନେବୁ ତାଙ୍କ ଷ୍ଟେସନ୍‌ ଯାଏଁ । ଆମ ଉପରେ ଏପରି ଆକ୍ରୋଶ କାହିଁକି ? କିଏ କେଉଁଦିନ ସେମାନଙ୍କୁ ପଦେଅଧେ ଟାଣ କଥା କହିଥିଲା ବୋଲି ତମେ କମ୍ପାନୀବାଲା ଏ ରୋଗିଣୀ ବୁଢ଼ୀ, ଏ ଗର୍ଭବତୀ ମାଆ ଓ ଏ ଛୋଟୀ ଝିଅମାନଙ୍କ ଉପରେ କାହିଁକି ଦାଉ ସାଧୁଛ ? ପୁରୁଣା ଇତିହାସ ପାଇଁ ଆମ ପିଲାଙ୍କୁ ହଇରାଣ ହରକତ୍ କରୁଛ କାହିଁକି ? ତାହାହେଲେ ବଡ଼ ଡବାର ସେ ପୁରୁଣା କ୍ୟାଲେଣ୍ଡରକୁ କାହିଁକି କମ୍ପାନୀ ତ ଆଉଥରେ ଝୁଲେଇବାକୁ ଦେଉନାହିଁ ? ଆମମାନଙ୍କରବି ଜୀବନ ଅଛି, ଦୁଃଖ ଅଛି, କଷ୍ଟ ଅଛି ।

 

: ଚୁପ୍‌ବେ ବୁଢ଼ା–କହି ଏଥର ସନ୍ତ୍ରୀଟି ଧାଇଁ ଆସିଲା ଓ ଆଉଥରେ ତା’ ବନ୍ଧୁକ ବେଣ୍ଟରେ ଦେଲା ଶକ୍ତ ପାହାରେ । ପିଚ୍‌ ପିଚ୍‌ ରକ୍ତ ଡେଇଁପଡ଼ିଲା, ମାଟି ଫଟେଇ ପ୍ରସବଣ ପାଣି କୁଦିପଡ଼ିବା ପରି ! ଛୋଟୀ ଝିଅଟି–ଯିଏ ଏହି କିଛିବର୍ଷ ହେଲା ବୁଢ଼ା ମଣିଷକୁ ଜେଜେ ବୋଲି ଡାକି ଆସିଥିଲା, ମନଖୋଲି ସୁଖଦୁଃଖ ହେଉଥିଲା, ଚିରଚିରେଇ ପାଟିକରି ଉଠିଲା । ଭିଡ଼ ଭିତରୁ କେତେଜଣ ଯୁବକ ମଧ୍ୟ ପ୍ରତିବାଦ କରିବାକୁ ଆଗେଇ ଆସୁଥିଲେ ଏ ଅନ୍ୟାୟର ।

 

ଆଦିମ ସରୀସୃପ ପରି ସେ ଟ୍ରେନ୍‌ଟା ତଥାପି ଟାଣି ଘୋଷାରି ହୋଇ ଚାଲିଥିଲା ।

 

ପରଦିନ ରାତି ପାହିଲାବେଳକୁ ବୁଢ଼ାର ସେହି ମଝି ଡବାଟା ଭିତରେ ପଡ଼ିରହିଥିଲା କେଇ ଶହ କବନ୍ଧ, ଚିରାଶାଢ଼ି, ଛିନ୍ନବିଚ୍ଛିନ୍ନ ଘରକରଣାର ଆସବାବପତ୍ର, କେଇଶହ ଲୁହାଟୋପି, ଖାକି ପୋଷାକ, ବେଲ୍‌ଟ ଏବଂ ରକ୍ତର ଲହଡ଼ି ଭିତରେ କଦଳୀପଟୁଆ ପରି ଭାସୁଥିବା କିଛି ଲାଠି-। ଡବାଟାର ସବୁଯାକ ସିଟ୍‌ ଧ୍ୱସ୍ତବିଧ୍ୱସ୍ତ । କାନ୍ଥଗୁଡ଼ାକ କଣା ହେଇଯାଇଥିଲା ଘନଘନ ଗୁଳି ଆଘାତରେ । ସନ୍ତ୍ରୀ ଓ ଯାତ୍ରୀଙ୍କ କବନ୍ଧ କୁଢ଼ ତଳେ ବିଞ୍ଚିହେଇପଡ଼ିଥିଲା କିଛି ଛିଣ୍ଡା ରୁଟି, ଭଙ୍ଗା କପ୍‌, ଛିଣ୍ଡା ଚପଲ, ପୋଡ଼ା ମାଂସ, ପାନ ଦୋକାନୀର ଦୋକାନ, ଚା’ବିକାଳିର କେଟ୍‌ଲି, ଚୁଲା ଓ କପ୍‌ପ୍ଲେଟ୍‌, ବୁଢ଼ାଙ୍କ କୋଥଳି, ତା’ ଭିତରର ବଟୁଆ, ଛୋଟୀ ଝିଅର ଆଶାବାଡ଼ି, କାହାର ଚଷମା, କଲମ, ବ୍ରିଫ୍‌କେଶ୍ ଏବଂ ହଁ, ସେଇ ରକ୍ତର ଲହଡ଼ିରେ ଭାସୁଥିଲା ଗୋଟେ ବିସ୍କୁଟ୍‌ ପ୍ୟାକେଟ୍‌ର ଉପର କାଗଜ । ଝିଅଟି ତା’ ଜେଜେପାଇଁ କିଣିଥିଲା ସେ ପ୍ୟାକେଟ୍‌ଟା ।

 

ଟ୍ରେନ୍‌ଟା ତଥାପି ଚାଲିଥିଲା । ଏବେ ବାହାରର ଲୋକ ନିରିଖେଇ ଚାହିଁଲେ ଦିଶିଯାଉଥିଲା ପ୍ରତ୍ୟେକଟି ବନ୍ଦ କମ୍ପାଟ୍‍ମେଣ୍ଟର ଲୁହା କବାଟ ଫାଙ୍କଦେଇ ନିଗିଡ଼ି ଆସୁଥିଲା ଧାର ଧାର ରକ୍ତ । ସେ ରକ୍ତ ଗଡ଼ିଯାଇ ଚକମାନଙ୍କରେ ବୋଳି ହେଇଯାଇଥିଲା ଓ ରେଳ ଧାରଣା ଉପରେ ଟାଣି ହେଇଯାଉଥିଲା ଗୋଟେ ଦୀର୍ଘ ରକ୍ତରେଖା । ଝରକା ଦେଇ ଉଡ଼ିଯାଉଥିଲା ମୁର୍ଦ୍ଦାର, ପୋଡ଼ା ଚୂଳ ଓ ଚମଡ଼ାର ଫୁରୁକୁଟିଆ ଗନ୍ଧ । ଯେଉଁମାନେ ମଲାପରି ବଞ୍ଚିରହିଥିଲେ ସେମାନଙ୍କ ଭିତରେ କାମୁଡ଼ାକାମୁଡ଼ି, କଳିକଜିଆ ଓ ହୋହଲ୍ଲା–କ୍ୟାଲେଣ୍ଡରକୁ ନେଇ, ଜୟ ଜୟକାର ଦଳଙ୍କ ସୁବିଧା ପ୍ରସଙ୍ଗ ନେଇ, ଧର୍ମକୁ ନେଇ, ଭାଷାକୁ ନେଇ, ଜାତିକୁ ନେଇ ଓ କମ୍ପାନୀର ମାଲିକାନା ନେଇ ।

 

ସବା ଆଗ ଇଞ୍ଜିନ୍‌ ଡବାଟି ଘୋଷାରି ଘୋଷାରି ଚାଲିଥିଲା କବନ୍ଧ ଓ ବିବାଦର ବତିଶଟା ବିରାଟ ବିରାଟ ଡବାକୁ ନେଇ । ସନ୍ତ୍ରୀ ଓ ନିରାପତ୍ତା ରକ୍ଷୀମାନେ ଚାରିପଟୁ ଜଗିରହିଥିଲେ ସେଇ ଇଞ୍ଜିନ୍‌ ଡବାଟିକୁ । ବିରାଟ ଟ୍ରେନ୍‌ର ସେଇତକ ଅଂଶକୁ ଛାଡ଼ିଦେଲେ, ଆଉ କାହିଁ କେଉଁଠି କମ୍ପାନୀ ଲୋକ ଦିଶୁ ନଥିଲେ ଆଜିକାଲି ।

 

ଟ୍ରେନ୍‌ଟି ତଥାପି ଚାଲିଥିଲା ।

 

କେତେ ବର୍ଷ, କେତେ ଖ୍ରୀଷ୍ଟାବ୍ଦ, କେତେ ଶକାବ୍ଦ, କେତେ ହିଜିରାବ୍ଦ ଓ କେତେ ସନ ଓ ସାଲର ପୁରୁଣା ଟ୍ରେନ୍‌ଟି ଚାଲିଥିଲା କୁନ୍ଥେଇ କୁନ୍ଥେଇ । ଚକାଗୁଡ଼ାକ ପୁରୁଣା ଓ ଅଖ ସବୁ ଢିଲା ହୋଇଗଲାଣି । ଡବାରୁ ରଙ୍ଗ ଓ ଛାତ ଉଡ଼ିଗଲାଣି, ପାଣି ସରିଆସିଲାଣି; ତଥାପି ଦୂରର ସେ ଈପ୍‌ସିତ ଷ୍ଟେସନ୍‌ ଆସିନାହିଁ । ଅନେକ ଦୂରରେ ସେଇ ‘ସାରେ ଜହାଁସେ ଆତାର ରାଗିଣୀ, ଗୋଲାପ ବଗିଚାର ବାସ୍ନା ଓ ବୁଲ୍‌ବୁଲ୍‌ର ଗୀତ । ଅନେକ ଦୂରରେ ସେଇ ଈପ୍‌ସିତ ଷ୍ଟେସନ୍‌ ।

 

କିଏ ଜାଣେ, କେଉଁ ଦିନ, କିପରି ଅବସ୍ଥାରେ, କାହାକୁ ନେଇ, କାହିଁକି ଓ କେମିତି ପହଞ୍ଚିବ ଏହି ପ୍ରାଚୀନ ଟ୍ରେନ୍‌ଟି ସେଇ ସୁଦୂର ଷ୍ଟେସନ୍‌ରେ ? କିଏ ଜାଣେ ?

Image

 

ଉତ୍ତାନପାଦ

 

ସ୍ତ୍ରୀଲୋକଟେ ଉଧୁନଙ୍ଗଳା ହେଇ ଗାଳି ଫଜିତ୍‌ କରୁଛି । ବେଶ୍‌ କିଛି କାଳ ହେଲା କରିଚାଲିଛି । ତା’ ପାଟିରୁ ଅଶ୍ଳୀଳ, ଅଣଆଭିଧାନିକ, ଲଜ୍ଜାକର ଶବ୍ଦଗୁଡ଼ାକ ବାହାରି ସେ ପରିବେଶକୁ କୁତ୍ସିତ କରିଦେଉଛି । ସାମ୍ନା ଫ୍ଲାଟ୍‌ର ପୁଞ୍ଜାଏ ଲୋକ ନିଜ ନିଜ ଗ୍ରିଲ୍‌ ସେପଟୁ ଅନେଇଛନ୍ତି ସ୍ତ୍ରୀଲୋକଟିକୁ । ଅନ୍ୟମାନେ ଝରକା କବାଟ ବନ୍ଦ କରିଦେଇଛନ୍ତି । ଏପରି ଘଟିବା ଆରମ୍ଭ ହେଲେ ପାଖ ପଡ଼ିଶାର ଲୋକମାନେ ସେଇଆହିଁ କରନ୍ତି । ସ୍ତ୍ରୀଲୋକଟି ସାୟା, ବ୍ଲାଉଜ୍‌ ପିନ୍ଧିନାହିଁ । ପତଳା ଶାଢ଼ି ଖଣ୍ଡେ ଦେହ ଉପରେ ଘୋଡ଼େଇ ଦେଇଛି । ପନିକି ପଟେ ଧରି ଧାଉଁଛି ତା’ ଅଗଣାର ଏମୁଣ୍ଡରୁ ସେମୁଣ୍ଡ, ସେମୁଣ୍ଡରୁ ଏମୁଣ୍ଡ । ସାକ୍ଷାତ କାଳୀମୂର୍ତ୍ତି ପରି ଦିଶୁଛି ମୁକ୍ତକେଶା, ଅର୍ଦ୍ଧନଗ୍ନ ସ୍ତ୍ରୀଲୋକଟି ।

 

କେହି ପ୍ରତିବାଦ କରୁନାହିଁ । ଜଣେ କେହି ଆଗେଇ ଆସି ପଚାରୁନାହିଁ, ଘଟଣାଟି କ’ଣ-? କାହିଁକି ସକାଳୁ ସକାଳୁ ସ୍ତ୍ରୀଲୋକଟି ଏପରି ନାଟକ ସୃଷ୍ଟି କରୁଛି କାମଧନ୍ଦା ସବୁ ଛାଡ଼ି-? ନା, କୌଣସି ଲୋକ ପଚାରିବ ନାହିଁ । ପଚାରିବାର ସାହସ ନାହିଁ ସେମାନଙ୍କର । କାରଣ, ଏଇ ସ୍ତ୍ରୀଲୋକଟା ଆଦୌ ସାଧାରଣ ନାରୀ ନୁହେଁ । କାହା ଜିଭରେ ହାଡ଼ ଅଛି ତାକୁ ପଚାରିବାକୁ-? ସ୍ତ୍ରୀଲୋକଟି ସମ୍ପି ଚାଲିଛି । ଶଳା, ମାଇଚିଆ, ଅଣପୁରୁଷା, ଚୋର ତସ୍କର ଆଦି କହି କହି ସେ ଅନବରତ ଗାଳି ଦେଇଚାଲିଛି ତା’ର ପ୍ରତିପକ୍ଷମାନଙ୍କୁ । କଲୋନିର ଗହଳଚହଳ ବଢ଼ୁଛି-। ତା’ ଚାରିପାଖରେ ଶ୍ରୋତାଙ୍କ ସଂଖ୍ୟା ବଢ଼ୁଛି, ଉତ୍ସାହିତ ହେଉଛି ସ୍ତ୍ରୀଲୋକଟି । ଏବେ ତାକୁ ଆଉ କେହି ବନ୍ଦ କରିପାରିବ ନାହିଁ । ଫ୍ଲାଟ୍‌ର ସବା ଉପର ଘରେ ଗୌତମୀ ଅଙ୍କ କଷୁଥିଲା । ଅଠର ତାରିଖରୁ ତା’ର ପରୀକ୍ଷା । ବାପା ଅଫିସ୍‌ ଯାଇଛନ୍ତି ସକାଳୁଆ ଡ୍ୟୁଟିରେ । ବୋଉ ରୋଷେଇଘରେ ରାନ୍ଧୁଛି । ଦାଦା ବାଥ୍‌ରୁମ୍‌ କାନ୍ଥରେ ଝୁଲୁଥିବା ଛୋଟ ଆଇନାଟି ସାମ୍ନାରେ ନଇଁପଡ଼ି ଦାଢ଼ି କାଟୁଛି । ଗୌତମୀ ମାଆକୁ କହୁଛି, ‘ବୋଉ ! ସେଇ ସ୍ତ୍ରୀଲୋକଟା ପାଟିକରୁଛି । କେହି କିଛି କହୁନ କାହିଁକି ? ଏମିତିକା ଗଣ୍ଡଗୋଳ ଭିତରେ କିଏ ପାଠ ପଢ଼ିପାରିବ କହିଲୁ ?’

 

ବୋଉ ସବୁ ଜାଣନ୍ତି, କିନ୍ତୁ କିଛି କରିପାରିବେ ନାହିଁ । ହୁଏତ ଏହିପରି ପରିବେଶରେ ମୂକ ବଧିର ହେଇ ଆହୁରି କିଛି ବର୍ଷ ବିତେଇବାକୁ ପଡ଼ିବ ସେମାନଙ୍କୁ । ନହେଲେ କ୍ୱାଟର୍ସ ଛାଡ଼ି ଭଡ଼ାଘରେ ଯାଇ ରହିବାକୁ ପଡ଼ିବ–ଯାହା ସେମାନଙ୍କଦ୍ୱାରା ସମ୍ଭବ ନୁହେଁ ।

 

ଗୌତମୀ ବହିଖାତା ବନ୍ଦକରି କବାଟ ଆଉଜେଇନେଲା ଓ ମୁହଁମାଡ଼ି ଶୋଇବାର ଅଭିନୟ କଲା ।

 

‘ତଳକୁ ଯାଅନା, ସେଇଟା ଭଲଲୋକ ନୁହେଁ’ ବୋଲି ନର୍ମଦା କହୁ କହୁ ଉମେଶ ଓହ୍ଲେଇ ଯାଇଥିଲା ତଳକୁ । ଝିଆରୀର ଅଭିଯୋଗଭରା ଅସହାୟତା ଓ ଲଜ୍ଜାହୀନ ଗୋଟେ ସ୍ତ୍ରୀଲୋକର ଅଶ୍ଳୀଳ ଚିତ୍କାର ’ର ତାରୁଣ୍ୟକୁ ଚାଲେଞ୍ଜ କରୁଥିଲା ।

 

: ଚୁପ୍‌ କର । ଚୁପ୍‌ କର କହୁଛି । ଉମେଶ ଖୁବ୍‌ ବଡ଼ପାଟିରେ କହିଲା ।

 

ଆଖପାଖର ପୃଥିବୀ ଟିକେ ଦୋହଲିଗଲା । ଇଏ ମହାଶୟ କିଏ ? କଲୋନି ଭିତରେ କେହି କେବେ ସେ ସ୍ତ୍ରୀଲୋକଟି ମୁହଁରେ ଜବାବ ଦେଇନାହିଁ । ଆଜି ଏ ନୂଆ ମଣିଷଟି ସେ ସାହସ କରିପାରିଲା କିପରି ?

 

ସ୍ତ୍ରୀଲୋକଟି ଉତ୍ସାହିତ ହୋଇପଡ଼ିଲା । ଦୁଇ ବାହା ଲମ୍ବେଇ ରାମ୍ପିବିଦାରି ହେଲା, ପନିକିଟାକୁ ଫୋପାଡ଼ିଲା ବିପକ୍ଷ ଆଡ଼କୁ । ଆଉରି ଆଉରି ନୂଆ ଶବ୍ଦରେ ଗାଳି ଫଜିତ୍‌ କଲା । ତା’ର ମୁକୁଳା ଛାତି, ମୁକୁଳା ପିଠି, ମୁକୁଳା ପାଗଳାମି ଏବେ ପଞ୍ଚମକୁ ଉଠିଯାଇଥିଲା ।

 

ଉମେଶ କିଛି କହିବା ପୂର୍ବରୁ ସ୍ତ୍ରୀଲୋକଟି ତା’ ସାର୍ଟ୍ କଲରକୁ ଭିଡ଼ି ଧରିଥିଲା । ବହୁକାଳ ଧରି ଡିଆଁଡ଼େଇଁ କରିଥିବା ସ୍ତ୍ରୀଲୋକଟି ଚିତ୍କାର କରୁଥିଲା, “ମୋତେ ବେଜିତ କରି ଦେଲାରେ, ମୋର ସରମ ଲୁଟି ନେଲାରେ, ମୋତେ ନଙ୍ଗଳା କରି ଦେଲାରେ, ଧାଇଁଆସ କିଏ କେଉଁଠି ଅଛହୋ ବାବୁମାନେ !”

 

ଉମେଶ ଗୋଟେ ବରଡ଼ା ପତ୍ର ପରି ଥରୁଥିଲା ।

 

ସଂସାରରେ ଏଭଳି ସ୍ତ୍ରୀଲୋକବି ଅଛନ୍ତି ? ତା’ର ନଖ ଆମ୍ପୁଡ଼ାରେ ଆଞ୍ଚୁଡ଼ି ହେଇଯାଇଛି ଉମେଶର ଡାହାଣ ଗାଲ । ରକ୍ତ ଥୋପାଥୋପା ହେଇ ପଡ଼ୁଛି ସେ ଜାଗାଟିରୁ । ନଙ୍ଗଳା ସ୍ତ୍ରୀଲୋକଟାକୁ ତା’ ସ୍ୱାମୀ ଟେକି ଟେକି ଘର ଭିତରକୁ ନେଇଯାଇଛି । କବାଟ ବନ୍ଦ କରିଦେଇଛି ଧଡ଼୍‍କରି । ଭିତରପଟୁ ସେହି ଅଶ୍ରାବ୍ୟ ଶବ୍ଦମାନ ବିଞ୍ଚି ହୋଇ ପଡ଼ୁଛନ୍ତି ଘର ଚାରିପଟେ । ଗୋଟେ ଉତ୍‌ଫଣ ସର୍ପ ପେଟରା ଭିତରୁ ବାହାରି ଆସିବାପାଇଁ ଫଁ ଫଁ ହେଉଛି ।

 

ଉମେଶ ପରାହତ ଓ ଅସମର୍ଥ ସୈନିକଟେ ପରି ମୁଣ୍ଡ ନୁଆଁଇ ଉପରକୁ ଫେରି ଯାଉଥିଲା । ସମଗ୍ର ଘଟଣାଟି ତାକୁ ରହସ୍ୟପୂର୍ଣ୍ଣ ଲାଗୁଥିଲା ବେଳୁବେଳ ।

 

ନର୍ମଦା କହିଲା, “ତମେ ସେ ସ୍ତ୍ରୀଲୋକଟାକୁ ଜାଣିନାହଁ । ମୁଁ ମନା କରୁ କରୁ ତମେ ପଳେଇଲ । ମୋ ସାନକୁହା ମାନିଲ ନାହିଁ । ଦିନେଅଧେ ପାଇଁ ଏଠାକୁ ଆସି ତମେ ଅପମାନିତ ହୁଅ, ସେଇଟା ମୁଁ ଚାହୁଁ ନଥିଲି । ଆମେ ତ ଏଇଠି ଦୁଇବର୍ଷ ହେଲା ମୁହଁ କାନ ବୁଜି ପଡ଼ିରହିଛୁ ।”

 

: କିନ୍ତୁ ସାମାନ୍ୟ ସ୍ତ୍ରୀଲୋକଟା ?

 

: ସିଏ ସାମାନ୍ୟ ନୁହେଁ, ଆମେ ସାମାନ୍ୟ । ତା’ ବର ୟୁନିଭର୍‍ସିଟିରେ ଡ୍ରାଇଭର ଅଛି । ଗାଡ଼ି ମେଣ୍ଟେନାନ୍‌ସ ବାବଦକୁ ଢେର୍‌ ପଇସା ରୋଜଗାର କରେ । ତେଲ ବିକ୍ରିରୁ ଉପୁରି ପାଏ । ସ୍ୱାମୀଟେ, ସ୍ତ୍ରୀଟେ–ତାଙ୍କର କି ଜଞ୍ଜାଳ ଅଛି ? ଛୁଟିଦିନେ ବଡ଼ ହାକିମମାନଙ୍କ ପିଲାପିଲିଙ୍କୁ ନେଇ ବୁଲେଇଆଣେ ପୁରୀ, କୋଣାର୍କ । ସମସ୍ତେ ତା’ ଉପରେ ଖୁସି । ଆମ କଥା କେହି ଶୁଣିବେ ନାହିଁ । ତା’ଠୁ ଯେଉଁ ସୁବିଧା ପାଇବେ ଆମେ ତ ତାହା ଦେଇପାରିବୁ ନାହିଁ !

 

: କିନ୍ତୁ ଏମିତିକା ପରିବେଶରେ ତମେ କେତେ କାଳ ନିରବ ରହିପାରିବ ଭାଉଜ ? ଗୌତମୀର ପାଠପଢ଼ା କ’ଣ ହେବ ? ଏ ଫ୍ଲାଟ୍‌ରେ ଆହୁରି ପାଞ୍ଚଟା ପରିବାର ରହୁଛନ୍ତି । ସେମାନେ କେହି କ’ଣ ପ୍ରତିବାଦ କରୁନାହାନ୍ତି ? ଇଏ କି ରକମର ଅନ୍ଧଶାସନ କଥା ତମେ କହୁଛ-?

 

ଉମେଶ ସମ୍ଭବତଃ ସବୁକଥା ଜାଣେ ନାହିଁ । ନର୍ମଦା ଜାଣନ୍ତି । ଅନ୍ଧଶାସନ ବୋଲି ସେ ଯାହାକୁ କହୁଛି, ସେଇଟାହିଁ ପ୍ରକୃତ ଶାସନ । ‘ତମେ ଆଜି ମିଛଟାରେ ସାପ ଲାଞ୍ଜରେ ହାତ ଦେଲ-। ଦେଖ କ’ଣ ହେଉଛି’–ଦୀର୍ଘଶ୍ୱାସଟିଏ ପକେଇ ବଡ଼ଭାଇ ଚୌକି ଉପରୁ ଉଠି ଚାଲିଗଲେ-

 

ଭାଉଜ କହୁଥିଲେ–

 

କେତେ କୁହାପୋଛା କରି ଏଇ କ୍ୱାଟର୍ସ ଖଣ୍ଡକ ପାଇଛୁ । ଏଠି ପାଞ୍ଚଜଣଯାକ ଲେକ୍‌ଚରର୍‌, ରିଡ଼ର୍‌ । ଅଥଚ ତଳ ଘରଟା ଆଲଟ୍‌ କରାଯାଇଛି ଗୋଟେ ଡ୍ରାଇଭରକୁ । ସେ ସାମ୍ନା ଜାଗାତକ ଘେରେଇ ପରିବା ଚାଷ କରୁଛି । ଗାଈମାନଙ୍କର ମୂତ, ଗୋବରରେ ସମୁଦାୟ ପରିବେଶ କଦର୍ଯ୍ୟ ହେଇପଡ଼ୁଛି । ବହୁତ ଥର ଯାଇ ଅଫିସ୍‌ରେ କହିଲୁ । ଭାଇସ୍‌ ଚାନ୍‌ସଲରକୁ ଲେଖିକି ଦେଲୁ, ଦୟାକରି ଡ୍ରାଇଭରଟିକୁ ଆଉ ଗୋଟେ କ୍ୱାଟର୍ସକୁ ପଠେଇଦିଅ, ନଚେତ୍‌ ଆମ ପାଞ୍ଚଜଣଙ୍କୁ ଆଉ ଗୋଟେ କୋଉଠି କ୍ୱାଟର୍ସ ଦିଅ । କିଛି ହେଉନାହିଁ, କେହି ଶୁଣୁନାହାନ୍ତି ।

 

ଆମେ ଦୁଇବର୍ଷ ହେଲା ଏମିତି ଗୋଟେ ଆତଙ୍କଜନକ ପରିବେଶ ଭିତରେ ବଞ୍ଚୁଛୁ । ଠୁଙ୍ଗା କାଗଜ ଖଣ୍ଡେ ତଳକୁ ପକେଇପାରିବୁ ନାହିଁ, ପରିବା ଚୋପା କି ବାସନଧୁଆ ପାଣି ମୁନ୍ଦେ ଯଦି ତଳକୁ ପଡ଼ିଯାଇଛି ତେବେ କଥା ସରିଲା । ତା’ ପରଦିନ ସକାଳୁ ଦେଖିବୁ, ସେ ମାଇପିଟା ଘର ଦୁଆରମୁହଁରେ ଆଣି ମେଞ୍ଚାଏ ମଇଳା ଗଦା କରିଦେଇ ଯାଇଥିବ । ତା’ ସାଙ୍ଗକୁ ସେଦିନସାରା ଅବିରାମ ଗାଳିଫଜିତ୍‌ । ଘରକୁ କୁଣିଆ କିଏ ଆସିଥିଲେ ମଣିଷର ମାନମହତ ଦିଅଣାର ହୋଇଯିବ ।

 

କିନ୍ତୁ ତମେମାନେ ଚୁପ୍‌ଚାପ୍‌ ହାତଗୋଡ଼ ଛନ୍ଦି ଏଇସବୁକୁ ଦି’ବର୍ଷ ହେଲା ବରଦାସ୍ତ କରିଛ ? ତମେମାନେ ବରଦାସ୍ତ କରିଛ ବୋଲି ସେ ବେଶୀ ସାହସ ପାଇଛି । ତା’ ସ୍ୱାମୀଟା କ’ଣ ତାକୁ କିଛି କହେ ନାହିଁ ? ତମେମାନେ ପୋଲିସ୍‌କୁ କାହିଁକି ଜଣାଉ ନାହଁ ? ସମୁଦାୟ ଘଟଣାଟିକୁ ଆଦୌ ବିଶ୍ୱାସ କରିପାରୁ ନଥିଲା ଉମେଶ । କ୍ରୋଧ ଓ ଅପମାନରେ ତା’ ଦୁଇ ହାତ ମୁଠା ମୁଠା ହେଇଯାଉଥିଲା ।

 

ବିଷାଦ କାବୁ କରି ରଖିଥିଲା ତାକୁ ସେଦିନ ସଞ୍ଜଯାଏ । ସେଥିରୁ ଟିକିଏ ମୁକୁଳିବାକୁ ସେ ବିଳମ୍ବିତ ସଞ୍ଜରେ ମାର୍କେଟ ଆଡ଼େ ବାହାରି ଯାଇଥିଲା । ଫେରିଥିଲା ଆଉରି ବିଳମ୍ବରେ ।

 

ସୂର୍ଯ୍ୟନଗର ଛକ ପାଖ ଲାଇଟ୍‌ପୋଷ୍ଟ୍‌ ଅନ୍ଧାର । ସେଇଠୁ ବାଇଲେନ୍‌ଟେ ଲମ୍ବିଯାଇଛି ଭାଇର କ୍ୱାଟର୍ସକୁ । ଚାରିଜଣ ଲୋକ ସେଇ ଅନ୍ଧାର ଭିତରେ ତା’ ବାଟ ଓଗାଳୁଥିଲେ । ଉମେଶ କିଛି ଜାଣିବା ପୂର୍ବରୁ ସେମାନେ ଲମ୍ଫ ଦେଇ ସାରିଥିଲେ ତା’ ଉପରକୁ । ସେମାନଙ୍କ ହାତରେ ହକିଷ୍ଟିକ୍‌ ଓ ସାଇକେଲ୍‌ ଚେନ୍‌ । ଉମେଶର କପାଳରେ ଠାଏ କରି ବାଜିଲା ଜଣଙ୍କର ହକିଷ୍ଟିକ୍‌ । ଉମେଶ ‘ବୋଉଲୋ’ କହି ତଳେ ପଡ଼ିଗଲା । ସେମାନେ ନିର୍ଧୁମ୍‌ ପିଟି ଚାଲିଥିଲେ ତାକୁ । “ଶଳା ଦାଦାଗିରି ଦେଖଉଛୁ ? ହାତଗୋଡ଼ ଚୂନା କରିଦେବୁ ଯେ ସିଧା ଭୁବନେଶ୍ୱର ଛାଡ଼ି ପଳେଇଯିବୁ ।” ଉମେଶ ଚେତାଶୂନ୍ୟ ହୋଇସାରିଥିଲା ଅନେକବେଳୁ ।

 

ଜିପ୍‌ଟାଏ ଆସିଲା । ଗାଡ଼ିର ହେଡ଼୍‍ଲାଇଟ୍‌ରେ ଉଜ୍ଜ୍ୱଳ ହେଇଯାଉଥିଲା ଅନ୍ଧାରିଆ ଉପଗଳି । ଜିପ୍‌ଟା ସେଇଠୁ ଦୂରେଇ ଟିକେ ରହିଲା । ଚାରିଜଣଯାକ ଖପ୍‌ ଖପ୍‌ ଡେଇଁପଡ଼ି ଜିପ୍‌ ପଛରେ ବସିଗଲେ । ଜିପ୍‌ଟି ସେମାନଙ୍କୁ ନେଇ ଅଦୃଶ୍ୟ ହେଇଗଲା ।

 

ରାତି ଅନେକ ହେଲାଣି । ଫ୍ଲାଟ୍‌ର ସବା ଉପର ଘରେ ଉମେଶର ଭାଇ ରହୁଛନ୍ତି । ଉମେଶର ଜାମାପ୍ୟାଣ୍ଟ୍‌ ବିପର୍ଯ୍ୟସ୍ତ, ତାଳୁରୁ ତଳିପା ଯାଏଁ ରକ୍ତମୟ । ଘୁଷୁରି ଘୁଷୁରି ଗେଟ୍‌ ଖୋଲିଲା । ଗ୍ରିଲ୍‌ ଗେଟ୍‌ ପାଖରେ ଯାଇ କଲିଙ୍ଗ୍‌ ବେଲ୍‌ ଉପରେ ନିଜର ସବୁ ଶକ୍ତି ପ୍ରୟୋଗ କଲା ଓ କାନ୍ଥକୁ ଆଉଜି ତଳେ ପଡ଼ିଗଲା ।

 

ଉମେଶକୁ ନିଜ ପାଦରେ ଚାଲିବାପାଇଁ ଲାଗିଗଲା ପୂରା ଗୋଟାଏ ସପ୍ତାହ । ଦେହର କ୍ଷତ କଥା ଥାଉ, ମୁଣ୍ଡର ଆଘାତ ସମ୍ପୂର୍ଣ୍ଣ ଭଲ ହେବାପାଇଁ ତିନି ମାସ ସମୟ ଲାଗିବ ।

 

ସମୁଦାୟ ଘରଟା ଗୋଟେ ଅଜଣା ଆତଙ୍କ ଓ ଆଶଙ୍କା ଭିତରେ ସ୍ତବ୍ଧ ପାଲଟି ଯାଇଥିଲା । ଉମେଶ ବୁଝିପାରୁ ନଥିଲା ତା’ର ଦୋଷ କେଉଁଠି ? ସେମାନେ କିଏ ଓ କାହିଁକି ତାକୁ ମାରିଦେବା ପାଇଁ ଆକ୍ରମଣ କରିଥିଲେ ? ସେ ନିଜକୁ ସୁରକ୍ଷିତ ମଣୁ ନଥିଲା ।

 

ଏହି ମାରପିଟର ନେପଥ୍ୟ ନାୟକକୁ ଚିହ୍ନିବାପାଇଁ ବେଶୀ ଡେରି ଲାଗି ନଥିଲା ଉମେଶକୁ । ତଳେ ରହୁଥିବା ଡ୍ରାଇଭରଟିହିଁ ଉମେଶକୁ ଏପରି ଶାସ୍ତି ଦେବାପାଇଁ ଗୁଣ୍ଡାମାନଙ୍କୁ ନିଯୁକ୍ତ କରିଥିଲା । ସେଦିନ ରାତିରେ ଡ୍ରାଇଭର ତା’ ନିଜ ଜିପ୍‌ରେ ସେମାନଙ୍କୁ ନେବା ଆଣିବା କାମ କରିଥିଲା । ସନ୍ଧ୍ୟାଟାସାରା ଜିପ୍‌ ତା’ରି ପାଖରେ ଥିଲା । ୟୁନିଭର୍‍ସିଟି ରେକର୍ଡ଼ରୁ ସେକଥା ଜାଣିପାରିଲା ଉମେଶ । ତା’ପରେ ସେ କାହାରି କଥା ନଶୁଣି ଏକମୁହାଁ ହୋଇ ଚାଲିଲା ରାଜଧାନୀ ପୋଲିସ୍‌ ଷ୍ଟେସନ୍‌ ଓ ଏଫ୍‌.ଆଇ.ଆର୍‌. ଲେଖିଲା ବନେଇଚୁନେଇ । ବଢ଼େଇ ଦେଲା ସବ୍‌ଇନ୍‍ସପେକ୍ଟର ପଟ୍ଟନାୟକ ହାତକୁ ।

 

: ଏଇ ନିଅନ୍ତୁ ମୋର ଏଫ୍‌.ଆଇ.ଆର୍‌. ଏବଂ ସେହି ବଦମାସଟାକୁ ଆରେଷ୍ଟ୍‌ କରନ୍ତୁ ।

 

ପଟ୍ଟନାୟକ ସବ୍‌ଇନ୍‍ସପେକ୍ଟର ହସିଲା ଏବଂ ତା’ ହାତକୁ ବଢ଼େଇଦେଲା ଆଉ ଗୋଟେ ଏଫ୍‌.ଆଇ.ଆର୍‌.ର ନକଲ । ଉମେଶ ସେଇଟିକୁ ପଢ଼ିଲା । ସେ ଏଫ୍‌.ଆଇ.ଆର୍‌.ଟି ଥିଲା ଉମେଶ ବିରୋଧରେ ଗୋଟେ ଦୀର୍ଘ ଅଭିଯୋଗପତ୍ର । ଏକାକିନୀ ମହିଳା ଉପରେ ପାଶବିକ ଅତ୍ୟାଚାର ଓ ଗୁଣ୍ଡାମିର ଅଭିଯୋଗ ଲଦାଯାଇଥିଲା ତା’ ମୁଣ୍ଡ ଉପରେ । ଅଭିଯୋଗ କର୍ତ୍ତା ୟୁନିଭର୍‍ସିଟିର ସେଇ ଡ୍ରାଇଭର !

 

ଉମେଶ ପ୍ରତିବାଦ କଲା, “ଏସବୁ ମିଛ । ଡାହାମିଛ । ସେମାନେ ମୋ ବିରୋଧରେ ମିଛ କେସ୍‌ ଦେଇଛନ୍ତି । ଆପଣ ବିଶ୍ୱାସ କରନ୍ତୁ ।”

 

ପଟ୍ଟନାୟକେ ହସିଲେ, ପୋଲିସ୍‌ର ଖାକି ହସ । “କିଏ ସତ କହୁଛି, କିଏ ମିଛ କହୁଛି, ତାହା ତ ଇନ୍‌ଭେଷ୍ଟିଗେସନ୍‌ ପରେହିଁ ଜଣାପଡ଼ିବ । ମୁଁ କିନ୍ତୁ ଏବେ ଆପଣଙ୍କୁ ଆରେଷ୍ଟ୍‌ କରିବି । ଆପଣଙ୍କ ବିରୋଧରେ ଦଫା ସଙ୍ଗିନ୍‌ ।”

 

ଉମେଶ ପଥର ପାଲଟିଗଲା ।

 

ପୋଲିସ୍‌ ବ୍ୟବସ୍ଥା ଏମିତି ? ସିଗ୍ରେଟ ଓ କଡ଼ା ଗୁଡ଼ାଖୁର ଗନ୍ଧରେ ଉମେଶର ନାକ ଫାଟି ପଡ଼ୁଥିଲା । ଭିତରେ ଭିତରେ ସେ ପାଲଟିଯାଉଥିଲା ଦୟନୀୟଭାବେ ଅସହାୟ, କିଂକର୍ତ୍ତବ୍ୟବିମୂଢ଼ । ତାକୁ ସେହିଭଳିଭାବେ ଅପେକ୍ଷା କରିବାକୁ ପଡ଼ିବ । କେହି ଜଣେ ତାକୁ ଜାମିନ୍‍ରେ ନେବାକୁ ନ ଆସିଲା ଯାଏଁ ଗୋଟେ ଅପରାଧୀ ପରି ଏହି ଥାନାରେ ଅପେକ୍ଷା କରି ରହିଥିବ ଉମେଶ ।

 

କୌଣସି ପ୍ରକାର ଅପରାଧରେ ସାମିଲ ନ ହୋଇବି ଉମେଶ ଏବେ ଥାନାରେ ଅଟକ ହେଇ ବସିଛି । ତା’ ନାଆଁରେ ବଳାତ୍କାର ଓ ଧର୍ଷଣ ଉଦ୍ୟମ ଅଭିଯୋଗ । କାଲି ସକାଳୁ ରାଷ୍ଟ୍ର ହୋଇଯିବ ଏ ଖବର ସହରସାରା । ହୁଏତ ଚିତ୍ରଲେଖା ଏ ଖବର ଜାଣିବ ! ଆଉ ଅନେକ ଜାଣିବେ ଉମେଶର ଅପରାଧ । ଦୁନିଆର କୋଉ କୋଉ କୋଣକୁ ଯାଇ, କାହାକୁ କାହାକୁ ଖୋଜି, ନିଜର ନିର୍ଦ୍ଦୋଷପଣିଆର କଥା କହି ବୁଲିବ ଉମେଶ ?

 

ସେ ଉଠି ଛିଡ଼ାହେଲା । ପଟ୍ଟନାୟକ ସବ୍‌ଇନ୍‍ସପେକ୍ଟର ହୁକୁମ ଦେଲେ, ବସ । ଉମେଶ ମାନିଲା ନାହିଁ । ସେ ସବ୍‌ଇନ୍‍ସପେକ୍ଟରଙ୍କୁ ଭେଟିବ ।

 

ଇନ୍‍ସପେକ୍ଟର ନଥିଲେ ।

 

ଉମେଶ ଚିତ୍କାର କଲା । ପଟ୍ଟନାୟକ ସବ୍‌ଇନ୍‍ସପେକ୍ଟରର ଟୋପିଟା ତା’ ମୁଣ୍ଡ ଉପରୁ କାଢ଼ି ଫିଙ୍ଗିଦେଲା ଗୋଟାଏ କୋଣକୁ ।

 

ପଟ୍ଟନାୟକ ରୁଲ୍‌ବାଡ଼ିରେ ବାଡ଼େଇଲା ଉମେଶକୁ । କନେଷ୍ଟବଳ ଦୁଇଜଣ ଉମେଶକୁ ଭିଡ଼ି ନେଇଗଲେ ହାଜତକୁ ।

 

ଗୋଟାଏ ଅଜଗରୀ ରାତ୍ରି ବିତିଗଲା ସମ୍ପୂର୍ଣ୍ଣ ଅପରିଚିତ ଏଇ ଅପରାଧୀ ଦୁନିଆରେ । ଉମେଶ ଜାଣି ନଥିଲା ବିଶ୍ୱବିଦ୍ୟାଳୟର ସେ ଡ୍ରାଇଭରଟି କେତେ ପ୍ରଭାବଶାଳୀ । ପ୍ରତି ସଞ୍ଜରେ ତା’ ଘରେ କେମିତି ଜମିଉଠେ ଗୋଲାପୀ ରାତି । ଡ୍ରାଇଭର ସ୍ତ୍ରୀର ଧର୍ମଭାଇ ତ ଏଇ ପଟ୍ଟନାୟକ !

 

ପଟ୍ଟନାୟକ ଆସୁଥିଲା । ତା’ ହାତରେ ରୁଲ୍‌ବାଡ଼ିଟି ହଲୁଥିଲା ।

 

: ବାବୁ, ଏବେବି ସମୟ ଅଛି । ଚୁପ୍‌ଚାପ୍‌ ତୋ ଜାଗାକୁ ଚାଲିଯାଆ । ଗାନ୍ଧୀ ଗୋପବନ୍ଧୁ ହବୁତ ତୋ ନାଆଁରେ ‘ଆଟେମ୍ପ୍‍ଟ ଟୁ ମର୍ଡ଼ର’ ଦଫାରେ କେସ୍‌ ଠୁଙ୍କିଦେବି ଯେ, ପୂରା ଜୀବନ ଚକି ପେଷୁଥିବୁ । ନୋଟିସ୍‌ ସର୍ଭ ନକରି ଏକତରଫା ନନ୍‌ବେଲେବଲ୍‌ ୱାରଣ୍ଟ୍‌ ଜାରି କରିବି । ହାତକଡ଼ା ପକାଇ ଘୋଷାଡ଼ି ଘୋଷାଡ଼ି ଆଣିବି ଘର କୋଣରୁ । ମୋ ସାଙ୍ଗେ ଥଟ୍ଟା ! ପୁଲିସକୁ ଜାଣିନୁ ? ଗର୍ଭିଣୀ ଗାଈବି ବାଟ ଛାଡ଼ିଦିଏ ପଟ୍ଟନାୟକ ନାଁ ଶୁଣିଲେ । ବୁଝିଲୁବେ ?

 

ଉମେଶ ମୁଣ୍ଡ ଝୁଙ୍କେଇ ଛିଡ଼ା ହେଇଥିଲା । ବିଶ୍ୱବିଦ୍ୟାଳୟର ଲିଟେରାରୀ ଚମ୍ପିଆନ୍‌, ବେଷ୍ଟ୍‌ ସ୍ପୋର୍ଟସ୍‌ମ୍ୟାନ୍‌, ମେଧାବୀ ଛାତ୍ର ଉମେଶ ମହାପାତ୍ର ଗୋଟେ ଅସଭ୍ୟ ମଣିଷର ଅଶ୍ଳୀଳ ଅହମିକାକୁ ନିରବରେ ଶୁଣୁଥିଲା । ଯେତିକି ଶୁଣୁଥିଲା ସେତିକି ଆସ୍ଥା ତୁଟିଯାଉଥିଲା ତା’ର ଶାସନ ବ୍ୟବସ୍ଥା ଉପରୁ । ପଟ୍ଟନାୟକ ମିଛ କହୁନାହିଁ । ସେ ଏସବୁ କାମ ଖୁସିରେ କରିପାରିବ । ମିଛ ସାକ୍ଷୀ ଯୋଗାଡ଼ କରିବାପାଇଁ ତାକୁ କଷ୍ଟ କରିବାକୁ ପଡ଼ିବ ନାହିଁ । ଆଉ ସେଇ ଡ୍ରାଇଭରର ସ୍ତ୍ରୀଟା...ସେ ତ ସମସ୍ତଙ୍କ ଆଗରେ କହିବ ଯେ ତାକୁ ଉମେଶ ‘ରେପ୍‌’ କରିଛି ।

 

ଉମେଶ ଆଖି ବୁଜିଦେଲା । ବୋଉର ଇଚ୍ଛା ଉମେଶ ଭଲ ଚାକିରିଟେ କରିବ । ବାହାହେଇ ଆଣିବ ବୋହୂଟେ । ତା’ପରେ ବୋଉ ବାହାରିବ ତୀର୍ଥଦର୍ଶନରେ । ଘରର ଅନେକ ଜଞ୍ଜାଳ ବାପାଙ୍କ ଅମଳରୁ ରହିଛି । ଏକାକୀ ବଡ଼ ଭାଇ ସବୁ କରିପାରୁନାହାନ୍ତି । ଉମେଶ ହାତ ବଢ଼େଇବ ।

 

କିନ୍ତୁ କାହିଁକି ଏହି ପ୍ରକାର ସମାଜରେ ବଞ୍ଚିବାପାଇଁ ଉମେଶ ଏତେ ସବୁ ପରିଶ୍ରମ କରିବ ? କିଏ ଗ୍ୟାରେଣ୍ଟି ଦେବ ତା’ର ନିରାପତ୍ତା ଏବଂ ସୁଖସ୍ୱାଚ୍ଛନ୍ଦ୍ୟର !

 

ପଟ୍ଟନାୟକ ଗ୍ରିଲ୍‌ ବାଡ଼ାରେ ରୁଲ୍‌ବାଡ଼ି ଠକ୍‌ ଠକ୍‌ କଲା । ଉମେଶ ମୁଣ୍ଡ ଟେକି ଚାହିଁଲା-

 

: ତମ ଭାଇ ଆସିଛନ୍ତି ଜାମିନ୍‍ରେ ନେବାପାଇଁ । ଯାଅ, ଆଉଥରେ ସେ ରକମ ଦାଦାଗିରି କଲେ ହାତଗୋଡ଼ ଚୂନା କରିଦେବି ।

 

କନେଷ୍ଟବଳଟେ ହାଜତର ଗେଟ୍‌ ମେଲି ଧରିଲା ।

 

ଉମେଶ ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଚାଲି ଆସିଲା ଥାନା ଭିତରୁ । ବାହାରେ କିଛି ସମୟ ଛିଡ଼ାହେଲା । ସକାଳର ଥଣ୍ଡା ପବନ ତା’ର ଅବଶ, ନିଦୁଆ ଦେହରେ ବାଜୁଥିଲା । ଉପରକୁ ଚାହିଁଲା ଉମେଶ । ସକାଳର ଉଜ୍ଜ୍ୱଳ ଖରା । ସବୁ ଠିକ୍‌ ଅଛି, କେଉଁଠି କିଛି ବଦଳି ନାହିଁ ।

 

ବଡ଼ଭାଇ ଡାକିଲେ, ‘ଆ ଉମେଶ, ଘରକୁ ଯିବା ।’

 

ଉମେଶ କିନ୍ତୁ ବିପରୀତ ଦିଗକୁ ମୁହାଁଇଲା । ସେ ଘରକୁ ଫେରିବ ନାହିଁ । ଆଜିହିଁ ସେ ଭେଟିବ ଏସ୍‌.ପି.ଙ୍କୁ, ଡି.ଆଇ.ଜି.ଙ୍କୁ, ଡି.ଜି.ଙ୍କୁ । ଦରକାର ପଡ଼ିଲେ ଚିଫ୍‌ ମିନିଷ୍ଟରଙ୍କୁ । ଅନ୍ୟ ପନ୍ଥା ଧରିବା ପୂର୍ବରୁ ପ୍ରଥମେ ସେ ଗଣତନ୍ତ୍ରର ବଡ଼ପଣ୍ଡାମାନଙ୍କୁ ନିଦରୁ ଉଠାଇବ । ସେ ଘରକୁ ଫେରିବ ନାହିଁ ତା’ର କାମ ନ ସରିବା ପୂର୍ବରୁ । ସେ ସେମାନଙ୍କୁ ଜଣ ଜଣ କରି ପଚାରିବ–ଏ ଦେଶରେ ସାଧାରଣ ମଣିଷଟେ ଶାନ୍ତିରେ ବଞ୍ଚିବ କି ନାହିଁ ।

 

ବଡ଼ଭାଇ କହିଲେ, “କିନ୍ତୁ ତୁ କୁଆଡ଼େ ଯାଉଛୁ ?”

 

“ମୋତେ କିଛି ପଚାର ନାହିଁ । ପାରିବ ଯଦି ମୋ ସାଙ୍ଗରେ ଆସ ।” ଉମେଶ ଲମ୍ବା ଲମ୍ବା ପାହୁଣ୍ଡ ପକେଇ ରାସ୍ତା ସେପଟକୁ ଯାଉଥିଲା ।

Image

 

ବିପ୍ଳବୀ

 

“ଭୁଲିଯିବ ବୋଲି କହିଦେଲେ ଯେମିତି ସବୁକଥା ଭୁଲି ହୋଇଯାଏ ନାହିଁ, ‘ମନେରଖିଥିବ’ ବୋଲି ଶତ ଅନୁରୋଧ ସତ୍ତ୍ୱେ ସେମିତି ଅନେକ କଥା ମନେ ରହେନାହିଁ । ଯଦି ଭୁଲିଯିବାର କଥାସବୁ ଭୁଲି ହେଇଯାଉଥାଆନ୍ତା, ମଣିଷର ଦୁଃଖ ଢେର୍‌ କମିଯାଆନ୍ତା ।”

 

ଜଗଦୀଶ ସବୁଦିନେ ଏମିତି । ସାଧାରଣ କଥାକୁ ଗୋଟେ ପ୍ରକାର ରହସ୍ୟମୟ କରି କିମ୍ବା ଦାର୍ଶନିକତାର ପୁଟ ଦେଇ ପ୍ରକାଶ କରିବା ତା’ର ଗୋଟେ ଅଭ୍ୟାସ । ଜଗଦୀଶକୁ କଲେଜ ପଢ଼ା ଦିନମାନଙ୍କରେ ତା’ ସାଙ୍ଗମାନେ ‘କବି’ କହି ଚିଡ଼ାଉଥିଲେ । ଅଗ୍ରୱାଲ ଆଉ ଟିକେ ଆଗକୁ ଯାଇ ଜଗଦୀଶକୁ ଛତ୍ରବଜାର ପରିବା ଦୋକାନ ‘କୋବି’ ସହ ସମ୍ବନ୍ଧିତ କରି ଦେଉଥିଲା । ଅନ୍ୟମାନେ ହସିଉଠୁଥିଲେ ହୋ–ହୋ ହେଇ । ହସୁ ନଥିଲା ଏକାକୀ ଜଗଦୀଶ । ଧୀର ଗଳାରେ କହୁଥିଲା, “ତମମାନଙ୍କ କଥା ଠିକ୍‌ ହୁଅନ୍ତା କି ? ଲେଖିପାରନ୍ତି କି ଦୁଇ ଚାରି ଧାଡ଼ିର ଗୋଟେ ଛୋଟ କବିତା... ? ଜୀବନ ତ ମୋର ସାର୍ଥକ ହୋଇଯାଆନ୍ତା ।”

 

ବହୁତ ଖୁବ୍‌... ବହୁତ ଖୁବ୍‌... କହି ଅଗ୍ରୱାଲ ଜଗଦୀଶ ସାମ୍ନାରେ ଝୁଙ୍କିପଡ଼େ ମୋଗଲ ଦରବାରର ଓସ୍ତାଦ ସାମ୍ନାରେ ବିଦଗ୍ଧ ଶ୍ରୋତାଟେ ଝୁଙ୍କିପଡ଼ିବାର ମୁଦ୍ରାରେ । ସତୀର୍ଥଗଣ ଆଉରି ହସିଉଠନ୍ତି । ‘ସବୁ କଥା ମନେଅଛି । ସବୁ କିଛି । ମୋର ତ ବଡ଼ ସମସ୍ୟା ସେଇଠି ! କିଛି ଭୁଲିପାରେ ନାହିଁ ।’

 

ସେସବୁ ଦିନଗୁଡ଼ିକରେ ବେଳେବେଳେ ଜଗଦୀଶ ଉପରେ କୈଳାସର ଦୟା ଆସେ । ସଭିଏଁ ମିଳିମିଶି ତାକୁ ଖର୍ଚ୍ଚାନ୍ତ କରୁଛନ୍ତି ବୋଲି ବିଚରା ଜଗଦୀଶ ଜାଣିପାରେ ନାହିଁ ! ସାଙ୍ଗମାନେ ଜଳଖିଆ ଖାଇ, ଚା’ପିଇ, ପାନ, ସିଗ୍ରେଟ ଧରି ହାକୁଟି ମାରି ଆଗରେ ଚାଲିଥିଲାବେଳେ ଜଗଦୀଶ ତା’ ପର୍ସ୍‍ରୁ ଖୁଚୁରାତକ ବାହାର କରି ଦୋକାନୀର ହିସାବ ସଙ୍ଗେ ସେ ସବୁକୁ ମିଳେଇବାର ଚେଷ୍ଟା କରୁଥାଏ । କିନ୍ତୁ କୈଳାସର ସମସ୍ତ ଉଦ୍ୟମ ସତ୍ତ୍ୱେ ଜଗଦୀଶ ସେବର୍ଷ ଶ୍ରେଣୀ ପ୍ରତିନିଧି ନିର୍ବାଚନରେ ଜିଣିପାରିଲା ନାହିଁ ।

 

ସେଦିନ ଥିଲା ଜହ୍ନରାତି । ରେଭେନ୍‌ସା ନ୍ୟୁ ହଷ୍ଟେଲ୍‌ ସାମ୍ନା ଖେଳପଡ଼ିଆ ମଝିରେ ସିମେଣ୍ଟ ମଣ୍ଡପ । ତା’ରି ଉପରେ ବସି ଜଗଦୀଶ ବାରମ୍ବାର ଚାହୁଁଥିଲା ଦୀପାର ହଷ୍ଟେଲ୍‌ ଆଡ଼େ । ସମ୍ଭବତଃ ଦୀପା ରୁମ୍‌ର ଝରକା ସେ ସଞ୍ଜରେ ବନ୍ଦ ଥିଲା । ଉଦାସ ଓ ହଜିଲା ହଜିଲା କଣ୍ଠରେ ଜଗଦୀଶ ଯେତେବେଳେ କହିଥିଲା, ସେ ଏ ସହର ଛାଡ଼ି ଚାଲିଯିବ, ସେତିକିବେଳେ ପ୍ରଥମ ଥରପାଇଁ ଜଗଦୀଶ ସମ୍ପର୍କରେ ଗମ୍ଭୀରତାର ସହ ଭାବିବାକୁ ଆରମ୍ଭ କରିଥିଲା କୈଳାସ ।

 

ଅନେକ ବର୍ଷ ପରେ ପୁଣି ଯେ ଜଗଦୀଶ ସାଙ୍ଗରେ ଦେଖାହେବ, କୈଳାସ ତାହା କଳ୍ପନା କରି ନଥିଲା । କିଛି ସମୟପାଇଁ ଦୁହେଁ ଦୁହିଁଙ୍କୁ କୁଣ୍ଢେଇ ଧରିଥିଲେ, ରାସ୍ତା ଉପରଟାରେ ଗପିଥିଲେ, ରିକ୍ସାବାଲାଟି ନ ଚିଡ଼ିବା ଯାଏଁ । ଜଗଦୀଶର ଚେହେରାରେ ଅସମ୍ଭବ ପ୍ରକାର ପରିବର୍ତ୍ତନ ହେଇଯାଇଛି । ସେ ଦିଶୁଛି ଗୋଟେ ପୋଖତ ନେତା ପରି । ଧଳା ପଞ୍ଜାବି ସାଙ୍ଗକୁ ଟ୍ରାଉଜର । ଟିକେ ଟିକେ ଦାଢ଼ି ତା’ର ଗୋରା ଚେହେରାକୁ ଭଲ ଦିଶୁଛି । ଆଖିରେ ଚଷମା ।

 

ଭଲକରି ଦୁଇ ଚାରିପଦ କଥାବାର୍ତ୍ତା ପାଇଁ କୈଳାସ ଡାକି ଆଣିଥିଲା କଚେରି ହତା ଭିତରର ଚା’ ଦୋକାନକୁ ।

 

ଜଗଦୀଶ କହିଥିଲା, “ବିଶେଷ କାମ ନଥିଲେ ଆସୁନୁ, ଏହି ପାଖରେ ତ ମାଡ଼୍ରାସୀ ହୋଟେଲ । କଫି ପିଇବା ।”

 

କାମ ଆଉ କୈଳାସ ? କେବଳ ପରିଚୟ ସଙ୍କଟପାଇଁ ସେ ଓକିଲର ଭେକ ପିନ୍ଧିଛି । ତା’ ନହେଲେ ଦିନେ ଦିନେ କୋଡ଼ିଏଟା ଟଙ୍କାବି ଉପାର୍ଜନ ହୁଏ ନାହିଁ ।

 

ସେଦିନ କୈଳାସର ବେପାର ଆଦୌ ସୁରୁ ହେଇ ନଥିଲା । କେଉଁଠୁଁ ଗୋଟେ ଆଫିଡ଼େଭିଟ୍‌ ଆଶାୟୀ ଯଦି ମିଳିଯାଆନ୍ତା, ତାହାହେଲେ ଅନ୍ତତଃ ଲୁନାର ପେଟ୍ରୋଲ୍ ଖର୍ଚ୍ଚ ଉଠନ୍ତା-। କଟକ କଚେରି ତା’ପାଇଁ ଆଉ ଅନୁକୂଳ ନୁହେଁ । ନିଜ ସହରକୁ ସେ ଫେରିଯିବ ।

 

: ଏଇ ଗୋଟେ କଥା ? ଏତେ ଦିନ ପରେ ଦେଖା ହୋଇଛି । ତୋ କାମ ଅଲବତ୍ ହେବ । ତୁ ଏବେ କ’ଣ କରୁଛୁ ? ରେଭେନ୍‌ସା ଛାଡ଼ିବା ପରଠାରୁ ତୋର ଆଉ ଦେଖାନାହିଁ । ଅଗ୍ରୱାଲ ଭଲରେ ଅଛି । ରମେଶ, ମଣ୍ଟୁଙ୍କ ସାଙ୍ଗେ ଦେଖାହୁଏ କେବେକେବେ । ତୋର ଏ ନେତା ବେଶ କାହିଁକି ? –କୈଳାସ ପଚାରିଲା ।

 

ଏତେ ସବୁ ପ୍ରଶ୍ନର ଉତ୍ତର ଦେବାପାଇଁ ଜଗଦୀଶ ପାଖରେ ସମୟ ନଥିଲା । କଫି ଗ୍ଲାସ୍‌ ଫାଙ୍କା ହୋଇ ସାରିଥିଲା । ସେ ଟେବୁଲ୍‌ ଉପରୁ ସ୍ଲିପ୍‌ଟି ଉଠେଇ ନେଇ କାଉଣ୍ଟରକୁ ଗଲା ।

 

: ରହ, ରହ ଜଗଦୀଶ । ସବୁଦିନେ କ’ଣ ତୋର ଧାରୁଆ ହେଇକି ରହିବି କିରେ ? ମୁଁ ଦେଉଛି କଫି ପଇସା ।

 

ଜଗଦୀଶ ହସିଲା । ତା’ ହସର ତୁଳନା ନାହିଁ । କହିଲା, “ପଇସା ଯେତେବେଳେ ପାଖରେ ନଥିଲା ସେତେବେଳେ ତ ସେକଥା ଚିନ୍ତା କରୁ ନଥିଲୁ । ଆଜି କଫି ଦିଇଟାର ଦାମ୍‌ପାଇଁ କାହିଁକି କହୁଛୁ ? ମୋର ଗୋଟାଏ ବୋଲି ଅହଂକାର, ତାକୁ କାହିଁକି ଛଡ଼େଇ ନେଉଛୁ ମୋ ପାଖରୁ-?”

 

: ଅହଂକାର ?

 

ହୋଟେଲ ପାହାଚରେ ଓହ୍ଲେଇ ଆସିଲାବେଳେ କୈଳାସ ପଚାରିଲା ।

 

: ସବୁଦିନେ ମୋତେ ମୋ ବନ୍ଧୁମାନଙ୍କ ଖୁସିପାଇଁ ଈଶ୍ୱର ଶକ୍ତି ଓ ସାମର୍ଥ୍ୟ ଦେଇଥାନ୍ତୁ କୈଳାସ । ମୋ ସାମ୍ନାରେ ମୋ ସାଙ୍ଗକୁ ଖର୍ଚ୍ଚ କରିବାକୁ ମୁଁ କଦାପି ଦେବି ନାହିଁ ।

 

କୈଳାସ ହାତ ପାପୁଲିରେ କିଏ ସିଗ୍ରେଟର ଚିଆଁ ଦେଲା କି ? ଚମକି ପଡ଼ିଲା ଟିକିଏ । ତାହାହେଲେ ଜଗଦୀଶ କ’ଣ ସେସବୁ ଦିନରେବି ବୁଝିପାରୁଥିଲା ସେମାନଙ୍କର ମଧୁର ଷଡ଼ଯନ୍ତ୍ର ? କି ଭୟଙ୍କରଭାବେ ଚାଲାକ ଏ ଜଗଦୀଶ ?

 

: ଆମ ଗାଁର ଗୋଟେ କେସ୍‌ ନେଇ ଆସିଥିଲି । ଆ’, ଏଇଠି ଟିକିଏ ବସ୍‌ । ଠିକେ ଠିକେ ସବୁକଥା କହିଦିଏ । ତୋ ପରାମର୍ଶ ମୋତେ ବହୁତ ସାହାଯ୍ୟ କରିବ ।

 

ଆଗକୁ ଖରାଦିନ ଛୁଟି । କଚେରି କାମର ଭିଡ଼ ବଢ଼ିଯାଇଛି । ଏଇଠି ଏଇ ନାଲିକୋଠା ସାମ୍ନାରେ ଦଣ୍ଡେ ବସିରହିଲେ ଭାରତୀୟ ଗଣତନ୍ତ୍ରର ଗୋଟେ ନିର୍ଭୁଲ ଚେହେରା ଦେଖିହୁଏ । ହାଇକୋର୍ଟ ଛକରୁ ନେଇ ସେପଟ କାଠଯୋଡ଼ି ତୁଠ ଯାଏଁ ରାସ୍ତା ଦି’ ପାଖରେ ଅସଂଖ୍ୟ ଦୋକାନ-। ନର୍ସରୀ ଚାରା ପୋକମରା ଔଷଧ, କୋହିନୁର ଓ ରାଧାରମଣ ପାଞ୍ଜି, ଖୁଲଣା ସୁନ୍ଦରୀ, ପରଝିଅ ଘର ଭାଙ୍ଗେନା, ଛବିଳ ମଧୁ ବର୍ଣ୍ଣବୋଧ, ଟଙ୍କାରେ ଦଶଟି ଛୁଞ୍ଚି, ଦୁଇ ଟଙ୍କାରେ ତିନିଟା କଲମ, ଆପଣଙ୍କ ଆଖିପାଇଁ ବଢ଼ିଆ ଚଷମା, ବେଲ୍‌ଟ ଓ ବ୍ରିଫ୍‌କେଶ୍, ସାକ୍ଷୀଗୋପାଳ ନଡ଼ିଆ ଚାରା, ବରହମ୍‌ପୁର ପାମ୍ପଡ଼, ଚଣା, ଚିନାବାଦାମ ଇତ୍ୟାଦି ଇତ୍ୟାଦି ବେପାରରେ ରାସ୍ତା ଏମୁଣ୍ଡରୁ ସେମୁଣ୍ଡ ଗହଗହ । କଳା କୋଟ୍‌ ଓ ଧଳା ପ୍ୟାଣ୍ଟ୍‍ରେ ଗମ୍ଭୀର ସିନିଅର ଆଡ଼୍‍ଭୋକେଟ, ଚନ୍ଦା ପେସ୍କାର, ନବବିବାହିତା ତରୁଣୀ ଆଡ଼୍‍ଭୋକେଟ ପାହାଚରୁ ଓହ୍ଲାଉଛନ୍ତି, ୟାଙ୍କର ଚଢ଼ା ଫିସ୍‌ ବୋଲି ମନ୍ତବ୍ୟ ଦେଇ ରିକ୍ସାରୁ ଓହ୍ଲାଉଥିବା ବଡ଼ ଓକିଲଙ୍କ ସାମ୍ନାରେ ଝୁଙ୍କିପଡ଼ୁଥିବା ମଫସଲୀ ମହକିଲ, ରିକ୍ସାର ଟିଣ୍‌ ଟିଣ୍‌, କାର୍‌ର ହର୍ଣ୍ଣ, ଖପୁରି, ପେଟ ଓ ପିଠି ଛାଲିହେଇ ଯାଇଥିବା ଟାଉନ୍‌ ବସ୍‌, ଲାଞ୍ଚ, ମିଠେଇଖିଆ, ଷଡ଼ଯନ୍ତ୍ର ଅବିଶ୍ୱାସ, ଜତୁଗୃହ ଦାହର ଯୋଜନା ଭିତରେ ଝଙ୍କାଳିଆ ନିମ୍ବ ଓ ଦେବଦାରୁ ଗଛ, ଡାଳ ଉପରେ କୁଆ ଓ କେଜାଣି କି କି ଚଢ଼େଇଙ୍କ ଭିଡ଼, ସବା ଉପରେ ହାଇକୋର୍ଟ ଓ ରେଭିନ୍ୟୁ ବୋର୍ଡ଼ ଗମ୍ବୁଜ ଉପରେ ଅନନ୍ୟୋପାୟ ଜାତୀୟ ପତାକା–ସବୁ ଦେଖିହୁଏ ଏଇଠି କଲିଜିଏଟ୍‌ ସ୍କୁଲ୍‌ର ପାଚେରିକୁ ପିଠି କରି ଛିଡ଼ା ହେଲେ ।

 

ଜଗଦୀଶ ତା’ ଗାଁର ପାଞ୍ଚଟି ହତଭାଗ୍ୟ ପରିବାରର ସମସ୍ୟା ନେଇ କଟକ ଆସିଥିଲା-। ସେଇ ପାଞ୍ଚଟି ପରିବାରକୁ ଦୀର୍ଘ ଦେଢ଼ବର୍ଷ ହେଲା ନାନାଦି ନିର୍ଯାତନାର ଶିକାର ହେବାକୁ ପଡ଼ୁଛି-। ସେମାନଙ୍କୁ ସର୍ବସାଧାରଣ ରାସ୍ତା ବନ୍ଦ, ପୋଖରୀ କୂଅର ପାଣି ବନ୍ଦ, ତାଙ୍କ ଗାଈ ବଳଦଙ୍କୁ ପଡ଼ିଆରେ ଚରିବା ମନା, ପିଲାମାନଙ୍କୁ ସ୍କୁଲ୍‌କୁ ଯିବାରେ ଅଙ୍କୁଶ... ମଧ୍ୟଯୁଗୀୟ ବର୍ବରତାକୁବି ଟପିଯାଉଛି କଲଣପୁର ଗାଁର ଏ ନିର୍ଯାତନା । ଅଥଚ ସେମାନଙ୍କର ଅପରାଧ କ’ଣ-? ଗାଁର ପ୍ରଭାବଶାଳୀ ସରପଞ୍ଚଙ୍କୁ ସେମାନେ ବିରୋଧ କଲେ । ସରପଞ୍ଚଙ୍କୁ ତା’ ଜମି ପାଖ ଜମିଟି ଦେବାପାଇଁ ରାଜିହେଲେ ନାହିଁ, ବାସ୍‌ ।

 

ଜଗଦୀଶ କହୁଥିଲା, ସେ ଲୋକମାନଙ୍କ ନାଆଁରେ ଯମୁନାପୁର ଥାନାରେ ପାଞ୍ଚ ପାଞ୍ଚଟା କେସ୍‌ । ସବୁଯାକ ମିଛ କେସ୍‌ । ଚୋରି, ଡକାୟତିରୁ ଆରମ୍ଭ କରି ସରକାରୀ ଅଫିସରକୁ ବାଡ଼େଇବା ପରି ଦଫା ସବୁ ସେଥିରେ ଗୁନ୍ଥା ହେଇଛି । ସେମାନଙ୍କର ଦୁଃଖ ନ ଦେଖିଲେ ତୁ କଦାପି ବିଶ୍ୱାସ କରିପାରିବୁ ନାହିଁ ।

 

: ସେମାନେ ଚଳୁଛନ୍ତି କିପରି ? –କୈଳାସ ପଚାରିଲା ।

 

: ଦିନ ଦିନ ଧରି ସେମାନେ ଘରୁ ପଦାକୁ ବାହାରନ୍ତି ନାହିଁ । ରାତିସାରା ଅନିଦ୍ରା ରହନ୍ତି, ଟେକା ପଥରକୁ ଡରି । ତାଙ୍କ ପିଲାଛୁଆଙ୍କ ପାଇଁ ଅଶ୍ଳୀଳ ଗାଳିଫଜିତ୍‌ ଦେହସୁହା ହେଇଗଲାଣି । ସେମାନେ ପୋଲିସ୍‌ରେ ଏଫ୍‌.ଆଇ.ଆର୍‌. ଦେଇଥିଲେ । ପୋଲିସ୍‌ ଗାଁକୁ ଗଲା । କହିଲା, ଇଏ ତମର ସିଭିଲ୍‌ ମାମଲା । ଏଥିରେ ପୁଲିସ କ’ଣ କରିବ ?

 

: ଆମେ ଖାଲି କଲେଜ ର୍ୟାଗିଂ କଥା ଶୁଣିଥିଲୁ । ଇଏ ତ ତା’ଠୁଁ ବଳି ର୍ୟାଗିଂ । କହ, ତୁ କ’ଣ କରିବାକୁ ବିଚାରିଛୁ ? ତୁ ଏକାକୀ କ’ଣ କରିପାରିବୁ ?

 

ଜଗଦୀଶ ତଳକୁ ଚାହିଁଲା । ସବୁଦିନେ ସେ ଏମିତି ପରର ସମସ୍ୟା, ପରର ସୁଖଦୁଃଖ, ତା’ପାଇଁ ନିଜ ସମସ୍ୟାଠୁ ବଡ଼ ।

 

: ମୁଁ ମଧ୍ୟ ଏ ଦେଢ଼ବର୍ଷ କାଳ ସେଇଆ ଚିନ୍ତା କରୁଥିଲି । ବାପା ଥିଲାବେଳେ ଗୋଟେ ସାହସ ଥିଲା । ଏବେ ତ ଘରେ ଏକୁଟିଆ । ଘରେ କେବଳ ମାଆ ଓ ମାଳତୀ–ଦୁଇଟି ସ୍ତ୍ରୀଲୋକ । ଗାଁର ସରପଞ୍ଚଟା ଏତେ କଦର୍ଯ୍ୟ ଲୋକ ଯେ, ତା’ ପକ୍ଷେ ସବୁକିଛି ସମ୍ଭବ । ତା’ ହାତରେ ପଇସା ଓ ଗୁଣ୍ଡା ଉଭୟ ଅଛନ୍ତି । ଶାସକ ଦଳର ସମର୍ଥକ ସେ । କିନ୍ତୁ ଏବେ ସ୍ଥିର କରିଛି, କିଛି ନା କିଛି କରିବାକୁ ହେବ ।

 

: ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁନାହାନ୍ତି ? ଖବରକାଗଜରେ ପ୍ରକାଶ କରୁନାହାନ୍ତି ନିଜର ସମସ୍ୟା ? ଗୋଟେ ବିରାଟ ସମସ୍ୟାକୁ ତତ୍‌କ୍ଷଣାତ୍‌ ସମାଧାନ କରିପାରିବାର ସାମର୍ଥ୍ୟ ରଖୁଥିଲା ଭଳି କୈଳାସ ପ୍ରସ୍ତାବ ଦେଲା ।

 

: କୈଳାସ, ତୁ କଟକ ସହରରେ ଅଛୁ । ଗାଁ ଛାଡ଼ିଲୁଣି ତିରିଶବର୍ଷ ହେଲା । ସେଇଥିପାଇଁ ତୁ ବୁଝିପାରୁନାହୁଁ ପ୍ରକୃତ ସମସ୍ୟାଟା କେଉଁଠି ? ଖବରକାଗଜ କଥା କହୁଛୁ । ଦେଖିବୁ, ଏଇ ବ୍ୟାଗ୍‌ ଭିତରେ ଅଛି ଦଶଟା ଖବରକାଗଜର କଟିଙ୍ଗ୍‌ । ମୁଁ ନିଜେ ଚିଠି ଲେଖି ଲେଖି ଥକିପଡ଼ିଲିଣି । ସରକାର କିଏ ? ଆମପାଇଁ ଯମୁନାପୁରର ଇନ୍‍ସପେକ୍ଟରହିଁ ସରକାର । ତା’ର ନିଷ୍ପତ୍ତିହିଁ ସରକାରର ନିଷ୍ପତ୍ତି ।

 

: ଏ ସରକାର ଥିବାଯାଏ ସେମାନଙ୍କୁ ଏସବୁ ବରଦାସ୍ତ କରିବାକୁ ପଡ଼ିବ । ତାଙ୍କ ଦଳ ଆସିଲେ ସମସ୍ୟା କୁଆଡ଼େ ଛାଏଁ ଛାଏଁ ସମାଧାନ ହୋଇଯିବ ।–ଇଏ ପୁଲିସର ପରାମର୍ଶ ।

 

: ଗୋଟେ ମଫସଲ ଗାଁର ପାଞ୍ଚଟି ଦରିଦ୍ର ପରିବାରର ସମସ୍ୟା ସମାଧାନ ପାଇଁ ଗୋଟେ ରାଜ୍ୟର ସରକାର ବଦଳିବା ଦରକାର ! –କୈଳାସ କହିଲା ।

 

: ଗୋଟେ ପ୍ରାଇଭେଟ୍‌ କଲେଜରେ ଥିଲି । ଏହି ମାସରେ ଛାଡ଼ିଦେଇଛି ଚାକିରି । ମୁଁ ସ୍ଥିର କରିଦେଇଛି, ଏବର୍ଷ ନିର୍ବାଚନ ଲଢ଼ିବି । ମୋତେ ସାମ୍ନାକୁ ଆସିବାକୁହିଁ ପଡ଼ିବ । ପହିଲେ କିନ୍ତୁ ତୁ କହ–ମୋତେ ଏ ମାମଲାରେ କ’ଣ କରିବାକୁ ପଡ଼ିବ । ମୁଁ ସବୁପାଇଁ ପ୍ରସ୍ତୁତ ଅଛି ।

 

ଅନେକବେଳ ହେଲାଣି । ଜଗଦୀଶ କଣ୍ଠରୁ କିନ୍ତୁ ଉଷ୍ମତା କି ଆବେଗ କମିନାହିଁ । ଖୁବ୍‌ ଆହତ ହୋଇଛି ବିଚରା । ଅନ୍ୟ ଲୋକଙ୍କ ପିଠିରେ ପଡ଼ିବାକୁ ଯାଇ ନିଜେ ନିର୍ଯାତନାର ଶିକାର ହେଇଛି । କୈଳାସ ଠିକ୍‌ ବୁଝିପାରୁଥିଲା, ଜଗଦୀଶ ନିଜେ ଚାକିରି ଛାଡ଼ିନାହିଁ । ତାକୁ ଷଡ଼ଯନ୍ତ୍ର କରି ତଡ଼ି ଦିଆଯାଇଛି ।

 

କିଏ ଜଣେ ଲୁନାରୁ ଓହ୍ଲେଇ କୈଳାସକୁ ନମସ୍କାର କଲା । ସମ୍ଭାବ୍ୟ ମହକିଲ ? ସ୍ମାର୍ଟ ଓକିଲ ଢଙ୍ଗରେ ଜଗଦୀଶକୁ ‘ଗୋଟେ ମିନିଟ୍‌’ କହି ସେ ଲୋକଟିର ପିଠିରେ ହାତ ପକେଇ ତାକୁ ଡାକିନେଲା ଗଛମୂଳକୁ ।

 

ଜଗଦୀଶ ଆଖିରୁ ଚଷମା କାଢ଼ି ପୋଛିଲା । ଆଉଥରେ ଚାହିଁଲା ହାଇକୋର୍ଟର ଗମ୍ବୁଜମାନଙ୍କୁ । ବଡ଼ ଦୟନୀୟ ଦିଶୁଥିଲା ଅପ୍ରେଲ ଆକାଶରେ ଜାତୀୟ ପତାକା । ଘଣ୍ଟାକୁ ଚାହିଁଲା, ଦିନ ଦୁଇଟା ବାଜିଲାଣି । ସେ ଚଞ୍ଚଳ ହୋଇପଡ଼ିଲା ।

 

କାଲି ରାତିରେ ମୁକୁନ୍ଦ ସାହୁ ସରପଞ୍ଚ କ୍ଲବ୍‌ ଘରେ ଗୋଟେ ଭୋଜି ଦେଉଥିବା କଥା ଜଗଦୀଶ ଆଜି ସକାଳେ, ବସ୍‌ଷ୍ଟପ୍‌ ପାଖରେ ଶୁଣିଥିଲା । ଭୋଜି ଆୟୋଜନ ପଛରେ ନିଶ୍ଚୟ ଥିବ ଗୋଟେ ଷଡ଼ଯନ୍ତ୍ର । ଗାଁଟା ଆଜିକାଲି ମନେହେଉଛି ଗୋଟେ କୁହୁଳା ବାରୁଦଗଦା, ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରଣ ହେଇଯିବ । ନାୟକ ପାଞ୍ଚଘର ଜୀବନ ଉପରୁ ପାଣିଛଡ଼େଇ ସାରିଲେଣି ।

 

କୈଳାସ ଫେରିଆସିଥିଲା । ତା’ପାଇଁ ଇଏ ହେବ ଜୀବନର ସବୁଠୁ ବଡ଼ ଚାଲେଞ୍ଜ । ଅନେକ ଋଣ ତା’ ଉପରେ ଅଛି ଜଗଦୀଶର । ସେ ତା’ର ସବୁଯାକ ବିଦ୍ୟାବୁଦ୍ଧି ଖଟେଇ ବନ୍ଧୁଟିକୁ ସାହାଯ୍ୟ କରିବ । ଇଏ ଜଗଦୀଶର ସମସ୍ୟା ନୁହେଁ, ମାନବିକ ଅଧିକାରର ସୁରକ୍ଷା ସମସ୍ୟା ।

 

ଆକାଶରେ ଅଦିନ ମେଘର ଆସର । ବର୍ଷା ହେଇପାରେ । ଖଣ୍ଡିଆଭୂତଟେ ଅନାହୂତି ମାଡ଼ିଆସୁଥିଲା କାଠଯୋଡ଼ି ତୁଠଆଡ଼ୁ ।

 

ଜଗଦୀଶ ରିକ୍ସା ଉପରେ ବସୁ ବସୁ କହିଲା, “ରବିବାର ସନ୍ଧ୍ୟାରେ ଆସିବି । ବସାଘର ଠିକଣା ଟିପିନେଲି । ତୁ କାଗଜପତ୍ର ସଜାଡ଼ି ରଖିଥିବୁ । ବର୍ଷା ଆସିଲାଣି, ଯାଉଛି ।”

 

ଦୁଇଦିନ ତଳେ ଦେଖା ହେଇଥିଲା ତା’ର ଜଗଦୀଶ ସଙ୍ଗେ । କେସ୍‌ଟାକୁ କେମିତି ସଜାଡ଼ିବ, କୈଳାସ ଚିନ୍ତା କରୁଥିଲା । ସକାଳୁ ଘର ସାମ୍ନା ଚଉତରା ଉପରେ ବସି ଖବରକାଗଜ ପଢ଼ୁଥିଲା । ପାଖରେ ଲେପ୍‌ଟେଇ ଶୋଇଥିଲା ପୋଷା କୁକୁର । ଗେଟ୍‌ ପାଖରେ କାହାକୁ ଦେଖି କୁକୁରଟା ଜୋରରେ ଧାଇଁଯାଉଥିଲା ।

 

ପଚାଶ କି ପଞ୍ଚାବନବର୍ଷର ପ୍ରୌଢ଼ ଜଣକ ସେଇ ଗେଟ୍‌ ପାଖରୁ ପଚାରୁଥିଲେ, ‘ଆପଣ ଆଡ଼୍‍ଭୋକେଟ କୈଳାସ ମହାନ୍ତି ?’

 

: ହଁ, ହଁ, କ’ଣ ହେଲା ? କୁହନ୍ତୁ ।

 

: ଜଗଦୀଶ...

 

: ଜଗଦୀଶ କିଛି ଖବର ପଠେଇଛି ? ଭିତରକୁ ଆସନ୍ତୁ ।

 

: ଜଗଦୀଶକୁ ସେମାନେ ମାରିଦେଲେ ।

 

: ନା... । ଚିତ୍କାର କରିଉଠିଲା କୈଳାସ । ‘ଭଗବାନ, ଏ କ’ଣ ହେଇଗଲା ?’ ତା’ର ସେ ଚିତ୍କାରରେ ପୋଷା କୁକୁରଟା ଚମକି ଧାଇଁ ପଳେଇଥିଲା । ଖବରକାଗଜର ପୃଷ୍ଠାଗୁଡ଼ିକ ଛାଟିହେଇ ପଡ଼ିଥିଲା ଢେର୍‌ ଦୂରରେ । ଗେଟ୍‌ ସେପଟେ ବୟସ୍କ ମଣିଷଟେ ଓ ଏପଟେ ସ୍ତବ୍ଧ କୈଳାସ । ଘର ଭିତରୁ କୈଳାସର ସ୍ତ୍ରୀ ଓ ପିଲାମାନେ ବାହାରି ଆସିଥିଲେ ପଦାକୁ ।

 

ଭଦ୍ରଲୋକ ବଡ଼ କଷ୍ଟରେ ନିଜର କୋହ ଉପରେ ନିୟନ୍ତ୍ରଣ ରଖି କହୁଥିଲେ, “କାଲି ସଞ୍ଜବେଳେ ବଜାରରୁ ଫେରିବାବେଳେ ସେମାନେ ତାକୁ ପିଟି ପିଟି ମାରିଦେଲେ । ପକେଟ୍‌ରେ ତା’ର ଆପଣଙ୍କ ପାଇଁ ଚିଠିଖଣ୍ଡେ ଥିଲା । ଉପରର ଦୁଇ ଧାଡ଼ି ଭିନ୍ନ ଆଉ କିଛି ପଢ଼ିହେଉ ନଥିଲା । ବାକିଯାକ ଭିଜିଯାଇଛି ରକ୍ତରେ । ଚିଠିଟାକୁ ପୋଲିସ୍‌ ନେଇଯାଇଛି ।”

 

ଭଦ୍ରଲୋକଙ୍କ କଥାର କୌଣସିଟି ଶବ୍ଦ ଶୁଣିପାରୁ ନଥିଲା କୈଳାସ । ତା’ ଆଖି ଆଗରେ ଜଗଦୀଶର ସେହି ହସିଲା ମୁହଁଟି ବାରମ୍ବାର ନାଚିଉଠୁଥିଲା ଓ ପରେ ପରେ ମଝି ରାସ୍ତାରେ ଛଟପଟ ହେଉଥିବା ଗୋଟେ ରକ୍ତାକ୍ତ ମୁର୍ଦ୍ଦାରର ଚେହେରା ।

 

ଭଦ୍ରଲୋକ ଯିବାକୁ ବାହାରିଥିଲେ । ଅନ୍ୟମନସ୍କ କୈଳାସ ଜାଣିବାକୁ ଚାହିଁଥିଲା ପ୍ରୌଢ଼ଙ୍କର ପରିଚୟ । ସେକଥା ପଚାରି ନଥିଲେ ହୁଏତ ଭଲ ହୋଇଥାନ୍ତା ।

 

ଭଦ୍ରଲୋକ ଥିଲେ ଜଗଦୀଶର ହତଭାଗ୍ୟ ଶ୍ୱଶୁର । ଗୋଟେ ଅଠେଇଶବର୍ଷର ବିଧବା ଝିଅର ବାପା ।

 

ଭଦ୍ରଲୋକ ଚାଲିଗଲେଣି । ଜଗଦୀଶର ମୃତ୍ୟୁକୁ କିନ୍ତୁ କୈଳାସ ଗ୍ରହଣ କରିପାରୁ ନାହିଁ-। ଭୁଲିପାରୁ ନାହିଁ ଗୋଟେ ସରଳ ନିଷ୍ପାପ ଯୁବକର ଚେହେରା, ଯିଏ କବିତା ଲେଖୁଥିଲା, ଦୀପା ବୋଲି ଗୋଟେ ଝିଅକୁ ପ୍ରେମ କରୁଥିଲା, ବୋକାର ଅଭିନୟ କରି ସାଙ୍ଗମାନଙ୍କୁ ପ୍ରତି ସଞ୍ଜରେ ଖାଇବାକୁ ଡାକୁଥିଲା, ପ୍ରଚଳିତ ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜନୀତି କରିବାକୁ ବାହାରି ପଡ଼ୁଥିଲା-

 

‘ଭୁଲିଯିବି’ କହିଲେ ତ ସବୁକଥା ଭୁଲି ହୁଏ ନାହିଁ !

Image

 

ମୁକାବିଲା

 

ଅଣ୍ଡାବୋଝେଇ ଟ୍ରକ୍‌ଟି ରାସ୍ତାତଳକୁ ଗଡ଼ିପଡ଼ିଛି ।

 

ଟ୍ରକ୍‌ଡାଲାରୁ ଧଳା ଧଳା ଅସଂଖ୍ୟ ଅଣ୍ଡା ଗଡ଼ି ଗଡ଼ି ଯାଇ ରାସ୍ତା ବାଆଁ ପାଖରେ ପଡ଼ିଛନ୍ତି ଅଜାଡ଼ି ହେଲା ପରି । ଦି’ ଜଣ କନେଷ୍ଟବଳ ଜଗିଛନ୍ତି ଟ୍ରକ୍‌ଟାକୁ । କାଳେ କିଏ ନେଇଯିବ ଅଣ୍ଡାଗୁଡ଼ାକୁ । ହଜାର ହଜାର ଅଣ୍ଡା ଫାଟିଯାଇ ସେଗୁଡ଼ିକର ଲାଳ ଗୋଟେ ଛୋଟ ପାଣିସୁଅ ତିଆରି କରିଦେଇଛି । ଖରା ଧାସରେ ସେସବୁ ଏବେ ଫେଣହେଇ ପିଠା ପାଲଟିଯାଇଛି । ଟ୍ରକ୍‌ ପାଖରେ ବେଶ୍‌ କିଛି ଲୋକ ଜମା ହୋଇଛନ୍ତି ।

 

କରୁଣା ଟ୍ରକ୍‌ ପାରହୋଇ ଆଗକୁ ଚାଲିଗଲା । ଆଜି ତା’ର ଗୋଟାଏ ଖୁବ୍‌ ଭଲଦିନ । ସେଥିପାଇଁ ସକାଳୁ ସେ ଖୁସି ଥିଲା । ତରତରରେ ବାହାରି ଆସିଥିଲା ଘରୁ । ବାଟରେ ଏ ଅଣ୍ଡା ବୋଝେଇ ଟ୍ରକ୍‌ଟିର ଓଲଟିପଡ଼ିବା ଦୃଶ୍ୟଟା ଟିକେ ବିଚଳିତ କରିଥିଲା । ସେ ସହଜରେ ସେଇଟିକୁ ଡେଇଁ ଚାଲିଆସିଲା ।

 

ହଠାତ୍‌ କିଛି ସମୟପାଇଁ ମନେପଡ଼ିଲା, ଆଜି ସକାଳୁ ତା’ର ଗୋଟେ ଆଖି ଡେଇଁଥିଲା-। ସେତେବେଳେ ସେ ମୁହଁ ଧୋଉଥିଲା ଦାନ୍ତ ଘଷିସାରି । ବାଆଁ ଆଖି ନା ଡାହାଣ ଆଖି-? ବ୍ୟସ୍ତ ଥିବା ହେତୁ କରୁଣା ସେତେବେଳେ ଠଉରେଇ ପାରି ନଥିଲା । ଏବେ ସେଇଟା ମନେପକାଇବା ଜରୁରୀ ହୋଇପଡ଼ିଥିଲା ତା’ପାଇଁ । କିନ୍ତୁ ମନେପଡ଼ୁନାହିଁ । ବାଆଁ ଆଖି ନୁହେଁ ତ-? ନା, ଡାହାଣ ଆଖି ଡେଇଁଥିବ । ପିଲାଟିଦିନୁ ଗୋଟେ ବିଶ୍ୱାସ, ଡାହାଣ ଆଖି ଡେଇଁଲେ ଭଲ ଫଳ ମିଳେ-

 

‘ଆୱାର କାପିଟାଲ ସପ୍ଲାୟର୍ସ’ ମାଲିକଟି ଭଲଲୋକ । କାହିଁକି ତା’ ନାଆଁରେ ଇଆଡ଼ୁ ସିଆଡ଼ୁ ସମସ୍ତେ କହନ୍ତି, କରୁଣା ବୁଝିପାରେନାହିଁ । କେବଳ ଈର୍ଷା ଛଡ଼ା ଆଉ କ’ଣ ହୋଇପାରେ ଏପ୍ରକାର ସମାଲୋଚନାର ହେତୁ ? ଭଲ ହେଉ ବା ମନ୍ଦ ହେଉ କରୁଣାପାଇଁ ଲୋକଟା ଖୁବ୍‌ ଭଲ-। ଛଅ ମାସ ହେଲାଣି କରୁଣା ଘର ଘର ବୁଲି ଟିଉସନ୍‌ କରୁଥିଲା । ମାସକୁ ଶହେଷାଠିଏ କରି ଟଙ୍କା ଆଣୁଥିଲା । ଦିନେ ସେଇ ମର୍ଦ୍ଦରାଜବାବୁ ଡାକି ପଚାରିଲେ, “କ’ଣ କରୁଛୁ, କେମିତି ଚଳୁଛୁ-?” କରୁଣା ନିତିଦିନ ସେଇବାଟେ ଯା–ଆସ କରୁଥିବାରୁ ଲୋକଟି ଚିହ୍ନା ହେଇଯାଇଥିଲା-। କରୁଣା କହିଥିଲା–“ଭାଇ ଜଗନ୍ନାଥ ପାଇପ୍‌ ମିସ୍ତ୍ରି । ତା’ରି ସଙ୍ଗରେ ଭରତପୁରରେ ରହୁଛି । ବି.ଏ. ପାସ୍‌ କରିଛି ଦି’ବର୍ଷ ହେଲା । ଟିଉସନ୍‌ ମୁଖ୍ୟ ବୃତ୍ତି ।” ମର୍ଦ୍ଦରାଜେ କହିଲେ, “ନାଇଁ ତମେ କାଲିଠୁ ଆସି ମୋ ଦୋକାନର ଦେଖାଶୁଣା କର । ମାସକୁ ମାସ ତିନିଶହ ଟଙ୍କା ଦେବି । ସକାଳୁ ଆସିଯିବ-। ଦୋକାନ ବନ୍ଦହେଲା ପରେ ଯିବ ।”

 

ଏହାପରେ କରୁଣା କେମିତି ମର୍ଦ୍ଦରାଜଙ୍କୁ ଦୟାର ଅବତାର ନ କହିବ, କହିଲେ ?

 

ଆଜି ପ୍ରଥମ ଦିନ । କରୁଣା ‘ଆୱାର କାପିଟାଲ ସପ୍ଲାୟର୍ସ’ରେ ଯୋଗଦେବ ମାସିକ ତିନିଶହ ଟଙ୍କା ବେତନରେ । କିଛି ମନ୍ଦ ନୁହେଁ । ତିନିଶହ ଟଙ୍କାରୁ ଆରମ୍ଭ ଚାକିରି ।

 

କରୁଣା ସାଇକେଲ୍‌ର ବେଗ ବଢ଼େଇଦେଲା । ଦିଇଟା ମାସ ପରେ ପୂଜା । ଗାଁକୁ ଯିବ ଛୁଟିନେଇ । ତା’ ଆଗରୁ ହଳେ ଭଲ ପ୍ୟାଣ୍ଟ୍‍ସାର୍ଟ୍ କରିନେବ । ବୋଉପାଇଁ ଖଣ୍ଡେ ଶାଢ଼ି, ସାନଭଉଣୀ ପାଇଁ ପୋଷାକ ଓ ହଳେ ଚପଲ, ବାପାଙ୍କପାଇଁ ଖଣ୍ଡେ ବଢ଼ିଆ ଜାମା କନା ନେଇଯିବ-। ପୂଜାଟା ଏ ବର୍ଷ ତା’ର । ଦୀର୍ଘଦିନର ବିରକ୍ତିକର ବେକାରିତ୍ୱରୁ ମୁକ୍ତି । ଏଣିକି ସେ ଓ.ଏ.ଏସ୍‌. ପାଇଁ ପ୍ରସ୍ତୁତ କରିବ ନିଜକୁ । ‘ଟପିକ୍‌ସ ମାଷ୍ଟର’ ମଗେଇ ପଢ଼ିବ । ‘ଏମ୍ପ୍ଲୟମେଣ୍ଟ୍‌ ନ୍ୟୁଜ୍‌’ ମଗେଇବ ବସାକୁ ।

 

ଅନେକ ଥର ବଡ଼ ଭାଇର ବଖୁରିକିଆ ଘର ବାରଣ୍ଡାରେ ଶୋଇ ଶୋଇ କରୁଣା ହୀନମ୍ମନ୍ୟତା ଓ ନିଃସଙ୍ଗତା ଭିତରେ ରୁନ୍ଧି ହୋଇଯାଇଛି । ଭାଇ ଅଧାଦିନ ରାତି ଏଗାରଟା, ବାରଟାରେ ଫେରେ । କେହି କେହି କହନ୍ତି ଜଗନ୍ନାଥ ପାଇପ୍‌ ଫିଟିଙ୍ଗସ୍‌ ଚୋରିକରି ଆଣି ବିକେ । କରୁଣା ସେସବୁ ବିଶ୍ୱାସ କରୁ ନଥିଲେ ମଧ୍ୟ ଭିତରେ ଭିତରେ ଟିକେ ସାଙ୍କୁଡ଼ିଯାଏ । ଭାଇ କିନ୍ତୁ ତା’ପାଇଁ ଢେର୍‌ କିଛି କରିଛି । ତା’ ନହେଲେ ସେ ପାଠ ପଢ଼ି ପାରି ନଥାନ୍ତା ।

 

ରାତିଅଧରେ ସେ ତା’ର ଭାଇ–ଭାଉଜଙ୍କ ଟୁପ୍‌ଟାପ୍‌ କଥାବାର୍ତ୍ତା ଶୁଣେ । ବେଳେବେଳେ ତା’ ଭାଉଜର କିଛି କଥା ତାକୁ ଉତ୍ତେଜିତ କରିଦିଏ । ଚୁଡ଼ି ରୁଣୁଝୁଣୁ ଶବ୍ଦ ଶୁଣୁ ଶୁଣୁ ସେ ଅନେକ କିଛି କଥା କଳ୍ପନା କରିପକାଏ ।

 

କିନ୍ତୁ ଭାଉଜର କଥାଗୁଡ଼ା ଦିନସାରା ଶୁଣିବାକୁ ତାକୁ ଭଲ ଲାଗେନାହିଁ । କରୁଣା ଯେପରି ଭାଉଜର ଦୟାରେହିଁ ବଞ୍ଚିଛି । ବେଳେବେଳେ ଇଚ୍ଛା ହୁଏ କୁଆଡ଼େ ନା କୁଆଡ଼େ ପଳେଇବ । ଲୁଚିଯିବ ଖଣ୍ଡଗିରି ଗୁମ୍ଫା କନ୍ଦିରେ, ଯେମିତି କେହି ତାକୁ ଦେଖିବେ ନାହିଁ । କିନ୍ତୁ ସେମିତି କିଛି କରିପାରେନା । ସଞ୍ଜବେଳକୁ ମୁହଁପୋତି ବସାକୁ ଫେରେ ।

 

କରୁଣାକୁ ଆଜି ରାସ୍ତାକଡ଼ର ସବୁକିଛି ଉଜ୍ଜ୍ୱଳ ଦିଶୁଥିଲା । ତା’ର ନୁଖୁରା ବାଳ ଉଡ଼ୁଛି ଫର୍‌ଫର୍‌ । ଢିଲା ଜାମା ଭିତରେ ପବନ ପଶି ପିଠିପଛ ଫୁଲିଯାଉଛି ବେଲୁନ ପରି । ସେଇଟା ଏବର ଷ୍ଟାଇଲ୍‌ । ନିଜ ଚିନ୍ତା ଭିତରେ ନିବୁଜ କରୁଣା ଏପର୍ଯ୍ୟନ୍ତ ରାସ୍ତା ଦି’ କଡ଼କୁ ଚାହିଁ ନଥିଲା । ଆଖି ପଡ଼ିଲା ଡାହାଣ ପାଖ ରାସ୍ତାକଡ଼ରେ । କରୁଣା ବ୍ରେକ୍‌ କଷି ସାଙ୍ଗେ ସାଙ୍ଗେ ଓହ୍ଲେଇ ପଡ଼ିଲା ସାଇକେଲ୍‌ ଉପରୁ । ଖଣ୍ଡଗିରି ତଳକୁ ଦୀର୍ଘ ଚାରିପାଞ୍ଚ କିଲୋମିଟର ନୂଆପଲ୍ଲୀ ଛକ ପର୍ଯ୍ୟନ୍ତ ଲମ୍ବିଥିବା ୟୁକାଲିପଟ୍‍ସର ବଣ ଏବେ ଦିଶୁ ନଥିଲା । ସାବ୍‌ଜା ଘଞ୍ଚ ଓ ସାମାନ୍ୟ ଭୟ ସୃଷ୍ଟି କରୁଥିବା ୟୁକାଲିପଟ୍‍ସ ଗଛମାନଙ୍କୁ କିଏ ହାଣିଦେଇଥିଲା ଅତ୍ୟନ୍ତ ନିର୍ଦ୍ଦୟ ଭାବରେ । କରୁଣା କିଛି ସମୟପାଇଁ ନିର୍ବାକ୍‌ ହୋଇପଡ଼ିଲା । କିଏ କଲା ଏସବୁ ? କାଲି ଅପରାହ୍‌ଣରେହିଁ ତ ସେ ଏଇବାଟ ଦେଇ ଯାଇଥିଲା । ଟୋପା ଟୋପା ଭାଦ୍ରବର ବର୍ଷା ଝରିପଡ଼ୁଥିଲା ୟୁକାଲିପଟ୍‍ସର ଡାଳମାନଙ୍କରୁ । ଧୀରେ ଧୀରେ ଝୁଲୁଥିଲା ଡେଙ୍ଗା ଗଛର ନହକା ଡାଳଗୁଡ଼ିକ ।

 

ଅବିଚାରିତଭାବେ ମୂଳରୁ, ଅଧାରୁ ଓ ଅଣ୍ଟା ପାଖରୁ ହଣା ହୋଇଥିବା ଗଛଗୁଡ଼ିକ ଦିଶୁଥିଲେ ଗୋଟେ ଗୋଟେ କବନ୍ଧ ପରି । କାହାର ହାତ କଟିଯାଇଛି, କାହାର ଆଖି, କାନ ଓ ନାକ, କାହାର ପିଠି ଚମଡ଼ା ଉତୁରିଯାଇଛି ତ କିଏ ଲହୁଲୁହାଣ ହେଇଯାଇଛି ବାରମ୍ବାର କୁଠାରଘାତରେ । ଏପରି କବନ୍ଧମାନଙ୍କର ଧାଡ଼ି ମାଇଲ ମାଇଲ ଧରି ଲମ୍ବିଯାଇଛି ।

 

ରାସ୍ତାକଡ଼ର ଏହି ଗଛମାନେ ଯେ କେଉଁକାଳୁ ତା’ ଚେତନାରେ ଗୋଟାଏ ସୁଦୃଢ଼ ଅସ୍ତିତ୍ୱ ଜାହିର କରି ସାରିଥିଲେ, ସେକଥା କରୁଣା ଏହା ପୂର୍ବରୁ ଚିନ୍ତା କରି ନଥିଲା । ସେମାନଙ୍କୁ ନେଇ ଏତେ ବେଶୀ ସ୍ପର୍ଶକାତର ହେଇଉଠିବା ଏହି ପ୍ରଥମ । କିନ୍ତୁ ଦୃଶ୍ୟଟା ସେହିପରି ଜଘନ୍ୟ ଥିଲା ।

 

କରୁଣା ଅନେକ ସମୟରେ ଏହି ଗଛମାନଙ୍କ ତଳେ ଅଟକି ରହିଥାଏ । ବର୍ଷା ହେଉ କି ଖରା ହେଉ, ହାତରେ ବିଶେଷ କାମ ନଥାଏ କରୁଣାର । ଗଛକୁ ଆଉଜି କେବଳ ଅପେକ୍ଷାରେହିଁ ସେ ଘଣ୍ଟା ଘଣ୍ଟା ବିତେଇଥାଏ । ଗଲାଅଇଲା ଟ୍ରକ୍‌, କାର୍‌, ହିରୋହୋଣ୍ଡା, ମଟର ସାଇକେଲ୍‌, ଶଗଡ଼ ଓ ଯା–ଆସ କରୁଥିବା ଲୋକମାନଙ୍କୁ ନିରୀକ୍ଷଣ କରେ, ସୁନ୍ଦରୀ ଝିଅ ଓ ସ୍ୱାସ୍ଥ୍ୟବତୀ ରେଜାଶ୍ରମିକଙ୍କ ପିଠିକୁ ଅନାଏ ଢେର୍‌ ସମୟପାଇଁ, ପୁଣି ସିଗାରେଟର ଶେଷଟାଣ ନେଇ ଆକାଶକୁ ଅନେଇ ଗମ୍ଭୀର ହୋଇଯାଏ । ୟୁକାଲିପଟ୍‍ସ ବଣ ଭିତରେ କେତୋଟି ଦେବଦାରୁ ଗଛବି ଥିଲା । ସେମାନଙ୍କୁ ସେ ଗୋଟେ ଗୋଟେ ନାଆଁ ଦେଇଥିଲା । ତା’ର ବେକାର ଜୀବନର ପ୍ରିୟତମା ସେମାନେ । କରୁଣା ପଛେଇ ପଛେଇ ଚାହିଁଲା ଏକଦା ନିଘଞ୍ଚ ଓ ଏବର ନିରବ ରାସ୍ତାକଡ଼ର ଗଛମାନଙ୍କ ଆଡ଼େ ।

 

ଛକପାଖେ ପାଞ୍ଚଜଣ ଲୋକ ବିଜୁଳି ଖୁଣ୍ଟ ପୋତୁଥିଲେ ।

 

ଏ ଗଛମାନଙ୍କୁ କିଏ କାଟିଛି ? ବେଶ୍‌ ବଡ଼ପାଟିରେ ସେମାନଙ୍କୁ କରୁଣା ପଚାରିଲା ।

 

ଲୋକଗୁଡ଼ାକ କରୁଣାକୁ ବେଖାତିର ଢଙ୍ଗରେ ଟିକିଏ ଚାହିଁଲେ ଓ ନିଜ ନିଜ କାମରେ ଲାଗିଗଲେ । କରୁଣା ଯେପରି ତାଙ୍କ କାମରେ ଅବାଞ୍ଛିତ ହସ୍ତକ୍ଷେପ । କରୁଣାର ଛାତି ଭିତରେ କିନ୍ତୁ ୟୁକାଲିପଟ୍‍ସ ଓ ଦେବଦାରୁ ବଣର ଶୋକାବହ ସ୍ମୃତି ସେପର୍ଯ୍ୟନ୍ତ ସତେଜ ଥିଲା । ସେ ଟିକିଏ କ୍ରୁଦ୍ଧ ହୋଇପଡ଼ିଲା ଏବଂ ପଚାରିଲା, “ଏପରି ଅବିଚାରିତଭାବେ ମାଇଲ ମାଇଲ ଲମ୍ବିଥିବା ଗଛଗୁଡ଼ାକୁ କାଟିଦେବା ପାଇଁ ତମମାନଙ୍କୁ କିଏ କହିଛି ?”

 

ଗାତ ଖୋଳିସାରି ତା’ ଭିତରୁ ମାଟିତକ ବାହାର କରୁଥିବା ଶୁଆନାକିଆ ଲୋକଟି କହିଲା, ‘ଯାଅ ବାବୁ, ସେ ଚାହା ଦୋକାନରେ ସେକ୍‌ସନ ଅଫିସର ବସିଛନ୍ତି ତାଙ୍କୁ ପଚାରିବ । ଆମକୁ ଯାହା କୁହାଗଲା, ଆମେ ସେଇଆ କଲୁ । ଆମର କି ଦୋଷ ?’ ‘ଦୋଷ କାହାର ନୁହେଁ, ଦୋଷ ତ ଏ ଦେଶବାସୀଙ୍କର ! ଦଳେ ଅଫିସର ଗଛ ଲଗେଇ ଯାଉଛନ୍ତି, ଆଉ ଦଳେ ହାଣି ଯାଉଛନ୍ତି । ବିଜୁଳି ଖୁଣ୍ଟମାନଙ୍କୁ ଅଧିକ ଉଚ୍ଚ କରାଯାଇପାରନ୍ତା ନାହିଁ ?’ –କରୁଣା ଅସହାୟ ଭାବରେ ଗାତ ଖୋଳୁଥିବା ଲୋକମାନଙ୍କୁ କହୁଥିଲା ।

 

ସେମାନେ କିନ୍ତୁ ତା’ କଥା ଶୁଣିବାକୁ ଚାହୁଁ ନଥିଲେ । ସକାଳୁ ଦି’ ଦିଇଟା ଦୁର୍ଘଟଣା ପ୍ରତ୍ୟକ୍ଷ କରିଥିବା କରୁଣା ମନରେ ଆଗର ସରସତା ଏବେ ନଥିଲା । ଅଣ୍ଡାଗୁଡ଼ିକ ବଜାରରେ ପହଞ୍ଚିବା ପୂର୍ବରୁ ଟ୍ରକ୍‌ ଓଲଟିପଡ଼େ, ଗଛଗୁଡ଼ିକ ଆକାଶ ଛୁଇଁବା ଆଗରୁ ହଣା ହୁଅନ୍ତି ।

 

କିନ୍ତୁ ତୃତୀୟ ଦୃଶ୍ୟଟି ଯେ, ସକାଳର ଆର ଦୁଇଟା ଦୃଶ୍ୟର କାରୁଣ୍ୟକୁ ସମ୍ପୂର୍ଣ୍ଣ ନିଷ୍ପ୍ରଭ କରିଦେବ, ତାହା କରୁଣା କଦାପି କଳ୍ପନା କରି ନଥିଲା । ‘ଆୱାର କାପିଟାଲ ସପ୍ଲାୟର୍ସ’ ପାଖେ ପହଞ୍ଚି ସେ ସେଇଟାକୁ ସାମ୍ନା କରୁଥିଲା । ‘ଆୱାର କାପିଟାଲ ସପ୍ଲାୟର୍ସ’ ସମେତ ବଜାର ଦି’ କଡ଼ର ଦି’ ଧାଡ଼ିଯାକ ଦୋକାନ କିଏ ଭାଙ୍ଗିପକେଇଥିଲା । ସାଇନ୍‌ବୋର୍ଡ଼ଗୁଡ଼ିକ ପାଖ ନଳାରେ ନହେଲେ କଲେକ୍ଟ୍ରି ଖୁଣ୍ଟପାଖେ ଆଉଜି ରହିଥିଲେ ହସ୍ତପଦହୀନ ଅଥର୍ବଙ୍କ ପରି । ଦୋକାନଗୁଡ଼ିକର ଜିନିଷପତ୍ର ଖେଳେଇ ହୋଇ ପଡ଼ିଥିଲା । ଗୋଟେ ଚାହା ଦୋକାନୀ ସେଇ ଭଙ୍ଗା ଇଟା ଓ କାଠ ଗଦା ଉପରେ ଆରମ୍ଭ କରିଥିଲା ତା’ର ବେପାର । କେଟ୍‌ଲିରୁ ବାମ୍ଫ ଉଠୁଥିଲା-। ମର୍ଦ୍ଦରାଜ ତା’ ଦୋକାନ କାନ୍ଥକୁ ଢିରାଦେଇ ଆକାଶକୁ ଚାହିଁଥିଲା ।

 

ମର୍ଦ୍ଦରାଜର ସେ ଅସହାୟ କରୁଣ ଚାହାଣି କରୁଣାକୁ ବିବ୍ରତ କରିଦେଉଥିଲା । ଗତକାଲି ଦୋକାନର ସେଲ୍‌ କାଉଣ୍ଟର ସନ୍‌ମାଇକା ଟେବୁଲ୍‌ ପାଖର ହସହସ ମର୍ଦ୍ଦରାଜ ଏବେ ଦିଶୁଥିଲା ରାତିଶେଷ ଅପେରା ପାର୍ଟିର ରାଜା ଚରିତ୍ର ପରି । ଲୁଙ୍ଗିଟେ ପିନ୍ଧି ବିଡ଼ି ଟାଣୁଥିବା ଅପେରା ମହାରାଜ ତାକୁ ଆଜି ଏତେ ଅସହାୟ ଦିଶୁଥିଲା ଯେ, କରୁଣା ନିଜେ ତାକୁ କିଛି ସାହାଯ୍ୟ କରିପାରିବ କି ନାହିଁ ସେ ଚିନ୍ତା କରିବାକୁ ଆରମ୍ଭ କରିଦେଇଥିଲା ।

 

ମର୍ଦ୍ଦରାଜ କହୁଥିଲା, ଲେଭେଲକ୍ରସିଂ ହେବାପାଇଁ ଆଗରୁ ଆମକୁ ଜାଗା ଖାଲି କରିବାପାଇଁ ନୋଟିସ୍ ଦିଆଯାଇଥିଲା । କିନ୍ତୁ ଏଠୁ ଛାଡ଼ି କେଉଁଠିକୁ ଯିବୁ ? ଇଟା, ଚିପ୍‌ସ, ବାଲି, ପଥର ଅର୍ଡ଼ରପାଇଁ ଏହି ଜାଗାଟା ଭଲ ଥିଲା । ଅର୍ଡ଼ର ମିଳିଗଲେ ମୁଁ ସପ୍ଲାଇପାଇଁ ଖବର ଦେଇଦିଏ । ଭଲ ଦୁଇ ପଇସା ମିଳେ । ଏ ସହରରେ ସଲାମି ଓ ଘରଭଡ଼ା ଦେଇ କି ବେପାର କରିବ ବାବୁ ? ବର୍ଷକରେ ବାରମାସ ତ ଚାନ୍ଦାଭେଦା ଦେଇ ଦେଇ ଦରିଦ୍ର ହୋଇଯିବ ! ଆଉ ପନ୍ଦରଟା ଦିନ ତକେଇଥିଲେ କିଛି ଗୋଟାଏ ବନ୍ଦୋବସ୍ତ ହୋଇ ଯାଇଥାଆନ୍ତା । କିନ୍ତୁ ସକାଳୁ ସକାଳୁ ବୁଲ୍‌ଡ଼ୋଜର ମଡ଼େଇ ଭାଙ୍ଗି ପକେଇଲେ ।

 

କରୁଣା ସକାଳ ପ୍ରହରୁ ଦେଖିଥିବା ଦୁର୍ଘଟଣାଗୁଡ଼ିକର ପ୍ରଭାବରୁ ମୁକୁଳି ଆସି ପାରୁ ନଥିଲା । ମର୍ଦ୍ଦରାଜ ଏବେ ଯେ ତାକୁ ତିନିଶହ ଟଙ୍କା ବେତନରେ ଚାକିରି ଦେଇପାରିବ ନାହିଁ, ସେକଥା କହିବା ପ୍ରୟୋଜନ ପଡ଼ୁ ନଥିଲା । କିନ୍ତୁ କରୁଣାର ସ୍ୱପ୍ନ ଓ ଯୋଜନାମାନଙ୍କର କ’ଣ ହେବ-? ସେ ଯେ କାଲି ରାତିତମାମ କେବଳ ସ୍ୱପ୍ନ ଦେଖିଛି !

 

ମର୍ଦ୍ଦରାଜ ଏ ସହରକୁ ଦଶବର୍ଷ ତଳେ ଆସିଥିଲା । ସେହିକାଳୁ ସେ ସରକାରୀ ଜାଗାରେ ଆଜବେଷ୍ଟସ୍‌ ସେଡ଼୍‍ଟାଏ କରି ତା’ର ଇଟାବାଲି ଚିପ୍‌ସ ସପ୍ଲାଇ ବେପାର ଚଳେଇଥିଲା । ଆଉ କିଛି ଟଙ୍କା ହେଇଥିଲେ ସେ ଘରଟେ ତୋଳିବ ବୋଲି କହୁଥିଲା । ତା’ପରେ କିଛି ଚିନ୍ତା ନଥାନ୍ତା । ମର୍ଦ୍ଦରାଜ ଉପରକୁ ଉଠିଯାଇଥିଲେ କରୁଣା ଖୁସି ହେଇଥାନ୍ତା । ସେ ମନପ୍ରାଣ ଦେଇ ମର୍ଦ୍ଦରାଜ ପାଇଁ କାମ କରିଥାନ୍ତା । ମାତ୍ର ତାହା ଆଉ ହେବନାହିଁ ।

 

ମର୍ଦ୍ଦରାଜ କରୁଣାକୁ କହିଲା, “ମୁଁ ବ୍ୟସ୍ତ ହେଉନାହିଁ ଆଦୌ । ଏମିତି ତିନି ତିନିଥର ଘରଭଙ୍ଗା ମୁଁ ଦେଖିଲିଣି । ଏବେ ଏଗୁଡ଼ା ବେଶୀ କଷ୍ଟ ଦେଉନାହିଁ । ତା’ଛଡ଼ା କେବଳ ତ ମୋରି ଦୋକାନ ଭାଙ୍ଗିନାହିଁ ! ଚା’ ଦୋକାନକୁ ଦେଖୁନାହଁ ? ତା’ ଜିନିଷପତ୍ରତକ ବାହାର କରି ଆଣିବାକୁବି ଫୁରୁସତ୍‌ ଦେଲେନାହିଁ । ଲେଭେଲକ୍ରସିଂ କାମ ମୂଳରୁ ଆରମ୍ଭ ହେଇନାହିଁ । ବର୍ଷାଦିନଟା ଗଲାପରେ ଏଇ ଦୋକାନ ଭଙ୍ଗାଯାଇପାରିଥାଆନ୍ତା । କିନ୍ତୁ ଏଠିବି ପଲିଟିକ୍‌ସ୍ ! ହଉ, ଆମେବି ହାତବାନ୍ଧି ବସିବୁ ନାହିଁ ।”

 

କରୁଣା ବୁଝୁଥିଲା, ମର୍ଦ୍ଦରାଜ ତାକୁ ଅସହାୟଭାବେ ରାସ୍ତା ଉପରେ ଛାଡ଼ିଦେଇ ଯିବାକୁ ଚାହୁଁନାହିଁ । ତା’ ମନ ବୁଝାଇବାକୁ ଏସବୁ କହୁଛି । ସେ ହୁଏତ ତାକୁ ଘରକୁ ଡାକିବ । ଦରକାର ହେଲେ ତା’ ଦୋକାନ ପୁଣି କେଉଁଠି ବସିଗଲେ ତାକୁ ଖୋଜିବ । କିନ୍ତୁ କାହା ଉପରେ ଲଦି ହେଇ ରହିବାପାଇଁ କରୁଣାକୁ ସୁଖ ଲାଗୁ ନଥିଲା ।

 

ମର୍ଦ୍ଦରାଜ ଭଙ୍ଗା ପଥର, ଇଟା ଓ କାଠ କଡ଼ି ବରଗା ଭିତରୁ ସାଉଣ୍ଟୁଥିଲା ତା’ର ଛୋଟବଡ଼ ଜିନିଷ ଓ ଖାତାପତ୍ର । ଏଇଥିରୁ ପୁଣି ସେ ଆରମ୍ଭ କରିବ ନୂଆ ବ୍ୟବସାୟ । ବେଶୀ ପାଠଶାଠ ପଢ଼ିନାହିଁ ଲୋକଟି । କିନ୍ତୁ ମୁହେଁ ମୁହେଁ ହଜାର ହଜାର ଟଙ୍କାର ହିସାବ କରିପାରେ । ଯେଉଁଦିନ ଅଧିକା କାରବାର ହୁଏ, ସେଦିନ ରାମମନ୍ଦିରକୁ ଯାଇ ଭୋଗ କରେ, ଫୁଲ ଚଢ଼ାଏ । ଶଗଡ଼ିଆସାହିର କେଉଁ କୋଣରେ ଗୋଟେ ଘରେ ରହିଛି ତା’ ପିଲାଛୁଆକୁ ନେଇ । ଲୋକଟି ସବୁବେଳେ ହସୁଥାଏ । ଯେପରି ତା’ର ଚିନ୍ତା କି ଦକ କିଛି ନାହିଁ । ଜୀବନରେ ଅନେକବାର କଚଡ଼ା ଖାଇଛି, ଢେର୍‌ ଉଠାପକା ଦେଇ ଆସିଛି ତା’ର ଜୀବନ । ସମ୍ଭବତଃ ସେଇଥିପାଇଁ ସେ ଏଭଳି ଏକ ଦୁଃଖ ସମୟରେବି ଅଧୈର୍ଯ୍ୟ ହୋଇପଡ଼ୁନାହିଁ ।

 

କିନ୍ତୁ ଅଣ୍ଡା ପୁଞ୍ଜାଏ ଭାଙ୍ଗିଯିବା ଓ ୟୁକାଲିପଟ୍‌ସ ଗଛମାନଙ୍କରେ ଡାଳହଣା ପରି ଅତି ସ୍ୱାଭାବିକ ଘଟଣାରେ କରୁଣା କାହିଁକି ଅଥୟ ହୋଇପଡ଼େ ? ଏସବୁ ଦୁର୍ବଳତାରୁ ତାକୁ ମୁକୁଳି ଆସିବାକୁ ପଡ଼ିବ । ତାକୁ ପ୍ରସ୍ତୁତ ହେଇଯିବାକୁ ପଡ଼ିବ ବୁଲ୍‌ଡ଼ୋଜରର ସାମ୍ନା କରିବାପାଇଁ । ଚରମ ବିପର୍ଯ୍ୟୟର ସାମନାସାମନି ନହେଲେ ସେ ତା’ ଭିତରର ଆତ୍ମବିଶ୍ୱାସକୁ ଚିହ୍ନିପାରିବ ନାହିଁ ।

 

ମର୍ଦ୍ଦରାଜ ତା’ ହାତ ଧରି ଭିଡ଼ୁଥିଲା । “ଆ, ଆ, ଚା’ ଟିକେ ଟିକେ ପିଇଦେବା । ଦିପହରେ ଆଜି ଖାଇବାକୁବି ଯାଇହେବ ନାହିଁ ଏସବୁ ଛାଡ଼ି । ତୁ କିଛି କହୁନୁ କାହିଁକି ?”

 

କରୁଣା କିଛି କହୁ ନଥିଲା । ଏବେ ଆଉ ସେ ଚିନ୍ତା କରୁ ନଥିଲା, ସକାଳେ ତା’ ଡାହାଣ ଆଖି ନା ବାଁ ଆଖି କେଉଁଟା ଫର୍‌ଫର୍‌ ଡେଇଁଥିଲା ବାରମ୍ବାର । ଆଶ୍ଚର୍ଯ୍ୟଜନକଭାବେ ଏବେ ସେ ନିଜକୁ ବେଶ୍‌ ମଜଭୁତ ଏବଂ ସୁଦୃଢ଼ ବିଚାରୁଥିଲା, ଯେମିତି ସବୁପ୍ରକାର ଚାଲେଞ୍ଜକୁ ସେ ସାମ୍ନା କରିଯାଇପାରିବ ଅତି ସହଜରେ । ଅବିଚଳିତ ମର୍ଦ୍ଦରାଜ ତାକୁ ଆତ୍ମବିଶ୍ୱାସର ପାହାଡ଼ଟେ ପରି ଜଣାପଡ଼ୁଥିଲା ।

 

: ମୁଁ ଆସୁଛି ମର୍ଦ୍ଦରାଜବାବୁ, ବହୁତଗୁଡ଼େ ବାଟ ଯିବାକୁ ପଡ଼ିବ ତ !

 

: କିନ୍ତୁ କୁଆଡ଼େ ? ତୁ ଚାକିରି କରିବୁ ପରା ? ମୁଁ ଜବାବ ଦେଇଛି, ତୋତେ କାମ ଦେବି । ତୁ ବ୍ୟସ୍ତ କାହିଁକି ? ଆମେ କାଲିହିଁ ସି.ଆର୍‌.ପି. ଛକ ପାଖକୁ ଉଠିଯିବା ।

 

ମର୍ଦ୍ଦରାଜ ତୁଣ୍ଡର ଏହି ‘ଆମେ’ ଶବ୍ଦଟା ହଠାତ୍‌ ଏତେ ଆତ୍ମୀୟ ଲାଗିଲା ଯେ କରୁଣା ଆଶ୍ଚର୍ଯ୍ୟ ହୋଇଗଲା ।

 

ମର୍ଦ୍ଦରାଜ ତାହାହେଲେ କ’ଣ କରୁଣାକୁ ଦୟା କରୁନାହିଁ, ଆବଶ୍ୟକ କରୁଛି । ସେ ସାଇକେଲ୍‌ ପାଖରୁ ଫେରିଆସିଲା ଓ ମର୍ଦ୍ଦରାଜ ନାମକ ସେଇ ଲୋକଟିର ଆଖିକୁ ଚାହିଁଲା ।

 

ମର୍ଦ୍ଦରାଜ କହିଲା, “କାଲି ପର୍ଯ୍ୟନ୍ତ ମୁଁ ତୋ ଆଖିରେ ବଡ଼ ଥିଲି, ଆଜି ସକାଳୁ ତୁ ଓ ମୁଁ ସମାନ । କାଲି ମୁଁ ଥିଲି ମାଲିକ–ଆଜି ଦିହେଁଯାକ ଆମେ ରାସ୍ତା ଉପରେ ଛିଡ଼ାହେଇଛେ । ମୋର କିଛି ଅଭିଜ୍ଞତା ଅଛି, ପାଠ ନାହିଁ । ତୋର ପାଠ ଅଛି, ଅଭିଜ୍ଞତା ନାହିଁ । ଏଠି କିଏ କାହାକୁ ଦୟା କରୁନାହିଁ ! ସବୁକଥାରେ ଏତେ ଅଥୟ ହେଲେ ଚଳିବ ? ମୋର ବେପାର ଭାଙ୍ଗିଯାଇଛି । ତୁ ଏତିକିବେଳେ ମୋଠୁଁ ପଳେଇ ଯିବାପାଇଁ ବାହାରୁଛୁ ?”

 

କରୁଣା ବଡ଼ପାଟିରେ କହିଲା, “ତାହାହେଲେ ଆସ, ମୁଁ ମୋ ଟିଉସନ୍‌ ପଇସାରୁ ଆଜି ତମକୁ ଚା’ ପିଆଇବି । ଚା’ ଦି’ କପ୍‌ରେ ଆମେ ଆମ ନୂଆ ସମ୍ପର୍କ ଆରମ୍ଭ କରିବା ।”

Image

 

ଭାରତବର୍ଷ

ଯୁଦ୍ଧ

 

କେତେଦିନ ହେବ ଅନୁପମା ଲକ୍ଷ୍ୟ କରୁଛି, ଗୌତମ ଟିକିଏ ଟିକିଏ କଥାରେ ଭୀଷଣ ପ୍ରତିକ୍ରିୟାଶୀଳ ହେଇ ପଡ଼ୁଛି । କର୍କଶ ଗଳାରେ କଥାବାର୍ତ୍ତା କରୁଛି, ଚିଡ଼୍‌ ଚିଡ଼୍‌ ହେଉଛି, ପାଖରେ ଥିବା ଜିନିଷ କି ବହିପତ୍ର ଫିଙ୍ଗାଫୋପଡ଼ା କରୁଛି ଓ ଖାଇବା ଟେବୁଲ ପାଖରୁ ଉଠି ଚାଲିଯାଉଛି ।

 

ଗୌତମ ଏପରି ନୁହେଁ । ଶାନ୍ତ ଓ ସୁଧାର ସ୍ୱଭାବର ଏଇ ସ୍ୱାମୀଟିକୁ ଅନୁପମା ଭୟ କରେ ନାହିଁ, ସ୍ନେହ କରେ । ସେମାନଙ୍କ ଭିତରେ ବୟସର ବ୍ୟବଧାନ ମାତ୍ର ତିନି ମାସ ଚଉଦ ଦିନ-। ଶିକ୍ଷା ସମାନ । ଉଭୟେ ଚାକିରି କରିଥିଲେ ଗୋଟେ କମ୍ପାନୀରେ । ସେଇଠି ସେମାନଙ୍କର ପରିଚୟ ଓ ବାହାଘର । ବୁବୁନ୍‌ ଜନ୍ମ ହେଲାପରେ ଦୁହିଁଙ୍କ ଭିତରେ ଗୋଟେ ରାଜିନାମା ହେଲା-। ଅନୁପମା ଚାକିରିରୁ ଇସ୍ତଫା ଦେଇ ବୁବୁନ୍‌ର ଯତ୍ନପାଇଁ ଘରେ ରହିଲା ।

 

ପ୍ରଥମେ ଯେଉଁଦିନ ଅଫିସ୍‌ରୁ ଫେରି, “ଏତେବେଳ ଯାଏଁ କାହିଁକି ଦୁଆର ଖୋଲୁ ନଥିଲ ?” ବୋଲି ଗୌତମ ରୁକ୍ଷ ସ୍ୱରରେ ବୁବୁନ୍‌ ସାମ୍ନାରେ ତାକୁ ପଚାରିଲା, ଅନୁପମା ସେଦିନ ଭୀଷଣଭାବେ ଆହତ ହେଲା । ତାକୁ କାନ୍ଦ ମାଡ଼ିଲା ଓ ସେ ବୁବୁନ୍‌କୁ ଘୋଷାଡ଼ି ନେଇ ଶୋଇବା ଘରକୁ ପଳେଇଗଲା । ଗୌତମ ପରେ ବୁଝିଲା ଯେ, ବୁବୁନ୍‌ ଖାଇବସିଥିବାରୁହିଁ କଲିଂବେଲ୍‌ ଶୁଣିଥିବା ସତ୍ତ୍ୱେ ଅନୁପମାର ଦୁଆର ଖୋଲିବାରେ ଡେରିହେଲା । ଅନ୍ୟଦିନ ପରି ସେ ସାଙ୍ଗେ ସାଙ୍ଗେ ନିଜର ଭୁଲ୍‌ ସ୍ୱୀକାର କରି ଅନୁପମାକୁ କିଛି କହିଲା ନାହିଁ । ଅନୁପମାକୁ ଅଇଁଠା ହାତରେ ଦେଖି ମଧ୍ୟ ନିଜ ରାଗିବାର ଯୁକ୍ତିହୀନତା ସମ୍ପର୍କରେ ଗୌତମ ସଚେତନ ନ ହେବାରୁ ଅନୁପମା ଅନୁଭବ କଲା ଯେ, ତା’ ହାତରୁ ଅର୍ଥନୈତିକ ସ୍ୱାଧୀନତାଟି ଚାଲିଯାଇଥିବାରୁ ଗୌତମ ତାକୁ ଦୁର୍ବ୍ୟବହାର କରିବାକୁ ଆରମ୍ଭ କରିଛି । ଅନୁପମା ମେଧାବୀ ଛାତ୍ରୀ ଥିଲା ଓ ବିଶ୍ୱବିଦ୍ୟାଳୟ ସ୍ତରରେ ବହୁବାର ସମ୍ମାନିତ ହୋଇଥିଲା । ଚାକିରି ଛାଡ଼ିବାପାଇଁ ସ୍ଥିର କଲାବେଳେ ଉପରିସ୍ଥ କର୍ତ୍ତୃପକ୍ଷ ଅନୁପମାକୁ ବାରମ୍ବାର ‘ଆଉଥରେ ଭାବି ନିଷ୍ପତ୍ତି ନିଅନ୍ତୁ’ ବୋଲି କହିଥିଲେ ।

 

ସେଦିନ ରାତିରେ ଗୌତମ ସ୍ଥିର କଲା ଯେ ଅନୁପମା ପାଖରୁ ସେ ଭୁଲ୍‌ ମାଗିନେବ ଓ ଏପରି ଚିଡ଼ିବା ତା’ ପକ୍ଷେ ଉଚିତ ହୋଇନାହିଁ ବୋଲି ସ୍ୱୀକାର କରିବ । କିନ୍ତୁ କ୍ଳାନ୍ତି, ଅସହାୟତା ଏବଂ ଅନୁପମାର ବିଛଣାକୁ ଆସିବାରେ ଇଚ୍ଛାକୃତ ବିଳମ୍ବ ହେତୁ ଗୌତମ ଅପେକ୍ଷା କରି କରି କେତେବେଳେ ଶୋଇପଡ଼ିଥିଲା ।

 

ତା’ ପରଦିନ ମଧ୍ୟ ଉଭୟଙ୍କ ସମ୍ପର୍କରେ କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଗଲା ନାହିଁ । ଗୌତମ ସକାଳୁ ଉଠି ଜଳଖିଆ ଖାଇଲା ଓ ବୁବୁନ୍‌କୁ ଗେଲ କରି ସ୍କୁଟର୍‍ରେ ଷ୍ଟାର୍ଟ୍ ଦେଲା । ଅନୁପମା କିଛି ନକହି ଘରେ ଚୁପ୍‌ଚାପ୍‌ ବସିଲା ଓ ସନ୍ଧ୍ୟାବେଳେ ଗୌତମ ନିଶ୍ଚୟ ତା’ର ଭୁଲ୍‌ ସ୍ୱୀକାର କରିବ ବୋଲି ଆଶାରେ ନିଜକୁ ଗମ୍ଭୀର ମୁଦ୍ରାରେ ରଖିଲା । ମାତ୍ର ସନ୍ଧ୍ୟାବେଳକୁ ଗୌତମ ଫେରିବା ପରେ ଅବସ୍ଥାଟି ଅନୁପମା ପାଇଁ ଆଉରି ଉଦ୍‌ବେଗଜନକ ହୋଇପଡ଼ିଲା । ଗୌତମ ସେଇ ପୋର୍ଟିକୋ ତଳୁହିଁ ପାଟି କରି କରି ଆସିଲା ଓ ପୋଷା କୁକୁରକୁ ଅକାରଣରେ ଗୋଟାଏ ଗୋଇଠା ମାରିଲା । ବୁବୁନ୍‌ ଦଉଡ଼ି ଯାଇ ବାପା କମିଜରେ ଓହଳିବାକୁ ଚାହିଁଲେ ମଧ୍ୟ ଗୌତମ ତାକୁ ତଳୁ ଉଠେଇ କୋଳକୁ ନେଲାନାହିଁ ଓ ଅନୁପମା ଆଡ଼କୁ ଟିକିଏ ସୁଦ୍ଧା ନ ଚାହିଁ ସିଧା ତା’ର ପଢ଼ାଘରକୁ ପଶିଯାଇ କବାଟ ଆଉଜେଇ ନେଲା ।

 

ଅନୁପମା ଏବେ ନିଶ୍ଚିନ୍ତ ହୋଇଗଲା ଯେ, ଗୌତମ ତାକୁ ପୂର୍ବ ପରି ଆଉ ଭଲପାଉନାହିଁ ଓ ଏଇ କାରଣରୁ ତା’ର ଘରକୁ ଫେରିବାପାଇଁ ଇଚ୍ଛା ହେଉନାହିଁ । ସେ ଯଥାସମ୍ଭବ ନିଜକୁ ଗୌତମଠାରୁ ଦୂରେଇ ରହିବାର ଚେଷ୍ଟା କଲା ଓ ସେଦିନ ଗୌତମ ଶୀଘ୍ର ଅଫିସ୍‌ ଗଲା ପରେ ଅନୁପମା ବସି ତା’ ବାପା ବୋଉଙ୍କ ପାଖକୁ ଚିଠିଟେ ଲେଖିଲା ।

 

ଏବେ ଗୌତମ ତା’ ଅଫିସ୍‌ରେ ଚୁପ୍‌ଚାପ୍‌ ବସିଥିଲା । ମୁଣ୍ଡ ଉପରେ ପଙ୍ଖା ଘୂରୁଥିଲା । ତା’ ସତ୍ତ୍ୱେ ଗୌତମର କପାଳରେ ବୁନ୍ଦାବୁନ୍ଦା ଝାଳ । ସେ ପାଣି ଗିଲାସେ ପିଇବାକୁ ଇଚ୍ଛା କରୁଥିଲା-। ଟେବୁଲ୍‌ ଉପରେ ଖାଲି ଗ୍ଲାସ୍‌ଟା ଢଙ୍କାଯାଇଥିଲା, ଯେଉଁଥିରେ ପାଣି ନଥିଲା । ମୁଣ୍ଡକୁ ଦୁଇ ପାଖରୁ ଚିପିଧରି ସେ ଅନୁପମା ଓ ବୁବୁନ୍‌ କଥା ଭାବିହେଲା । ଅନୁପମା ସଙ୍ଗରେ ପ୍ରଥମ ପରିଚୟ ଓ ସମ୍ପର୍କ, ପାଞ୍ଚବର୍ଷର ଦାମ୍ପତ୍ୟ ଜୀବନ, ବୁବୁନ୍‌ର ଜନ୍ମ, ତା’ର ଜନ୍ମଦିନ ପାର୍ଟି ଏମିତି ଅନେକ କଥା ତା’ର ମନେପଡ଼ିଲା ଓ ସେ ଅନୁପମା ପ୍ରତି କିଛିଦିନ ହେବ ଧ୍ୟାନ ଦେଇପାରି ନଥିବା ଯୋଗୁଁ ମନେମନେ ଲଜ୍ଜିତ ହେଲା । ଘରକୁ ଫୋନ୍‌ଟେ କରିବାପାଇଁ ସେ ଟେଲିଫୋନ୍‌ ପାଖକୁ ଘୁଞ୍ଚିଯାଉଥିଲା । କିନ୍ତୁ ଟେବୁଲ୍‌ ଉପରେ ଓ ଫୋନ୍‌ ତଳେ କାହାର ଗୋଟେ ଛୁଟି ଦରଖାସ୍ତ ଦେଖି ସେ ସେଇଠି ଅଟକିଗଲା ।

 

ଟେବୁଲ୍‌ ଉପରେ ମୁନା ସିଂହର ଛୁଟି ଦରଖାସ୍ତ ଦେଖିବାକ୍ଷଣି ଗୌତମ ମନେମନେ ଚିତ୍କାର କରି ଉଠିଲା । ଲୋକଟା ତା’ ପିଛା ଛାଡ଼ିବ ନାହିଁ । ସେ ଘରକୁ ଟେଲିଫୋନ୍‌ କରିବା କଥାଟା ଭୁଲିଗଲା ଓ ମୁନା ସିଂହର ଛୁଟି ଦରଖାସ୍ତଟା ପଢ଼ିବାକୁ ଲାଗିଲା ।

 

ମୁନା ସିଂହ ଥିଲା ଦୁର୍ଦ୍ଦାନ୍ତ । ସେ ନିଜେ ସ୍ୱୀକାର ନ କଲେବି ସହରର ଦୁଇ ଦୁଇଟି ମର୍ଡ଼ର କେସ୍‌ ସାଙ୍ଗରେ ମୁନା ସିଂହର ନିକଟ ସମ୍ପର୍କ ରହିଥିବା କଥା ତା’ରି ସହଯୋଗୀମାନେ ଟୁପୁରୁଟାପର ହୁଅନ୍ତି । ଜାଣିଶୁଣି ସେ ସବୁଦିନ ଫ୍ୟାକ୍ଟରିକୁ ଡେରିରେ ଆସେ । ଦରଖାସ୍ତ ନ ଦେଇ ଛୁଟିରେ ରହେ । ଦସ୍ତଖତ କରିଦେଇ ପଳେଇଯାଏ । ନିଜେ କାମ କରେନାହିଁ, ଆଉ ତିନିଜଣଙ୍କୁ କାମରୁ ଡାକିଆଣି କାରଖାନା କ୍ୟାଣ୍ଟିନ୍‌ରେ ବସି ତାସ୍‌ ଖେଳେ । ରାତିଦିନ ଗୁଡ଼ାଏ ମଦ ପିଇ ଏଆଡ଼ୁ ସେଆଡ଼ୁ ବକାବକି କରେ । ତା’ର ହାବଭାବ ଦେଖି କେହି ତାକୁ କିଛି କହନ୍ତି ନାହିଁ ।

 

ଗୌତମ ପର୍ସନେଲ୍‌ ଡିପାଟ୍‍ମେଣ୍ଟରେ ମାନେଜର ହେଇ ପ୍ରମୋସନ୍‌ ପାଇବା ପୂର୍ବରୁ ମୁନା ସିଂହକୁ ଭଲଭାବେ ଜାଣିଥିଲା । ତା’ର ଢଙ୍ଗରଙ୍ଗ, ଅଶ୍ଳୀଳ ଓ ଅଭଦ୍ର ବ୍ୟବହାର ପାଇଁ ମୁନା ସିଂହ ସେ କାରଖାନା ଭିତରେ କୁଖ୍ୟାତ ଥିଲା । ତେଣୁ ଗୌତମ ତାକୁ ଚିହ୍ନିବା ଥିଲା ସ୍ୱାଭାବିକ କଥା ।

 

ସେତେବେଳକୁ ମୁନା ସିଂହ ପ୍ରାୟ ବର୍ଷେକାଳ ନାଇଟ୍‌ ସିଫ୍‌ଟ୍‌ ଡ୍ୟୁଟି କଲାଣି । ନିଜେ କାମ କରୁନାହିଁ ଓ ଅନ୍ୟମାନଙ୍କୁ ମଧ୍ୟ ଧମକଚମକ ଦେଖାଇ କାମ କରେଇ ଦେଉନଥିବାରୁ କାରଖାନାର ଶୃଙ୍ଖଳା ବ୍ୟାହତ ହେଉଛି । ତେବେ ମୁନା ସିଂହ ଏକାକୀ ନୁହେଁ, ତା’ ସଙ୍ଗରେ ସମାନ୍ତରାଳ ୟୁନିୟନ୍‌ର ଆହୁରି କୋଡ଼ିଏ ବାଇଶି ଜଣ କର୍ମଚାରୀ ମଧ୍ୟ ସଂପୃକ୍ତ ଜାଣି କେହି କିଛି କହୁନାହାନ୍ତି । କାରଣ ତା’ର ଲୋକଗୁଡ଼ିକଙ୍କର ରେପ୍‌, ମର୍ଡ଼ର ଓ ରାହାଜାନି ପରି ଅପରାଧ ଘଟାଇବା ଓ ଘଟେଇ ସାରିବାପରେ ବେକସୁର ହୋଇ ଖଲାସ ହୋଇଯିବାର ଉଦାହରଣ ରହିଛି ।

 

ଗୌତମ ପ୍ରଥମେ ମୁନା ସିଂହର ସିଫ୍‌ଟ ସମୟ ବଦଳେଇ ଦେଇଥିଲା । ସେ ଭାବିଥିଲା, ଏତେଦିନ ଧରି ଯେଉଁମାନେ ନାଇଟ୍‌ ସିଫ୍‌ଟରେ ଆସୁଛନ୍ତି, ସେମାନେ ଦିନରେ ଆସନ୍ତୁ ଓ ଦିନବାଲାଏ ଏବେ କିଛିକାଳ ରାତିରେ ଆସନ୍ତୁ । ମୁନା ସିଂହ ଦିନବେଳା ଆସିଲେ କାମରେ ଫାଙ୍କିପାରିବ ନାହିଁ । ଦାଦାଗିରି ଟିକେ କମିଯିବ । ମାସେ ତଳେ ସେ ତା’ ସେକ୍‌ସନ୍‌କୁ ଅନୁରୂପ ନିର୍ଦ୍ଦେଶ ଦେଇଥିଲା ଓ ତଦନୁଯାୟୀ ସୁପରଭାଇଜର ସିଫ୍‌ଟ ଡ୍ୟୁଟିରେ ପରିବର୍ତ୍ତନ କରିଥିଲା ।

 

କିନ୍ତୁ ପରଦିନ ଗୌତମ ତା’ ଅଫିସ୍‌ରେ ପହଞ୍ଚି ଏପରି ଗୋଟେ ଅଭାବିତ ଦୃଶ୍ୟ ଦେଖିବ ବୋଲି ଆଦୌ କଳ୍ପନା କରି ନଥିଲା । ଗୋଟେ ବାତ୍ୟାବିଧ୍ୱସ୍ତ ଘର ପରି ଦିଶୁଥିଲା ତା’ ଅଫିସ୍‌ଟା । ତା’ର ଟେବୁଲ୍‌ ଚଉକି ଓଲଟେଇ ଦିଆଯାଇଥିଲା ଓ ଟେବୁଲ୍‌ ଉପର କାଚଟାକୁ ଭାଙ୍ଗି ଦିଆଯାଇଥିଲା । ଟେବୁଲ୍‌ ଉପରେ ଥିବା ଫାଇଲ୍‌ର କିଛି କାଗଜପତ୍ର ସୂତା ଛିଣ୍ଡିଥିବା ଗୁଡ଼ିପରି ଝରକା ସେପଟେ ଶୂନ୍ୟରେ ଉଡ଼ୁଥିଲା । ଆଉ କିଛି କାଗଜପତ୍ର ବିଞ୍ଚିହୋଇ ପଡ଼ିଥିଲା କୋଠରି ଭିତରେ ।

 

ଗୌତମ ତା’ ବିଭାଗର ବଡ଼ବାବୁଙ୍କୁ ଡାକିଲା । ବଡ଼ବାବୁ ଜଣେ ଅଭିଜ୍ଞ ଓ ବୁଦ୍ଧିମାନ କିରାଣି ଥିଲେ ଓ ସେଥିପାଇଁ ସେଦିନ ସେ ଟିକେ ବିଳମ୍ବରେ ପହଞ୍ଚିଥିବାରୁ, ଏ ବାବଦରେ କିଛି ଜାଣିନାହାନ୍ତି କହି ନିଜର ଅଜ୍ଞତା ପ୍ରକାଶ କଲେ । ପିଅନଟି ମଧ୍ୟ ଅନୁରୂପ ବୁଦ୍ଧିମାନ ଥିଲା । କ୍ୟାଣ୍ଟିନ୍‌କୁ ଚା’ ପିଇବାକୁ ଯାଇଥିବାବେଳେ ଏପରି ଘଟିଛି ବୋଲି ସେ ବିନୟର ସହ ଜଣେଇଲା । ଗେଟ୍‌–କିପର୍‌କୁ କିଛି ପଚାରିବା ପାଇଁ ଗୌତମ ଚାହିଁଲା ନାହିଁ । ସେ ଜାଣିନେଲା ଯେ ଏସବୁ ମୁନା ସିଂହର କାମ ଓ ମୁନା ସିଂହ ଫ୍ୟାକ୍ଟରିର ଜଣେ କର୍ମଚାରୀ ହୋଇଥିବାରୁ ଗେଟ୍‌–କିପର୍‌ ତାକୁ ଭିତରକୁ ଆସିବାପାଇଁ ବାରଣ କରିପାରି ନଥାନ୍ତା ।

 

ଗୌତମ ଜେନେରାଲ ମାନେଜରକୁ ଭେଟିଲା । ତା’ର ଶତକଡ଼ା ଶହେ ଭାଗ ବିଶ୍ୱାସ ଥିଲା, ଜି.ଏମ୍‌. ଏ ବାବଦରେ ଜାଣିଲେ ସମସ୍ୟାର ସମାଧାନ କରିବେ ।

 

ଜି.ଏମ୍‌. ଖୁବ୍‌ ଅଭିଜ୍ଞ ଓ ଦାୟିତ୍ୱସମ୍ପନ୍ନ ଅଧିକାରୀ । ଗୌତମପାଇଁ କଫି ମଗେଇଲେ, ତାଙ୍କର ଶୀତଳ ଦପ୍ତରରେ ଅଧଘଣ୍ଟାଏ ବସେଇଲେ ଓ ଅଫିସ୍‌ କଥାତକ ଛାଡ଼ିଦେଇ ଆଉ ସବୁ କିଛି ବିଷୟରେ ଗପ୍‍ସପ୍ ହେଲେ । ବାରମ୍ବାର ଗୌତମ ନିଜ ଡିପାଟ୍‍ମେଣ୍ଟ କଥା କହିବାକୁ ଉଦ୍ୟତ ହେଉଥିଲେ ସୁଦ୍ଧା ଜି.ଏମ୍‌. ତାହାକୁ ଏଡ଼ି ଚାଲିଥିଲେ ।

 

ଶେଷକୁ ଗୌତମ ସିଧାସଳଖ ମୁନା ସିଂହର ଦୌରାତ୍ମ୍ୟ ସମ୍ପର୍କରେ କହିଲା । ଘଟଣାଟି ତା’ର ଦଶବର୍ଷର ଚାକିରି କାଳ ମଧ୍ୟରେ ଥିଲା ସର୍ବାଧିକ ଅସ୍ୱସ୍ତିକର ଓ ଏହି ପ୍ରକାର ଅସ୍ୱସ୍ତିକର ପରିବେଶରେ କାର୍ଯ୍ୟ କରିବା ଖୁବ୍‌ କଷ୍ଟକର ବୋଲି ସେ ବୁଝେଇବାକୁ ଚେଷ୍ଟା କରୁଥିଲା । ଜି.ଏମ୍‌. ବାରମ୍ବାର ଗୌତମକୁ ଧୈର୍ଯ୍ୟ ନ ହରେଇବାକୁ ଓ ଭାବିଚିନ୍ତି ଯାହା ପଦକ୍ଷେପ ନେବ, ସେଥିରେ ମୋର ସମର୍ଥନ ଅଛି ବୋଲି ତାଙ୍କଆଡ଼ୁ କହିଲେ । ତାଙ୍କ ଦୃଷ୍ଟିରେ ଏ ପ୍ରକାର ଘଟଣା ଥିଲା ଗୋଟେ ‘ପ୍ରଫେସନାଲ୍‌ ହାଜାର୍ଡ଼’ ।

 

ସେଦିନସାରା ଗୌତମ ଦପ୍ତରରେ କିଛି କାମ କରିପାରିଲା ନାହିଁ । ଏପରି ଗୁଣ୍ଡାମି, ଦାଦାଗିରିର ଅଭିନୟ ସେ ସିନେମା ଓ ନାଟକରେ ଦେଖିଥିଲା ଏବଂ ଉପନ୍ୟାସ, ଗୁଇନ୍ଦା କାହାଣୀ ଓ ଖବରକାଗଜମାନଙ୍କରେ ମଧ୍ୟ ପଢ଼ିଥିଲା । ମାତ୍ର କୌଣସି ଦିନ ଏପରି ଏକ ଘଟଣାର ସେ ନାୟକ ହୋଇପଡ଼ିବ ବୋଲି କଦାପି କଳ୍ପନା କରି ନଥିଲା ।

 

ମୁନା ସିଂହ ସାତଦିନ ପାଇଁ ଛୁଟି ଦରଖାସ୍ତ ତା’ ଟେବୁଲ୍‌ ଉପରେ ରଖେଇଦେଇ ଯାଇଥିଲା । ତମେ ସିଫ୍‌ଟ ବଦଳ କଲ, ଏଇ ନିଅ ଛୁଟି ଦରଖାସ୍ତ । ମୁନା ସିଂହର ଦରଖାସ୍ତଟା ଗୌତମକୁ ଖତେଇ ହେଉଥିଲା ।

 

ସେଦିନ ସନ୍ଧ୍ୟାରେ ଘରକୁ ଫେରିବା ବାଟରେ ଭୀଷଣ ଅନ୍ୟମନସ୍କ ଥିଲା ଗୌତମ । ଦୁଇ ଦୁଇଥର ସେ ଆକ୍‌ସିଡ଼େଣ୍ଟ୍‍ରୁ ଅଳ୍ପକେ ରକ୍ଷା ପାଇଗଲା । ମୋଟା ହୋଇଥିବା ପ୍ରତ୍ୟେକ କାଳିଆ ଲୋକ ତାକୁ ମୁନା ସିଂହ ପରି ଦିଶୁଥିଲେ ଓ ଯେକୌଣସି ମୁହୂର୍ତ୍ତରେ ସେ ଗୌତମ ଉପରେ ଆକ୍ରମଣ କରିପାରେ ବୋଲି ତା’ର ଆଶଙ୍କା ହେଉଥିଲା । ସେ ତରତରରେ ଘରେ ପହଞ୍ଚି ନିଜ ଘରର ନିରାପତ୍ତା ଭିତରେ ଛପିଯିବ ବୋଲି ବ୍ୟସ୍ତ ହେଉଥିଲା ଓ ସେଥିପାଇଁ ଅନୁପମାର ଦୁଆର ଖୋଲିବାରେ ସାମାନ୍ୟ ବିଳମ୍ବ ତାକୁ ବିରକ୍ତ କରିଦେଇଥିଲା ।

 

କିନ୍ତୁ ଏତେବଡ଼ କମ୍ପାନୀର ପର୍ସନେଲ୍‌ ମାନେଜର ଗୋଟେ ସାଧାରଣ ଗୁଣ୍ଡା ଶ୍ରେଣୀୟ କର୍ମଚାରୀର ଧମକରେ ବିଚଳିତ ହୋଇପଡ଼ିଛି–ଏ ଦୁର୍ବଳତାକୁ ସେ ଅନୁପମା ପାଖରେ ପ୍ରକାଶ କରିବାକୁ ଚାହୁଁ ନଥିଲା । ଅନୁପମା କେବଳ ତା’ ସ୍ତ୍ରୀ ନୁହେଁ, ସେ ମଧ୍ୟ ଆଗରୁ ସେହି କମ୍ପାନୀରେ ପର୍ସନେଲ୍‌ ଏକ୍‌ଜିକ୍ୟୁଟିଭ୍‌ ଥିଲା । ସେ ଦୃଷ୍ଟିରୁ ଅନୁପମା ସାମ୍ନାକୁ କାରଖାନା ଗଣ୍ଡଗୋଳ କଥା ଆଣିବାକୁ ଗୌତମ ଚାହୁଁ ନଥିଲା ।

 

ପରଦିନ ଗୌତମ କାରଖାନାକୁ ପଶିଲାବେଳକୁ ମୁନା ସିଂହ ତା’ର ଚାରିଜଣ ସାଙ୍ଗଙ୍କ ସହ ଗେଟ୍‌ ବାହାର ପାନ ଦୋକାନରେ ଛିଡ଼ା ହୋଇଥିବାର ଦେଖିଲା । ସେମାନେ ସିଗ୍ରେଟ ଟାଣୁଥିଲେ ଓ ଉପରକୁ ଧୂଆଁ ଛାଡ଼ୁଥିଲେ । ସେ ଧୂଆଁଗୁଡ଼ିକ ଯେପରି ଗୌତମର ମୁହଁ ଉପରେହିଁ ଧକ୍କା ଖାଉଥିଲା ଓ ସେ ଅଣନିଃଶ୍ୱାସୀ ହୋଇପଡ଼ୁଥିଲା । ଗୌତମ ସେମାନଙ୍କ ଆଡ଼କୁ ଚାହିଁଲା ନାହିଁ । କେବଳ ପଛରୁ ଶୁଭିଲା ଗୋଟେ ମିଳିତ ମନ୍ତବ୍ୟ “ତାଡ଼ି ପକେଇବ” ଓ ତା’ପରେ ହୋ–ହୋ ଅଟ୍ଟହାସ ।

 

ଗୌତମର ସ୍କୁଟର୍ ଅଟକେଇ ମୁନା ସିଂହର ଗାଲକୁ ଠାଏକିନା ଚଟକଣା ମାରିବାକୁ ଇଚ୍ଛା ହେଉଥିଲା । ୟୁନିୟନ୍‌ ନାଆଁରେ କାରଖାନାର ସବୁଠୁ ଅଧିକ କ୍ଷତି କରୁଥିବା ତା’ର ଚାମ୍‌ଚାମାନଙ୍କୁ କାମରୁ ସସ୍‌ପେଣ୍ଡ୍‌ କରିବ ବୋଲି ଚାହୁଁଥିଲା । ମେଡ଼ିକାଲ ଲିଭ୍‌ ନେଇ ବିଲ୍‌କୁଲ୍‌ ସୁସ୍ଥସବଳଭାବେ ବୁଲୁଥିବା ମୁନା ସିଂହକୁ ଘୋଷାଡ଼ି ଆଣିବ ବୋଲି ଭାବୁଥିଲା । କିନ୍ତୁ ଗୋଟେ ପଦସ୍ଥ ଅଫିସର ରାସ୍ତା ଉପରେ ଏପରି ବ୍ୟବହାର ପ୍ରଦର୍ଶନ କରିବା ଓ ଆଇନକୁ ନିଜ ହାତକୁ ନେଇଯିବା ଉଚିତ ହେବନାହିଁ ବୋଲି ସେ ବେଶ୍‌ ଉପଲବ୍ଧି କରୁଥିଲା ।

 

ଏ ସବୁ ସାଙ୍ଗକୁ ତା’ର ସବୁବେଳେ ଅନୁପମା ଓ ବୁବୁନ୍‌ର କଥା ମନେ ପଡ଼ୁଥିଲା । ସେ ସେମାନଙ୍କୁ ପ୍ରଚୁର ଭଲପାଏ–ଏଇଟାହିଁ ଥିଲା ଗୌତମର ଦୁର୍ବଳତା । ଅନୁପମା କି ବୁବୁନ୍‌ ଦେହରେ ଆଲ୍‍ପିନ୍‌ଟିଏ ଫୋଡ଼ି ନ ହେଉ, ସେଇ ଚିନ୍ତାରେ ଗୌତମ ସବୁବେଳେ ବୁଡ଼ିରହୁଥିଲା । ତା’ର ପୁତ୍ର ଓ ପତ୍ନୀ ପ୍ରତି ଏହି ଭଲପାଇବା, ତାକୁ କାମ କରିବାରେ ଉତ୍ସାହିତ କରୁଥିଲା ଓ ସେ ପଦୋନ୍ନତି ସ୍ୱପ୍ନ ଦେଖି ସଫଳ ହେଉଥିଲା । ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ପୂର୍ବର ପ୍ରେରଣା ବର୍ତ୍ତମାନ ଦୁର୍ବଳତା ପାଲଟି ଯାଇଥିଲା । ମୁନା ସିଂହର ଲୋକମାନେ ଖୁନୀ ଆସାମୀ । ସେମାନେ ଗୌତମକୁ ଯାହା କହନ୍ତୁ ନ କହନ୍ତୁ, ତା’ର ପିଲାପିଲିଙ୍କୁ ହଇରାଣ ନ କରନ୍ତୁ । ଅନୁପମା ମାର୍କେଟ ଗଲାବେଳେ ତା’ ସହ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିପାରନ୍ତି କିମ୍ବା ବୁବୁନ୍‌କୁ କିଡ଼୍‍ନାପ୍‌ କରିନେଇ ପାରନ୍ତି । ଏ ସବୁ ଘଟଣା ବାରମ୍ବାର ସେ ଖବରକାଗଜରୁ ପଢ଼ିଛି । ଯୁଦ୍ଧ ଲଢ଼ିବାକୁ ଚାହୁଁଥିବା ପ୍ରତ୍ୟେକ ମଣିଷପାଇଁ ପତ୍ନୀ–ପୁତ୍ର ବା ଘରସଂସାର ଗୋଟେ ଗୋଟେ ଦୁର୍ବଳତା ।

 

ଘରେ ପହଞ୍ଚୁ ପହଞ୍ଚୁ ଅନୁପମା ଦଉଡ଼ି ଆସିଲା । ଗୌତମ ନିଜ ଆଡ଼ୁ କେଉଁଦିନ ଦୁଃଖ ପ୍ରକାଶ କରିବ ନ କରିବ, ସେଥିପାଇଁ ଅପେକ୍ଷା କରିବାର ଧୈର୍ଯ୍ୟ ତା’ର ତୁଟିଯାଇଥିଲା ହୁଏତ । ତେବେ ଗୌତମ ଆଶ୍ୱସ୍ତ ହେଲା । ଘର ଓ ଅଫିସ୍‌ ଦୁଇପଟେ ଗମ୍ଭୀର ଅବସ୍ଥା ରହିଲେ କୌଣସି ମଣିଷ ସୁସ୍ଥଭାବେ କାମ କରିପାରନ୍ତା ନାହିଁ । ସେ ମନେମନେ ଅନୁପମାକୁ ଧନ୍ୟବାଦ ଜଣେଇଲା-। ଅନୁପମା ଚା’ ଆଣି ଦେଉ ଦେଉ ନିଜକୁ ସର୍ବାଧିକ ନିରୁଦ୍‌ବିଗ୍ନ ଅବସ୍ଥାରେ ରଖି କହିଲା, “ଆଜି ଦିନରେ ପ୍ରାୟ ଛଅ ସାତଥର ବେନାମୀ ଟେଲିଫୋନ୍‌ ଆସିଲାଣି । କାରଖାନାରେ କ’ଣ ହୋଇଛି କି ?”

 

ଗୌତମ ହାତରେ ଥିବା ଚା’ କପ୍‌ଟା ଦୋହଲିଗଲା । ତାକୁ ଲାଗିଲା, ତା’ର ଆଶଙ୍କା ସତ ହେବାକୁ ଯାଉଛି । ସେ ପ୍ରଶ୍ନିଳ ଦୃଷ୍ଟିରେ ଅନୁପମାକୁ ଚାହିଁଲା । ଅନୁପମା ତାକୁ କହିଲା, “ଲୋକଟା ଖାଲି ନିର୍ଲଜ୍ଜଭାବେ ଫୋନ୍‌ରେ ହସେ ଓ ସେଇ ଗୋଟିଏ କଥା କହେ । ତମକୁ ବୁଝେଇ ଅଫିସ୍‌ ମାମଲାରେ ବେଶୀ ଦଖଲ ନ ଦେବାକୁ ମୁଁ ପରାମର୍ଶ ଦେବା ଲାଗି ଉପଦେଶ ଦିଏ । ନହେଲେ...”

 

: ନହେଲେ...

 

“ମୋତେ ହାତରେ ସୂତା ବାନ୍ଧି ବାକି ଜୀବନ ବିତେଇବାକୁ ପଡ଼ିବ ବୋଲି ଲୋକଟା ଧମକ ଦିଏ ।”

 

ଗୌତମ ଚିତ୍କାର କରିଉଠିଲା । “ସ୍କାଉଣ୍ଡ୍ରେଲ୍‌, ରଫିଅନ୍‌ । ଲୋକଟାର ଏ ସାହସ ?”

 

ସେଦିନ ରାତିରେ ଗୌତମ ଶୋଇପାରିଲା ନାହିଁ । ବାରମ୍ବାର ମୁନା ସିଂହର ନିଷ୍କରୁଣ ଓ ନୃଶଂସ ମୁହଁ ତା’ ଆଖି ଆଗରେ ନାଚି ଉଠୁଥିଲା । ସେ ବାରମ୍ବାର ଚାହୁଁଥିଲା ବୁବୁନ୍‌ ଓ ଅନୁପମାଙ୍କ ଆଡ଼େ । ବୁବୁନ୍‌କୁ ଚାହିଁବାକ୍ଷଣି ସେ ଦୁର୍ବଳ ହୋଇ ପଡ଼ୁଥିଲା ଓ ଭିତରେ ଭିତରେ ଭୀଷଣ ଅସହାୟ ହୋଇପଡ଼ୁଥିଲା । ମୁନା ସିଂହର ଦୁର୍ଦ୍ଦାନ୍ତ ଚେହେରା ଆହୁରି ଭୟଙ୍କର ହୋଇ ତା’ ଆଖି ଆଗରେ ନାଚି ଉଠୁଥିଲା ।

 

ମୁନା ସିଂହ ଟେବୁଲ୍‌ ଉପରେ ହାତବାଡ଼େଇ କଥାବାର୍ତ୍ତା କରେ । କଥା କଥାକେ ‘ଦେଖିନେବି’, ‘କୋଉ ପୁଅ ପିଠିରେ ପଡ଼ିବ’, ‘ଠିଆ ଫାଳ କରିଦେବି’–ପରି ଧମକ ଦିଏ । ନୀଳ ଜାମା କଲର ଉପରେ ବାନ୍ଧିଥିବା ନାଲି ରୁମାଲ୍‌ଟାକୁ ବାରମ୍ବାର ଭିଡ଼ୁଥାଏ ଓ ବରାବର ଉହୁଙ୍କି ଆସେ । ଯଦି ସତକୁସତ ଅଫିସ୍‌ ଫେରିବା ବାଟରେ ସେ ଗୌତମର ସ୍କୁଟର୍ ଅଟକେଇ ତା’ ଉପରେ ଆକ୍ରମଣ କରେ, ତାହାହେଲେ ? ଅନୁପମା ଓ ବୁବୁନ୍‌ଙ୍କର କ’ଣ ହେବ ?

 

ସାତଦିନ ପରେ ଗୌତମର ଦପ୍ତରକୁ ମୁନା ସିଂହ ଆସିଲା । ଗୌତମ ଭିତରେ ଭିତରେ ଥରି ଉଠିଲା ମୁନା ସିଂହକୁ ତା’ ଦପ୍ତରରେ ଦେଖି । ଦୁମ୍‌ କରି ଟେବୁଲ୍‌ ଉପରେ ବିଧାଟାଏ କଷିଲା ମୁନା ସିଂହ ଓ କହିଲା, “ମୋର ଯେଉଁ ନାଇଟ୍‌ ସିଫ୍‌ଟ ଥିଲା ସେଇଆ ରହିବ । ବେଶୀ ହାକିମି ଦେଖାଇବ ତ ଅଫିସ୍‌ ଗେଟ୍‌ ଡେଇଁଲେ ଦେଖିନେବି ।”

 

ମୁନା ସିଂହ ପାଟିରୁ କଥା ସରୁନଥାଏ । ପିଅନ ଓ ବଡ଼ବାବୁ ଆସି ତାକୁ ଟାଣି ନେଇଗଲେ । ଗୌତମକୁ ଲାଗିଲା, ସେମାନେ ତାକୁ ଘୋଷାରି ଦୂରେଇ ନେଉନାହାନ୍ତି ବରଂ ଅଧିକ ଉତ୍ତେଜିତ ହେବାକୁ ଉତ୍ସାହିତ କରୁଛନ୍ତି ।

 

ତା’ର ସବୁଠୁ କ୍ରୋଧ ହେଉଥାଏ ମ୍ୟାନେଜମେଣ୍ଟ୍‌ ଉପରେ । ଏକଥା ସବୁ ଜଣେଇଲେ ମଧ୍ୟ ଜି.ଏମ୍‌. କିଛି କରିବେ ନାହିଁ । ମୁନା ସିଂହ ସମାନ୍ତରାଳ ୟୁନିୟନ୍‌ର ନେତା । ଗୋଟାଏ ୟୁନିୟନ୍‌କୁ ମୁକାବିଲା କରିବାପାଇଁ ଆଉ ଗୋଟେ ୟୁନିୟନ୍‌କୁ ମ୍ୟାନେଜମେଣ୍ଟ୍‌ ପାଳିପୋଷି ଠିଆ କରିଛି । ଏମାନଙ୍କୁ ପୋଷିଛି ଦୁଧ ପିଆଇ ସାପ ପୋଷିବା ପରି । ମୁନା ସିଂହର ପୁଣି ରାଜନୈତିକ ନେତାଙ୍କ ସଙ୍ଗେ ସମ୍ପର୍କ, କାରଣ ସେ ନିର୍ବାଚନବେଳେ ନେତାଙ୍କପାଇଁ ଲଢ଼େ, ବୁଥ୍‌ ଦଖଲ କରେ, ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରଚାର ସଭାରେ ଷଣ୍ଢ ପୂରାଏ, ସେମାନଙ୍କୁ କଳାପତାକା ଦେଖାଏ ଓ ମଞ୍ଚ ଉପରକୁ ସୋଢ଼ାବୋତଲ, ପଚାଅଣ୍ଡା ଓ ଢେଲା ଫୋପାଡ଼େ । ମ୍ୟାନେଜମେଣ୍ଟ୍‌ ତା’ର କିଛି କରିବ ନାହିଁ, ଯେ ପର୍ଯ୍ୟନ୍ତ ମୁନା ସିଂହଠାରୁ ଆଉଜଣେ ଅଧିକ ସମର୍ଥ ଓ ଅନୁଗତ ମୁନା ସିଂହ ଯୋଗାଡ଼ ନ ହୋଇଛି-

 

ଗୌତମ ଏ ବିଷବଳୟରୁ ନିଷ୍କୃତିର ପନ୍ଥା ପାଉ ନଥିଲା । କମ୍ପାନୀର ଶୃଙ୍ଖଳା ଓ ବ୍ୟକ୍ତିଗତ ବିପର୍ଯ୍ୟୟ ଭିତରେ ସେ ଝୁଲୁଥିଲା ଗୋଟେ ଅସହାୟ ପେଣ୍ଡୁଲମ୍‌ ପରି ।

 

ସେଦିନ ଜଲଦି ଅଫିସ୍‌ରୁ ଉଠି ପଡ଼ିଲା ଗୌତମ । କାହାକୁ କିଛି ନକହି ସ୍କୁଟର୍ ଷ୍ଟାଣ୍ଡ୍‍କୁ ଗଲା । ଡ୍ରୟାରରେ ଚାବି ଛାଡ଼ି ଦେଇ ଆସିଥିଲା । ପୁଣି ଥରେ ସେ ଫେରିଲା ନିଜ ଅଫିସ୍‌ ରୁମ୍‌କୁ ଓ ଡ୍ରୟାରରୁ ସ୍କୁଟର୍ ଚାବି ବାହାର କରି ପକେଟ୍‌ରେ ରଖିଲା । କବାଟ ଆଉଜେଇ ପାହାଚରେ ଓହ୍ଲେଇ ଆସୁ ଆସୁ ଭାବିଲା, ଯଦି ମୁନା ସିଂହର ଗୁଣ୍ଡାମାନେ ତାକୁ ବାଟରେ ଆକ୍ରମଣ କରନ୍ତି, ତାହାହେଲେ ? ସେ ଖଣ୍ଡିଆଖାବରା ହୋଇପଡ଼ିବ ଅନ୍ଧାରିଆ ରାସ୍ତାକଡ଼ରେ । କେହି ଜାଣିବେ ନାହିଁ, କେହି ଉଠେଇ ନେବେ ନାହିଁ ତାକୁ ଡାକ୍ତରଖାନାକୁ । ସେ ପୁଣି ଫେରିଲା ନିଜ ରୁମ୍‌କୁ ଓ ଅନୁପମାକୁ ଫୋନ୍‌ କରିବାକୁ ନମ୍ବର ଘୂରେଇଲା । ଘର ଫୋନ୍‌ ଏନ୍‌ଗେଜ୍‌ଡ଼ । ସେ ପୁଣିଥରେ ଡାଏଲ୍‌ କଲା ଓ ଅପେକ୍ଷା କଲା ଅନୁପମାର କଣ୍ଠସ୍ୱରକୁ । ସେପଟରୁ ଅନୁପମା ପଚାରିଲା, “କୁହ, କାହିଁକି ଫୋନ୍‌ କଲ ?” ଗୌତମ କହିଲା, “ନାଇଁ, ଏବେ ମୁଁ ଘରକୁ ଫେରୁଛି । ଭାବିଲି ଫୋନ୍‌ କରିଦିଏ ।” ଆଉ କିଛି ଶୁଣିବା ପୂର୍ବରୁ ଗୌତମ ନିଜଆଡ଼ୁ ଫୋନ୍‌ ରଖିଦେଲା ଓ ସ୍କୁଟର୍ ପାଖକୁ ଆସି ଘରମୁହାଁ ବାହାରିପଡ଼ିଲା ।

 

କାରଖାନା ପାଚେରି ଶେଷରେ ଗୋଟେ କୃଷ୍ଣଚୂଡ଼ା ଗଛ । ସେଇଠି ଗୋଟେ ପାନ ଦୋକାନ । ରାସ୍ତା ଅନ୍ଧାର ହେଇ ଆସିଲାଣି । ଲାଇଟ୍‌ଗୁଡ଼ିକ ଏଯାଏଁ ଜଳିନାହିଁ । ପାଞ୍ଚ ଛଅଜଣ କିଏ ଛିଡ଼ା ହୋଇଛନ୍ତି । ଗୌତମ ଚିହ୍ନିବାକୁ ଚେଷ୍ଟା କଲା । ଏମାନେ ମୁନା ସିଂହର ଲୋକ । ସେ ଜାଣିଲା, ଏଥର ସେମାନେ କ’ଣ କରିବାକୁ ଯାଉଛନ୍ତି । ସ୍କୁଟର୍‌ରେ ନ ଆସି ଅଫିସ୍‌ ଗାଡ଼ିରେ ଅନ୍ତତଃ ଆଜି ଫେରିବା ତା’ର ଉଚିତ ଥିଲା । ସେ ସ୍କୁଟର୍‌ର ବେଗ ବଢ଼େଇଦେଲା । ତା’ ଆଖି ସାମ୍ନାରେ ଗୋଟେ ଆତଙ୍କ । ପରିସ୍ଥିତିର ଭୟାବହତା ସେ ବେଶ୍‌ ଅନୁମାନ କରିପାରୁଥିଲା ।

 

ହଠାତ୍‌ ଅନ୍ୟମନସ୍କତା କଟିଗଲା । ସେ ରାସ୍ତାର ଦୁଇକଡ଼କୁ ଚାହିଁଲା । ଏହା ଭିତରେ ସେହି ପାନ ଦୋକାନଟାକୁ ଯେ ସେ ପାର୍‌ ହୋଇ ଆସିଲାଣି–ଏ କଥାଟାକୁ ଯେପରି ସେ ବିଶ୍ୱାସ କରିପାରୁ ନଥିଲା । ମନରେ ସାହସ ଆସିଲା । ମୁନା ସିଂହ ଓ ତା’ର ସେଇ ଗୁଣ୍ଡା ବଦମାସମାନେ କାହିଁକି ତାକୁ ଅଟକେଇଲେ ନାହିଁ ? ବାଡ଼ିଟେ କି ଦଉଡ଼ିଟିଏ ବାନ୍ଧି କାହିଁକି ଓଲଟେଇ ଦେଲେ ନାହିଁ ତା’ର ସ୍କୁଟର୍ ? ସେମାନେ ତ ସେଇଠି ଛିଡ଼ା ହୋଇଥିଲେ ଆକ୍ରମଣାତ୍ମକ ଭଙ୍ଗୀରେ ! କାହିଁକି ଛାଡ଼ିଦେଲେ ଗୌତମକୁ ?

 

ଗୌତମ ସ୍କୁଟର୍ ପଛକୁ ଫେରେଇଲା । ସେ ସେମାନଙ୍କୁ ସାମ୍ନା କରିବ । ମୁନା ସିଂହର ଭୟରେ ସେ ଜୀବନସାରା ଏପରି ଦଉଡ଼ି ପଳାଇ ପାରିବ ନାହିଁ । ଆଶ୍ଚର୍ଯ୍ୟ, ପାନ ଦୋକାନଟା ପାଖରେ ମୁନା ସିଂହ କିମ୍ବା ତା’ର ସାଥୀ କେହି ନଥିଲେ । ଗୋଟେ ଶହେ ୱାଟ୍‌ର ବଲ୍‌ବ ଜଳୁଥିଲା ଗରାଖବିହୀନ ସେଇ ପାନ ଦୋକାନ ସାମ୍ନାରେ । ଗୌତମ ସ୍କୁଟର୍ ରଖିଲା ଓ ପାନ ଦୋକାନୀକୁ ଆଦେଶ ଦେବା ଭଙ୍ଗୀରେ ମାଗିଲା ଗୋଟେ ସିଗାରେଟ ପକେଟ୍‌ । ଦୋକାନୀ ହାତରୁ ସିଗାରେଟ ଓ ଦିଆସିଲି ନେଇ ଗୌତମ ସିଗାରେଟ ଲଗେଇଲା । ନିଦକରେ ଗୋଟାଏ ଲମ୍ବା ଟାଣ ଦେଇ ସିଗାରେଟର ଧୂଆଁକୁ ଶୋଷିନେଲା ଓ ମୁଣ୍ଡଳି କାଟି ଉଡ଼େଇ ଦେଲା ଶୂନ୍ୟକୁ ଚାହିଁ । ଅବଶିଷ୍ଟ ସିଗାରେଟକୁ ପକେଟ୍‌ରେ ରଖିଲା ଓ ଖୁଚୁରା ପଇସା ଗଣି ରଖିଲା ପର୍ସ୍‍ରେ । ଚାରିଆଡ଼କୁ ଚାହିଁଲା-। କିଛି ସମୟ ସ୍କୁଟର୍ ଉପରେ ବସିଲା । ସିଗାରେଟ ଟାଣି ସାରିବା ପରେ ଗୌତମ ସ୍କୁଟର୍‍ରେ ଷ୍ଟାର୍ଟ୍ ଦେଲା ।

 

ସେଦିନ ରାତିରେ, ବେଶ୍‌ କିଛିଦିନ ପରେ, ନିଦକରେ ସେ ଅନୁପମାକୁ ପ୍ରଚୁର ଗେଲ କଲା ଓ କହିଲା, “ଆଜି ଜଳନ୍ଧରରେ ଆତଙ୍କବାଦୀମାନେ ଗୋଟେ ଯାତ୍ରୀବାହୀ ବସ୍‌କୁ ଅଟକେଇ, ସବୁଯାକ ଯାତ୍ରୀଙ୍କୁ ହତ୍ୟା କରିଛନ୍ତି । ସେମାନଙ୍କ ଭିତରେ ନଅଜଣ ଥିଲେ ସାନ ସାନ ପିଲା ।”

 

ଆତଙ୍କିତ ଅନୁପମା ଗୌତମ ଛାତିରେ ମୁହଁରଖି ଗୌତମକୁ ଜୋରରେ ଜଡ଼େଇ ଧରିଥିଲା । ଗୌତମ କହୁଥିଲା, “ଭାବିଲ ଦେଖି, ଏଲ୍‌.ଟି.ସି. ନେଇ ଆମେ ତିନିହେଁ ଯାଉଥାଆନ୍ତେ ସେହି ବସ୍‌ରେ ଓ ଆମ ଉପରେ ବସିଯାଇଥାଆନ୍ତା ଆତଙ୍କବାଦୀମାନଙ୍କର ଗୁଳି । ଆମେ ବଞ୍ଚିଯାଇଛେ, କାରଣ ଆମେ ସେଇ ବସ୍‌ରେ ନଥିଲେ । ସେ ଘଟଣା ଏଠି ମଧ୍ୟ ଘଟିପାରେ । ପ୍ରତିଟି ନିର୍ଦ୍ଦୋଷ ଛାତିରେ ବସୁଥିବା ଗୁଳି ମଣିଷପଣିଆ ଉପରେ ବସୁଛି । କିନ୍ତୁ ତାକୁ ଭୟ କରି କେହି ଘର ଭିତରେ ବସି ରହୁଛି କି ?”

 

ଅନ୍ଧାର ଭିତରେ ଅନୁପମା ଶାନ୍ତସୁଧାର ସ୍ୱାମୀର ମୁହଁକୁ ଚାହିଁବାର ଚେଷ୍ଟା କରୁଥିଲା ଓ ଗୌତମର ଏହି ପରିବର୍ତ୍ତନରେ ନିଜକୁ ଉତ୍ସାହିତ ମନେକରୁଥିଲା । ସେ ପଚାରିଥିଲା–“କାରଖାନା ସମସ୍ୟା ତୁଟିଗଲା କି ?”

 

: ନା । ମୁଁ ଆତଙ୍କ ବିରୋଧରେ ଯୁଦ୍ଧପାଇଁ ପ୍ରସ୍ତୁତ ହେଇସାରିଛି–କହିଲା ଗୌତମ ।

Image

 

ଏକଲା ମଣିଷ

 

ମୁକୁନ୍ଦ ପ୍ରସାଦର ବିଶ୍ୱାସ ହେଉ ନଥିଲା । ବିଶ୍ୱାସ ହେବ କେମିତି ? ମାତ୍ର ଦୁଇହଜାର ଟଙ୍କା ଖଟେଇ ଜଣେ କ’ଣ ମାସ ଛଅରେ ଲକ୍ଷପତି ହୋଇପାରେ ? ନା ନା, ନରୋତ୍ତମ ତା’ ସଙ୍ଗେ ପରିହାସ କରୁଥାଇପାରେ ।

 

କିନ୍ତୁ ନରୋତ୍ତମ ସତବି କହୁଥାଇପାରେ । ସିଏ ଏ ସହରରେ ବେଶ୍‌ ଆରାମରେ ଚଳୁଛି ! ଘରଟେ ତୋଳିଛି, ଗାଡ଼ି କିଣିଛି । ପିଲାମାନଙ୍କୁ ଭଲ ସ୍କୁଲ୍‌ରେ ପଢ଼ଉଛି । ବର୍ଷରେ ମାସେ ଦି’ମାସ ପିଲାପିଲିଙ୍କୁ ନେଇ ଘୂରି ଆସୁଛି ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦ । ସେ ବି ମୁକୁନ୍ଦ ପ୍ରସାଦ ପରି ମଫସଲ ଗାଁରୁ ଆସିଥିଲା । ଏତେ ସବୁ ତା’ଦ୍ୱାରା ସମ୍ଭବ ହେଲା କିପରି ?

 

ନରୋତ୍ତମ କହେ, “ସହରରେ ପଇସା ଉଡ଼ୁଛି । ଡେଣା ଉଡ଼େଇ ଉଡ଼ୁଛି ନୋଟ୍‌ । କେବଳ ଧରି ପାରିଲେ ହେଲା ?”

 

ମୁକୁନ୍ଦ ପ୍ରସାଦ ଆଜ୍ଞାଧୀନ ଶିଷ୍ୟଟେ ପରି ନରୋତ୍ତମ ମୁହଁକୁ ବଲବଲ କରି ଅନାଏ । ବେଳେବେଳେ ତା’ କଥା ବୁଝେ, ଆଉ ବେଳେବେଳେ ବୁଝେ ନାହିଁ । ନରୋତ୍ତମ ଓଡ଼ିଆରେ କଥାବାର୍ତ୍ତା କରୁଥିଲେବି ମୁକୁନ୍ଦ ପ୍ରସାଦଙ୍କୁ ଲାଗେ, ସେ କେଉଁ ଅଜଣା ଭାଷାରେ କଥା କହୁଛି ।

 

ନରୋତ୍ତମ ସିଗ୍ରେଟ ଗୁଣ୍ଡ କପ୍‌ରେ ଝାଡ଼ୁ ଝାଡ଼ୁ କହିଲା, “ଦେଖ୍‌ ମୁକୁନ୍ଦ, ସବୁବେଳେ ନିଜ ଦୃଷ୍ଟିରୁହିଁ ପ୍ରତ୍ୟେକ କଥାର ଲାଭକ୍ଷତି ବିଚାର କରିବୁ । ଅନ୍ୟମାନଙ୍କର ଭଲ–ମନ୍ଦ, ହାନି–ଲାଭ ସାଙ୍ଗେ ବେଶୀ ପରିମାଣରେ ସଂପୃକ୍ତ ହେଇ ପଡ଼ିଲେ, ଜୀବନରେ ଉନ୍ନତି କରିପାରିବୁ ନାହିଁ । ଉଦ୍ଦେଶ୍ୟ ଓ କାର୍ଯ୍ୟର ଏକମୁଖୀନତା ନିହାତି ପ୍ରୟୋଜନ ।”

 

ସେମାନେ ଚା’ ଦୋକାନରୁ ବାହାରକୁ ଚାଲିଆସିଲେ ।

 

ଘରଫେରନ୍ତା ରାସ୍ତାରେ ମୁକୁନ୍ଦ ପ୍ରସାଦର ମନପକ୍ଷୀ ଖଣ୍ଡିଉଡ଼ା ଦେଉଥାଏ । ଏଥର ତାକୁ ଟିକେ ବୁଦ୍ଧିମାନ ହେବାକୁ ପଡ଼ିବ । ଚିରଦିନ ଗୋଟାଏ ଦାରିଦ୍ର୍ୟ ପୀଡ଼ିତ ରୁଗ୍‌ଣ ମାନସିକତାକୁ ନେଇ ଜୀବନ ଜିଆଁ ଯାଇପାରିବ ନାହିଁ । କ୍ରମେ ତା’ ଭିତରର ହୀନମ୍ମନ୍ୟତା ତା’ ପରିବାର, ତା’ର ସ୍ତ୍ରୀ ଓ ପୁଅ ଏବଂ ପରିଚିତମାନଙ୍କ ଭିତରକୁ ସଞ୍ଚାରିଯିବା ମୁକୁନ୍ଦ ପ୍ରସାଦର ସହ୍ୟ ହେଉ ନଥିଲା । ଏଥର କିଛି ଗୋଟାଏ କରିବାକୁ ହେବ । ଆନ୍ଧ୍ର ନା କର୍ଣ୍ଣାଟକ–ଯେଉଁ ରାଜ୍ୟରେ ଗୋଟାଏ ‘ଚିଟ୍‌ଫଣ୍ଡ୍‌’ବାଲାଏ ସେୟାର ସାର୍ଟିଫିକେଟ୍‌ ଇସ୍ୟୁ କରୁଛନ୍ତି ସେଇଟାକୁ ହାତେଇବାକୁ ପଡ଼ିବ । ଓ.ଏମ୍‌.ସି.ର ଜଣେ ସେକ୍‌ସନ୍‌ ଅଫିସର ସେଇ ସାର୍ଟିଫିକେଟ୍‌ ଜରିଆରେ ବର୍ଷ ଗୋଟାକରେ ଆଠଲକ୍ଷ ଟଙ୍କା ମୁନାଫା ପାଇସାରିଲେଣି । ଆଠଲକ୍ଷ ! ମୁକୁନ୍ଦ ପ୍ରସାଦର ଆଖିପତା ମୁଦିହେଇ ଆସେ । ନାଇଁ ନାଇଁ, ଏଥର ତାକୁ କିଛି ଗୋଟାଏ କରିବାକୁ ହେବ ।

 

ମୁକୁନ୍ଦ ପ୍ରସାଦ ଭାବେ, ନରୋତ୍ତମ ଏତେ ସ୍ମାର୍ଟ ଦିଶୁଛି କିପରି ? ତା’ର କଥାବାର୍ତ୍ତା, ଠାଣି ବାଣୀ, ଚାଲିଚଳନ ସବୁଥିରେ ଗୋଟାଏ ‘ହୁ କେୟାର୍ସ’ର ଛଟା । ସେ ତ ପବ୍ଲିକ୍‌ ସ୍କୁଲ୍‌ରେ ପଢ଼ି ନଥିଲା ! ତା’ର ବାପାବି ଥିଲେ ମୁକୁନ୍ଦ ପ୍ରସାଦର ବାପା ପରି ସାଧାରଣ ଚାଷୀ । ତା’ ପରି ନରୋତ୍ତମବି ଏଇ ପନ୍ଦର ଷୋଅଳବର୍ଷ ହେଲା ଆସିଛି ଭୁବନେଶ୍ୱର । ଅଥଚ ମୁକୁନ୍ଦ ପ୍ରସାଦ ଓ ନରୋତ୍ତମ ଭିତରେ ଆକାଶପାତାଳ ତଫାତ୍‌ !

 

ମୁକୁନ୍ଦ ପ୍ରସାଦ ଏସବୁ କଥା ଚିନ୍ତା କଲାବେଳେ ଟିକେ ଗମ୍ଭୀର ହେଇପଡ଼େ । ସ୍ଥିର କରେ, ତାକୁ ତା’ର ଭଡ଼ାଘରଟା ବଦଳେଇବାକୁ ପଡ଼ିବ । ଘର ଚାରିପଟେ ରିକ୍ସାବାଲା, ବାସନମଜା ସ୍ତ୍ରୀଲୋକ, ରାସ୍ତାକଡ଼ରେ ଶୁଖୁଆ ବିକୁଥିବା ପଞ୍ଝାଏ ଲୋକ ଓ ଦିନରାତି ମଦ ପିଇ ଚିତ୍କାର କରୁଥିବା କଳା ଭୁଷୁଣ୍ଡା ଲୋକ ତା’ର ପ୍ରତିବେଶୀ । ଏପରି ପରିବେଶ ଭିତରେ ନରୋତ୍ତମକୁ ରୁନ୍ଧି ହେଇଗଲା ପରି ଲାଗେ । କାହାକୁ ଘରକୁ ଡାକିବାପାଇଁ ତା’ର ସଙ୍କୋଚ ଆସେ । ଭଡ଼ାଟା କେବଳ ଶସ୍ତା ବୋଲି ସେ ଘରଟା ନେଇଥିଲା । ମାତ୍ର କ୍ରମେ ପରିବେଶ ଓ ପାରିପାର୍ଶ୍ୱିକ ଅପରିଚ୍ଛନ୍ନତାର ପ୍ରଭାବ ତା’ ଚିନ୍ତା ଓ ଚେତନାକୁ ମଧ୍ୟ କବଳିତ କରିପକାଇବ, ତାହା ସେ ସେତେବେଳେ ଚିନ୍ତା କରି ନଥିଲା ।

 

ସେ ଗୋଟେ ଭଲ ଘର ନେବ । ଭଡ଼ା ? ନରୋତ୍ତମ କହୁଥିଲା, ଭଡ଼ା ଟଙ୍କାଟା ଦରମା ଟଙ୍କାରୁ ଦେଲେ ଚଳିବ ନାହିଁ । ସେଇଟା ଅନ୍ୟ ‘ସୋର୍ସ’ରୁ ଯୋଗାଡ଼ କରିବାକୁ ପଡ଼ିବ । ମୁକୁନ୍ଦ ପ୍ରସାଦ ଆଗରୁ ଶୁଣିଥିଲା, ସେଲ୍‌ସ୍ ଟାକସ୍, ବଡ଼ବଡ଼ ସାମ୍ବାଦିକ ଓ ପ୍ରଭାବଶାଳୀ ଦପ୍ତରର ବଡ଼ବାବୁଏ ଦରମା ଟଙ୍କାରୁ ଘରଭଡ଼ା ଗଣନ୍ତି ନାହିଁ । ସେମାନଙ୍କ ପାଇଁ ଅନ୍ୟମାନେ ସେଇଟା ଭରଣା କରନ୍ତି । ମୁକୁନ୍ଦ ପ୍ରସାଦକୁ ସେମିତି ଗୋଟେ ସଂସ୍ଥା ମିଳିଯାଆନ୍ତା ନାହିଁ ? ହଜାରେ ଟଙ୍କାର ଘରଟେ ହେଲେବି ବେଶ୍‌ ଚଳିଯାଆନ୍ତା । ଗୋଟାଏ ଡ୍ରଇଂରୁମ୍‌, ଦୁଇଟା ବେଡ଼୍‍ରୁମ୍‌, ଗୋଟାଏ ଡାଇନିଙ୍ଗ୍, ଆଟାଚ୍‌ଡ଼ ଲାଟ୍ରିନ୍‌, ବାଥ୍‌–ବଢ଼ିଆ ହୁଅନ୍ତା । ଘରସାମ୍ନା ପୋର୍ଟିକୋ ତଳେ ତା’ ସ୍ତ୍ରୀ ସୁଷମା କ୍ୟାକ୍‌ଟସ ବଢ଼ାନ୍ତା । ମନିପ୍ଲାଣ୍ଟ୍‌ ଝୁଲେଇ ଦିଅନ୍ତା ଡ୍ରଇଂରୁମ୍‌ କଡ଼ରେ । ବଜାରରୁ ଯୋଗାଡ଼ କରି ତିନି ଚାରିଟା ନାମୀ ପେଣ୍ଟିଙ୍ଗ୍‍ସ ଟଙ୍ଗେଇ ଦିଅନ୍ତା ଡ୍ରଇଂରୁମ୍‌ କାନ୍ଥରେ । ଗେଟ୍‌ ସାମ୍ନାରେ ଝୁଲୁଥାନ୍ତା ନେମ୍‌ପ୍ଲେଟ୍‌–ମୁକୁନ୍ଦ ପ୍ରସାଦ ମହାପାତ୍ର, ଏମ୍‌.ଏ. ।

 

ମୁକୁନ୍ଦ ପ୍ରସାଦ ବାଟସାରା ଏମିତି ଭାବୁ ଭାବୁ ଘରେ ପହଞ୍ଚି ସାରିଥାଏ । ରୋଷେଇଘରର କୁହୁଳା ଧୂଆଁ ଭିତରେ କଳାଶାଢ଼ି ପିନ୍ଧିଥିବା ସୁଷମା ଦିଶୁଥାଏ ଗୋଟେ ଅଶରୀରୀ ପରି । ବିଜୁଳି ନାହିଁ । କାଠ ଚୁଲି ଉପରେ ଭରସା । ସମ୍ଭବତଃ ବର୍ଷା ଯୋଗୁଁ କାଠଗୁଡ଼ା ଓଦା ହେଇଯାଇଛି । ମୁକୁଦ ପ୍ରସାଦ ଜାଣେ, ଏଇ ମୁହୂର୍ତ୍ତରେ ସୁଷମା ତାକୁ ଦେଖିଲେ ବାରଆଡ଼ୁ ବାରକଥା ଗପିଯିବ । ମୁକୁନ୍ଦ ପ୍ରସାଦ ତରତରରେ ପୁଣିଥରେ ପାଲଟା ଚପଲ ପିନ୍ଧି ଘର ବାହାରକୁ ଚାଲି ଆସିଲା ।

 

ତା’ ଟେବୁଲ ଆଗରେ ଲୋକଟା ବଡ଼ କାକୁସ୍ଥ ଭଙ୍ଗୀରେ ଅଜାଡ଼ି ପଡ଼ିଥିଲା । ଅନେକ ବର୍ଷ ହେଲା କଳାହାଣ୍ଡିରେ ରହିଛି ଲୋକଟି । ସ୍ତ୍ରୀ ଓ ପରିବାର ଗାଁରେ । ବିଚରା ଭବାନୀପାଟଣା–ଭଦ୍ରକ ହେଇ ନୟାନ୍ତ ହେଇଗଲାଣି । ସ୍ତ୍ରୀ ଶକ୍ତ ବେମାର । ବଞ୍ଚିବ କି ମରିବ ଈଶ୍ୱର ଜାଣନ୍ତି । ଟିକେ ପାଖାପାଖି ଜାଗାକୁ ତାକୁ ନେଇ ଆସିଲେ ସେ ବଡ଼ ଉପକୃତ ହୁଅନ୍ତା ।

 

ମୁକୁନ୍ଦ ପ୍ରସାଦ ଲୋକଟିର ମୁହଁକୁ ଚାହିଁବାକୁ ଇଚ୍ଛା କଲା ନାହିଁ । ସେ ଜାଣିଛି ଲୋକଟିର ମୁହଁକୁ ଚାହିଁଲେ ସେ ନିଜ ନିଷ୍ପତ୍ତିରେ ଦୃଢ଼ ରହିପାରିବ ନାହିଁ । ନରୋତ୍ତମ ଠିକ୍‌ କଥା କହେ । ସମସ୍ତେ ସମସ୍ତଙ୍କ କଥାନେଇ ଏଠି ବ୍ୟସ୍ତ । ସେମାନେ ଯଦି କିଛି ସମୟ ଅନ୍ୟପାଇଁ ଦେଉଥାଆନ୍ତେ, ତାହାହେଲେ ଏତେ ସମସ୍ୟା ରହନ୍ତା ନାହିଁ ।

 

: ମୁଁ ତ ଡିଲିଂ ଆସିଷ୍ଟାଣ୍ଟ୍‌ । ମୁଁ ବା କ’ଣ କରିପାରିବି ? ଆପଣ ଡିରେକ୍ଟର୍‍ଙ୍କୁ ରିପ୍ରେଜେଣ୍ଟେସନ୍‌ ଦିଅନ୍ତୁ । ସେ ଫାଇଲ୍‌ ମଗାଇଲେ ମୁଁ ଯାହା କରିବାର କରିବି ।–ରୋକ୍‌ଠୋକ୍‌ଭାବେ ମୁକୁନ୍ଦ ପ୍ରସାଦ ଲୋକଟିକୁ କହିଲା ।

 

: ସେପରି କହନ୍ତୁ ନାହିଁ ଆଜ୍ଞା । ବାରବର୍ଷ ହେଲା ରହିଲିଣି କୋରାପୁଟ କଳାହାଣ୍ଡିରେ । ନିଜ ଭାଷାବି ଭୁଲିଗଲିଣି । ୟା ଭିତରେ ଆପଣ ‘ଟ୍ରାନ୍‌ସ୍‍ଫର୍ ଚେନ୍‌’ ଭିତରେ ନାଆଁଟା ନରଖିଲେ ଡିରେକ୍ଟର୍ କ’ଣ କରିପାରିବେ ? ରାଜ୍ୟରେ ହଜାର ହଜାର ଷ୍ଟାଫ୍‌ ଅଛନ୍ତି । ସମସ୍ତଙ୍କ କଥା କ’ଣ ଡିରେକ୍ଟର୍ ବୁଝିପାରିବେ ?

 

: ଆଉ କ’ଣ ସମସ୍ତଙ୍କ କଥା ଖାଲି ମୁଁ ବୁଝୁଥିବି ? ମୁକୁନ୍ଦ ପ୍ରସାଦ ଚିହିଁକି ଉଠିଥିଲା ।

 

ଲୋକଟି ସମ୍ଭବତଃ ପ୍ରସ୍ତୁତ ନଥିଲା ଏପରି ଜିଙ୍ଘାସା ଶୁଣିବାପାଇଁ । ସେ ଟିକେ ସାଙ୍କୁଡ଼ିଗଲା । ଟେବୁଲ୍‌ ଉପରୁ ହାତଯୋଡ଼ିକ ଅପସାରି ନେଇ ଧୀର ଗଳାରେ କହୁଥିଲା, “ହଉ ଆଜ୍ଞା, ଆପଣ ଯାହା ବିଚାର କରିବେ । ନମସ୍କାର ।”

 

ଲୋକଟି ଚାଲିଯାଉଥିଲା ପରାହତ ସୈନିକ ପରି । ହଠାତ୍‌ ମୁକୁନ୍ଦ ପ୍ରସାଦ ଦୁଃଖୀ ହେଇଗଲା । ଆହା, କେତେ ଆଶା ନେଇ ଲୋକଟି ଆସିଥିବ ଡିରେକ୍ଟରେଟକୁ । ପୂଜା କି ଦୋଳଛୁଟିରେ ସୁଷମା ପାଞ୍ଚ ଛଅଦିନ ବାପଘରକୁ ଚାଲିଗଲେ ମୁକୁନ୍ଦ ପ୍ରସାଦ ଅଥୟ ହୋଇପଡ଼େ-। ସବୁ ଭୁଲ୍‌ ହୋଇଯାଏ ତା’ର । କିନ୍ତୁ ଏ ଲୋକଟା ବାରବର୍ଷ ହେଲା ପିଲାଛୁଆମାନଙ୍କୁ ଛାଡ଼ି ରହୁଛି କେମିତି ?

 

ଲୋକଟି ଚାଲିଗଲାଣି । କିନ୍ତୁ ଗୋଟେ ଅପରାଧବୋଧ ମୁକୁନ୍ଦ ପ୍ରସାଦକୁ ଲଜ୍ଜିତ ଓ ସଙ୍କୁଚିତ କରିଦେଉଥିଲା । ସେ ଧୂଳି ଝାଡ଼ି ଲୋକଟିର ବଦଳି ସଂକ୍ରାନ୍ତୀୟ ଫାଇଲ୍‌ ବାହାର କଲା ଏବଂ ବନେଇ ଚୁନେଇ ନୋଟ୍‌ସିଟ୍‌ରେ ଲେଖିଲା । ଲୋକଟି ବାରବର୍ଷ ହେଲା କଳାହାଣ୍ଡି, କୋରାପୁଟରେ ରହିଲାଣି । ସ୍ତ୍ରୀ ଶକ୍ତ ବେମାର । ତାଙ୍କୁ ତାଙ୍କ ଘର ପାଖାପାଖି ବାଲେଶ୍ୱରକୁ ଅଣାଯାଉ ।

 

ଲୋକଟିର ବଦଳି ହେଇଗଲା । ମୁକୁନ୍ଦ ପ୍ରସାଦ ସେଦିନ ଖୁବ୍‌ ଖୁସି ହେଇଥିଲା । ଏତେ ଖୁସି ହେଇଥିଲା ଯେ, ସେଦିନ ସନ୍ଧ୍ୟାରେ ସେ ଚା’ ପିଉ ପିଉ ନରୋତ୍ତମକୁ ଏସବୁ ଗପି ଶୁଣାଇ ଦେଇଥିଲା ।

 

ନରୋତ୍ତମ ଟିକେ ଗମ୍ଭୀର ହେଇ ପଚାରିଲା, “କେତେ ଝଡ଼େଇଲୁ ?”

 

ମୁକୁନ୍ଦ ପ୍ରସାଦ ଚୁପ୍‌ । ଆରେ ସତକଥା ତ, ଲୋକଟିଠାରୁ କିଛି ଆଦାୟ କରାଯାଇପାରିଥାନ୍ତା । ଯାଃ, ସବୁ ଭୁଲ୍‌ ହେଇଗଲା ।

 

: ବୁଝିଲୁ ମୁକୁନ୍ଦ ପ୍ରସାଦ ! ତୋ ବାପା ମାଆ ନ ଜାଣି ତୋ ନାଆଁ ମକୁନ୍ଦା ଦେଇଥିଲେ-? ତୋ ଦେହି ଖଡ଼ାବି ସିଝିବ ନାହିଁ । ଏମିତିକା କେସ୍‌ରେ ସେ ପରା ଯାଚି ଯାଚି ତୋତେ ଟଙ୍କା ଦି’ ହଜାର ଦେଇଥାନ୍ତା । ସେଇ ଦି’ ହଜାର ଟଙ୍କାରେ ଗୋଟାଏ ସେଟ୍‌ ସେୟାର ଫର୍ମ୍ କିଣି ଦେଇଥିଲେ ତୁ ଛଅମାସ ଭିତରେ ଟଙ୍କା ଦଶ ପନ୍ଦର ହଜାର ରୋଜଗାର କରିଥାନ୍ତୁ ।

 

ନରୋତ୍ତମ ଏକରକମ ବିରକ୍ତ ହେଇପଡ଼ିଲା । ଅନେକଥର ମୁକୁନ୍ଦ ପ୍ରସାଦକୁ ତାଲିମ ଦେବା ସତ୍ତ୍ୱେ ସେ ସେସବୁ କାର୍ଯ୍ୟକାରୀ କରିପାରୁ ନଥିବାଟାକୁ ନରୋତ୍ତମ ତାହାକୁ ନିଜର ବ୍ୟକ୍ତିଗତ ଅସାମର୍ଥ୍ୟ ବିଚାର କରୁଥିଲା ।

 

ମୁକୁନ୍ଦ ପ୍ରସାଦ ମନକୁ ଦୃଢ଼ କଲା । ବହୁତ ହେଇଗଲା । ଏଣିକି ସେ ପଇସା ଉପାର୍ଜନ କରିବ । ତା’ ମୁହଁକୁ ତ କେହି ଚାହୁଁନାହିଁ ମାଛ ମାର୍କେଟରେ କି ପରିବା ମାର୍କେଟରେ ? ଟଙ୍କା ଦି’ହଜାର ଅଭାବରୁ ଘରକୁ ଗ୍ୟାସ୍‌ ଚୁଲାଟେ ଆଣିପାରୁନାହିଁ । ବିଜୁଳି ଚାଲିଗଲେ ସୁଷମା ବିଚାରୀ ଧୂଆଁ ଫୁଙ୍କି ଫୁଙ୍କି ନୟାନ୍ତ ହେଉଛି । ଶ୍ୱଶୁରଘରୁ ଯୌତୁକ ସୂତ୍ରରେ କଳାଧଳା ଟି.ଭି.ଟେ ପାଇଥିଲା ବୋଲି ରକ୍ଷା । ରାମାୟଣ, ମହାଭାରତ ସରି ଟିପୁ ସୁଲତାନ ସରିଲାଣି, ପୁଅଟା ରଙ୍ଗିନ ଟି.ଭି. ଆଣିବାକୁ ବାର ଜିଦ୍‌ କରୁଛି, ହେଇ ପାରୁନାହିଁ ।

 

ମୁକୁନ୍ଦ ନିଜର ନିଷ୍ପତ୍ତି ନିଜକୁ ନିରବରେ ଶୁଣାଏ ଏବଂ ଅଫିସ୍‌ ଯାଏଁ ।

 

ବଡ଼ବାବୁଙ୍କର ବଦଳି ହେଇଛି । ଫେୟାରୱେଲ୍‌ ଦେବାକଥା । ଭୋଜିପାଇଁ ସେକ୍‌ସନ୍‌ରେ ମନ୍ତ୍ରଣା ଚାଲିଛି । ମୁକୁନ୍ଦ ପ୍ରସାଦକୁ ସେମାନେ ଅପେକ୍ଷା କରୁଥିଲେ । ମୁକୁନ୍ଦ ପ୍ରସାଦ ଟିକେ ଗମ୍ଭୀର ମୁଦ୍ରାରେ ଅଫିସ୍‌ ଯାଇଥିଲା । ଭୋଜି କଥା ଶୁଣି ସେ ଚହଲିଗଲା ।

 

ସଞ୍ଜବେଳେ ପୁଅ କହିଲା, ବୋଉ ଆଜି ରାଗିକି ଶୋଇଛି । ରୋଷେଇବାସ ବନ୍ଦ । ମୁକୁନ୍ଦ ପ୍ରସାଦ ପୁଣି ଚମକି ପଡ଼ିଲା । ଏପରି ତ କେବେ ହୁଏନାହିଁ । ସୁଷମା ଗଲା ଆଠବର୍ଷର ଦାମ୍ପତ୍ୟ ଭିତରେ ମୁକୁନ୍ଦ ପ୍ରସାଦର ଅଭାବ, ଅସହାୟତା ସବୁକୁ ଭଲକରି ଚିହ୍ନିଛି, ଜାଣିଛି କେତେ ଧାନରେ କେତେ ଚାଉଳ । ଆଜି ହଠାତ୍‌ ଏ ଚରମ ନିଷ୍ପତ୍ତି କାହିଁକି ତାହାହେଲେ ?

 

: ଘର ଭିତରଟା ଅନ୍ଧାର ହେଇଛି କାହିଁକି ?

 

: ସକାଳ ପହରୁ ଲାଇନ୍‌ ନାହିଁ । ମୁଁ ସ୍କୁଲ୍‌ରୁ ଫେରିଲାବେଳୁ ତ ଦେଖୁଛି ଲାଇନ୍‌ ନାହିଁ ।

 

: ପଡ଼ିଶା ଘରେ ଅଛି ନା ?

 

: ନାହିଁ, କୁଆଡ଼େ ନୂଆ ଖୁଣ୍ଟ ପଡ଼ୁଛି ବୋଲି, ସକାଳୁ ଲାଇନ୍‌ ନାହିଁ । ରାତିରେ କେତେବେଳେ ଆସିବ କେହି କହିପାରିବେ ନାହିଁ । ପୁଅ କହିଲା ।

 

ମୁକୁନ୍ଦ ପ୍ରସାଦ ଆଗରୁ ଏମିତିକା ପରିସ୍ଥିତି ଦେଖିଲେ ଚୁପ୍‌ଚାପ୍‌ ପଦାକୁ ପଳେଇ ଯାଏଁ-। ସବୁ ଥଣ୍ଡା ପଡ଼ି ଆସିବା ପରେ ଯାଇ ସେ ଫେରେ । ଜାଣି ଜାଣି ପୁରୁଣା କଥା ଉଠାଏ ନାହିଁ-। ପରଦିନ ସକାଳକୁ ସେକଥା ପୁରୁଣା ହେଇଯାଇଥାଏ ।

 

କିନ୍ତୁ ଆଜି ରୋଷେଇବାସ ବନ୍ଦ । ରୀତିମତ ହରତାଳ । ନିଜପାଇଁ କି ସୁଷମାପାଇଁ ସେ ବ୍ୟସ୍ତ ହେଉ ନଥିଲା । କିନ୍ତୁ ପୁଅ ତ ଉପାସ ରହିବ ନାହିଁ ?

 

ସନ୍ଧ୍ୟା ସାଢ଼େ ସାତଟା ହେଲାଣି । ସେ ନିଜେ ପୋଷାକ ବଦଳେଇ ଚୁଲାରେ ଯାଇ ନିଆଁ ଧରେଇଲା । ମୁକୁନ୍ଦ ପ୍ରସାଦର ଏଇ ରୋଷେଇ କରିବା ଦୃଶ୍ୟଟି ପୁଅକୁ ବେଶ୍‌ ମଜ୍ଜା ଲାଗୁଥିଲା । ନିଲୁ ସେଇଠି ଛିଡ଼ାହେଇ ବାପାକୁ ସାହାଯ୍ୟ କରୁଥିଲା ।

 

କିନ୍ତୁ ମୁକୁନ୍ଦ ପ୍ରସାଦ ଜାଣି ନଥିଲା ଯେ ସୁଷମାକୁ କିଛି ନକହି ସେ ଚୁଲିରେ ନିଆଁ ଧରେଇବାଦ୍ୱାରା ପ୍ରକୃତରେ ସୁଷମା ଦେହରେହିଁ ନିଆଁ ଲଗେଇଛି । ଏତେକାଳ କୁହୁଳୁଥିବା କୁଟା ଗଦାଟା ହଠାତ୍‌ ହୁତ୍‌କିନା ଜଳିଉଠିଛି ।

 

ସୁଷମାର ସେ କି ରଣଚଣ୍ଡୀ ବେଶ ! ଦେଢ଼ଲକ୍ଷ ଥର କହିଲିଣି ଗ୍ୟାସ୍‌ କନେକ୍‌ସନ୍‌ଟେ ପାଇଁ । ଶୁଣୁନାହାନ୍ତି । ନିଜେ ନିଜ ସୁବିଧାରେ ଅଫିସ୍‌ ଚାଲିଯାଉଛନ୍ତି ଯେ ଫେରୁ ଫେରୁ ରାତି ଆଠଟା । ଶନିବାର ରବିବାରରେବି ସାଙ୍ଗସାଥୀଙ୍କ ସାଙ୍ଗରେ ଫେରାର । ଏଠି ମୁଁ ପିଲାଛୁଆ ନେଇ ମରୁଛି କି ବଞ୍ଚୁଛି କିଏ ବୁଝୁଛି ? ବିଜୁଳି ଉପରେ ଭରସା କରି ଘରକରଣା ହୁଏ ? ଯେତେଥର କହିଲେବି ଶୁଣୁନାହାନ୍ତି । କ’ଣ ନା, ଲାଇନ୍‌ ଦେଇଛି । କନେକ୍‌ସନ୍‌ ଆସୁନାହିଁ । ପଡ଼ିଶାଘର ପଟ୍ଟନାୟକବାବୁ ପୁଣି କେମିତି ଦି’ ମାସରେ ଗ୍ୟାସ୍‌ କନେକ୍‌ସନ୍‌ ଆଣିପାରିଲେ ? ନିଜେ ନ ପାରିବ ଯଦି ମୋତେ ଆଣି ଟଙ୍କା ଦିଅ, ଟୁକୁକୁ କହି ମାସ ଗୋଟାକରେ ଯଦି ଗ୍ୟାସ୍‌ କନେକ୍‌ସନ୍‌ ନ ଆଣିଛି, ମୋ ନାଆଁରେ କୁକୁର ପାଳିବ ।

 

ମୁକୁନ୍ଦ ପ୍ରସାଦ କ୍ଷୀରରେ ପାଉଁରୁଟି ବତୁରିଲା ପରି ବତୁରି ଯାଇଥାଏ ଗୋଟାପଣେ । ଟୁକୁ ସୁଷମାର ସାନଭାଇ । ସେ କଟକରେ ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟର୍ ଅଛି । ଭାରି କରିତ୍‌କର୍ମା ଲୋକ-। କିନ୍ତୁ ପଟ୍ଟନାୟକବାବୁ ଦି’ ମାସ ଭିତରେ ଗ୍ୟାସ୍‌ କନେକ୍‌ସନ୍‌ କେମିତି ଆଣିପାରିଲେ ? ତାଙ୍କୁ ତ ଗ୍ୟାସ୍‌ ଡିଲର୍ ଦୁଇବର୍ଷ ହେଲା ଭୁଆଁ ବୁଲଉଛି । ମୁକୁନ୍ଦ ପ୍ରସାଦ ମନକୁ ମନ ସ୍ଥିର କଲା, କାଲିର ପ୍ରଥମ କାମ ହେଲା ସେ ଗ୍ୟାସ୍‌ ଡିଲର୍‍କୁ ଯାଇ ଭେଟିବ ।

 

ସୁଷମା ଲୁହ ସିଙ୍ଘାଣୀ ପୋଛି ପୋଛି ଚୁଲିରେ ଡେକ୍‌ଚି ବସେଇବାକୁ ଯାଉଥିଲା; ସେତିକିବେଳେ ଲାଇନ୍‌ ଆସିଗଲା । ‘ହୁଁଃ, ଆଉ ପନ୍ଦର ମିନିଟ୍‌ ଆଗରୁ ଆସିଥିଲେ ଏତେ ବଡ଼ ଅଘଟଣ ତ ଘଟି ନଥାନ୍ତା !’ –ମୁକୁନ୍ଦ ପ୍ରସାଦ ମନକୁ ମନ କହିଲା ।

 

ଗ୍ୟାସ୍‌ ଡିଲର୍ ସାଫ୍‌ ସାଫ୍‌ କହିଦେଲେ ଯେ, ୧୯୯୫ ପୂର୍ବରୁ ସେ ନୂଆ କନେକ୍‌ସନ୍‌ ପାଇବା କଥାଟା ଭୁଲିଯିବା ଉଚିତ । ଚାରିବର୍ଷ ଅପେକ୍ଷା କରନ୍ତୁ । ମିଳିଯାଇପାରେ ।

 

: କିନ୍ତୁ ପଟ୍ଟନାୟକବାବୁ କେମିତି ଦି’ ମାସ ଭିତରେ କନେକ୍‌ସନ୍‌ ଆଣିପାରିଲେ ?

 

: କେଉଁ ପଟ୍ଟନାୟକବାବୁ ?

 

: ସପ୍ଲାଇ ଅଫିସର ବଡ଼ବାବୁ ବନବିହାରୀ ପଟ୍ଟନାୟକ ।

 

: ତାଙ୍କର ଉପରୁ ରେକମେଣ୍ଡେସନ୍‌ ଆସିଥିଲା । ଦିଲ୍ଲୀରୁ ।

 

ଓଃ, ମୁକନ୍ଦ ପ୍ରସାଦ ଏକଦମ୍‌ ବିକଳ ହେଇପଡ଼ିଲା । ରୋଷେଇ ଘରର ଆବଶ୍ୟକତା ପୂରଣପାଇଁବି ଦିଲ୍ଲୀରୁ ସୁପାରିସ୍ ଯୋଗାଡ଼ କରିବାକୁ ପଡ଼ିବ ? ଦିଲ୍ଲୀ ! ତା’ ଆଖି ପାଇଲା ନାହିଁ । ସେ ଟିକେ ନରମି ପଚାରିଲା, “ବଡ଼ ହଇରାଣ ହେଉଛି । କିଛି ଗୋଟେ ବ୍ୟବସ୍ଥା ହେଇପାରିବ ନାହିଁ-?”

 

: କିଛି ହେଇପାରିବ ନାହିଁ ।

 

କିଏ କହୁଛି ହେଇପାରିବ ନାହିଁ ? ତୋ ରେସନ୍‌କାର୍ଡ଼ର ଗୋଟେ ଜେରକ୍‌ସ କପି ଆଉ ଟଙ୍କା ହଜାରେଟା ଯୋଗାଡ଼ କର । ମାସ ତିନିଟା ଭିତରେ କନେକ୍‌ସନ୍‌ ମିଳିବ । ନହେଲେ ଆଉ ଗୋଟାଏ କନେକ୍‌ସନ୍‌ କାହାର ଅଚଳ ପଡ଼ିଥିବ, ଯୋଗାଡ଼ କରିଦେବା । ଆଗ କାମଟା ଚଳୁ ।–ନରୋତ୍ତମ କହିଲା ।

 

: ଏମିତି କ’ଣ ହେଇପାରିବ ?

 

: ହେଇପାରିବ ମାନେ ? ହଉଛି । ହଜାର ହଜାର ଦୋ–ନମ୍ବରୀ କନେକ୍‌ସନ୍‌ ଚାଲିଛି ଗ୍ୟାସ୍‌ରେ । ଲୋକେ ବଧ୍ୟହୋଇ ସେମିତି କରୁଛନ୍ତି । କେବଳ ଦରଖାସ୍ତ କରି ଚାହିଁ ରହିଥିଲେ ଏ ଜନ୍ମ ଚାଲିଯିବ, ଗ୍ୟାସ୍‌ ମିଳିବ ନାହିଁ କି ଫୋନ୍‌ ମିଳିବ ନାହିଁ । ତୁ ଚିନ୍ତା କରି ଦେଖ୍‌ । ମୁଁ ଶୁକ୍ରବାର ସନ୍ଧ୍ୟାରେ ଆସିବି ।

 

ମୁକୁନ୍ଦ ପ୍ରସାଦ ଟିକିଏ ଚିନ୍ତିତ ହୋଇପଡ଼ିଥିଲା । ଗ୍ୟାସ୍‌ କନେକ୍‌ସନ୍‌ର ଆୟୋଜନ ହେଇଗଲା ପରେ ଏବେ ତା’ର ଚିନ୍ତା ହୋଇଥିଲା ହଜାରେଟା ଟଙ୍କା କେମିତି ତିନିଦିନ ଭିତରେ ଯୋଗାଡ଼ କରିବ । ତିରିଶ ତାରିଖବେଳକୁ ହେଲେ ଚିନ୍ତା ନଥିଲା । କିନ୍ତୁ ମାସ ମଝିଟାରେ... ? ଏଣେ ନରୋତ୍ତମର ପ୍ରସ୍ତାବଟାବି ଛାଡ଼ିବା କଥା ନୁହେଁ । ଗ୍ୟାସ୍‌ବାଲାଙ୍କ ଉପରେ ଭରସା କରି ରହିଥିଲେ ସେମାନେ ତ ତାକୁ ତା’ ସମାଧି ପାଖରେହିଁ ଯାଇ କନେକ୍‌ସନ୍‌ ଦେବେ । ଆଗରୁ, ନୁହେଁ ।

 

ଦେଖାଯାଉ, କିଛି ଗୋଟାଏ କରିବାକୁ ପଡ଼ିବ । ନରୋତ୍ତମ ସମ୍ପର୍କରେ ପୁଣି ଦୁଇ ଚାରି ମିନିଟ୍‌ ଚିନ୍ତା କଲା ମୁକୁନ୍ଦ ପ୍ରସାଦ । କି ରିସୋର୍ସଫୁଲ୍‌ ଲୋକଟା ! ମୁକୁନ୍ଦ ପ୍ରସାଦର ଈର୍ଷା ହେଉଥିଲା ନରୋତ୍ତମର ପାରିବାପଣିଆ ନେଇ ।

 

ଗୁରୁବାର ସଞ୍ଜବେଳେ ନରୋତ୍ତମ ସାଙ୍ଗେ ଦେଖା ହେଲା । ସେ ତା’ ଗାଡ଼ିରେ କୁଆଡ଼େ ଯାଉଥିଲା । ନରୋତ୍ତମ ଟ୍ରାଫିକ୍‌ ଷ୍ଟାଣ୍ଡ୍‌ ପାଖେ ଅଟକି ରହିଥିଲା କିଛି ସମୟ । ନରୋତ୍ତମ ପଟର ଆଲୁଅ ପ୍ରଥମେ ସାବ୍‌ଜା ହେଇଗଲା । ସେ ମୁକୁନ୍ଦ ପ୍ରସାଦର ପାଖ ଦେଇ ଯାଉ ଯାଉ କହିଲା, “କାଲି ଆସିବି । ଗ୍ୟାସ୍‌ କନେକ୍‌ସନ୍‌ କଥା ମନେ ଅଛି ତ ?”

 

ମୁକୁନ୍ଦ ପ୍ରସାଦ ଉତ୍ତର ଫେରେଇବା ପୂର୍ବରୁ ନରୋତ୍ତମ ଦୂରକୁ ଯାଇ ସାରିଥିଲା ।

 

ଶୁକ୍ରବାର ସକାଳୁ ଅଫିସ୍‌ରେ ଖୁବ୍‌ ବ୍ୟସ୍ତ ରହିଲା ମୁକୁନ୍ଦ ପ୍ରସାଦ । ମାର୍ଚ୍ଚ ମାସ ଶେଷ ସପ୍ତାହ । ଟ୍ରାନ୍‌ସ୍‍ଫର୍ ଚେନ୍‌ ପ୍ରସ୍ତୁତ ହେବ । ମୁକୁନ୍ଦ ପ୍ରସାଦ ଗେଟ୍‌ ପାଖ ଦୋକାନୀକୁ ଚାରି ପାଞ୍ଚଟା ପାନ ଶୀଘ୍ର ଦେବାପାଇଁ ତାଗିଦ କରୁଥିଲା ।

 

ପାନ ଦୋକାନୀ ବ୍ରଜ ଗୋଟେ ଅଜବ ପିଲା । ଛଅ ସାତବର୍ଷ ହେଲାଣି ଏଠି ପାନ ଦୋକାନ କରିବା । ସ୍ପେଶାଲ ଚାଲୁ ସବୁ ପାନ ଭାଙ୍ଗିବାରେ ଓସ୍ତାଦ । ଅଥଚ ବ୍ରଜ ପାନ ତ ପାନ, ଗୁଆ ଖଣ୍ଡେବି ଛୁଏଁ ନାହିଁ । ସାନ ପିଲାଙ୍କ ଦୁଧଖିଆ ଦାନ୍ତପରି ବ୍ରଜର ଦି’ ଧାଡ଼ି ଦାନ୍ତ ସବୁବେଳେ ଚକ୍‌ଚକ୍‌ କରୁଥାଏ । କେତେବେଳେ କେମିତି ପାନ ଦୋକାନୀ ବ୍ରଜ ସମ୍ପର୍କରେ ତାଙ୍କ ସେକ୍‌ସନ୍‌ରେ କଥାପଡ଼େ । ପାନ ପ୍ରଲୋଭନରୁ ବ୍ରଜ ଏଯାବତ୍‌ ମୁକ୍ତ ରହିଥିବା କମ୍‌ କଥା ନୁହେଁ । ଅଥଚ ଅନେକେ କହୁଥିଲେ–ସେମାନେ ପ୍ରଥମେ ସାଙ୍ଗସାଥୀରେ ପଡ଼ିହିଁ ପାନ ସିଗ୍ରେଟ ଖାଇଥିଲେ ।

 

ପକେଟ୍‌ରେ ପାନ ପୂରେଇ ମୁକୁନ୍ଦ ପ୍ରସାଦ ସେକ୍‌ସନ୍‌କୁ ଗଲା । ତା’ ସିଟ୍‌ ପାଖରେ ବଡ଼ବାବୁ ନଇଁପଡ଼ି ଗୋଟାଏ ତାଲିକା ତିଆରି କରିବାରେ ବ୍ୟସ୍ତ । ମୁକୁନ୍ଦ ପ୍ରସାଦ ବଡ଼ବାବୁଙ୍କୁ ନମସ୍କାର କଲା ।

 

: ଆସ, ଆସ । ବହୁତ ଡେରି କରିଦେଲଣି । ନାଆଁଗୁଡ଼ା ମୁଁ ଟିପି ଦେଇଛି । ଫାଇଲ୍ ବାହାର କରିଦିଅ । ପଠେଇବାକୁ ପଡ଼ିବ ଆଜି । ଡେପୁଟି ଡିରେକ୍ଟର୍ ଆସି ସାରିଲେଣି ।

 

ମୁକୁନ୍ଦ ପ୍ରସାଦ ତାଲିକାଟିକୁ ଚାହିଁଲା ।

 

ଅସହାୟ ମନେକଲା ନିଜକୁ ନିଜେ । ତିରିଶଟା ଫାଇଲ୍ ଖୋଜିବାକୁ ପଡ଼ିବ । ପାଣି ଗିଲାସେ ପିଇଦେଇ ସେ କାମରେ ଲାଗିଗଲା । ମାର୍ଚ୍ଚ ମାସ । ଭୀଷଣ ଭିଡ଼ କାମ । କିରାଣି ହେଲେ ଏହି ଦୁର୍ଦ୍ଦଶା ! ମୁକୁନ୍ଦ ପ୍ରସାଦକୁ ଏ ଚାକିରିଟାହିଁ ଏବେ ସବୁଠୁ ଅସୁଖ ଲାଗୁଥିଲା ।

 

ସନ୍ଧ୍ୟାବେଳକୁ ମୁକୁନ୍ଦ ପ୍ରସାଦ ଗୋଟାପଣେ କ୍ଳାନ୍ତ । ପାଖ ଚଉକି ସବୁ ଫାଙ୍କା ହେଇ ଆସିଲାଣି । ବଡ଼ବାବୁ କହିଲେ, “ମୁକୁନ୍ଦବାବୁ ରହିଥାଅ, ସାଙ୍ଗହେଇ ଯିବା ।”

 

ବଡ଼ବାବୁ ଲୋକଟି ବଡ଼ ବିଚିତ୍ର ଜୀବ ! ଦିନସାରା ବସି ପାନ ଚୋବାଉଥିବେ ଓ ହୁକୁମ କରୁଥିବେ । ସେକ୍‌ସନ୍‌ ଅଫିସର ହେବା ଦିନଠାରୁ ସେ ଟିକେ ବେଶୀ ଖାତିରି ଦାବି କରୁଛନ୍ତି ।

 

ଦୁହେଁ ବ୍ରଜ ପାନ ଦୋକାନ ଦେଇ ଯାଉଥିବାବେଳେ ବ୍ରଜ ତା’ କ୍ୟାବିନ୍‌ରୁ ଓହ୍ଲେଇ ଆସି ଜଣେ ବୟସ୍କ ଲୋକକୁ ପ୍ରଣାମ କରୁଥିଲା । ମୁକୁନ୍ଦ ପ୍ରସାଦ କାନରେ ପଡ଼ୁଥିଲା ଲୋକଟିର କଥା । ବ୍ରଜକୁ କହୁଥାନ୍ତି “ତମ ଘରେ ନିଶ୍ଚୟ ଖବର ଦେଇଦେବି । ମୋ କାମଟା ହୋଇଯିବା ପରି ଲାଗୁଛି-। କିଏ ଗୋଟେ ମହାପାତ୍ର ନୂଆ ଆସିଛି । ଭାରି ଲୋଭୀ ଲୋକ । ଆଜି ବଡ଼ବାବୁ କହୁଥିଲେ-। ଯାହା ଦେବାର ଦେଇଛି । ତୁ ଟିକେ ଦିନେ ଦିଦିନ ଛାଡ଼ି ବଡ଼ବାବୁଙ୍କୁ ପଚାରିବୁ ତ !”

 

ବ୍ରଜ ପ୍ରଣାମ କରିସାରି କ୍ୟାବିନ୍‌ ଉପରକୁ ଉଠିଯାଇଥିଲା ।

 

ଲୋକଟି ଯାଉଥିଲା ବସ୍‌ଷ୍ଟାଣ୍ଡ୍‌ ଆଡ଼କୁ ।

 

ମୁକୁନ୍ଦ ପ୍ରସାଦର ମୁଣ୍ଡଟା ଝାଇଁ ଝାଇଁ ହେଇଯାଇଥିଲା ଲୋକଟିର କଥା ଶୁଣି । ସେକ୍‌ସନ୍‌ରେ ଏହି ଲୋକଟିକୁ ଆଜି ବଡ଼ବାବୁଙ୍କ ସଙ୍ଗେ କଥା ହେଉଥିବାର ଦେଖିଛି । ଅଥଚ ତା’ ସାଙ୍ଗରେ ତା’ର କଥାବାର୍ତ୍ତାହିଁ ହୋଇନାହିଁ । ଏଣେ ତାକୁ ଛାଡ଼ି ତାଙ୍କ ସେକ୍‌ସନ୍‌ରେ ଆଉ ତ କେହି ‘ମହାପାତ୍ର’ ନାହାନ୍ତି ! ତାହାହେଲେ ବଡ଼ବାବୁ ଯେଉଁ ତାଲିକା ଦେଇଥିଲେ, ସେଥିରେ କ’ଣ ଏ ଲୋକଟାରବି ନାଆଁ ଥିଲା ?

 

ବଡ଼ବାବୁ ଗୋଟେ ଲଫାଫା ମୁକୁନ୍ଦ ପ୍ରସାଦକୁ ବଢ଼େଇ ଦେଉ ଦେଉ କହୁଥିଲେ, “ଦୁଇ ଅଛି । ତମର କ’ଣ ଖୁବ୍‌ ଦରକାର ଥିଲା ବୋଲି ଶୁଣୁଥିଲି ତ !”

 

ବଡ଼ବାବୁଙ୍କ ଲଫାଫାଟି ଝୁଲି ରହିଥିଲା ଦୁଇଜଣଙ୍କ ମଝିରେ । ମୁକୁନ୍ଦ ପ୍ରସାଦ କାନରେ ବାରମ୍ବାର ବାଜୁଥିଲା ବ୍ରଜ ଗାଁର ସେ ଲୋକଟିର କଥା । ତାକୁ କେହି ଜଣେ ଚୋରି ଅପରାଧରେ ତା’ର ହାତଗୋଡ଼ ବାନ୍ଧି ଦୁଇ ଗାଲରେ ଗୋଟାଏ ପରେ ଗୋଟାଏ ଚାପୁଡ଼ା କଷି ଚାଲିଥିଲା ।

 

ସନ୍ଧ୍ୟା ସାତଟା ହେଲାଣି ।

 

ନରୋତ୍ତମ ତା’ ଘରେ ଆସି ତାକୁ ଅପେକ୍ଷା କରିଥିବ । ଆଜି ତାକୁ ଗ୍ୟାସ୍‌ କନେକ୍‌ସନ୍‌ ପାଇଁ ଟଙ୍କା ଦେବାକଥା । କିନ୍ତୁ ବ୍ରଜ ଗାଁର ସେ ଲୋକଟିର କଥାଗୁଡ଼ାକ ତା’ କାନ ପାଖରୁ ଦୂରେଇ ଯାଉନାହିଁ କାହିଁକି ? ନା, ସୁଷମା ଆଉ କିଛିକାଳ କାଠ ଚୁଲା ଧୂଆଁରେ ବରଂ କୁହୁଳୁଥାଉ ।

Image

 

ମୁଖାବତରଣ

 

ଆଗରୁ କୌଣସି ଦାପ୍ତରିକ କାର୍ଯ୍ୟକ୍ରମ ନ ଥାଇ ଏଭଳି ଏକ ନିପଟ ମଫସଲ ଅଞ୍ଚଳକୁ ଗସ୍ତ କରିବାର ଜରୁରୀ ପ୍ରୟୋଜନୀୟତା ତଥାପି ବୁଝିପାରି ନଥିଲେ ବ୍ୟକ୍ତିଗତ ସହକାରୀ । ମନ୍ତ୍ରୀ ମହୋଦୟ ତେଣୁ ନିଜର ସହକାରୀଙ୍କୁ କହିଲେ, “ତମେ ରାଜନୀତି ବୁଝିପାରିବ ନାହିଁ ନିରଞ୍ଜନ । ସେଇହେତୁ ଧୈର୍ଯ୍ୟ ଧରି ଅପେକ୍ଷା କରିବା ତମ ପକ୍ଷେ ଉଚିତ ହେବ ।”

 

ଧଳା ଆମ୍ବାସଡ଼ର ଉପରେ ନାଲି ଆଲୁଅ ସୂଚେଇ ଦେଉଛି ଯେ ଏ ଗାଡ଼ିଟା ଜଣେ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ଗାଡ଼ି । ଗାଡ଼ି ସାମ୍ନାରେ ଲାଗିଥିବା ତ୍ରିରଙ୍ଗା ପତାକା ଖଣ୍ଡେ ଗାଡ଼ିଟିକୁ ଆଉରି ମର୍ଯ୍ୟାଦାସମ୍ପନ୍ନ କରିବା ସଙ୍ଗେ ସଙ୍ଗେ ଗାଡ଼ିର ଆରୋହୀମାନେ ଯେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ, ତାହା ପ୍ରମାଣ କରି ଦେଉଛି । ପିଚୁରାସ୍ତା ପାର ହୋଇ ଗାଡ଼ିଟି ନାଲିଗୋଡ଼ି ରାସ୍ତା ଧରିଥିଲା । ଡ୍ରାଇଭର କହିଲା, “ସାର୍‌, ଏ ରାସ୍ତାରେ ତ ଗାଡ଼ି ଗଲାଭଳି ମନେ ହେଉନାହିଁ । ଶଗଡ଼ ଚାଲି ରାସ୍ତା ଦୁଇପାଖ ଖାଲ ହେଇଯାଇଛି । ସେଇହେତୁ ଗାଡ଼ିର ଚେସିସ୍‌ ବାଜୁଛି ରାସ୍ତା ଉପରେ ବାରମ୍ବାର ।”

 

ମାତ୍ର ଡ୍ରାଇଭରର ଅନିଚ୍ଛା ଓ ବ୍ୟକ୍ତିଗତ ସହକାରୀଙ୍କ ଦୋଦୋପାଞ୍ଚ ସତ୍ତ୍ୱେ ମନ୍ତ୍ରୀ ଦୃଢ଼ସଂକଳ୍ପ, ତାଙ୍କୁ ଯିବାକୁ ହେବ । ତା’ ନହେଲେ ଘୋର ଅନର୍ଥ ହୋଇଯିବ । ରାଜନୀତି କି କଷ୍ଟକର କାର୍ଯ୍ୟ ତାହା ଏମାନେ ଜାଣନ୍ତି ନାହିଁ ।

 

ବହୁ ଧକଡ଼ଚକଡ଼ ସହି, ବାଟରେ ଚାରି ପାଞ୍ଚ ଥର ଓହ୍ଲେଇ ଓ ଦୁଇଥର ପଛରୁ ଠେଲାଖାଇ ମନ୍ତ୍ରୀଙ୍କ ଗାଡ଼ି ଗାଁରେ ପହଞ୍ଚିଲାବେଳକୁ ରାତି ଦଶଟା । ପଛେ ପଛେ ଲୋକସମ୍ପର୍କ ବିଭାଗର ଜିପ୍‌ଟାଏ । ସେ ଜିପ୍‌ରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ, ବି.ଡି.ଓ, ଦୁଇଜଣ ସାମ୍ବାଦିକ ଓ ଜଣେ ଫଟୋଗ୍ରାଫର । ଜିପ୍‌ଟାକୁ ଅବଶ୍ୟ ମନ୍ତ୍ରୀଙ୍କ ସୁକୁମାର ଗାଡ଼ି ପରି ଏତେ ହଇରାଣ ହେବାକୁ ପଡ଼ିନାହିଁ ।

 

ରାତି ଦଶଟାବେଳରୁ ଶାଳପଡ଼ା ଗାଁରେ ତାଟି କବାଟ ପଡ଼ିଯିବା କଥା । କିନ୍ତୁ ମନ୍ତ୍ରୀ ଆସୁଛନ୍ତି ବୋଲି ଗାଁମୁଣ୍ଡ ମହାଦେବ ପଡ଼ିଆରେ ସାମିଆନା ଟଙ୍ଗା ହେଇଛି, ଚାରି ଚାରିଟା ପେଟ୍ରୋମାକ୍‌ସ ଲାଇଟ୍‌ ଜଳୁଛି ଓ ସୂଚନା ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ଆସିଥିବା ମାଇକ୍‌ଟି ଅନବରତ ବାଜୁଛି । ଏପରି ଏକ ମର୍ଯ୍ୟାଦାସମ୍ପନ୍ନ କାର୍ଯ୍ୟାନୁଷ୍ଠାନ ନିଜ ଗାଁରେ ସମ୍ପନ୍ନ ହେଉଥିବାବେଳେ, କେବଳ ଅଭ୍ୟାସବଶତଃ ଶୋଇପଡ଼ିବା ସେମାନଙ୍କ ପକ୍ଷେ ଉଚିତ ହୁଅନ୍ତା ନାହିଁ-। କିଶୋରକୁଳ ସ୍ୱ ସ୍ୱ ଗୃହକୁ ନ ଯାଇ ସଭା ସ୍ଥାନରେ ଉପସ୍ଥିତ ରହିଥିଲେ ।

 

ପେଟ୍ରୋମାକ୍‌ସ୍‌ର ଇସ୍ପାତି ଦେହରେ ଆଉ ଥୋକେ ନିଜ ନିଜର ମୁହଁଟିମାନ ଦେଖୁଥିଲାବେଳେ ଅନ୍ୟମାନେ ଲାଇଟ୍‌ ଭିତରକୁ ଅନହୁତି ପଶିଯାଉଥିବା ଓ ତତ୍‌କ୍ଷଣାତ୍‌ ଦଗ୍ଧୀଭୂତ ହେଉଥିବା ପତଙ୍ଗମାନଙ୍କର ଅସହାୟତା ଅବଲୋକନ କରୁଥିଲେ । ବୟସ୍କମାନେ ଅପେକ୍ଷା କରି କରି ବିରକ୍ତ ହୋଇପଡ଼ୁଥିଲେ ମଧ୍ୟ ମନ୍ତ୍ରୀଙ୍କ ଆଗମନ ପର୍ଯ୍ୟନ୍ତ ବିରକ୍ତି ଭାବକୁ ଲୁଚାଇ ରଖୁଥିଲେ, କାଳେ ମନ୍ତ୍ରୀ ସେମାନଙ୍କ ଦୁଃଖ ଲାଘବ କରିଦେବେ ।

 

ମନ୍ତ୍ରୀ ଆସି ସଭା ମଞ୍ଚ ଆସନ ଅଳଙ୍କୃତ କଲେ । ବନ୍ୟା ଛାଡ଼ିବାର ପୂରା ପନ୍ଦର ଦିନ ହୋଇଗଲାଣି । ନିଜ ନିର୍ବାଚନ ମଣ୍ଡଳୀର ଏ ଅଞ୍ଚଳକୁ ସେ ପୂର୍ବରୁ ଆସିପାରି ନଥିଲେ । ଲୋକମାନେ ସବୁବେଳେ ତାଙ୍କଠୁ କେବଳ ବିଧାୟକସୁଲଭ ନିଷ୍ଠା ଓ ସମୟାନୁବର୍ତ୍ତିତା ଆଶା କରିବା ଶୋଭା ପାଏ କି ! ଏମିତି ଏକ ପ୍ରଶ୍ନ ସେ ଅନେକ ସମୟରେ ନିଜ ଦପ୍ତରର ମନ୍ତ୍ରୀ–କୃପା–ଆଶାୟୀମାନଙ୍କ ଉଦ୍ଦେଶ୍ୟରେ ପଚାରିଥାଆନ୍ତି । କହିବା ବାହୁଲ୍ୟ, ସେମାନେ ମନ୍ତ୍ରୀଙ୍କ ପ୍ରତ୍ୟାଶାମତେ ଉତ୍ତର ଦେବାରେ ହେଳା କରନ୍ତି ନାହିଁ । ମନ୍ତ୍ରୀ ପୁଣି କହନ୍ତି, ସେ ସମଗ୍ର ରାଜ୍ୟର ପ୍ରତିନିଧି । ସମଗ୍ର ରାଜ୍ୟର ଦାୟିତ୍ୱ ତାଙ୍କ ମୁଣ୍ଡରେ, ଅଥଚ ଏ ନିର୍ବାଚନ ମଣ୍ଡଳୀର ବିରୋଧୀ ନେତାଙ୍କର କିଛି କାମ ନାହିଁ । ତେଣୁ ବନ୍ୟା ଖବର ଶୁଣିବାମାତ୍ରେ ସେ ଆସି ବୁଲିଯାଇପାରିଲେ ବା ରିଲିଫ୍‌ ବାଣ୍ଟି ପାରିଲେ । ତା’ ବୋଲି ମନ୍ତ୍ରୀ ନିଜ ଅଞ୍ଚଳ ପ୍ରତି ପାତରଅନ୍ତର ନୀତି କରୁଛନ୍ତି ବା ଏଠା ଲୋକଙ୍କୁ ଅବହେଳା କରୁଛନ୍ତି ବୋଲି କହିବା କେବଳ ରାଜନୈତିକ ଈର୍ଷାପ୍ରଣୋଦିତ ବିବୃତି ଭିନ୍ନ ଅନ୍ୟ କ’ଣ ହୋଇପାରେ ?

 

ମନ୍ତ୍ରୀ ଗତକାଲି ଆଦେଶ ଦେଇଥିଲେ–“କାଲିହିଁ ମୁଁ ଏରିଆ ଗସ୍ତରେ ଯିବି” ଏବଂ ଆଜିର ଏ ଗସ୍ତ କାର୍ଯ୍ୟକ୍ରମ ।

 

ମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଏ ରାଜ୍ୟକୁ ଏକବିଂଶ ଶତାବ୍ଦୀ ଆଡ଼କୁ ନେଇଯିବା ପାଇଁ ତାଙ୍କର ଆନ୍ତରିକ ଉଦ୍ୟମ କଥା ଓ ଏହି ଗାଁକୁ ସଭ୍ୟତାର ଶେଷ ସୋପାନ ପର୍ଯ୍ୟନ୍ତ ଭିଡ଼ିନେବା ପାଇଁ ବ୍ୟକ୍ତିଗତ ସଂକଳ୍ପର କଥା ଉଲ୍ଲେଖ କଲେ । କେତେଜଣ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି, ରାଜନୈତିକ ଈର୍ଷାପ୍ରଣୋଦିତ ହୋଇ ମନ୍ତ୍ରୀଙ୍କର ଏ ଗାଁ ସହ କୌଣସି ଆବେଗିକ ସମ୍ପର୍କ ନାହିଁ ବୋଲି ଯାହା ଅଭିଯୋଗ କରୁଛନ୍ତି ତାହା ସେମାନଙ୍କର ରୁଗ୍‌ଣ ମାନସିକତାର ଫଳ ହୋଇପାରେ, ମାତ୍ର ସେଥିରେ ସାମାନ୍ୟତମ ସତ୍ୟତା ନାହିଁ ବୋଲି ଗ୍ରାମବାସୀମାନଙ୍କୁ ସେ ତଥ୍ୟ ପ୍ରଦାନ କଲେ ।

 

ଦୀର୍ଘ ପଇଁଚାଳିଶ ମିନିଟ୍‌ କାଳ ଭାଷଣ ଦେବା ପରେ ଶେଷ ଆଡ଼କୁ ବନ୍ୟାବିତ୍ପାତ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅବହିତ ଅଛନ୍ତି ଓ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଦୁଇପଦ କହିବାକୁ ଭୁଲି ନଥିଲେ ।

 

ଚାରିଟି ପେଟ୍ରୋମାକ୍‌ସ ଭିତରୁ ଗୋଟିଏ ଇତିମଧ୍ୟରେ ତେଲ ସରିଥିବାରୁ ଲିଭିଯାଇଥିଲା ।

 

ଗେଣ୍ଡୁଫୁଲ ହାର ସୁଶୋଭିତ ମନ୍ତ୍ରୀ ମହୋଦୟ ଭାଷଣ ସମାପ୍ତ କରି ବସିପଡ଼ିବା ପରେ ଗ୍ରାମ ସ୍କୁଲ୍‍ର ସଂସ୍କୃତ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲିଖିତ ଏକ ଧନ୍ୟବାଦ ପ୍ରସ୍ତାବ ପଢ଼ିବାପାଇଁ ସ୍ଥାନୀୟ ସରପଞ୍ଚ ଉଠିଥିଲେ । ସମୟର ସ୍ୱଳ୍ପତା ଦୃଷ୍ଟିରୁ ସ୍ୱାଗତ ସମ୍ଭାଷଣ ଓ ଧନ୍ୟବାଦ ଅର୍ପଣ ଦୁଇଟି କାର୍ଯ୍ୟକ୍ରମ ଏକାଠି ମିଶାଇ ଦିଆଯାଇଥିଲା । ବେଙ୍ଗ ପାଟିରେ ଘିଅ ନ୍ୟାୟରେ ସରପଞ୍ଚଙ୍କ ପାଟିରେ ସଂସ୍କୃତ ପଣ୍ଡିତଙ୍କ ଲିଖିତ ଶବ୍ଦାବଳୀ ଠିକ୍‌ ଢଙ୍ଗରେ ଫୁଟି ପାରୁ ନଥିଲେ ମଧ୍ୟ ଖୋଦ୍‌ ପଣ୍ଡିତଙ୍କ ଭିନ୍ନ ଆଉ କେହି ଦ୍ୱିତୀୟ ବ୍ୟକ୍ତି ଏଥିରେ ଦୁଃଖ ପ୍ରକାଶ କରୁ ନଥିଲେ ।

 

ଆଷାଢ଼ ମାସର ପ୍ରଥମ ଦିବସରେ ମେଘମାଳାକୁ ଦେଖି ‘ମେଘଦୂତମ୍‌’ର ବିରହୀ ଯକ୍ଷ ଯେପରି ବେଦନାଦଗ୍‌ଧ ଅବସ୍ଥାରେ ଥିଲେ, ଅନୁରୂପ ସେହିପରି ଦୁଃଖରେ ଥିବା ମନ୍ତ୍ରୀ ଦର୍ଶନ ଆଶାୟୀ ଶାଳପଡ଼ାର ଗ୍ରାମବାସୀଏ ମନ୍ତ୍ରୀ ଦର୍ଶନ ପ୍ରାପ୍ତି ପରେ ‘କୁମାରସମ୍ଭବଃ’ର ଶିବ ଦର୍ଶନ ପାଇଥିବା ପାର୍ବତୀଙ୍କ ପ୍ରାୟ ପୁଲକ ଅନୁଭବ କରୁଛନ୍ତି ବୋଲି ସେହି ପ୍ରଶସ୍ତିରେ ଉଲ୍ଲେଖ ଥିଲା । ମନ୍ତ୍ରୀଙ୍କ ଭାଷଣଠାରୁ ସରପଞ୍ଚଙ୍କ ଧନ୍ୟବାଦ ଅର୍ପଣ ଦୀର୍ଘ ହୋଇଯାଉଥିବାରୁ ମନ୍ତ୍ରୀ ମଝିରେ ଟିକିଏ ବିରକ୍ତି ପ୍ରକାଶ କରି ସୂଚନା ଦେବାପାଇଁ ଇଚ୍ଛା କରୁଥିଲେ । ମାତ୍ର ଠିକ୍‌ ସେତିକିବେଳେ ମାଇକ୍‌ ପାଖରେ ଦଣ୍ଡାୟମାନ ସରପଞ୍ଚଙ୍କ କାନ ପାଖରେ କେହି ଜଣେ କିଛି ଫୁସ୍‌ଫୁସ୍‌ କରି କହୁଥିବାର ଦେଖି ମନ୍ତ୍ରୀ ମହୋଦୟ ଭାବିନେଲେ ଯେ ସମ୍ଭବତଃ ତାଙ୍କର ମନୋଭାବ ବୁଝି ଆଉ କେହି ସେ କାର୍ଯ୍ୟଟି ସମ୍ପନ୍ନ କରି ଦେଇଛି । ମାତ୍ର ସମଗ୍ର ରାଜ୍ୟର ଖବର ଅନ୍ତର ନିଜ ନଖଦର୍ପଣରେ ଦେଖିପାରୁଥିବା ମନ୍ତ୍ରୀ ମହୋଦୟ ଏ କଥାଟି ବହୁକାଳ ପର୍ଯ୍ୟନ୍ତ ଜାଣିପାରି ନଥିଲେ ଯେ, ଭାଷଣକୁ ସଂକ୍ଷିପ୍ତ ନୁହେଁ, ମନ୍ତ୍ରୀ ମଣୋହିପାଇଁ ଆୟୋଜିତ ଚିକେନ୍‌ ତରକାରୀ ତଥାପି ରନ୍ଧା ସରି ନଥିବାରୁ ଭାଷଣକୁ ଦୀର୍ଘ କରିବାପାଇଁ ଲୋକଟି ସରପଞ୍ଚଙ୍କୁ ସୂଚନା ଦେଇ ଯାଇଥିଲା ।

 

ରାତି ଏଗାରଟାବେଳକୁ ମନ୍ତ୍ରୀ ସଭାମଞ୍ଚରୁ ଓହ୍ଲେଇଲେ । ହାତଯୋଡ଼ି ସେ ସମସ୍ତଙ୍କୁ ନମସ୍କାର କଲେ ଓ ତା’ପରେ ଡାକବଙ୍ଗଳାକୁ ଯିବାପାଇଁ ରେଭେନ୍ୟୁ ଇନ୍‍ସପେକ୍ଟରଙ୍କଦ୍ୱାରା ଔପଚାରିକଭାବେ ଆମନ୍ତ୍ରିତ ହେଲେ ।

 

ଶାଳପଡ଼ା ଗାଁଟି ନଈକୂଳିଆ ମଫସଲ ଗାଁ ହେଲେବି ଛବିବହିର ସୁନ୍ଦର ଗାଁଟି ପରି ଦିଶେ । ସେଦିନ ଥାଏ ପୂର୍ଣ୍ଣିମାର ରାତି । ଜହ୍ନ ଆଲୁଅରେ ଚାରିଆଡ଼ ତୋଫା ଦିଶୁଥାଏ । ପ୍ରଳୟଙ୍କର ବନ୍ୟାରେ ସାବ୍‌ଜା ଧାନବିଲ ସବୁ ହତଶ୍ରୀ ହୋଇଯାଇ ନଥିଲେ ଏବେ ଭୋଦୁଅ ପବନ ସେଠି ନୀଳ ଓ ସବୁଜ ପତାକା ଉଡ଼ଉଥାଆନ୍ତା । ଶାଳପଡ଼ା ସେମୁଣ୍ଡରେ ପୁରୁଣା ଡାକବଙ୍ଗଳା । କେଉଁ କାଳର ପୁରୁଣା ଘର, ରଙ୍ଗ ଛାଡ଼ିଗଲାଣି, ହେଲେ ଆକର୍ଷଣ ହରେଇ ନାହିଁ । ମଫସଲୀ ଚାଳଘରଗୁଡ଼ିକ ମେଳରେ ଗେରୁଆ ରଙ୍ଗର ସେଇ କୋଠାଘର ଖଣ୍ଡିକ ଦିଶେ ଗୋଟେ ବିଦେଶୀ ବଙ୍ଗଳା ପରି । ଏବେ ସେଇଠି ରେଭେନ୍ୟୁ ଇନ୍‍ସପେକ୍ଟର ତାଙ୍କ ଦପ୍ତର ବସେଇଛନ୍ତି ।

 

ମନ୍ତ୍ରୀ ମଣୋହି ଆୟୋଜନ ପାଇଁ ରେଭେନ୍ୟୁ ଇନ୍‍ସପେକ୍ଟରଙ୍କ ନେତୃତ୍ୱରେ ଓ ସରପଞ୍ଚଙ୍କ ପୃଷ୍ଠପୋଷକତାରେ ରୀତିମତ ଆୟୋଜନ କରାଯାଇଥିଲା । ସକାଳ ପ୍ରହରୁ ଆଠ ଆଠଜଣ ଲୋକ ଏଇ କାମରେ ଲାଗିଥିଲେ । ଟେବୁଲ୍‌ ଉପରେ ଧଳା ଚାଦର ବିଛା ହୋଇଛି । ସୁନ୍ଦର ଚୀନା ପ୍ଲେଟ୍‌ରେ ଖାଦ୍ୟତକ ପରଶା ଯାଇଛି । ମନ୍ତ୍ରୀ ସନ୍ତୁଷ୍ଟ ହୋଇ ଫେରିଗଲେ ଉଦ୍ୟମ ସଫଳ ହେବ । ସେଥିପାଇଁ ରେଭେନ୍ୟୁ ଇନ୍‍ସପେକ୍ଟର ସରପଞ୍ଚ, ସେକ୍ରେଟେରୀ ଓ ସୂଚନା ଅଧିକାରୀ ସଭିଏଁ ତତ୍ପର । ଏ ଅଞ୍ଚଳକୁ ମନ୍ତ୍ରୀ ସବୁଦିନ ଆସନ୍ତି ନାହିଁ । ବନ୍ୟା ଓ ନିର୍ବାଚନ ଦିଇଟା ସମୟ ଛାଡ଼ିଦେଲେ ମନ୍ତ୍ରୀ ବା ଆସିବେ କାହିଁକି ?

 

ମନ୍ତ୍ରୀ କିନ୍ତୁ ଗାଡ଼ିରୁ ଓହ୍ଲେଇ ଟେବୁଲ୍‌ ଉପରେ ସଜଡ଼ା ହୋଇଥିବା ଚିକେନ୍‌, ପଲାଉ, ମାଛମଞ୍ଜି, ଡାଲ୍‌ଫ୍ରାଇ, ପାମ୍ପଡ଼, ରାବିଡ଼ି ଓ ରସଗୋଲା ଆଡ଼େ ଚାହିଁ ଏପରି ବିବ୍ରତ ହୋଇପଡ଼ିଲେ ଯେ ପଞ୍ଚାଧିକ ମିନିଟ୍‌ କାଳ ତାଙ୍କ ମୁଖମଣ୍ଡଳରୁ କୌଣସି ଶବ୍ଦ ନିଃସୃତ ହୋଇ ପାରିଲା ନାହିଁ । ବେଶ୍‌ କିଛିକାଳ ଧୈର୍ଯ୍ୟର ସହ ମନ୍ତ୍ରୀଙ୍କ ଭାବାନ୍ତରର ହେତୁ ବୁଝିବା ନିମନ୍ତେ ଉଦ୍ୟତ କରି ବିଫଳ ହେବା ଉତ୍ତାରେ ବ୍ୟକ୍ତିଗତ ସହକାରୀ ମନ୍ତ୍ରୀ ମହୋଦୟଙ୍କର ଟିକିଏ ପାଖକୁ ଲାଗିଆସି ଇଙ୍ଗିତରେ ସମସ୍ୟାଟା ଜାଣିବାକୁ ଚେଷ୍ଟା କଲେ ।

 

ମନ୍ତ୍ରୀ ମହୋଦୟ ଭାବ ଗଦ୍‌ଗଦ୍‌ କଣ୍ଠରେ ଥରେ ଟେବୁଲ୍‌ ଉପରେ ସଜଡ଼ା ଖାଦ୍ୟ ସାମଗ୍ରୀ ଓ ଆଉଥରେ ଉଦ୍ୟୋକ୍ତାମାନଙ୍କ ଆଡ଼େ ଚାହିଁ ପ୍ରଶ୍ନ କଲେ, “ଇଏ କ’ଣ ଆପଣ କରିଛନ୍ତି-?”

 

ସକାଳ ପ୍ରହରୁ ମନ୍ତ୍ରୀଙ୍କ ମଣୋହିପାଇଁ ଝାଳନାଳ ହୋଇ ଅର୍ଥଶ୍ରାଦ୍ଧ କରିଥିବା ସରପଞ୍ଚ ଓ ରେଭେନ୍ୟୁ ଇନ୍‍ସପେକ୍ଟର ମନ୍ତ୍ରୀଙ୍କର ଏଇ ସହସା ଭାବାନ୍ତରରେ କେବଳ ଯେ ଦୁଃଖିତ ହେଲେ ତା’ ନୁହେଁ, ଏକ ଅପରାଧବୋଧରେ ମ୍ରିୟମାଣ ହୋଇପଡ଼ିଲେ । କିଂକର୍ତ୍ତବ୍ୟବିମୂଢ଼ ସେ ଦୁହେଁ କେବଳ ମନ୍ତ୍ରୀଙ୍କ ମୁହଁକୁ ଚାହିଁ ରହିବା ଭିନ୍ନ ଅଧିକ କିଛି ପଚାରିବାକୁ ଭରସି ପାରୁ ନଥିଲେ ।

 

ମନ୍ତ୍ରୀ ମହୋଦୟ ପୂର୍ବର ସେହି ଗଦ୍‌ଗଦ୍‌ ଭାବକୁ ଅନାହତ ରଖି କହିଲେ, “ଏଇ ମାତ୍ର ମୁଁ ଶାଳପଡ଼ା ଗ୍ରାମବାସୀଙ୍କ ଦୁଃଖ ଦେଖି ଆସିଲି । ସମଗ୍ର ରାଜ୍ୟ ବର୍ତ୍ତମାନ ବନ୍ୟା ଯୋଗୁଁ ଦାରୁଣ ବିପର୍ଯ୍ୟୟର ଶିକାର ହେଇଛି । ମୋର ହଜାର ହଜାର ଗରିବ ଖଟିଖିଆ ଦିନମଜୁରିଆ ଭାଇ ଓ ଭଉଣୀ ଯେତେବେଳେ ଭୋକ ଉପବାସରେ କାଳ କାଟୁଛନ୍ତି, ସେତେବେଳେ ମୁଁ ଏପ୍ରକାର ରାଜମଣୋହି ଗ୍ରହଣ କରିପାରିବି ନାହିଁ ।”

 

ଟିକକ ପୂର୍ବରୁ ମନ୍ତ୍ରୀଙ୍କ ଭାବାନ୍ତର ନେଇ ସମସ୍ୟାରେ ପଡ଼ିଯାଇଥିବା ପଦାଧିକାରୀ ଓ ସ୍ଥାନୀୟ ନେତାମାନେ ଏବେ ଟିକିଏ ଆଶ୍ୱସ୍ତ ମନେ କରୁଥିଲେ । ସେମାନଙ୍କ ଭିତରର ବିସ୍ମୟ ଭାବ ଏବେ ମନ୍ତ୍ରୀଙ୍କ ପ୍ରତି ପ୍ରଶଂସା ଭାବରେ ପରିଣତ ହେଇ ଯାଇଥିଲା । ଆହା, ଦୁଃଖୀରଙ୍କୀଙ୍କ ପେଟ ଚିହ୍ନିବାବାଲା ଏଇ ମନ୍ତ୍ରୀ କେତେ ଭଲ ମଣିଷ ! କିଏ କହୁଛି, ଗରିବମାନଙ୍କ ଦୁଃଖ ବୁଝିବାପାଇଁ କେହି ନାହାନ୍ତି ? ଏଇ ଦେଶରେହିଁ ତ ଉତ୍କଳମଣି ଜନ୍ମ ହେଇଥିଲେ !

 

କିନ୍ତୁ ରେଭେନ୍ୟୁ ଇନ୍‍ସପେକ୍ଟର, ସରପଞ୍ଚ, ସୂଚନା ଅଧିକାରୀ ଏପରିକି ମନ୍ତ୍ରୀଙ୍କର ବ୍ୟକ୍ତିଗତ ସହକାରୀ ସେତେବେଳକୁ ଗଭୀର ଚିନ୍ତାମଗ୍ନ । ମନ୍ତ୍ରୀ ଯଦି ନିଜ ଏରିଆରୁ ଉପବାସରେ ଫେରିଯାଆନ୍ତି ତାହାହେଲେ ସେଇଟା ଏମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ଗୋଟାଏ ନିର୍ଘାତ ଚଟକଣା ହେବ । ଟେବୁଲ୍‌ ଉପରେ ଥୁଆ ପଲଉର ଘିଅ ବାସ୍ନାକୁ ନିଜର ଆଘ୍ରାଣରେ ନାଭିଦେଶ ପର୍ଯ୍ୟନ୍ତ ଭିଡ଼ିନେଇ ବ୍ୟକ୍ତିଗତ ସହକାରୀ କହିଲେ, “ସାର୍‌, ମଫସଲ ଅଞ୍ଚଳ । ସେମାନେ ଯାହା କିଛି ଭଲ ପାଇଛନ୍ତି ଆପଣଙ୍କ ପାଇଁ କରିଛନ୍ତି... ।”

 

“ସାର୍‌ ଆପଣ ଯଦି ନ ଖାଇ ରାତିଟାରେ ଫେରିଯାଆନ୍ତି ଆମେମାନେ କାଲି ସକାଳେ କାହାକୁ ମୁହଁ ଦେଖାଇବା ଲାଏକ ରହିବୁ ନାହିଁ । ଆମର ଯାହା ଦୋଷ ହୋଇଛି, ଦୟାକରି ଆପଣ କ୍ଷମାକରି ଦିଅନ୍ତୁ ।” –ନିଜର ବଦଳି ପ୍ରସଙ୍ଗ ନେଇ ସାଂଘାତିକଭାବେ ସ୍ପର୍ଶକାତର ରେଭେନ୍ୟୁ ଇନ୍‍ସପେକ୍ଟର କହିଲେ ।

 

ନିଜ ନିଜ କାଗଜର ପରବର୍ତ୍ତୀ ସଂସ୍କରଣ ପାଇଁ ବେଶ୍‌ ଗୋଟାଏ ଗରମାଗରମ ସମ୍ବାଦ କ୍ରମେ ଜନ୍ମ ନେଉଥିବାର ଦେଖି ମନ୍ତ୍ରୀଙ୍କ ସହ ଯାଇଥିବା ସାମ୍ବାଦିକ ଦି’ ଜଣ ଅବଶ୍ୟ ବିଶେଷ କିଛି ପ୍ରତିକ୍ରିୟା ପ୍ରକାଶ କରୁ ନଥିଲେ । ତେବେ ଅପେକ୍ଷାକୃତ ଅଧିକ କ୍ଷୁଧା ଅନୁଭବ କରୁଥିବାରୁ ସେମାନେ ମନ୍ତ୍ରୀଙ୍କର ବିଳମ୍ବିତ ପ୍ରତିକ୍ରିୟାକୁ ପସନ୍ଦ କରିପାରୁ ନଥିଲେ ।

 

ମନ୍ତ୍ରୀ ମହୋଦୟ ଅଧିକ କାଳ ସମସ୍ତଙ୍କୁ ଚିନ୍ତିତ ନରଖି ସରପଞ୍ଚଙ୍କ ଉଦ୍ଦେଶ୍ୟରେ କହିଲେ, “ଆପଣମାନେ ଯଦି ନିହାତି ଉପବାସରେ ଯିବା ଚାହୁଁନାହାନ୍ତି ତାହାହେଲେ ମୋପାଇଁ ଆପଣଙ୍କୁ ପଖାଳ ଓ ଶାଗଭଜାର ଆୟୋଜନ କରିବାକୁ ପଡ଼ିବ । ମୁଁ ତା’ ଭିନ୍ନ ଆଉ କିଛି ଖାଇବି ନାହିଁ ।”

 

: ପ–ଖା–ଳ–, ଶାଗ... ?

 

ଇଏ କ’ଣ ଶୁଣୁଛନ୍ତି ସେମାନେ ? ଚିର ଚିକେନାସକ୍ତ, ମଟନ୍‌ବିଳାସୀ ଓ ସୁରାପାୟୀ ମନ୍ତ୍ରୀ ମହୋଦୟଙ୍କର ହଠାତ୍‌ ଏ ପରିବର୍ତ୍ତନ ପଛରେ ଶାଳପଡ଼ା ମହାଦେବ ପଡ଼ିଆ ମାଟିର କୌଣସି ଆଧ୍ୟାତ୍ମିକ ପ୍ରଭାବ ନାହିଁ ତ ? ଜିଲ୍ଲା ସୂଚନା ଅଧିକାରୀଙ୍କ କପାଳରେ ସେତେବେଳକୁ ସବୁଯାକ ରେଖା କୁଞ୍ଚିତ ହେଇ ସାରିଥାଏ ।

 

ମନ୍ତ୍ରୀ ଏଥର ସାଧାରଣସଭାମାନଙ୍କରେ ଯେଉଁଭଳି ଦକ୍ଷିଣ ହସ୍ତ ପ୍ରସାରି, ତର୍ଜନୀ ନିର୍ଦ୍ଦେଶ କରି ଉଦ୍‌ବୋଧନ ଦେଇ ଥାଆନ୍ତି, ଠିକ୍‌ ସେହି ଠାଣିରେ କହିଲେ, “ମୁଁ କେବଳ ପଖାଳ ଓ ଶାଗଭଜାହିଁ ଖାଇବି ।” ତା’ପରେ ସେ ପାନପିକତକ ପିଚ୍‌କରି ପାଶ୍ୱର୍ସ୍ଥ ଫୁଲକୁଣ୍ଡରେ ପକେଇସାରି କହିଲେ, “ଆଉଗୋଟେ କଥା ମନେ ରଖନ୍ତୁ । ମୁଁ ଏ ଟେବୁଲ୍‌ ଚେୟାର ଉପରେ ବସି ଖାଇ ପାରିବି ନାହିଁ । ଏସବୁ ରାଜରାଜୁଡ଼ାଙ୍କ ନହେଲେ ହାକିମହୁକୁମାଙ୍କ ଫେସନ । ଗୋଟାଏ ଔପନିବେଶିକ ଅପସଂସ୍କୃତିର ପରିଣାମ । ମୁଁ ଏଇ ଚଟାଣରେ ଖଣ୍ଡିଏ ଚଟେଇ ପକେଇ ବସିବି । ମୋପାଇଁ କଦଳୀପତ୍ର ଖଣ୍ଡିକରେ ଚିପୁଡ଼ା ପଖାଳ ଗଣ୍ଡେ ବାଢ଼ିଦିଅନ୍ତୁ । ଗିନାଟିଏ ଦେଲେ ତୋରାଣି ମୁନ୍ଦେ ପିଇଦେବି । ସେଇଥିରେ ମୋର ପରମ ସନ୍ତୋଷ ।”

 

ଆହା ! ଆହା ! କରୁଣା ଓ ନମ୍ରତାର କି ପ୍ରତ୍ୟକ୍ଷ ଅବତାର ! ସମସ୍ତେ ଯେପରି ମନ୍ତ୍ରୀ ନୁହେଁ, ଜଣେ ପରମ ଯୋଗୀ ତପସ୍ୱୀ ମହାପୁରୁଷଙ୍କ ସାକ୍ଷାତ ପାଇ କୃତ୍ୟ କୃତ୍ୟ ହେଉଥିଲେ ।

 

ସାଙ୍ଗେ ସାଙ୍ଗେ ପୂର୍ବନିଯୁକ୍ତ ଆଠଜଣିଆ ଦଳ ଗୋଟାଏ ପେଟ୍ରୋମାକ୍‌ସ ଲାଇଟ୍‌ ଧରି ମନ୍ତ୍ରୀଙ୍କ ନିମନ୍ତେ ପଖାଳ ଓ ଶାଗଭଜା ବନ୍ଦୋବସ୍ତରେ ଗାଁ ଅଭିମୁଖେ ବାହାରିପଡ଼ିଲେ । ରାତି ଏଗାରଟାରେ ଏସବୁ ଆୟୋଜନ କରିବା ନିଶ୍ଚୟ କଷ୍ଟକର । ପୁଣି ମନ୍ତ୍ରୀ କହିଲେ ବୋଲି ଯେ ବଗଡ଼ା ଚାଉଳର ପଖାଳ ଭାତ ନେଇ ବାଢ଼ି ଦିଆଯିବ ତାହା ତ ନୁହେଁ ! ସରୁ ଲୀଳାବତୀ ଚାଉଳରେ ଭାତ ରାନ୍ଧି, ତହିଁରେ ଲେମ୍ବୁ ପକେଇ ସ୍ୱ ସ୍ୱ ଦୃଷ୍ଟିରୁ ଉନ୍ନତମାନର ସ୍ୱାଦିଷ୍ଠ ଶାଗଭଜା ଭାଜି ସେମାନେ ଫେରିବାବେଳକୁ ରାତି ବାରଟା । ସବୁଠୁ ଅସୁବିଧା ହେଲା ସଦା ଝଡ଼ତୋଫାନ ବ୍ୟତିବ୍ୟସ୍ତ ଗାଁରେ ମନ୍ତ୍ରୀଙ୍କପାଇଁ ଭଲ କଦଳୀପତ୍ର ଖଣ୍ଡେ ପାଇବା । ପ୍ରାୟ ଗଛ ଭାଙ୍ଗିଯାଇଛି । ଯେଉଁ କେତୋଟି ଥିଲା ସେଗୁଡ଼ିକର ପତ୍ର କଇଁଚିରେ କାଗଜ କାଟିଲା ପରି ଅବସ୍ଥା । ଆଜିକାଲି ବାହାଘର କାମ କାର୍ଯ୍ୟତଃ ଖଲିପତ୍ରରେ କରିବାକୁ ପଡ଼ୁଛି । ଯା’ହେଉ ବଡ଼ କଷ୍ଟରେ ରାତି ଅନ୍ଧାରରେ ମଞ୍ଜ କଦଳୀପତ୍ର ଖଣ୍ଡେ ଯୋଗାଡ଼ କରାଗଲା ।

 

ତାହା ଏକ ଦର୍ଶନୀୟ ଦୃଶ୍ୟ ଓ ସ୍ମରଣୀୟ ଅନୁଭବ । ବର୍ତ୍ତୁଳକାୟ ପ୍ରବଳ ପ୍ରତାପୀ ମନ୍ତ୍ରୀ ମହୋଦୟ ଦରିଦ୍ରନାରାୟଣ ବେଶରେ ଶପ ଚଟେଇ ଉପରେ ଚକାମାରି ବସିଛନ୍ତି ଓ କଦଳୀପତ୍ରରେ ବଢ଼ା ଶାଗ–ପଖାଳ ଖାଉଛନ୍ତି । ପାଖ ଟେବୁଲ୍‌ ଉପରେ ବ୍ୟକ୍ତିଗତ ସହକାରୀ, ସୂଚନା ଅଧିକାରୀ, ଉନ୍ନୟନ ଅଧିକାରୀ ଓ ସାମ୍ବାଦିକ ଦ୍ୱୟ ଚିକେନ୍‌, ପଲଉ ଭକ୍ଷଣ କରୁଛନ୍ତି । ସେମାନେ ଅବଶ୍ୟ ନିଜ ନିଜର ଅନିଚ୍ଛା ପ୍ରକାଶ କରିଥିଲେ । ମାତ୍ର ମନ୍ତ୍ରୀ ନିଜେ ଅନୁରୋଧ କରି କହିଥିଲେ; ଭାରତ ଭଳି ଏକ ଗରିବ ଦେଶରେ ଖାଦ୍ୟ ନଷ୍ଟ କରିବା ଏକ ଅପରାଧ ।

 

ତେବେ ସରପଞ୍ଚ ଓ ରେଭେନ୍ୟୁ ଇନ୍‍ସପେକ୍ଟର ଦ୍ୱୟ ସେପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରୁ ନଥାନ୍ତି । ଆଜି ଯେପରି ଭାବରେ ମନ୍ତ୍ରୀ ସେମାନଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କଲେ, ତା’ର ସୁଦୂରପ୍ରସାରୀ ପ୍ରଭାବ ଅନୁକୂଳ ହେଲା ପରି ସେମାନଙ୍କୁ ଜଣାପଡ଼ୁ ନଥିଲା । ତେବେ ସେ ଯା’ହେଉ କାଲି ସକାଳୁହିଁ ମନ୍ତ୍ରୀଙ୍କ ପାଖରୁ ଆଉଥରେ କ୍ଷମା ପ୍ରାର୍ଥନା କରିବାକୁ ହେବ ।

 

ରାତି ଗୋଟାଏବେଳେ ଜିପ୍‌ଟି ଜିଲ୍ଲା ସୂଚନା ଅଧିକାରୀ, ସାମ୍ବାଦିକ ଏବଂ ବି.ଡି.ଓ.ଙ୍କୁ ଧରି ଫେରିଗଲା । ଶାଳପଡ଼ାର ଡାକବଙ୍ଗଳା ଛୋଟ ଓ ସମସ୍ତେ ରହିଲେ ମନ୍ତ୍ରୀଙ୍କ ବିଶ୍ରାମ ନେବାରେ ଅସୁବିଧା ଉପୁଜିବ ବୋଲି ସେମାନେ ଚାଲିଗଲେ । ମନ୍ତ୍ରୀ ଖୁବ୍‌ କ୍ଳାନ୍ତ ହୋଇପଡ଼ିଥିବାରୁ ବିଶ୍ରାମ ନେଲେ ।

 

ପରଦିନ ସକାଳୁ ମନ୍ତ୍ରୀଙ୍କ ମହାନୁଭବତା ଏଭଳି ପ୍ରଚାରିତ ହୋଇଯାଇଥିଲା ଯେ ଦଳଦଳ ଲୋକ ଆସି ଡାକବଙ୍ଗଳା ସମ୍ମୁଖରେ ତାଙ୍କର ଦର୍ଶନପାଇଁ ଧାଡ଼ି ବାନ୍ଧିଥିଲେ । ମନ୍ତ୍ରୀ ନିଜେ ବ୍ୟକ୍ତିଗତ ସହକାରୀଙ୍କୁ କହିଲେ, “ବୁଝିଲେ ତ ? ୟାକୁଇ କହନ୍ତି ପଲିଟିକ୍‌ସ୍ । କାଲି ଯଦି ତମମାନଙ୍କ ସାଙ୍ଗରେ ମୁଁ ଚିକେନ୍‌, ପଲଉ ଖାଇଥାଆନ୍ତି ଆଜି ଏତେ ସମର୍ଥନ ପାଇଥାନ୍ତି କି ?”

 

ବ୍ୟକ୍ତିଗତ ସହକାରୀ ଆଉଥରେ ମନ୍ତ୍ରୀଙ୍କ ବିଚକ୍ଷଣ ବୁଦ୍ଧିର ପରିଚୟ ପାଇଥିଲେ ।

 

କିନ୍ତୁ ଶାଳପଡ଼ା ଗାଁରୁ ବିଦାୟ ନେବା ସମୟରେହିଁ ଡ୍ରାଇଭର ଖବର ଦେଲା ଯେକୌଣସି ଦୁର୍ବୃତ୍ତ ରାତିରେ ଗାଡ଼ିର ଚାରିଟିଯାକ ଚକରୁ ପବନ ଖୋଲିଦେଇଛି । ଗୋଟାଏ ଚକା କଥା ହେଇଥିଲେ ଷ୍ଟେପିନ୍‌ ବଦଳେଇ ଚାଲିଯାଆନ୍ତେ । ମାତ୍ର ଚାରି ଚାରିଟି ଚକ !

 

: କିଏ ? କିଏ ହେଇପାରେ ଏ ଦୁର୍ବୃତ୍ତ ? କାଲି ରାତିରେ ଗାଡ଼ି ଠିକ୍‌ ଥିଲା । ସକାଳୁ ସକାଳୁ ଇଏ କାହାର କାମ ହେଇଥିବ !

 

ଟିକକ ପୂର୍ବରୁ ପ୍ରସନ୍ନଚିତ୍ତ, ହୃଷ୍ଟମନା ମନ୍ତ୍ରୀ ମହୋଦୟ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ । ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ତାଙ୍କର ଦେଖା କରିବାର କାର୍ଯ୍ୟକ୍ରମ ଅଛି । ଏଠୁ ପିଚୁରାସ୍ତା ଧରିବାକୁ ତିନି ଘଣ୍ଟା ଦରକାର । ଫୋନ୍‌ ସୁବିଧା ନାହିଁ । ଏପରିସ୍ଥଳେ ବିକଳ୍ପ ବ୍ୟବସ୍ଥା କ’ଣ କରାଯାଇପାରିବ ସେ ଚିନ୍ତା କରିପାରୁ ନଥିଲେ ।

 

ସରପଞ୍ଚଙ୍କ ଆଶଙ୍କାହିଁ ଠିକ୍‌ ଥିଲା । ସେ ଯାହାକୁ ସନ୍ଦେହ କରୁଥିଲେ ସେହି ବୃନ୍ଦାବନହିଁ ମନ୍ତ୍ରୀଙ୍କ ଗାଡ଼ିର ଏ ହାଲ୍‌ପାଇଁ ଦାୟୀ । ବୃନ୍ଦାବନକୁ ସରପଞ୍ଚ ଘୋଷାଡ଼ି ଘୋଷାଡ଼ି ଆଣୁଥିଲେ । ମନ୍ତ୍ରୀ ସେଥିରୁ ସରପଞ୍ଚଙ୍କୁ ବାରଣ କରି ବୃନ୍ଦାବନକୁ ପଚାରିଲେ, “ତମେ ଏପରି କାହିଁକି କଲ ?” ଭିତରେ ଭିତରେ ବୃନ୍ଦାବନକୁ କଅଁଳ ନଡ଼ିଆ ପରି ଚୋବେଇ ଯିବାକୁ ଚାହୁଁଥିଲେ ମଧ୍ୟ ସର୍ବସାଧାରଣରେ ନିଜର ଭାବମୂର୍ତ୍ତି ନଷ୍ଟ ହେଇଯିବା ଆଶଙ୍କା ହେତୁ ମନ୍ତ୍ରୀ ନିଜର କ୍ରୋଧ ଦମନ କରି ସମସ୍ୟାର ମୁକାବିଲା କରିବାକୁ ଚେଷ୍ଟା କରୁଥିଲେ ।

 

ବୃନ୍ଦାବନ କହିଲା, “ଆଜି ସକାଳେ ଆମେ ସମସ୍ତେ ଶୁଣିଛୁ, କାଲି ଆପଣ ଶାଗ ପଖାଳ ଖାଇଛନ୍ତି । ଆମର ଦୁଃଖ ବୁଝିଛନ୍ତି । ଏଇ ସରପଞ୍ଚ ଓ ଅଫିସରମାନେ ଆପଣଙ୍କୁ ଆମ ସମସ୍ୟାଠାରୁ ଦୂରେଇ ରଖୁଥିଲେ । ଶାଳପଡ଼ାକୁ ଭଲ ରାସ୍ତା ନାହିଁ । ଏହା ତଳକୁ ଆଉ ଯେଉଁ ଗାଁ ରହିଛି ସେଗୁଡ଼ିକ କଥା ନ କହିଲେ ଭଲ । ରୋଗୀଟେ ମରିଗଲେବି ଡାକ୍ତରଖାନା ପର୍ଯ୍ୟନ୍ତ ତାକୁ ନିଆଯାଇପାରେ ନାହିଁ । ଇଏ ଏକ ନାହିଁ ନାହିଁର ଅଞ୍ଚଳ । ଆପଣଙ୍କ ପାଇଁ ଆମେ ଶଗଡ଼ଟିଏର ବନ୍ଦୋବସ୍ତ କରିଛୁ । ଆପଣ ଆମ ସାଙ୍ଗେ ମିଶିବାକୁ ଚାହିଁଛନ୍ତି, ଆମେ ଆପଣଙ୍କ ସାଙ୍ଗେ ମିଶିବାକୁ ଚାହୁଁଛୁ । ଏ ନାଲିବତି ଗାଡ଼ି ସେଥିରେ ପ୍ରତିବନ୍ଧକ ହେଉ ନାହିଁ କି ?”

 

ପାଗଳ ବୋଲି ଅପଖ୍ୟାତ ବୃନ୍ଦାବନ ନାମକ ସେହି ଯୁବକଟି ଯେ ମନ୍ତ୍ରୀଙ୍କୁ ଏଭଳି ଅପଦସ୍ଥ କରିବ, ସେକଥା କଦାପି ସରପଞ୍ଚ କି ରେଭେନ୍ୟୁ ଇନ୍‍ସପେକ୍ଟର କଳ୍ପନା କରି ନଥିଲେ । ମନ୍ତ୍ରୀଙ୍କ ପାନପିକବୋଳା ହସହସ ମୁହଁଟି ଦିଶୁଥିଲା ରଙ୍ଗ ଛାଡ଼ିଯାଇଥିବା ଅପେରା ନାୟକର ଚେହେରା ପରି । ମନ୍ତ୍ରୀଙ୍କର ସୁକୁମାରିଆ ନାଲିବତି ସଂଲଗ୍ନ ଓ ଜାତୀୟ ପତାକା ଶୋଭିତ ଧଳା ଚକ୍‌ ଚକ୍‌ ଗାଡ଼ିଟି ମଧ୍ୟ ଦିଶୁଥିଲା ଅନୁରୂପଭାବେ ଦୟନୀୟ ।

Image

 

ପବିତ୍ର ସକାଳ

 

ଜଣେ ଅପରିଚିତ ପୁଲିସ ଅଫିସରଙ୍କ ସାଙ୍ଗରେ ରାତି ଅନ୍ଧାରରେ ଘୂରିବା ଘଟଣାଠାରୁ ଅଧିକ ଆପତ୍ତିଜନକ କ’ଣ ହେଇପାରେ ?–ଇମିତି ପ୍ରଶ୍ନଟେ ମୁଣ୍ଡ ଟେକିବାକ୍ଷଣି ଅନିମାର ମନ ଭାଙ୍ଗି ପଡ଼ୁଥିଲା । ତାକୁ ଯେତିକି କାନ୍ଦ ମାଡ଼ୁଥିଲା, ସେତିକି ରାଗ ଏବଂ ଅଭିମାନବି । ଅମୃତ ପକ୍ଷେ ଏମିତି କରିବା ଆଦୌ ଠିକ୍‌ ହେଇ ନାହିଁ । ଅନ୍ତତଃ ପାଖଘରେ ସେ ବାହାରକୁ ଯାଉଥିବା ଖବର ଟିକକ ଛାଡ଼ି ଯାଇପାରିଥାନ୍ତା ?

 

ଅଥଚ ଅମୃତବି କେମିତି ଜାଣନ୍ତା ଅନିମାର ଏ ସହରକୁ ବୁଲିଆସିବା କଥା ? ସେ ତ ଚିଠି ଲେଖି ନାହିଁ, ଖବର ଦେଇ ନାହିଁ ଅମୃତକୁ ଯେ ଆଜି ସିଏ ଆସୁଚି ।

 

ଏଇଟାହିଁ ଅନିମାର ଦୁର୍ଭାଗ୍ୟ । ସେ ଚାହୁଁଥିବା ଘଟଣା ଘଟୁ ନଥିଲା ଆଦୌ, ଅଥଚ ଘଟୁଥିବା ଘଟଣାକୁ ସେ ଗ୍ରହଣ କରି ନେଇପାରୁ ନଥିଲା । ସେ ଭାବୁଥିଲା ଜିପ୍‌ରୁ ଡେଇଁପଡ଼ିବ କିମ୍ବା ପାଖରେ ବସିଥିବା ପୁଲିସ ଅଫିସରକୁ କହିବ–ଗାଡ଼ି ଅଟକାଅ, ମୁଁ ଏଇଠି ଓହ୍ଲେଇଯିବି । ଅଥଚ ସେ କୌଣସିଟି କରିପାରୁ ନଥିଲା ।

 

ଜିପ୍‌ଟା ଆଗକୁ ଗଡ଼ୁଥିଲା ।

 

ଅନିମା ପୁଣି ଭାବିଲା, ଇଏ କ’ଣ ଭଲ ନୁହେଁ ଗୁଣ୍ଡାମାନଙ୍କ କବଳରେ ପଡ଼ି ଅପମାନିତ ହେବାଠାରୁ ? କିଏ ଜାଣେ ଠିକ୍‌ବେଳେ ଏ ଜିପ୍‌ଟା ସେଠି ପହଞ୍ଚି ନଥିଲେ ତା’ ଅବସ୍ଥା କ’ଣ ହୋଇଥାନ୍ତା !

 

ଅନିମା ଆଗକୁ ଭାବିପାରିଲା ନାହିଁ । ଚୁପ୍‌ଚାପ୍‌ ବସି ରହିଲା ।

 

ଆଜି ସନ୍ଧ୍ୟାରେହିଁ ସେ ଆସି ଏଠି ପହଞ୍ଚିଥିଲା, ଯଦିଓ ବସ୍‌ଟା ପ୍ରକୃତପକ୍ଷେ ଏ ସହରରେ ଅପରାହ୍‌ଣ ତିନିଟାରେ ପହଞ୍ଚିବା କଥା । ସନ୍ଧ୍ୟା ଛଅଟାରେ ବସ୍‌ଷ୍ଟାଣ୍ଡ୍‍ରେ ପହଞ୍ଚି ସେ ରିକ୍ସାଟେ ଧରିଥିଲା । ସ୍ପଷ୍ଟଭାବେ ସେ ଜାଣି ନଥିଲା ଅମୃତ ରହୁଥିବା ଗଳିର ଠିକଣା । ଅଥଚ ଗୋଟାଏ ଆତ୍ମବିଶ୍ୱାସ ତା’ ଭିତରେ ସୃଷ୍ଟି ହେଇଯାଇଥିଲା ଯେ ସେ ନିଶ୍ଚେ ଘରଟି ଖୋଜି ବାହାର କରିପାରିବ ।

 

ଆସିଲାବେଳେ ଦୁଇ ହାତରେ ଅନିମା ଧରିଥିଲା ଦିଇଟା ବ୍ୟାଗ୍‌ । ଅମୃତପାଇଁ କିଛି ମାଗାଜିନ୍‌, କଲମ ସେଟ୍‌ ଗୋଟାଏ, କିଛି ମିକ୍‌ଶ୍ଚର୍ ଓ ଆଚାର ଥିଲା ସେ ବ୍ୟାଗ୍‌ ଦୁଇଟାରେ ।

 

ଅନିମା ତା’ର ଆସିବା ଖବର ଅମୃତକୁ ଦେଇ ନଥିଲା ଜାଣି ଜାଣି । ସେମିତି କରିଥିଲେ ଅମୃତ ଆସିଥାଆନ୍ତା ବସ୍‌ଷ୍ଟାଣ୍ଡ୍‍କୁ । ଆଗରୁ ରିହର୍ସାଲ କଲା ଭଳି ହେଇଥାଆନ୍ତା ସେମାନଙ୍କ ଦେଖାସାକ୍ଷାତ୍, କଥାବାର୍ତ୍ତା । ନା, ଗୋଟାଏ ସର୍‌ପ୍ରାଇଜ୍‌ ଦିଆଯାଉ–ଅନିମା ଭାବିଥିଲା-

 

ଅନିମା ରହେ ରାଜଧାନୀରେ, ଚାକିରି କରେ ଗୋଟାଏ ଘରୋଇ ସଂସ୍ଥାରେ । ଅମୃତ ଓ ଅନିମା ପରସ୍ପରକୁ ଭଲପାଆନ୍ତି । ଉଭୟଙ୍କ ଭିତରେ ବୁଝାମଣା ରହିଛି, କେହି ନିଜର ଇଚ୍ଛାକୁ ଆରଜଣକ ଉପରେ ଲଦି ଦେବେ ନାହିଁ ।

 

ଅମୃତର ପ୍ରଥମ ଚାକିରି ଏଇ ସହରରେ । ରାଜଧାନୀରୁ ଦୁଇଶହ କିଲୋମିଟର ଦୂର ଇଏ ଏକ ଡିଷ୍ଟ୍ରିକ୍ଟ ହେଡ଼୍‍କ୍ୱାଟରସ୍ । ପ୍ରଥମେ ଅମୃତ ଏଠିକି ଆସିବାପାଇଁ ଆଦୌ ରାଜି ନଥିଲା । କାରଣବି ଥିଲା ତା’ ଯୁକ୍ତି ପଛରେ ।

 

ଅନିମା ନିଶ୍ଚୟ ଜାଣେ ଅମୃତର ଦୁଃଖ କେଉଁଠି ! ସେ କଥାଟା ଭାବିଲାବେଳେ ଅନିମା ଭିତରେ ଭିତରେ ତରଳିଯାଏ । ରାଜଧାନୀ ନ ଛାଡ଼ିବା ପଛରେ ଥିଲା ଅମୃତର ସାହିତ୍ୟଚର୍ଚ୍ଚା, ଯେଉଁଟା ଅମୃତର ଦୁର୍ବଳତା ଓ ବିଳାସ । ତା’ଛଡ଼ା ଅନିମା ସହ ପ୍ରେମ !

 

ବସ୍‌ଷ୍ଟାଣ୍ଡ୍‍ରୁ ରିକ୍ସାରେ ବସି ସଞ୍ଜବେଳେ ଗଲାବେଳେ ରାସ୍ତା କଡ଼େ କଡ଼େ ଶାଳ, ଶାଗୁଆନ ଓ ଦେବଦାରୁ ଗଛ ଦେଖି ଦେଖି ଅନିମା ଖୁସି ହେଇଥିଲା । ପୁରୁଣା ସହରର ଏଇମିତିକା ରାସ୍ତା ଅନିମାକୁ ଭଲ ଲାଗିଥାଏ । ତେବେ ଏ ସହରଟି ତାକୁ ବେଶୀ ଭଲ ଲାଗୁଥିଲା, କାରଣ ଏହା ଏବେ ଥିଲା ଅମୃତର ସହର ।

 

ସାଢ଼େ ଛଅଟାବେଳକୁ ଖ୍ରୀଷ୍ଟିଆନ ଲେନ୍‌ ମୋଡ଼ରେ ରିକ୍ସାଟି ପହଞ୍ଚି ସାରିଥିଲା । ରିକ୍ସାବାଲାଟି ଗଳିମୋଡ଼ରେ ଅଟକି ଓହ୍ଲେଇ ପଡ଼ିଥିଲା । ଅଗତ୍ୟା ଅନିମା ତା’ର ବ୍ୟାଗ୍‌ଟି ଧରି ଓହ୍ଲେଇଥିଲା ଓ ପଚାରିଥିଲା–କେତେ ପଇସା ?

 

: ପାଞ୍ଚ ଟଙ୍କା ? ଅନିମା ମନେମନେ ଟିକିଏ ବିରକ୍ତ ହେଇଥିଲା । ଏତିକି ବାଟକୁ ପାଞ୍ଚ ଟଙ୍କା ? ନୂଆ ଜାଗା । କିଛି କହିହେବ ନାହିଁ । ସେ ପାଞ୍ଚଟଙ୍କିଆ ନୋଟ୍‌ ଖଣ୍ଡେ ତା’ ବ୍ୟାଗ୍‌ରୁ ବାହାର କରି ରିକ୍ସାବାଲାକୁ ବଢ଼େଇ ଦେଇଥିଲା ।

 

ପଚାରି ପଚାରି ଅମୃତର ବସାଟା ପାଇବାକୁ ତାକୁ ଅଧଘଣ୍ଟା ସମୟ ଲାଗିଥିଲା । ବସ୍‌ଷ୍ଟାଣ୍ଡ୍‍ରେ ପହଞ୍ଚିଲାବେଳେ ତା’ ମନ ଭିତରେ ଉଇଁଥିବା ସରାଗ ଓ ସହର ପ୍ରତି ଅନୁରାଗ ତା’ ଭିତରେ ସେତେବେଳକୁ ନଥିଲା । ଗୋଟାଏ ବଖୁରିକିଆ ଘର । ବାରନ୍ଦାରେ ଅନ୍ଧାର, ଗେଟ୍‌ରେ ତାଲା ପଡ଼ିଛି । ସେଇଟାରେ ଅମୃତ ମହାପାତ୍ର ରହୁଛନ୍ତି ବୋଲି ପଡ଼ିଶା ଘରର ପିଲାଟି ଅନିମାକୁ କହିଥିଲା ।

 

“ଅମୃତ କୁଆଡ଼େ ଯାଇଛନ୍ତି କହିପାରିବ ?”

 

“ନା ମୁଁ ଜାଣିନାହିଁ, ସେ ସକାଳୁ କୁଆଡ଼େ ଯାଇଛନ୍ତି” କହି ପିଲାଟା ଦଉଡ଼ି ଦଉଡ଼ି ପଳେଇଯାଇଥିଲା ।

 

ଅନିମା ଏକଦମ୍‌ ଭାଙ୍ଗିପଡ଼ିଥିଲା । ଏମିତି ଏକ ନୂଆ ସହରରେ ଓ ସଞ୍ଜ ଅନ୍ଧାରରେ ତା’ ପରି ଗୋଟେ ବୟସ୍କା ଝିଅ କୁଆଡ଼େ ଯାଇପାରେ ଭାବି ବିବ୍ରତ ହୋଇଥିଲା । ଅମୃତ ଉପରେ ପ୍ରଚଣ୍ଡ ଅଭିମାନ ହେଇଥିଲା ଯେମିତି, ନିଜର ଅପରିଣାମଦର୍ଶିତା ପାଇଁ ଦୁଃଖବି ଲାଗିଥିଲା ସେମିତି । ଅନ୍ତତଃ ଚିଠି ଖଣ୍ଡେ ଦେଇ ଆସିଥିଲେ ଏମିତିକା ଅସ୍ୱସ୍ତିକର ପରିସ୍ଥିତିରେ ସେ ପଡ଼ି ନଥାନ୍ତା ବୋଲି ବାରମ୍ବାର ମନକୁ ମନ ସେ ଭର୍ତ୍ସନା କରୁଥିଲା ।

 

ସେ ଚାଲି ଚାଲି ପୁଣି ଗଳିମୋଡ଼ ଯାଏଁ ଆସିଥିଲା । ପାନ ଦୋକାନରେ ଟୋକା ଚାରିଟା ଛିଡ଼ା ହେଇଥିଲେ ଓ ଦୋକାନୀର ଟେପ୍‌ରେକର୍ଡ଼ରୁ ସିନେମା ଗୀତ ଫୁଲ୍‌ ଭଲ୍ୟୁମ୍‌ରେ ବାଜୁଥିଲା ।

 

ଅନିମା ରିକ୍ସାଟିଏ ଡାକିଥିଲା । ଠିକ୍‌ ସେତିକିବେଳେ ବୋଧହୁଏ କିଏ ଜଣେ ଦୋକାନ ସାମ୍ନାରୁ ଗଳାଖଙ୍କାର ମାରିଥିଲା । ଅନିମା ଭୀଷଣ କ୍ଷୁବ୍ଧ ହେଇଥିଲା ମନେମନେ ଏବଂ ରିକ୍ସା ଉପରକୁ ଉଠିପଡ଼ିଥିଲା ।

 

ଅଥଚ ସେ ଜାଣି ନଥିଲା କୁଆଡ଼େ ଯିବ । ଏ ସହରରୁ ରାଜଧାନୀକୁ ଫେରିବାପାଇଁ ସେତେବେଳେ କୌଣସି ବସ୍‌ ନାହିଁ ବୋଲି ସେ ଜାଣିଥିଲା । ଶେଷ ବସ୍‌ଟି ଚାଲିଯାଇଥିଲା ସାଢ଼େ ପାଞ୍ଚଟାରେ ଓ ଆସନ୍ତାକାଲି ସକାଳ ଛଅଟାରେ ଆଉ ଗୋଟାଏ ବସ୍‌ । କୌଣସି ହୋଟେଲ କିମ୍ବା ଲଜିଂକୁ ଯିବାପାଇଁ ତାକୁ ଭୟ ଲାଗୁଥିଲା । ସେ ଭ୍ୟାନିଟିବ୍ୟାଗ୍‌ରୁ କିଛିଦିନ ତଳେ ଅମୃତ ଲେଖିଥିବା ଚିଠିଟି ବାହାର କରି ସେଥିରୁ ଅମୃତର ସହକର୍ମୀ ବିକ୍ରମର ଠିକଣା ପଢ଼ିବାକୁ ଚେଷ୍ଟା କରିଥିଲା । ଅମୃତ କେବଳ ସୂଚନା ଦେଇଥିଲା ଯେ ବିକ୍ରମ ମହାନ୍ତି ମୋର ବନ୍ଧୁ । ସସ୍ତ୍ରୀକ ସେ ରହୁଛନ୍ତି ଆମ ଅଫିସ୍‌ ପାଖ ଷ୍ଟେଟ୍‌ ବ୍ୟାଙ୍କ୍‌ ଗଳିରେ । ଅନିମା ଟିକିଏ ସାହସ ପାଇଥିଲା ଓ ରିକ୍ସାବାଲାକୁ ଷ୍ଟେଟ୍‌ ବ୍ୟାଙ୍କ୍‌ ପାଖ ଗଳିକୁ ଯିବାପାଇଁ କହିଥିଲା ।

 

ରିକ୍ସାବାଲାଟା ଅନିମା ଆଡ଼କୁ ବୁଲିପଡ଼ି ପଚାରିଥିଲା, “ଆପଣ ଆଗରୁ କହିଲେ ନାହିଁ କାହିଁକି ? ମୋତେ ତ ପୁଣି ଫେରିବାକୁ ହେବ । ଷ୍ଟେଟ୍‌ ବ୍ୟାଙ୍କ୍‌ ତ ଖ୍ରୀଷ୍ଟିଆନ ଲେନ୍‌ ସେପଟେ ପଡ଼ିଥାନ୍ତା ।”

 

“ମୁଁ ନୂଆଲୋକ । ତମ ସହରର ରାସ୍ତାଘାଟ ଠିକଣା ଜାଣିନାହିଁ”–ଅନିମା କହିଥିଲା ନରମ ଗଳାରେ ଓ ରିକ୍ସାବାଲାକୁ ଅଧିକ ପାରିଶ୍ରମିକ ଦେବାର ପ୍ରତିଶ୍ରୁତି ଶୁଣାଇଥିଲା । ଷ୍ଟେଟ୍‌ ବ୍ୟାଙ୍କ୍‌ ରାସ୍ତା ଯିବା ବାଟରେ ସେଇ ଖ୍ରୀଷ୍ଟିଆନ ଛକ । ସାଏଁ ସାଏଁ କରି ନାଲିବତି ଲଗା ଦୁଇଟା ଧଳାରଙ୍ଗର ଆମ୍ବାସଡ଼ର ଅନିମାର ରିକ୍ସାକୁ ଅତିକ୍ରମି ଯାଇଥିଲେ । ସହରକୁ ନିଶ୍ଚୟ କୌଣସି ଭି.ଆଇ.ପି ଆସିଥିଲେ । ପଛେ ପଛେ ପୁଲିସ ଭ୍ୟାନ୍‌ ଓ ସରକାରୀ ଗାଡ଼ି । ଅନିମାର ରିକ୍ସାଟା ସେଇଠି ଦଶ ମିନିଟ୍‌ ଅଟକିଥିଲା ।

 

ରାତି ସେତେବେଳକୁ ଆଠଟା ହେଲାଣି । ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁଥିବା ଜାଗା ଅରାକ ଛାଡ଼ିଦେଲେ ବାକି ଆଡ଼େ ଝାପ୍‌ସା ଅନ୍ଧାର । ଷ୍ଟେଟ୍‌ ବ୍ୟାଙ୍କ୍‌ ଗଳିମୋଡ଼ ରାସ୍ତାଟା ପୂରାପୂରି ନିର୍ଜନ ଏବଂ ଠିକ୍‌ ସେଇ ନିର୍ଜନ ରାସ୍ତାରେହିଁ ଘଟିଥିଲା ଦୁର୍ଘଟଣା ।

 

ସାଏଁ କରି ଗୋଟାଏ ମଟର ସାଇକେଲ୍‌ ଅନିମା ବସିଥିବା ରିକ୍ସାକୁ ଅତିକ୍ରମ କରିଯାଇଥିଲା ଏବଂ ଅନିମା ଶାଢ଼ିର କାନିଟା ଝିଙ୍କି ହେଇଯାଇଥିଲା । ଅନିମା ତଳକୁ ଗଡ଼ି ପଡ଼ୁ ପଡ଼ୁ ରିକ୍ସାର ବାଡ଼ାକୁ ଧରି ରହିଯାଇଥିଲା । ଧାଏଁ କରି ତା’ ମୁଣ୍ଡଟା କଚି ହେଇଯାଇଥିଲା ରିକ୍ସା ଦେହରେ ।

 

ରିକ୍ସାବାଲା ବ୍ରେକ୍‌ କଷି ଅଟକିଥିଲା ।

 

ଶୂନଶାନ୍‌ ରାସ୍ତା । ମଟର ସାଇକେଲ୍‌ର ସବା ପଛରେ ବସିଥିବା ଯୁବକଟିର ଏ କାଣ୍ଡ । ଅନିମା ଥରୁଥିଲା । ଗୋଟେପଣେ ଭିଜିଯାଇଥିଲା ଝାଳରେ । ତା’ର ଛବିଶବର୍ଷ ଜୀବନରେ ଏମିତି ଅନୁଭୂତି କେବେବି ହେଇ ନଥିଲା । ସେ ନିଜକୁ ନିଜେ ପୁଣି ଧିକ୍‌କାରିଥିଲା ଓ କାହିଁକି ଏଠିକି ଆସିଲା ବୋଲି ମନକୁ ମନ କହିଥିଲା । ଅମୃତର ଅନୁପସ୍ଥିତିରେ ତା’ ଉଦ୍ଦେଶ୍ୟରେ ଗାଳିଗୁଲଜର ଶବ୍ଦଗୁଡ଼ାଏ ଫିଙ୍ଗିଥିଲା ଶୂନ୍ୟରେ । ରିକ୍ସାବାଲା ଉପରେ ଅଯଥାରେ ବିଗିଡ଼ିଥିଲା ଏବଂ ଶୀଘ୍ର ଶୀଘ୍ର ଚାଲିଥିଲେ ଏତେବେଳକୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ପାରିଥାନ୍ତା ବୋଲି କହିଥିଲା । ଅଥଚ ଅନିମା ଜାଣିଥିଲା ଯେ ତା’ର ଗନ୍ତବ୍ୟ ସ୍ଥାନଟା ତାକୁ କଦାପି ମିଳିବ ନାହିଁ ।

ଅନିମା ତୁଣ୍ଡର କଥା ସରିନାହିଁ, ସାମ୍ନାପଟୁ ସେଇ ମଟର ସାଇକେଲ୍‌ଟା ପୁଣି ଆଗେଇ ଆସି ତା’ ରିକ୍ସା ସାମ୍ନାରେ ବ୍ରେକ୍‌ ଦେଇଥିଲା । କେଁ ଶବ୍ଦ କରି ସାଇକେଲ୍‌ଟା ରହିଯିବାକ୍ଷଣି ପଛରେ ବସିଥିବା ଦି’ ଜଣଯାକ ଓହ୍ଲାଇ ପଡ଼ିଥିଲେ ଓ ଅନିମା ପାଖକୁ ମାଡ଼ିଆସିଥିଲେ । ଅନିମାର ବୁଦ୍ଧି ହଜିଯାଇଥିଲା । ସେ ଲୁଗାର କାନିଟାକୁ ନିଜ ହାତମୁଠାରେ ଭିଡ଼ି ଧରି ଅନିଶ୍ଚିତ ଭବିଷ୍ୟତକୁ ଅପେକ୍ଷା କରୁଥିଲା ।

କାଳିଆ ହେଇ ଡେଙ୍ଗା ଟୋକାଟା ପୁଣିଥରେ ଭିଡ଼ି ଦେଇଥିଲା ଅନିମାର ଲୁଗାକାନି । ଅନିମା ଆଖିରୁ ନିଆଁଝୁଲ ଖସିପଡ଼ିଥିଲା । ପ୍ରଥମ ଟୋକାଟାର କୁକର୍ମକୁ ଅନୁମୋଦନ ଜଣାଇ ଆର ଦିଇଟା ଟୋକା ହସୁଥାଆନ୍ତି ।

: ଆବେ, ଚୁହୁଁଛୁ କ’ଣବେ ? ଭାଗ୍‌, ପଳା ଏଠୁ । ମଟର ସାଇକେଲ୍‌ ଉପରେ ବସିଥିବା ଟୋକାଟି ରିକ୍ସାବାଲାକୁ ହୁକୁମ ଦେବା ଭଙ୍ଗୀରେ କହିଥିଲା ଓ ବିଚରା ରିକ୍ସାବାଲା ଅନିମାକୁ ମଝି ରାସ୍ତାରେ ଛାଡ଼ି ଦୂରକୁ ଘୁଞ୍ଚିଯାଇଥିଲା । ଠିକ୍‌ ସେତିକିବେଳେହିଁ ପହଞ୍ଚିଥିଲା ଏଇ ପୁଲିସ ଜିପ୍‌ଟା ।

ଈଶ୍ୱରଙ୍କୁ ଧନ୍ୟବାଦ, ଜିପ୍‌ଟା ବ୍ରେକ୍‌ କଷି ଅଟକିଥିଲା । ପୁଲିସ ଜିପ୍‌କୁ ଦେଖି ଟୋକାଗୁଡ଼ିକ ପଳେଇଯିବାକୁ ବସୁଥିଲେ । ସବାପଛରେ ବସିଥିବା ଟୋକାଟି ବସିବା ପୂର୍ବରୁ ମଟର ସାଇକେଲ୍‌ଟା ଦି’ ଜଣଙ୍କୁ ନେଇ ଚାଲିଯାଇଥିଲା । ପୁଲିସ ଜଣକ ଦଉଡ଼ିଯାଇ ତୃତୀୟ ଟୋକାଟାକୁ କାବୁ କରିନେଇଥିଲା ।

ଅନିମା ହିନ୍ଦୀ ଫିଲ୍ମର ଦୃଶ୍ୟଟେ ଦେଖିବା ଭଳି ଛିଡ଼ା ହେଇଥିଲା ମଝିରାସ୍ତାରେ । ତା’ର ହାତଗୋଡ଼ ଝାଳେଇ ଯାଇଥିଲା ଅନେକବେଳୁ ।

“କୁଆଡ଼େ ଯିବେ ?” –ପୁଲିସ ପଚାରୁଥିଲା ।

ଅନିମା ଚମକି ପଡ଼ିଥିଲା । କ’ଣ ଉତ୍ତର ଦେଇଥାନ୍ତା ଏ ପ୍ରଶ୍ନର ?

କୌଣସି ନିର୍ଦ୍ଦିଷ୍ଟ ଠିକଣା ଯେ ଏବେ ତା’ପାଖେ ନାହିଁ, ସେ କଥା ସେ କହିପାରିଥାନ୍ତା କି-? କହିପାରିଥାନ୍ତା କି ସେ ଅମୃତକୁ ଦେଖା କରିବାପାଇଁ ଏକାକୀ ଚାଲିଆସିଛି ଏତେଦୂରରୁ ରାଜଧାନୀରୁ ଦୁଇଶହ କିଲୋମିଟର ଦୂରର ଏ ସହରକୁ । ଅମୃତ ପୁଣି ତା’ର କିଏ ? ଭାଇ, ଦାଦା, ବାପା ନା ଆଉକିଛି ? କହିପାରିବ କି ଅମୃତ ବୋଲି ଗୋଟେ ଯୁବକଙ୍କୁ ସେ ଭଲପାଉଛି, ଯିଏ ଏ ସହରରେ ରହେ; କିନ୍ତୁ ଆଜି ସକାଳୁ କୁଆଡ଼େ ଚାଲିଯାଇଛି ଏବଂ ଅନିମା ତାକୁ ଖୋଜୁଛି-

“ଆପଣ କୁଆଡ଼େ ଯିବେ ?”

ଅନିମା ପୁଣି ନିରବ ।

–“ଆପଣ ଘରୁ ରାଗି ପଳେଇ ଆସିନାହାନ୍ତି ତ ?”

–“ନା, ନା, ଜଣେ ରିଲେଟିଭ୍‌ଙ୍କ ଘରକୁ ଆସିଥିଲି । ସେ କିନ୍ତୁ ଆଜି ସକାଳୁ ଚାଲିଯାଇଛନ୍ତି ରାଜଧାନୀ । ଆଜି ମୁଁ ଲଜିଂରେ ରହି କାଲି ସକାଳୁ ଫେରିଯିବି ।” ଅନିମା ବାନ୍ତି କଲାପରି ଏତକ ଶବ୍ଦ ଅଜାଡ଼ି ପକେଇଲା ।

 

–“ଆପଣ ଜିପ୍‌ରେ ବସନ୍ତୁ ।”

 

ଅନିମା ପ୍ରତିବାଦ କରିବାକୁ ଚାହିଁଥିଲା ପ୍ରଥମେ; ମାତ୍ର କରିପାରିଲା ନାହିଁ । ସେ ଭୀଷଣ ଭୟ ପାଇଯାଇଥିଲା । ଇମିତି ଜଣେ ପୁଲିସ ଅଫିସର ସାଙ୍ଗେ ଅଚିହ୍ନା ସହରରେ ଭେଟ ହେଇଯିବାର ଯୋଜନା କେବେ ତା’ର ନଥିଲା ।

 

“ଭୟ କରନ୍ତୁ ନାହିଁ । ମୁଁ ଏଠିକାର ଏସ୍‌.ପି.। ଆପଣଙ୍କର କେହି ରିଲେଟିଭ୍‌ ଥିଲେ ଡ୍ରାଇଭର ଛାଡ଼ି ଦେଇଥାନ୍ତା । ସେପରି କେହି ଥିଲାପରି ମୋର ମନେ ହେଉନାହିଁ । ଆଜି ରାତିଟା ରହିଯାଆନ୍ତୁ । କାଲି ସକାଳୁ ରାଜଧାନୀ ଫେରିଯିବେ ।”

 

ଅନିମା ନିରବ ।

 

ଆକାଶଟା ଗୁମ୍‌ଗୁମ୍‌ । ଅସ୍ୱସ୍ତିକର ଲାଗୁଥିଲା ଏମିତି ପାଗ । ମୁଣ୍ଡ ଉପରେ କ’ଣଟାଏ ଫଡ଼୍‌କରି ଉଡ଼ିଯାଇଥିଲା । ବାଦୁଡ଼ି ନା ପେଚା ? ଅନିମା ଏବେ ଜିପ୍‌ରେ । ନିର୍ଜନ ରାସ୍ତାରେ ଥଣ୍ଡା ପବନ ଅନିମାକୁ ଟିକିଏ ଭଲ ଲାଗୁଥିଲା । ପୂରାପୂରି ଝାଳେଇ ଯାଇଥିଲା ତ ଆଗରୁ । ଏବେ କିନ୍ତୁ ସେ ବେଶ୍‌ ସ୍ୱଚ୍ଛନ୍ଦ ମନେ କରୁଥିଲା, ଯଦିଓ ପୁଲିସ ଜିପ୍‌ରେ ବସିବାଟାକୁ ସେ ଆଦୌ ଅନୁମୋଦନ କରିପାରୁ ନଥିଲା ।

 

ଏସ୍‌.ପି. ନିଜ କ୍ୱାଟର୍ସ ସାମ୍ନାରେ ଜିପ୍‌ ରଖିଲେ ଓ ଷ୍ଟାର୍ଟ୍ ବନ୍ଦକରି ଜିପ୍‌ରୁ ଓହ୍ଲେଇଗଲେ-। ଅନିମା ତଥାପି କିଛି ସମୟ ବସିରହିଥାଏ । ସମ୍ପୂର୍ଣ୍ଣ ନର୍ଭସ ହେଇପଡ଼ିଥାଏ ସେ ସେତେବେଳକୁ-

 

–“ଆସନ୍ତୁ । ଆପଣ ଭିତରକୁ ଯାଆନ୍ତୁ । ମୁଁ କଣ୍ଟ୍ରୋଲରୁମ୍‌ରୁ ଆସୁଛି ।”

ଅନିମା ବଳି ମୁହଁକୁ ଭିଡ଼ାହେଉଥିବା ଛେଳିଟେ ପରି ଜିପ୍‌ରୁ ଓହ୍ଲେଇ ଲୋକଟାକୁ ଅନୁସରଣ କଲା । ପ୍ରଶସ୍ତ ଡ୍ରଇଂରୁମ୍‌ । ତଳେ ନରମ କାର୍ପେଟ୍‌ । ନୂଆ ଡିଜାଇନ୍‌ର ସୋଫାସେଟ୍‌ । ସୁନ୍ଦର ଗ୍ଲାସ୍ ଫିଟିଙ୍ଗ୍‌ ଟି–ପୟ ଓ ତା’ ଉପରେ ପର୍ସିଲେନ୍‌ ଫୁଲଦାନି । ବୁକ୍‌ସେଲ୍ଫ ମଝିରେ ଗୋଟାଏ କାଚ ଭିତରେ ଅତିକାୟ କଙ୍କଡ଼ାଟିଏ । କଙ୍କଡ଼ା ? ଅନିମା ଚମକି ପଡ଼ିଲା ଓ ଉଠି ଛିଡ଼ା ହେଇପଡ଼ିଲା ।

–“ମାଆ, ଚା’ ଟିକେ ପିଇଦେଇ ଲୁଗାପଟା ବଦଳେଇନବ ଯାଅ ।”

ପଛକୁ ଘୂରି ଦେଖିଲା, ପଚାଶରୁ ବେଶୀ ବୟସର ଭଦ୍ରମହିଳା ଚା’କପ୍‌ଟେ ଧରି ଛିଡ଼ା ହେଇଛନ୍ତି ।

“ମୁଁ ସିଦ୍ଧାର୍ଥର ମାଆ ।”

ଅନିମା ହାତଯୋଡ଼ି ପ୍ରଣାମ କଲା ଏବଂ ବସିପଡ଼ିଲା ।

ଏବେ ତାକୁ ଆଗ ଅପେକ୍ଷା କିଛିଟା ସହଜ ଲାଗୁଥିଲା । ସେ ଚା’ ପିଉ ପିଉ ଉଠିଯାଇ କଙ୍କଡ଼ାର ପାଖାପାଖି ହେଲା । ନା, କଙ୍କଡ଼ାଟା ଜିଅନ୍ତା ନୁହେଁ, ମୃତବି ନୁହେଁ–ସେଇଟା ଗୋଟାଏ ମଡ଼େଲ୍‌ । କାଠ ତିଆରି କାମ । ଶିଳ୍ପୀ ଅତି ଜୀବନ୍ତଭାବେ କଙ୍କଡ଼ାଟି ତିଆରିଛନ୍ତି । ଦେଖିବା ଲୋକର ଭ୍ରମ ହେବା ସ୍ୱାଭାବିକ । ଅନିମା ପୁଣି ଫେରି ଆସିଲା ତା’ ବସିବା ଜାଗାକୁ ।

 

ପାଖ ଟେଲିଫୋନ୍‌ଟା ବାଜିଉଠିଲା ।

 

ଅନିମା ସେଇ ଶବ୍ଦରେ ବୁଲିପଡ଼ି କାନ୍ଥକୁ ଚାହିଁବାମାତ୍ରେ ତା’ ଆଖି ଦୁଇଟା ଛାଏଁ ବୁଜି ହେଇଗଲା । ଗୋଟାଏ ନ୍ୟୁଡ଼୍ ପେଣ୍ଟିଙ୍ଗ୍ । ଇସ୍‌... ଲୋକଟାର କି ରୁଚି ! ଅନିମା ପରି ସ୍କୁଲ୍‌ ଶିକ୍ଷକଙ୍କ ଝିଅ ଡ୍ରଇଂରୁମ୍‌ରେ ନ୍ୟୁଡ଼୍ ପେଣ୍ଟିଙ୍ଗ୍‍ଟାକୁ ଆଦୌ ବରଦାସ୍ତ କରିପାରୁ ନଥିଲା ।

 

ମନକୁ ମନ ବନ୍ଦ ହେଇଯାଇଥିଲା ଟେଲିଫୋନ୍‌ର ଶବ୍ଦ । ବୋଧେ ସିଦ୍ଧାର୍ଥଙ୍କ ମାଆ କାହାସଙ୍ଗେ କଥା ହେଉଛନ୍ତି । ରାତି ନଅଟା ବାଜିଲାଣି । ଛୋଟିଆ ସହର । ରାସ୍ତାଘାଟ ନିରବ ହେଇଗଲାଣି । ଜାତୀୟ ରାଜପଥରେ ଟ୍ରକ୍‌ କେତୋଟି ପଛକୁ ପଛ ଚାଲିଛନ୍ତି । ସେଇ ଶବ୍ଦ ଯାହା ଶୁଭୁଛି । ଟ୍ରକ୍‌ଗୁଡ଼ାକର ହେଡ଼୍‍ଲାଇଟ୍‌ କିଛି ସମୟପାଇଁ ଶାଳ ଗଛମାନଙ୍କୁ ଆଲୋକିତ କରି ପୁଣି ଦୂରେଇ ଯାଇଛି ।

 

ଅନିମା ଭୀଷଣ କ୍ଳାନ୍ତ ଓ ଅବସନ୍ନ ବୋଧ କରୁଥିଲା । ଆଠ ଘଣ୍ଟାର କ୍ଳାନ୍ତିକର ବସ୍‌ ଯାତ୍ରା, ଅମୃତର ଅନୁପସ୍ଥିତି, ଅପ୍ରୀତିକର ଦୁର୍ଘଟଣା ଓ ସର୍ବୋପରି ଗୋଟାଏ ପୁଲିସ ଅଫିସର ସାଙ୍ଗେ ଦୁର୍ଭାଗ୍ୟଜନକ ମୁହାଁମୁହିଁ ତାକୁ ସମ୍ପୂର୍ଣ୍ଣ ମ୍ରିୟମାଣ କରିଦେଇଥିଲା ।

 

“ଖାଇଦିଅ ମାଆ । ସିଦ୍ଧାର୍ଥର ଡେରି ହେବ । କ’ଣ କାହାକୁ ଆରେଷ୍ଟ୍‌ କରିଛି ଯେ ଘନଘନ ସର୍କିଟ୍‌ ଅଫିସ୍‌ରୁ ଫୋନ୍‌ ଆସୁଛି । ମିନିଷ୍ଟର ଆଜି ଆସିଛନ୍ତି ତ ! ସେଇ ଡ୍ୟୁଟିରେ ସେ ଥିବ ।”

 

ଅନିମାକୁ ଭୋକ ହେଉଥିଲେବି ଖାଇବାକୁ ଇଚ୍ଛା ହେଉ ନଥିଲା । ସେ ଖାଲି ଗୋଟାଏ କଥା ପ୍ରାର୍ଥନା କରୁଥିଲା–ଯେତେ ଶୀଘ୍ର ସମ୍ଭବ ରାତିଟା ପାହିଯାଉ । ସିଏ ରାଜଧାନୀ ଫେରିଯିବ । ଅଥଚ ସମୟ ଏଇନେ ମାତ୍ର ନଅଟା ପନ୍ଦର । ଆଉରି ଦଶଘଣ୍ଟା ବାକି ସକାଳ ହେବାକୁ । ଦୁର୍ଘଟଣାର ରାତିସବୁ ଅଜଗର ପରି ମନ୍ଥର ଲାଗନ୍ତି କାହିଁକି କେଜାଣି ?

 

ଅନିମା ଅନିଚ୍ଛା ସତ୍ତ୍ୱେ ଉଠିଲା । ବାଥ୍‌ରୁମ୍‌ ଯାଇ ମୁହଁ ଧୋଇ ଆସିଲା ଓ ଖାଇବା ଟେବୁଲ୍‌ ପାଖେ ବସିଲା ।

 

“ଲୁଗା ବଦଳେଇବ ନାହିଁ ମା’ ?”

 

“ନା ।” ଅନିମା ଶବ୍ଦଟି ଉଚ୍ଚାରଣ କରିସାରିବା ପରେ ଟିକେ ଚମକିପଡ଼ିଲା । ଖୁବ୍‌ ଟାଣଗଳାରେ ସେ କହିଥିଲା ଏ ଶବ୍ଦଟି ।

 

: ତୋ ଇଚ୍ଛା । ମୁଁ ଶୋଉଛି । ସିଏ କେତେବେଳେ ଆସିବ କିଏ ଜାଣେ ! ତୁ ସେ ଘରେ ଶୋଇପଡ଼ ।

 

ବୁଢ଼ୀ ବାରନ୍ଦା ଲାଇଟ୍‌ ଲିଭେଇଦେଇ ଚାଲିଗଲେ ।

 

ଅନିମା ଏକାକୀ, ଉପରେ ପଙ୍ଖା ଘୂରୁଛି । ଝର୍କା ଦେଇ ପଶି ଆସୁଛି ମେଞ୍ଚାଏ ଶୀତୁଆ ପବନ । କେହି ଆସୁନାହିଁ, କେହି ଯାଉନାହିଁ । ଆଖି ବୁଜିହେଇ ଆସୁଥିଲେବି ଶୋଇବାକୁ ଇଚ୍ଛା ହେଉନାହିଁ । ଗୋଟାଏ ଆଶଙ୍କାରେ ଅନିମା କେବଳ ସମୟ ବିତଉଛି ।

 

ହଠାତ୍‌ ଲାଇନ୍‌ ଚାଲିଗଲା ।

 

ଘରେ ଓ ବାହାରେ କଳା କିଟିକିଟି ଅନ୍ଧାର ।

 

ଦୂରରେ, ଅନେକ ଦୂରରେ ଶୁଭୁଥିଲା ଗୋଟାଏ ବୁଲା କୁକୁରର ରଡ଼ି ।

 

ଜହ୍ନଟା ଲୁଚିଯାଇଥିଲା ଶାଳଗଛ ସେପଟେ ।

 

ଧଡ଼୍‌କରି କବାଟଟା ଖୋଲିଗଲା ।

 

ଅନିମା ଚମକିପଡ଼ିଲା ଏବଂ ନିଜର ପିନ୍ଧା ଲୁଗାଟାକୁ ଭିଡ଼ି ଧରିଲା ଅସହାୟଭାବେ ।

 

ଲାଇନ୍‌ ଚାଲିଯାଇଥିବା ଯୋଗୁଁ ବୁଢ଼ୀ ମହମବତୀଟେ ଆଣି ଅନିମା ପାଖ ଟି–ପୟ ଉପରେ ଥୋଇଦେଇ ଚୁପ୍‌ଚାପ୍‌ ସେ ଘରୁ ବାହାରିଯାଉଥିଲେ କବାଟ ଆଉଜେଇଦେଇ ।

 

ଅନିମା ଭୟରେ ଆଖି ବନ୍ଦ କରିଦେଇଥିଲା । ଏବେ ଆଖି ଖୋଲିଲା ।

 

ମହମବତୀର ନାଲିଚିଆ ଆଲୁଅ ଭିତରେ ଝାଳେଇ ଯାଇଥିବା ଅନିମା ଏବଂ ଝରକା ସେପଟେ ଅଦୃଶ୍ୟ ଅନ୍ଧାର ।

 

ଯେତେ ଚେଷ୍ଟା କଲେବି ଆଖି ବନ୍ଦ ହେଉନାହିଁ । ସବୁ ମୁହୂର୍ତ୍ତରେ ଗୋଟାଏ ଅଜଣା ଆଶଙ୍କା । ଝାପ୍‌ସା ଆଲୁଅ ଭିତରେ ନ୍ୟୁଡ଼୍ ପେଣ୍ଟିଙ୍ଗ୍ ଅଶ୍ଳୀଳ ଦିଶୁଛି । କଙ୍କଡ଼ାଟା ଭୟଙ୍କର ମନେହଉଛି । ଆଉଥରେ ଲାଇନ୍‌ ଆସିବା ଅନିମା ଜାଣେ ନାହିଁ । ସେତେବେଳକୁ ସେ ଗୋଟାଏ ସ୍ୱପ୍ନ ଭିତରେ ଡୁବିଯାଇଛି–

 

: ମଦ୍ୟପ ଓ ବାଘ ପରି ଦିଶୁଥିବା ଗୋଟାଏ ପୁଲିସ ଅଫିସର କବାଟ ଖୋଲି ତା’ ବିଛଣା ଆଡ଼କୁ ଧାଇଁ ଆସୁଛି । ଅଭଦ୍ର ଭଙ୍ଗୀରେ ତା’ ଆଡ଼କୁ ଚାହୁଁଛି ଓ ଧୀରେ ଧୀରେ ନିଜ ଦେହରୁ ଖୋଲିଦେଉଛି ବେଲ୍‌ଟ, କୁର୍ତ୍ତା ଓ ପାଇଜାମା । ଅନିମା ସନ୍ତ୍ରସ୍ତ ଭଙ୍ଗୀରେ କାନ୍ଥକୁ ଜାବୁଡ଼ି ଧରିଛି ଓ ଚିତ୍କାର କରିଛି ବାହାର ରାସ୍ତାରେ ଯାଉଥିବା ମଣିଷମାନଙ୍କ ଉଦ୍ଦେଶ୍ୟରେ । ବାହାରେ ଅନେକ ଲୋକ, ଅଥଚ କେହି ଶୁଣିପାରୁନାହାନ୍ତି ଅନିମାର ଚିତ୍କାର । ସେ ଛାତିବାଡ଼େଇ, ଲୁହଲୁହାଣ ହୋଇ ଧାଉଁଛି ଘରର ଏ କୋଣରୁ ସେ କୋଣ ।

 

ଅନିମା ଚିତ୍କାର କରି ଉଠିପଡ଼ିଲା । ମୁଣ୍ଡ ଉପରେ ଲାଇଟ୍‌ ଓ ଆଲୋକିତ ଏକଲା ପ୍ରକୋଷ୍ଠ । ଅନିମା ଉଠିଯାଇ ଭିତର ପଟୁ କବାଟ ବନ୍ଦ କରିଦେଇ ଆସିଲା ଏବଂ ବସିପଡ଼ିଲା ବିଛଣା ଉପରେ । ପୁଣିଥରେ ସକାଳ ପହରୁ ଏଯାଏଁ ଘଟି ଆସିଥିବା ଘଟଣାଗୁଡ଼ିକର ରୋମନ୍ଥନ କଲା ରାତି ପାହିବାକୁ ଅପେକ୍ଷା ଭିତରେ ।

 

ପାଖ ରୁମ୍‌ର ଟେଲିଫୋନ୍‌ଟା ବାଜୁଥିଲା । ପ୍ରତି ଘଣ୍ଟାଏ ଅଧଘଣ୍ଟାଏ ଅନ୍ତରରେ ବାଜୁଥିଲା ଓ ମନକୁ ମନ ବନ୍ଦ ହେଇଯାଉଥିଲା ।

 

–“କିଏ ?” କବାଟ ଠକ୍‌ ଠକ୍‌ ଶବ୍ଦ ଶୁଣି ଅନିମା ନିଦ ମଳମଳ ଆଖିରେ ପଚାରିଲା ।

–“ସକାଳ ଆଠଟା ହେଲାଣି ମା’ । କବାଟ ଖୋଲ ।”

ଅନିମା ଧଡ଼୍‌କରି ଉଠିପଡ଼ିଲା । ତା’ର ହୋସ୍‌ ହେଲା ଯେ ସେ ରାଜଧାନୀର ତା’ ଭଡ଼ାଘରେ ନୁହେଁ, ଅଜଣା ଅପରିଚିତ ସହରର ଜଣେ ଅଚିହ୍ନା ଲୋକଙ୍କ ଘରେ ଅଛି ।

ଦୁଆର ସେପଟେ ବୁଢ଼ୀ ଠିଆହେଇଥିଲେ । ହାତରେ ଚା’ କପ୍‌ ।

–“ବହୁତ ବେଳ ଯାଏଁ ଶୋଇପଡ଼ିଲ ତ ମା’ ? ହଉ ଗାଧୁଆପାଧୁଆ କାମ ସାରିଦିଅ । ମୁଁ ଜଳଖିଆ ବାଢ଼ି ଦେଉଛି ।”

ଠିକ୍‌ ନଅଟାବେଳକୁ ଏସ୍‌.ପି.ଙ୍କ କାର୍‌ ଆସି ପୋର୍ଟିକୋରେ ଲାଗିଲା । ଏସ୍‌.ପି. ସିଦ୍ଧାର୍ଥ ତରତରରେ ଓହ୍ଲେଇ ଆସୁ ଆସୁ ଅନିମା ଉଦ୍ଦେଶ୍ୟରେ କହିଲେ, “ଗୁଡ଼୍ ମର୍ନିଙ୍ଗ୍‍ ମାଡ଼ାମ୍‌ ! ଆପଣଙ୍କର କିଛି ଅସୁବିଧା ହେଲାନାହିଁ ତ ଆମ ଘରେ ?”

“ଇସ୍‌, ତମାମ ରାତିଟା ଅନିଦ୍ରା ରହିଛନ୍ତି କି ଆପଣ ? ଆଖି ଦୁଇଟା ଆପଣଙ୍କର ସେମିତି ଦିଶୁଛି ଯେ !” ଯଥେଷ୍ଟ ଆନ୍ତରିକତାର ସହ ଅନିମା ଉତ୍ତର ଫେରେଇଲା । ଅନିମା ଦିନ ଆଲୁଅରେ ଯଥେଷ୍ଟ ସାହସ ପାଇଥିଲା ।

“ହଁ, ମିନିଷ୍ଟର କାଲି ଥିଲେ ମୋ ସହରରେ । ବାରମ୍ବାର ଫୋନ୍‌ ଆସୁଥିଲା ସେଇ ଟୋକାଟାକୁ ଛାଡ଼ିଦେବା ପାଇଁ । ଧମକବି । ଛାଡ଼ନ୍ତୁ ଏସବୁ ଖେଳର ନିୟମ । ଆପଣଙ୍କୁ ଡ୍ରାଇଭର ନେଇ ବସ୍‌ଷ୍ଟାଣ୍ଡ୍‍ରେ ଛାଡ଼ିଦେଇ ଆସିବ । ଆପଣଙ୍କ ଟିକେଟ୍‌ ଡ୍ରାଇଭର ପାଖରେ ଅଛି ।”

 

ଅନିମା ଏବେ ବରଫ ପାଲଟିଯିବ କି ଭିତରେ ଭିତରେ ? ଏ ଲୋକଟି କେତେ ଭଦ୍ର ଓ ଉଦାର ! ଅଥଚ ଏମିତି ଏକ ଲୋକକୁ ନେଇ ସେ ମନେମନେ କାଲି ସନ୍ଧ୍ୟାରୁ ଆଜି ସକାଳ ପର୍ଯ୍ୟନ୍ତ କେତେ ବିଚିତ୍ର ଧାରଣା ସବୁ କରି ବସି ନଥିଲା ! ସେ ଏସ୍‌.ପି.ଙ୍କୁ ପଚାରିଲା, “ଆପଣ କାଲି ରାତିରେ ଥିଲେ କେଉଁଠି ? ଘରକୁ ଆସିଲେ ନାହିଁ । ମାଆ ବ୍ୟସ୍ତ ହେଉଥିଲେ ।”

 

–“ମାଆ ?”

 

–“ଆଇ ମିନ୍‌–ଆପଣଙ୍କ ମାଆ !”

 

–“ନା ନା–ତାଙ୍କୁ ପଚାରନ୍ତୁ ସେ ଆଦୌ ବ୍ୟସ୍ତ ହେଇ ନଥିବେ । ମା’ ମା’, ତୁ ବ୍ୟସ୍ତ ହେଇଥିଲୁ ?”

 

ଅନିମା ସ୍ୱପ୍ନର ସେଇ ଭୟଙ୍କର ପୁଲିସ ଅଫିସରଟା ଏବେ ଆଲୁଅରେ ଦିଶୁଥିଲେ ଅବୁଝା ସାନ ପିଲାଟେ ପରି ।

 

ଅନିମା ଧୀରେ ଧୀରେ ଯାଇ ବୁଢ଼ୀଙ୍କ ପାଦଛୁଇଁ ପ୍ରଣାମ କଲା ଓ କହିଲା, “ଭୁବନେଶ୍ୱରରେ ପହଞ୍ଚିବାମାତ୍ରେ ଆପଣଙ୍କୁ ଚିଠି ଦେବି । ଆପଣମାନେ ବହୁତ ଭଲ ।”

 

ସେ ଗାଡ଼ି ଭିତରେ ଯାଇ ବସିଲା ।

 

ପଛରୁ ସିଦ୍ଧାର୍ଥ ପଚାରୁଥିଲେ, “କେଉଁ ଠିକଣାରେ ଚିଠି ଦେବେ ଯେ ଆମକୁ ଆପଣ ?”

 

–“କାହିଁକି, ସିଦ୍ଧାର୍ଥ ଦାସ, ଏ ଜିଲ୍ଲାର ପୁଲିସ ଏସ୍‌.ପି.ଙ୍କ ଠିକଣାରେ ।”

 

–“ନାଇଁ ନାଇଁ ପୁଲିସ ଏସ୍‌.ପି. କଳାହାଣ୍ଡି କି କୋରାପୁଟ ବୋଲି ଠିକଣାରେ ଲେଖିବେ-। ଆମର ମନ୍ତ୍ରୀମାନେ ରାଗିଗଲେ ଆମକୁ ଏ ଦୁଇଟା ଜିଲ୍ଲା ଭିତରୁ ଗୋଟିକକୁ ବଦଳି କରିଥାନ୍ତି-।”

 

ଅନିମା ହଠାତ୍‌ ଦୁଃଖୀ ଦିଶିଲା ।

 

–“ନାଇଁ ନାଇଁ, ମୁଁ ଜୋକ୍‌ କରୁଥିଲି ।”

 

ସିଦ୍ଧାର୍ଥ ହସିଲେ । ବୁଢ଼ୀବି ।

 

ଅନିମା ହାତ ହଲେଇଲା । ଏବେ ବିଦାୟର ମୁହୂର୍ତ୍ତ ।

Image

 

ଭାରତବର୍ଷ

ଚଉଧୁରୀ ପୋଖରୀ

 

ଷ୍ଟେସନ୍‌ରୁ ଓହ୍ଲେଇ ସିଧା ପୂର୍ବମୁହାଁ ଚାଲିଗଲେ ପହିଲେ ଦି’ କଡ଼େ ଧାନବିଲ, ତା’ପରେ ଶାଶୁଭୁଆସୁଣୀ ଗୋହିରି ଡେଇଁ ଯେଉଁ ରାସ୍ତାଟି ହୃଷ୍ଟପୁଷ୍ଟ ଚଉଡ଼ା ଛାତିରେ ବର୍ଚ୍ଛାର ଫଳକ ପରି ଆମ୍ବ, ଲଙ୍କାଆମ୍ବ, ଗୁଆ ଓ ବାଉଁଶ ବଣ ଭିତର ଦେଇ ନଈଆଡ଼କୁ ମୁହେଁଇଯାଇଛି, ସେଇ ଗାଁଟା ରାଧାଦେଈପୁର । ଷ୍ଟେସନ୍‌ରୁ ଚାଲି ଚାଲି ଗଲେ ଘଣ୍ଟାକର ବାଟ, ସାଇକେଲ୍‌ରେ ଗଲେ ପନ୍ଦର ମିନିଟ୍‌ । ରାସ୍ତା ଦି’ କଡ଼େ ଟିଣ ଡ୍ରମ୍‌, ଗୁଗୁଚିଆ ବଣ, କଣ୍ଟା ବାବୁଲା, ଢିମା ପଥର, ରେଳଧାରଣାର ଟୁକୁଡ଼ା ଖଣ୍ଡ, ମାଳମାଳ ବର, ଅଶ୍ୱତ୍‌ଥ ଗଛ । ରାସ୍ତାଟି ତୋଟାପଡ଼ା ଛକଠାରୁ ଆହୁରି ସଂକୀର୍ଣ୍ଣ ହେଇ ରବରଫିତା ଟାଣିନେଲା ପରି ଘୋଷାଡ଼ି ଘୋଷାଡ଼ି ହୋଇ ଯେଉଁଠି ଅଟକିଛି, ସେଇଟା ନାରାୟଣ ଚୌଧୁରୀଙ୍କ ଘରର ସଦର ଦରଜା । ସକାଳୁ ଉତିଆଣି ସଞ୍ଜଯାଏ ଚୌଧୁରୀଏ ତାଙ୍କ ବୈଠକଖାନାରେ ବସିରହନ୍ତି ।

 

ଚଉଧୁରୀଙ୍କ ବଂଶପରମ୍ପରା ପରି ଏ ବୈଠକଖାନାରବି ଗୋଟେ ଇତିହାସ ଅଛି । କାନ୍ଥ ଉପରେ ଚଉଧୁରୀଙ୍କ ପିତା, ପିତାମହ, ପ୍ରପିତାମହଙ୍କ ତୈଳଚିତ୍ର । ଶିଶୁକାଠର ଗୋଟେ ବିରାଟ ଉଚ୍ଚା ଚୌକି ଓ ସାମ୍ନାରେ ଖଣ୍ଡିଏ ଶାଗୁଆନ ଟେବୁଲ । ସେ ଚୌକି ଉପରେ ଚୌଧୁରୀ ଆଜିକାଲି ବସନ୍ତି ନାହିଁ, ଏକଦା ବସୁଥିଲେ । ପାଖରେ ବେତର ଆରାମ ଚଉକି । ସେଇ ଚୌକିରେ ବସି ସେ ତାଙ୍କ ପାଖକୁ କେବେ କେମିତି ଆସୁଥିବା ଜଣେ ଦି’ ଜଣ ଗାଁ ଲୋକଙ୍କ ସାଙ୍ଗେ ଗପ୍‍ସପ୍ କରନ୍ତି ।

 

କେତେ ଶୀଘ୍ର ସବୁକିଛି ବଦଳିଯାଏ ! ଚଉଧୁରୀ ଲକ୍ଷ୍ୟ କରୁଛନ୍ତି, ଆଗ ପରି ଗାଁ ଲୋକଙ୍କର ତାଙ୍କ ପ୍ରତି ସେ ସମ୍ମାନ କି ସମ୍ଭ୍ରମ ନାହିଁ । ରାସ୍ତାରେ ଚାଲି ଚାଲି ଗଲାବେଳେ ସେମାନଙ୍କ ଭିତରୁ ଅନେକେ ବାଟ କାଟି ଚାଲିଯାଆନ୍ତି । ସାମ୍ନାରେ ଦେଖାହେଲେ କାଳେ ଓଳଗିଟାଏ କରିବାକୁ ପଡ଼ିବ–ଏଇ ଆଶଙ୍କାରେ ସେମାନେ ଚଉଧୁରୀଙ୍କ ସାମ୍ନାକୁ ଆସନ୍ତି ନାହିଁ । ଏପରି ପରିବର୍ତ୍ତନ ଭିତରେ ଯେଉଁ କେତେଜଣ ତଥାପି ଚଉଧୁରୀଙ୍କୁ ସମ୍ମାନ ଜଣାନ୍ତି, ସେମାନଙ୍କୁ ମନେମନେ କୃତଜ୍ଞତା ଜଣାନ୍ତି ଚଉଧୁରୀ ।

 

ଥାଉ, ସେସବୁ କଥା ଭାବିବସି ଆଜି କିଛି ଲାଭ ନାହିଁ । ବୟସ ଓ ଅଭିଜ୍ଞତା ଅନେକ କଥାକୁ ସହଜ ଓ ହାଲୁକାଭାବେ ଗ୍ରହଣ କରିବାକୁ ଶିଖେଇ ସାରିଲାଣି । ସେ ଜାଣନ୍ତି, ପଛ ଦିନଗୁଡ଼ା ଆଉ ଫେରିବ ନାହିଁ ।

 

ଚଉଧୁରୀ ଆଜିକାଲି ଅତି ସନ୍ତର୍ପଣରେ ବାହାରର ଖବର ସଂଗ୍ରହ କରନ୍ତି । ସେସବୁଠାରୁ ଯେତେ ଦୂରେଇ ରହିବାକୁ ସ୍ଥିର କଲେ ମଧ୍ୟ ଭିତରର ଗୋଟିଏ ଗୋପନ ଆଗ୍ରହକୁ ସେ ଚାପି ରଖିପାରନ୍ତି ନାହିଁ । ସେଇ ସୂତ୍ରରୁହିଁ ସେ ସଂଗ୍ରହ କରନ୍ତି ସନା ପଣ୍ଡା ଓ ପୀତବାସ ପାଇକରାୟଙ୍କ ଖବର, ରାଧାଦେଈପୁରର ନୂଆ ଦୁଇ ମହାଜନଙ୍କ କଥା ।

 

ଆଜି ପହିଲି ରଜ । କାଲିକୁ ରଜସଂକ୍ରାନ୍ତି ।

 

ବର୍ଷ ବର୍ଷ ଧରି ଏହି ରଜସଂକ୍ରାନ୍ତି ଦିନଟିକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ନାରାୟଣ ଚଉଧୁରୀ । ବନ୍ଧୁବାନ୍ଧବଙ୍କୁ ଆଗରୁ ନିମନ୍ତ୍ରଣ କରିଥାଆନ୍ତି । ପୁଅ ବୋହୂ, ଝିଅ ଜ୍ୱାଇଁବି ଆସିଥାନ୍ତି ନାତି ନାତୁଣୀଙ୍କୁ ନେଇ । କୁଣିଆ ଓ କୁଟୁମ୍ବଙ୍କ ଭିତରେ ଚଉଧୁରୀ ଘର ଗହଗହ ହେଇଉଠେ । ସେଇ କୋଳାହଳ ଭିତରେ କେଇଟି ମୁହୂର୍ତ୍ତପାଇଁ ନିଜର ହଜିଲା ଇତିହାସକୁ ଖୋଜି ପାଆନ୍ତି ନିଃସଙ୍ଗ ନାରାୟଣ ଚଉଧୁରୀ ।

 

ରଜସଂକ୍ରାନ୍ତି ଦିନଟି ଚଉଧୁରୀ ପୋଖରୀରୁ ମାଛଧରା ହେବାର ଦିନ । ବାପ ଗୋସବାପ ଅମଳରୁ ଫି ବର୍ଷ ଏଇ ମାଛଧରା ପର୍ବଟି ସମ୍ପନ୍ନ ହେଇ ଆସୁଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ପରି ।

 

କାଲି ସଞ୍ଜବେଳେ ଚଉଧୁରୀ ଖବର ପାଇଛନ୍ତି, ସନା ପଣ୍ଡା ଏବର୍ଷ ବାହାରୁ ଜାଲିଆ ଅଣଉଛି । ସେମାନେ କୁଆଡ଼େ ପଙ୍କ ଭିତରୁ ଛପିରହିଥିବା ଶେଉଳ, ଶିଙ୍ଗି କାଢ଼ି ଆଣିବେ । ପୀରହାଟ ଜାଲିଆଙ୍କ କାଟତି ଢେର୍‌ ! କିନ୍ତୁ ଆଉ କେହି ନ ଜାଣିଲେବି ଚଉଧୁରୀ ଜାଣନ୍ତି, ଏସବୁ ମିଛ ଆସ୍ଫାଳନ । ଅସଲ କଥା ହେଉଛି ବାହାର ଜାଲୁଆ ଆଣି ହୁଡ଼ାରେ ବେଶୀ ଲୋକ ଗଦେଇବାକୁ ଚାହୁଁଛି ସନା ପଣ୍ଡା । ଚଉଧୁରୀ ପୋଖରୀ ଉପରେ ନିଜର ମାଲିକାନା ସାବ୍ୟସ୍ତ କଥାଟାକୁ ସବୁରି ଆଗରେ ପ୍ରଚାର କରିବାକୁ ଚାହୁଁଛି ସେ । ମାଛଧରା ନାଆଁରେ ଏଇଟା ତା’ର ଗୋଟେ ପ୍ରଚାର କୌଶଳ । ତା’ ନହେଲେ ରାଧାଦେଈପୁରରେ ମାଛଧରାଳି ନାହାନ୍ତି ଯେ, ସେପାଇଁ କୋଡ଼ିଏ ମାଇଲ ଦୂର ପୀରହାଟ ବଜାରରୁ ଜାଲୁଆଙ୍କୁ ଡାକିବାକୁ ପଡ଼ିଲା !

 

ଚଉଧୁରୀ ଗୋଟେ ଦୀର୍ଘଶ୍ୱାସ ନେଲେ । କାଲି ସକାଳେ ସନା ପଣ୍ଡା ଚଉଧୁରୀ ପୋଖରୀ ହୁଡ଼ାରୁ ଓହ୍ଲେଇ ପୋଖରୀ ଭିତରକୁ ପଶିବ–ଏକଥାଟା ଭାବିଲାକ୍ଷଣି ତାଙ୍କ ଦେହରେ ନିଆଁ ଚରିଯାଉଥିଲା । ତାଙ୍କୁ ଲାଗୁଥିଲା କେହିଜଣେ ତାଙ୍କ ପିଠିରୁ ଲୁଗାପଟା ଉତ୍ତାରି ଦେଇ ନାଲି କୋରଡ଼ାରେ ପାହାର ପରେ ପାହାର କଷି ଦେଇ ଯାଉଛି । ସନା ପଣ୍ଡା ପାଖରେ ଆଜି ଟଙ୍କାପଇସା ଓ କୋଠାଘର ଥାଇପାରେ, କିନ୍ତୁ ବଂଶ ବୁନିଆଦି ଆସିବ କେଉଁଠୁଁ ? ସେ ପୁଣି ଚଉଧୁରୀ ପୋଖରୀ ଭିତରେ ପଶି ଗୋଳିଆଘଣ୍ଟା କରିବ ! ଦୁର୍ଭାଗ୍ୟ !

 

ରାଧାଦେଈପୁର ମହାଦେବ ମନ୍ଦିର ସେପଟକୁ ଚଉଧୁରୀ ପୋଖରୀ । ନଅ ଏକର ଆୟତନ ବିଶିଷ୍ଟ ଏ ପୋଖରୀଟାକୁ ନାରାୟଣ ଚଉଧୁରୀଙ୍କ ଗୋସବାପା ଖୋଳେଇଥିଲେ । ଦୂରରୁ ପୋଖରୀଟା ଦିଶେ ଗୋଟେ ଛୋଟ ହ୍ରଦ ପରି । ମଝିରେ ଦ୍ୱୀପଦଣ୍ଡ । ତା’ ଉପରେ ମହାଦେବଙ୍କ ତ୍ରିଶୂଳ । ଚନ୍ଦ୍ରଶେଖର ମହାଦେବ ମନ୍ଦିରବି ତୋଳେଇଥିଲେ ସେଇ ପରମାନନ୍ଦ ଚଉଧୁରୀ । ରାଧାଦେଈପୁର ଗାଁ ଗୋଟାକର ଲୋକେ ଏକଦା ଏହି ପୋଖରୀ ଉପରେ ନିର୍ଭର କରୁଥିଲେ । ଟିଉବ୍‍ୱେଲ୍‍ର ପାଣି ଠାକୁରପୂଜା କି ବ୍ରତ ଉପଚାରରେ ଆଜିବି ବ୍ୟବହାର ଉପଯୋଗୀ ନୁହେଁ ରାଧାଦେଈପୁର ଗାଁରେ ।

 

ନାରଣ ଚଉଧୁରୀଙ୍କ ପୂର୍ବପୁରୁଷ ଭୋଗ ଦଖଲ କରୁଥିଲେ ବାଟି ବାଟି ଜମି ଓ ବଗିଚା-। କ୍ରମେ ସେସବୁ ହାତରୁ ଚାଲିଗଲା । ଚଉଧୁରୀଙ୍କ ବାପାଙ୍କ ଅମଳକୁ ସେଥିରୁ ପୁଣି କିଛି ଦାନ ଖଇରାତ, ଭେଟି ଓ ମାଗଣରେ ଚାଲିଗଲାଣି । ସରକାର ନେଇଯିବେ ବୋଲି ଦଶ ଏକର ଜମି ଚନ୍ଦ୍ରଶେଖର ମହାଦେବଙ୍କ ପାଇଁ ଖଞ୍ଜିଦେଇ ଯାଇଥିଲେ ଚଉଧୁରୀଙ୍କ ପିତା ହରେକୃଷ୍ଣ ଚଉଧୁରୀ ମୃତ୍ୟୁ ପୂର୍ବରୁ । ଗାଁ ଠାକୁରାଣୀଙ୍କୁ ଦେଇଥିଲେ ପାଞ୍ଚମାଣ ଅରୁଆ ଜମି ।

 

ନାରଣ ଚଉଧୁରୀଙ୍କବେଳକୁ ଅବସ୍ଥା ଢେର୍‌ ବଦଳିଗଲାଣି । ବଡ଼ଭାଇ ବଳରାମ ଚଉଧୁରୀ ଜୀବଦ୍ଦଶାରେ ନିଜର ଅୟସପାଇଁ ବିକିଦେଇଥିଲେ କୋଠ ଆମ୍ବବଗିଚା ଓ ଦଶମାଣିଆ ଚକ । ମାତ୍ରାଧିକ ମଦ୍ୟପାନ ଓ ଅନ୍ୟାନ୍ୟ ବଦଭ୍ୟାସ ହେତୁ ଅଳ୍ପ ବୟସରେ ତାଙ୍କର ପରଲୋକ ହୋଇ ନଥିଲେ ସବୁକିଛି ଜମିବାଡ଼ି ତାଙ୍କରି ହାତରେହିଁ ନିଃଶେଷ ହୋଇ ଯାଇଥାଆନ୍ତା ।

 

ନାରଣ ଚଉଧୁରୀ ଏ ସବୁପାଇଁ ବେଶୀ ଦୁଃଖ କରି ନଥିଲେ । ଯିଏ ଯାହା କହିଲେ କହୁ ପଛେ, ସେ ଜାଣନ୍ତି ପରସ୍ୱ ଅପହରଣ କରି ଯେଉଁ ଜମି–ସମ୍ପତ୍ତି ଅର୍ଜିତ ହୋଇଥାଏ, ସେସବୁ ବେଶୀଦିନ ରହେନାହିଁ । କେତେ ରାଜା ଜମିଦାର ଚାଲିଗଲେ, ସେ କାହିଁକି ତୁଚ୍ଛାଟାରେ କେଇମାଣ ଜମିବାଡ଼ି ନେଇ ଏତେ ବିବ୍ରତ ହେବେ !

 

ଚଉଧୁରୀ ପୋଖରୀଟି ତାଙ୍କ ସମ୍ପତ୍ତି ଭିତରେ ଗୌରବ, ସୁନାହାରର ମଧ୍ୟମଣି । ସୁସ୍ଥସବଳ ଥିବା ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍‌ଣରେ ସେ ପୋଖରୀକୁ ଯାଉଥିଲେ ବନଶୀ କଣ୍ଟା ଧରି-। ସିଏ ତାଙ୍କର ଆଉ ଗୋଟେ ବିଳାସ । ଚଉଧୁରୀ ଘାଟକୁ ତାଙ୍କ ପରିବାର ଭିନ୍ନ ଆଉ କେହି ଯାଆନ୍ତି ନାହିଁ । ଆରପଟେ ଦୁଇଟି ସର୍ବସାଧାରଣ ଘାଟ । ଗୋଟେ ସ୍ତ୍ରୀଲୋକଙ୍କ ପାଇଁ, ଆଉ ଗୋଟେ ପୁରୁଷ ଲୋକଙ୍କପାଇଁ ।

 

ଚଉଧୁରୀଙ୍କର ଦୁଇ ପୁଅ ଓ ଜଣେ ପୁତୁରା । ବଡ଼ଭାଇଙ୍କ ପୁଅ ଦିଗ୍‌ବିଜୟ କଟକର ଓକିଲ । ଚଉଧୁରୀଙ୍କ ଦୁଇ ପୁଅ ମଧ୍ୟ ସହରରେ । ଜଣେ ଜଙ୍ଗଲ ବିଭାଗରେ, ଆଉ ଜଣେ ସ୍ୱାସ୍ଥ୍ୟ ବିଭାଗରେ । ସେମାନେ ବର୍ଷରେ ଥରେ ରଜ ସଂକ୍ରାନ୍ତିକୁ ଆସନ୍ତି ପୋଖରୀଧରାବେଳେ । ବାରବାର କରି ନାରଣ ଚଉଧୁରୀ ଖବର ପଠେଇଥାନ୍ତି ପିଲାମାନଙ୍କ ପାଖକୁ । ଚଉଧୁରୀ ପୋଖରୀରୁ ମାଛ ଧରାହେବ, ପିଲାଏ ଆସିବେ ନାହିଁ !

 

ପହିଲି ରଜ ଆକାଶରେ ମେଘ ଓହଳିଛି ନୂଆ ଆମ୍ବଗଛରୁ ନେନ୍ଥାଏ ବଉଳ ଓହଳିଲା ପରି । ଚାରିପଟୁ ଦଳ ଘେରି ପୋଖରୀଟା ସାଙ୍କୁଡ଼ି ହେଇଆସିଲାଣି । ତିନିବର୍ଷ ହେଲା ଚଉଧୁରୀ ଅସୁସ୍ଥ ହେବା ପରଠାରୁ ପୋଖରୀଟି ଏପରି ଅଣହେଳା ଭିତରେ ପଡ଼ିରହିଛି । ଗତବର୍ଷ ସଂକ୍ରାନ୍ତିବେଳକୁ ଚାରିଜଣ ମୂଲିଆ ଚଉଧୁରୀଙ୍କୁ ଗୋଟେ ଚଉକିରେ ବସେଇ ପୋଖରୀ ହୁଡ଼ାକୁ ଆଣିଥିଲେ । ପିଲାମାନେ ଆପତ୍ତି କରିଥିଲେ, ଦେହ ଖରାପ । କାହିଁକି ଯିବେ ସେ ପୋଖରୀ ହୁଡ଼ାକୁ ? ସହଜେ ଝିପ୍‌ଝିପ୍‌ ବର୍ଷା ହେଉଥିଲା । ଚଉଧୁରୀ ପିଲାଙ୍କ ପରାମର୍ଶ ଶୁଣି ନଥିଲେ । ଇଏ ତାଙ୍କର ଖାନ୍‍ଦାନୀ ଇଜ୍‌ମାଲୀ ପୋଖରୀ । ସିଏ ନଗଲେ ମାଛଧରା ଆରମ୍ଭ ହେବ କେମିତି ?

 

ସଂକ୍ରାନ୍ତି ଦିନ ସକାଳ ଆଠଟାବେଳକୁ ଚଉଧୁରୀ ଆସି ପୋଖରୀ ହୁଡ଼ା କୃଷ୍ଣଚୂଡ଼ା ଗଛମୂଳେ ବସନ୍ତି । ସତୁରିବର୍ଷର ଦୁର୍ବଳ ଆଖିରେ ଉଜଳିଉଠେ କୈଶୋରର ଔଜଲ୍ୟ । ମନେପଡ଼ନ୍ତି ଜେଜେ ପରମାନନ୍ଦ ଚଉଧୁରୀ । ଦାଣ୍ଡଦୁଆରେ ହାତୀ ପରି ବଳଦ, କରମଙ୍ଗା କାଠର କୁନ୍ଦପକା ଯାଉଁଳି କବାଟ ସେପଟକୁ ବସିରହନ୍ତି ଜେଜେ । ଆଖିରେ ଆଖି ମିଶିଗଲେ ଡରୁଆ ଲୋକ ଭେଟଣା ହୋଇଗଲା ପରି ଚେହେରା । ତା’ ପଛକୁ ବାପାଙ୍କ ମୁହଁ । ଏତେ ଭୟଙ୍କର ନୁହେଁ-। ମଝିରେ ମଝିରେ ହସନ୍ତି ।

 

ମାଛଧରା ଆରମ୍ଭ ହୁଏ । ନାରଣ ଚଉଧୁରୀ ମଝିରେ ମଝିରେ ଉତ୍ସାହ ଦିଅନ୍ତି ଜାଲୁଆଙ୍କୁ । ପାଣି ଗୋଳି ହେଇଗଲେ ସାନ ସାନ ମାଛଗୁଡ଼ିକ ଭାସିଉଠନ୍ତି ପାଣି ଉପରେ । ଗାଁଯାକର ପିଲା ଜମା ହେଇଥାନ୍ତି ଆଡ଼ି ଉପରେ । ଫୁଲପୁଟି, କଣ୍ଟିଆ, କେରାଣ୍ଡିଙ୍କ ଆଇଁଷିଆ ଆକର୍ଷଣ ଆଗରେ ଚଉଧୁରୀଙ୍କ ଉପସ୍ଥିତି ଗୌଣ ହେଇପଡ଼େ । ସେମାନେ ଆକାଶର ଚିଲ ପରି ଆଡ଼ି ଉପରୁ ଝପଟି ଆସନ୍ତି, କିଏ ଲୁଗା କାନିରେ ତ କିଏ ବାଉଁଶିଆରେ ଛାଣି ନିଅନ୍ତି କେରାଣ୍ଡି, ମଉରାଳି ।

 

ନାରଣ ଚଉଧୁରୀ ସେଇ କୃଷ୍ଣଚୂଡ଼ା ଗଛମୂଳେ ବସି ପାଟି କରନ୍ତି । ଅନୁପ୍ରବେଶକାରୀମାନଙ୍କୁ ଘଉଡ଼େଇବା ପାଇଁ ସେ ଚିତ୍କାର ଯେତେ ନୁହେଁ, ପୋଖରୀ ଉପରେ ନିଜର ମାଲିକାନା ସାବ୍ୟସ୍ତପାଇଁ ତା’ଠୁ ଅଧିକ । ନହେଲେ, ଫୁଲପୁଟି କି ମଉରାଳି କେଇପୁଞ୍ଜାରେ ତାଙ୍କର ବା କି ଗରଜ ?

 

ଆଗେ ଚଉଧୁରୀ ପୋଖରୀ ମାଛ ଭାଗ ହେବାର ଦୃଶ୍ୟଟା ଦିଶୁଥିଲା ଖାଙ୍କି ହାଟ ନହେଲେ ଚାନ୍ଦବାଲିର ଶାସ୍ତ୍ରୀଘାଟ ପରି । ବିରାଟ ଶେଉଳଠୁ ଆରମ୍ଭ କରି ମାଗୁର, କଉ, ବାଳିଆ ଗଦା ହେଇଯାଉଥିଲା । ଜାତିଆ ରୋହି, ଭାକୁଡ଼ ଓ ମିରିକାଳି ମଧ୍ୟ ପୋଖରୀରେ ଭଲ ବଢ଼ନ୍ତି । ଚଉଧୁରୀ ସୂର୍ଯ୍ୟମଇତ୍ରଙ୍କ ଘରକୁ ମାଛ ପଠାନ୍ତି । ପୁଅ ପୁତୁରାଙ୍କ ଭିତରେ ବାଣ୍ଟିଦିଅନ୍ତି ଅବଶିଷ୍ଟ ମାଛ । ମାଛ ଭାଗ ସରିଲାବେଳକୁ ଖରା–ଲେଉଟାବେଳ ।

 

ଗତବର୍ଷର ମାଛଧରା କିନ୍ତୁ ଆଦୌ ଉତ୍ସାହଜନକ ହେଇପାରିଲା ନାହିଁ । ଚଉଧୁରୀ ବିଛଣା ଧରିବା ପରଠାରୁ ଆଡ଼ି ସେପଟେ ରହୁଥିବା ଦାସଘରକୁ ମଉକା ମିଳିଯାଇଛି । ଦିନରାତି, ଯିଏ ଯେତେବେଳେ ପାରିଲା ମୁଣ୍ଡଘୂରା ଜାଲ ପକେଇ ମାଛ ଛାଣି ନେଉଛନ୍ତି । ସକାଳ ଓଳିଟାସାରା ପାଣି ଗୋଳିକରି ଚଉଧୁରୀ ଗୋଟାଏବି ବଡ଼ମାଛ ପାଇଲେ ନାହିଁ । କାହାକୁ ଦୋଷ ଦେବେ ! ପିଲାମାନଙ୍କୁ ନା ଚାକରବାକରଙ୍କୁ । ସହଜେ ତ ଦାସସାହିବାଲା ତାଙ୍କର ଜାତଶତ୍ରୁ । ସେମାନଙ୍କୁ କିଛି କହିବା ଅର୍ଥ ଅନର୍ଥ ସୃଷ୍ଟି କରିବା ।

 

ବାରମିଶା ମାଛ ଦି’ ଚାରି କିଲୋକୁ ନାରଣ ଚଉଧୁରୀ ସେଇ ଜାଲୁଆଙ୍କ ଭିତରେ ବାଣ୍ଟିଦେଇ ଚାଲିଆସିଥିଲେ । ତାଙ୍କର ମନେ ହୋଇଥିଲା, ଏତେବଡ଼ ଗାଁଟା ଭିତରେ ତାଙ୍କର ବୋଲି ନିଜର ଆଉ କେହି ନାହିଁ । ସମସ୍ତେ ତାଙ୍କ ବିରୋଧରେ ମିଳିମିଶି ଷଡ଼ଯନ୍ତ୍ର କରୁଛନ୍ତି । କିନ୍ତୁ ସେ ଷଡ଼ଯନ୍ତ୍ରର ହାତ ଆସି ଶେଷରେ ନିଜ ଘର ଭିତରେ ପହଞ୍ଚିଯିବ ତାହା ତ କଦାପି କଳ୍ପନା କରି ନଥିଲେ ନାରଣ ଚଉଧୁରୀ ! ପୋଖରୀଟିକୁ ପରକୁ ହସ୍ତାନ୍ତର କରିଦେବା ପୂର୍ବରୁ ତାଙ୍କ ପିଲାମାନେ ତାଙ୍କୁ ଟିକିଏ ପଚାରିଲେ ନାହିଁ ? ପିଠିରେ ଛୁରି ଭୁସିବା ଆଉ କାହାକୁ କହନ୍ତି ? ପୁଣି ବିକିଲେ କାହାକୁ ? ଚଉଧୁରୀ ସନା ପଣ୍ଡାର ନାଆଁ ସୁଦ୍ଧା ମୁହଁରେ ନେବାପାଇଁ ଚାହୁଁ ନଥିଲେ ।

 

ସନା ପଣ୍ଡାକୁ ସବୁଦିନେ ଏପରି ନ୍ୟୂନ ଦୃଷ୍ଟିରେ ଦେଖି ଆସିଛନ୍ତି ନାରଣ ଚଉଧୁରୀ । ଏକଦା ସନା ପଣ୍ଡାର ବାପ ଗୋସାପ ଚଉଧୁରୀଙ୍କ ମନ୍ଦିରରେ ଠାକୁର ପୂଜା କରୁଥିଲେ । ଏବେ ରାଧାଦେଈପୁର ଗାଁର ସବୁଠୁ ସ୍ୱଚ୍ଛଳ ସେଇ ସନା ପଣ୍ଡା । ଗାଁରେ କଙ୍କ୍ରିଟ ଛାତର ଘର, ଏପାରି ସେପାରି ଦୁଇବାଟି ଜମି । ଗୋଟେ ବସ୍‌ ଚାଲୁଛି ବାଲେଶ୍ୱରରୁ ବାରିପଦା ।”

 

: ଅଛନ୍ତି ବୋଲି ପଚାରୁଛ କ’ଣ ? ସେଗୁଡ଼ା ପରା ଖଣ୍ଟ, ଚୋର–ନାରଣ ଚଉଧୁରୀ ଭିତରେ ଭିତରେ ଚିହିଙ୍କି ଉଠନ୍ତି । ‘ସନା ପଣ୍ଡା ବାପ ଠାକୁରଙ୍କ ଦକ୍ଷିଣା ବାକ୍‌ସରୁ ଟଙ୍କା ଚୋରିକରି ବଡ଼ଲୋକ ହେଇଛି । କେତେଥର ଧରାପଡ଼ିଛି ସେ ଚୋରି କଲାବେଳେ । ଆରେ, ପଇସା ହେଇଗଲା ବୋଲି କ’ଣ ବୁନିଆଦୀ ଆସିଗଲା ? ସଂସ୍କାର ଗୋଟାଏ ଜନ୍ମରେ ଆସେନାହିଁ ବାବୁ, ସେପାଇଁ ଗୋଟେ ଯୁଗ ଦରକାର । ଠାକୁରଙ୍କ ପଇସା ଚୋରି କରି ସନା ପଣ୍ଡା ଜମି କିଣିଛି, ଘର କରିଛି, ଗାଡ଼ି ଚଳଉଛି–ଚଳଉ । ଶେଷରେ ତା’ର ଆଖି ମୋ ସମ୍ପତ୍ତି ଉପରେ ପଡ଼ିଲାଣି । ଏ ଦୁର୍ଦ୍ଦଶା ଦେଖିବାପାଇଁ କାହିଁକି ମୁଁ ବଞ୍ଚି ରହିଲିହେ ପ୍ରଭୁ ବାବା ଚନ୍ଦ୍ରଶେଖର !

 

ସନା ପଣ୍ଡା ତାଙ୍କ ଘରେ ଥାଇ ନାରଣ ଚଉଧୁରୀଙ୍କ ମନ୍ତବ୍ୟମାନ ଶୁଣନ୍ତି । ସିଏବି ସୁଯୋଗ ଛାଡ଼ନ୍ତି ନାହିଁ ଚଉଧୁରୀଙ୍କ ବଂଶପରମ୍ପରାକୁ ଛିଗୁଲେଇବା ପାଇଁ । କିନ୍ତୁ ଉପରକୁ ଯେତେ ଯାହା କହିଲେବି ଭିତରେ ସେ ଟିକେ ଦବିଯାଆନ୍ତି । ତାଙ୍କ ବାପା ମଲାବେଳକୁ କହିଯାଇଥିଲେ ‘ନାରଣ ଚଉଧୁରୀଙ୍କୁ ଗୁରୁଜ୍ଞାନ କରିଥିବୁ । ତାଙ୍କରି ବଅଁଶ ଆମକୁ ଆଣି ଏ ଗାଁରେ ଜାଗା ଦେଇଥିଲେ ।’ ଇସ୍‌ କି ହୀନମ୍ମନ୍ୟତା ନନା ଛାଡ଼ିଯାଇଛନ୍ତି ଉତ୍ତରାଧିକାର ସୂତ୍ରରେ !

 

ମଣିଷର ସାମର୍ଥ୍ୟ ଥିଲେ ପ୍ରଥମେ ସେ ନିଜ ଇତିହାସର ପ୍ରଥମ ପୃଷ୍ଠାଗୁଡ଼ିକୁ ଚିରି ସେ ଜାଗାରେ ନୂଆ ପୃଷ୍ଠା ଯୋଡ଼ିଦିଅନ୍ତା । ସନା ପଣ୍ଡା ବରାବର ଅତୀତର ଏ ଗ୍ଳାନିକୁ ଭୁଲିଯିବା ପାଇଁ ଚେଷ୍ଟା କରନ୍ତି । ଠାକୁରଘରକୁ ସେ ଚଉଧୁରୀଙ୍କଠାରୁ ଅଧିକ ଚାନ୍ଦା ଦିଅନ୍ତି, ପୂଜା ମେଲଣକୁ ଅଧିକ ଚାଉଳ, ଡାଲି ପଠାନ୍ତି । ଗାଁର ଦୁଃଖୀ ଦରିଦ୍ରଙ୍କ ମେଳରେ ନିଜକୁ ପ୍ରତିଷ୍ଠିତ କରିବାପାଇଁ କମ୍‌ ଉଦ୍ୟମ କରନ୍ତି ନାହିଁ ସେ । ରାଜନୀତିବାଲାଙ୍କ ସାଙ୍ଗେ ତାଙ୍କର ସୁସମ୍ପର୍କ ସେଇହେତୁରୁ । ଇତିହାସ କିଏ ପଢ଼ୁଛି ? ବାପା ଗଲେଣି, ନାରଣ ଚଉଧୁରୀ ଚାଲିଗଲେ ସେ ଅଧ୍ୟାୟ ବଢ଼ିଯିବ । ତା’ପରେ ସନା ପଣ୍ଡାଙ୍କୁ କେହି ବଞ୍ଚିତ କରିପାରିବ ନାହିଁ ତାଙ୍କର ନ୍ୟାଯ୍ୟ ଖ୍ୟାତି ଓ ପ୍ରତିପତ୍ତିରୁ ।

 

ଏହିପରି ଏକ ଦୁର୍ବଳ ମୁହୂର୍ତ୍ତରେ ଚଉଧୁରୀ ପୋଖରୀ କିଣିବାର ନିଶାଟା ଘାରିଥିଲା ସନା ପଣ୍ଡାଙ୍କୁ । ଏ ପୋଖରୀଟା ନାରଣ ଚଉଧୁରୀଙ୍କ ବିଷଦାନ୍ତ । ଗାଁ ଗୋଟାକର ଲୋକେ ଏଇ ପୋଖରୀ ଉପରେ ନିର୍ଭର କରନ୍ତି । ସମସ୍ତଙ୍କ ମୁହଁ ଚଉଧୁରୀ ପୋଖରୀ ଶବ୍ଦ ଯୋଡ଼ିକ ଶୁଣି ସନା ପଣ୍ଡା ବିରକ୍ତ ହେଇପଡ଼ନ୍ତି । ତାଙ୍କର ସମସ୍ତ ପ୍ରତିଷ୍ଠା ଓ ପ୍ରତିପତ୍ତିକୁ ଏହି ଶବ୍ଦ ଯୋଡ଼ିକ ଯେପରି ଉପହାସ କରେ । ସେଇଥିପାଇଁ ଚଉଧୁରୀଙ୍କ ପୁଅ ଓ ପୁତୁରା ମିଶି ଯେତେବେଳେ ପୋଖରୀଟାକୁ ବିକିଦେବେ ବୋଲି ମସୁଧା ଚଳେଇଥିଲେ, ସନା ପଣ୍ଡା ଶତ ସଂଯମ ସତ୍ତ୍ୱେ ସେଥିରେ ତାଙ୍କର ଆଗ୍ରହ ଥିବା କଥାଟାକୁ ଚାପି ରଖି ପାରି ନଥିଲେ । ସିଏ ସେମାନଙ୍କ କଥାରେ କଥା ମିଳେଇଥିଲେ–ଏତେବଡ଼ ପୋଖରୀଟା ଆସ୍ତେ ଆସ୍ତେ ପୋତି ହେବାକୁ ବସିଲାଣି । ଗୋଟେ ଯୁଗ ହେଲାଣି, ପୋଖରୀ ଉଝଳା ଯାଇନାହିଁ । ଆପଣମାନେ ତ ରହିଲେ ବିଦେଶ ଗାଁରେ । ଏଠି ଆଉ କିଏ ଅଛି ? ସେପଟରୁ ଟିପେ ଟିପେ ପୋତି ଦାସସାଇଆ ପୋଖରୀଟାକୁ ଦିନେ ପୋତି ପକେଇବେ ।

 

ସନା ପଣ୍ଡା ମିଛ କହିନାହାନ୍ତି । ଚଉଧୁରୀଙ୍କ ବଡ଼ପୁଅ ଅଶୋକର ବହୁତ ଦିନରୁ ଇଚ୍ଛା, ଏ ପୋଖରୀଟା ବିକ୍ରି କରିଦେବେ । କିଛି ମୋଟା ରକମର ଟଙ୍କା ହାତକୁ ଆସିଗଲେ ସେ କିଛି ବ୍ୟବସାୟରେ ଲଗାନ୍ତେ ।

 

ଦିଗ୍‌ବିଜୟଙ୍କର ଇଚ୍ଛାବି ସେଇପ୍ରକାର । ଗାଁରେ ସମ୍ପତ୍ତି ବାଡ଼ି ଥାଇ ଲାଭ କ’ଣ ? ସେମାନଙ୍କର କେଉଁ ଦରକାରରେ ଆସୁଛି ଏସବୁ ? ମାଣ ପିଛା ଜମିରେ ବର୍ଷକୁ ଧାନ ଭରଣେ ଫଳୁଛି । ମାର୍ଗଶିର ମାସକୁ ଧାନ ଭରଣକ ମୂଲ୍ୟ ଦେଢ଼ହଜାର ଟଙ୍କାବି ନୁହେଁ । ସେତକପାଇଁ ବର୍ଷସାରା ଖର୍ଚ୍ଚ ଚାଲିଥାଏ । ଏସବୁ ଦୃଷ୍ଟିରୁ ଅଧାଅଧି ଜମି ବିକି ବ୍ୟାଙ୍କ୍‍ରେ ଫିକ୍‌ସଡ଼୍‍ ଡିପୋଜିଟ୍‌ ରଖିଦେଲେ ବରଂ ଲାଭ । ଏସବୁ କଥାରେ ତାଙ୍କ ଶ୍ୱଶୁରଘରବି ଦିଗ୍‌ବିଜୟଙ୍କୁ ଢେର୍‌ ଉତ୍ସାହିତ କରନ୍ତି ।

 

ସେସବୁ ପିଛିଲା କଥା । ସନା ପଣ୍ଡା ସଙ୍ଗେ କଥା ଜୁଟିଲା । ସେ ପୋଖରୀ ନ କିଣିଥିଲେ, ଏଡ଼େବଡ଼ ପୋଖରୀଟା ଆଉ ବା କିଏ କିଣିଥାନ୍ତା ରାଧାଦେଈପୁର ଗାଁରେ ? ଦେଢ଼ଲକ୍ଷ ଟଙ୍କା କିଛି ତ କମ୍‌ ପରିମାଣ ନୁହେଁ !!

 

ପୀରହାଟ ଜାଲୁଆଙ୍କ ସର୍ଦ୍ଦାର ନବଘନ । ଚେକ୍‌ ଲୁଙ୍ଗିକୁ ପାଇକଛା କରି ପିନ୍ଧି ସେ ଖାଲି ଏପଟ ସେପଟ ହେଉଛି । କଳା ମଚମଚ ଛାତି ଉପରେ ଓହଳିଛି ଗୋଟେ ତାବିଜ୍‍ବସା ମାଳି । ଜାଲ ଝଡ଼ା ସରିଲାଣି । ଆଡ଼ି ଉପରେ ଲୋକ ହାଉଯାଉ । ଆଗ ବର୍ଷମାନଙ୍କ ଅପେକ୍ଷା ଏ ବର୍ଷ ଆଉରି ଭିଡ଼ । ସନା ପଣ୍ଡା ଯେ ବାହାର ଗାଁରୁ ମାଛ ଧରାଳି ଆଣିଛନ୍ତି । ଏମାନେ ଏ ଗାଁ ମାଛ ଧରାଳିଙ୍କ ପରି ନୁହେଁ । ଦେଖଣାହାରିଙ୍କ ଭିତରେ କଥା କଟାକଟି । ଗାଁ ଟୋକାଙ୍କୁ ଏଥର ଚଉଧୁରୀ ପୋଖରୀ ମାଛଧରା କାମରୁ ଦୂରେଇ ସନା ପଣ୍ଡା ଠିକ୍‌ କଲେନାହିଁ । ଏମାନେ କ’ଣ ନାକରା ଲୋକ ? ପୋଖରୀରେ ମାଛ ଥିଲେ ଯିଏ ନାହିଁ ସିଏ ଧରିବ । ନଥିଲେ ତ ପୀରହାଟବାଲାଏ ଗଢ଼ିବେ ନାହିଁ ? –ଇଏ ଗୋଟେ ପକ୍ଷର ଯୁକ୍ତି । ଆରପକ୍ଷବାଲାଏ କହୁଛନ୍ତି, ପୀରହାଟବାଲାଏ ମାଛଧରାରେ ଧୁରନ୍ଧର । ସେମାନଙ୍କର ଜୀବିକା ହେଲା ସେଇଆ । ଗାଁ ପିଲାଏ ମାଛ ଧରନ୍ତି ଯେ, କାଇଦା ଜଣାନାହିଁ ସେମାନଙ୍କୁ ।

ହେଇ, ସନା ପଣ୍ଡା ଆସିଲେଣି । ଏବେ ମାଛଧରା ଆରମ୍ଭ ହେବ । ସନା ପଣ୍ଡାଙ୍କପାଇଁ ସେଇ କୃଷ୍ଣଚୂଡ଼ା ଗଛ ମୂଳରେ କିଏ ଚଉକିଟିଏ ପକେଇ ଦେଇଛି । ସନା ପଣ୍ଡା ଚଉକିଟାକୁ ଭିଡ଼ିନେଇ ବସିପଡ଼ିଲେ ଓ ବଡ଼ପାଟିରେ କହିଲେ, “ଜାଲୁଆଏ, ଆଉ ଡେରି କାହିଁକି ?”

ଧୁସ୍‌ କରି ଦଳେ ମଇଁଷି ଯେପରି ଗଡ଼ିପଡ଼ିଲେ ପୋଖରୀ ଭିତରକୁ । ନବଘନ ସବୁରି ଆଗରେ ।

ଠିକ୍‌ ସେତିକିବେଳେ, ଚଉଧୁରୀ ଘରର ସାହି ଭିତରୁ ଧଇଁସଇଁ ହେଇ ପୋଖରୀ ଆଡ଼କୁ ଆସୁଥିଲା ଚିନ୍ତାମଣି । ସନା ପଣ୍ଡା ଚିନ୍ତାମଣିର ଏ ଭେକ ଦେଖି ଛାନିଆରେ ଚଉକିରୁ ଉଠିପଡ଼ିଲେ । କ’ଣ ହେଲା ? ଏମିତି ଧାଇଁଛ କାହିଁକି ?

 

: ସାଆନ୍ତେ ଚାଲିଗଲେ ବାବୁ... ସାଆନ୍ତେ... ।

 

ଅବାକ୍‌ ସନା ପଣ୍ଡା । ଚିନ୍ତାମଣି ଆଖିରେ ଧାର ଧାର ଅସରନ୍ତି ଲୁହ । ସେ ଦି’ଜଣଙ୍କୁ କୃଷ୍ଣଚୂଡ଼ା ଗଛମୂଳେ ଏପରି ଅବସ୍ଥାରେ ଦେଖି ଆଉ କେତେଜଣ ଆସି ରୁଣ୍ଡ ହେଲେଣି । ନବଘନ ପୋଖରୀ ମଝିରେ ପହଞ୍ଚି ଜାଲ ସଜାଡ଼ିବାକୁ ଏଇମାତ୍ର ଆରମ୍ଭ କରିଥାଏ ।

 

ସନା ପଣ୍ଡା ଚିନ୍ତାମଣି ସାଙ୍ଗରେ ଚାଲିଗଲେ । ଗଲାପୂର୍ବରୁ କହିଗଲେ, “ଆଜି ମାଛଧରା ହେଇପାରିବ ନାହିଁ । ଜାଲୁଆଙ୍କୁ କୁହ, ଉଠିଆସିବେ । ନାରଣ ଚଉଧୁରୀ ଚାଲିଗଲେ ।”

 

ନାରଣ ଚଉଧୁରୀ ଚାଲିଗଲେ ।

 

ସଞ୍ଜବେଳକୁ ଚଉଧୁରୀଙ୍କ ପିଲାଏ ଖବର ପାଇ ଗାଁରେ ପହଞ୍ଚିଲେ । ପୋଖରୀ ହୁଡ଼ାଦେଇ, ‘ରାମନାମ ସତ୍ୟହେ, ହରିନାମ ସତ୍ୟହେ’ ସଂକୀର୍ତ୍ତନ ଭିତରେ ତାଙ୍କର ଶବଯାତ୍ରା ଯାଉଥିବାବେଳେ କୋକେଇରେ ଶୋଇଥିବା ନାରଣ ଚଉଧୁରୀଙ୍କ ମୁହଁ ତଥାପି ଯେପରି ଢଳି ରହିଥିଲା ପୋଖରୀ ଦିଗକୁ । ଜୀବନର ମମତା ମରଣରେ ଯାଏନାହିଁ ପରା !

 

ରଜ ସଂକ୍ରାନ୍ତି ଦିନଟା ପାଲଟିଗଲା ଗୋଟେ ଶୋକଦିବସ । ଗୋଟେ ବିରାଟ ଗଛ ଟଳିପଡ଼ିଲା ମାତ୍ର କେଇଟି ମୁହୂର୍ତ୍ତରେ ।

 

ଦଶାହ, ଏକାଦଶାହ ଭଲରେ ବଢ଼ିଯାଇଛି । ପୁତୁରା ଦିଗ୍‌ବିଜୟ ବୟସରେ ବଡ଼ । ସେ କର୍ମ ଧରିଥିଲା । ଅଶୋକ ଓ ବିକାଶ କାମ ତୁଟେଇ ସାରିଲେଣି । ବୋଉ ତ ଢେର୍‌ ଆଗରୁ ଯାଇଥିଲା । ବାପା ଚାଲିଗଲା ପରେ ଗାଁ ସାଙ୍ଗେ ପିଲାଙ୍କ ସମ୍ପର୍କ ତୁଟିଗଲା । ବାକି ଯାହା ରହିଲା, ସେସବୁ କେଇମାଣ ଜମି, ତୋଟା ଓ ଏଇ ଘର । ଏଇ ଅଡ଼ୁଆ ତୁଟେଇଦେବା ପାଇଁ ସେମାନେ ବରାବର ଚେଷ୍ଟା କରୁଥିଲେ ।

 

ଗାଡ଼ିବେଳ ହୋଇଗଲାଣି । ରିକ୍ସାବାଲା ଘଣ୍ଟି ବଜେଇଲାଣି ଦି’ଥର । ଷ୍ଟେସନ୍‌ ଯାଏଁ ଚିନ୍ତାମଣି ଯିବ । ସେଇଠୁ ସେ ଫେରିଆସିବ । ପିଲାମାନଙ୍କୁ ସହରରେ ଛାଡ଼ି ଆର ସପ୍ତାହକୁ ଆସିବ ଅଶୋକ । ଆଉ ଯାହା ବାକି ରହିଗଲା, ସେକଥା ବୁଝିଦେଇଯିବ ।

 

ଦାଣ୍ଡଦୁଆର ପାଖରୁ ସନା ପଣ୍ଡା ଅଶୋକ ଉଦ୍ଦେଶ୍ୟରେ ହାତ ଉଠେଇ ଆଶୀର୍ବାଦ କରୁ କରୁ ଭିତରକୁ ଆସୁଥିଲେ । ଛଅ ସାତଦିନ ହେଲା ତାଙ୍କ ସଙ୍ଗେ ଅଶୋକର ଦେଖା ହୋଇନାହିଁ । ଶୁଣିଛି, ସନା ପଣ୍ଡା ଏଥର ପୋଖରୀରୁ ମାଛ ଧରିଲେ ନାହିଁ । ଜାଲୁଆମାନେ ଅପେକ୍ଷା କରି ଭୂଇଁଶୀତଳା ସକାଳେ ଫେରିଗଲେ ।

 

ଅଶୋକ କହିଲେ, “ଆପଣ କାହିଁକି କଷ୍ଟକରି ଆସିଲେ ମଉସା ! ଖବର ଦେଇଥିଲେ ମୁଁ ଯାଇ ବୁଲି ଆସି ନଥାନ୍ତି ?”

 

: ସେ କଥା ନୁହେଁରେ, ଶୁଣିଲି ତମେମାନେ ଆଜି ବାହାରିଛ । ଡେରି ନକରି ଚାଲିଆସିଲି ।

 

ସନା ପଣ୍ଡା ତାଙ୍କ ପକେଟ୍‌ରୁ କିଛି ଗୋଟେ କାଗଜ ବାହାର କରୁଥିଲେ । ଅଶୋକ ଆଶ୍ଚର୍ଯ୍ୟ ହେଲା । ଇଏତ ଚଉଧୁରୀ ପୋଖରୀ କବଲା !

 

: ଏଇଟାକୁ ଫେରେଇ ଦେବାପାଇଁ ଆସିଥିଲି । ଏ ପୋଖରୀ କିଣି ଲାଭ କ’ଣ ? ଯାହାଙ୍କ ସାଙ୍ଗେ ଯୁଝୁଥିଲି, ସିଏ ତ ରହିଲେ ନାହିଁ । ଥରଟେ ସୁଦ୍ଧା ତାଙ୍କ ଆଗରେ ସେ ପୋଖରୀରୁ ମାଛ ଧରିପାରିଲି ନାହିଁ । ତାଙ୍କ ଅନ୍ତେ, ତାଙ୍କ ପୋଖରୀରେ ପଶିବାକୁ ଯିବି କାହିଁକି ? ସେ ପୋଖରୀ ତାଙ୍କରି ନାଁରେ ଥାଉ ।

 

ସନା ପଣ୍ଡାଙ୍କ ଆଖିଯୋଡ଼ିକ ଫୁଲିଯାଇଛି । ରାତି ତମାମ ଶୋଇନାହାନ୍ତି କି ଏହି ଭଦ୍ରଲୋକ ? ହାତରେ ପୋଖରୀ ଦଖଲର ସୁଯୋଗ ପାଇ ସନା ପଣ୍ଡା ଏ କ’ଣ କରୁଛନ୍ତି ! ଚଉଧୁରୀଙ୍କ ମୃତ୍ୟୁରେ ତ ସେ ସବୁଠୁ ଆଶ୍ୱସ୍ତ ହେବାକଥା !

 

: ତମେ ସେକଥା ବୁଝିବ ନାହିଁ ବାବୁ । ତାଙ୍କ ପରି ମଣିଷକୁ ବୁଝିବାପାଇଁ ଆମ ପାଖେ କ’ଣ ଅକଲ ଅଛି ?–ସନା ପଣ୍ଡା କହିଲେ ।

 

ସନା ପଣ୍ଡା ଯେମିତି ଆସିଥିଲେ, ସେମିତି ଚାଲିଯାଉଥିଲେ ସେମାନଙ୍କୁ ପିଠିକରି । ଅଶୋକ, ଦିଗ୍‌ବିଜୟ ଓ ବିକାଶ ସମସ୍ତେ ତାଟକା । ସନା ପଣ୍ଡାଙ୍କ ସାଙ୍ଗେ ବାପାଙ୍କର ଶତ୍ରୁତା ସେମାନେ ଅନେକ ବର୍ଷ ଧରି ଦେଖି ଆସିଥିଲେ । କିନ୍ତୁ ଏ ସମ୍ପର୍କ କଥା ସେମାନେ କେହି ବୁଝିପାରୁ ନଥିଲେ ।

Image

 

ସମ୍ରାଟ

 

ବାପାଙ୍କ ଶୋଇବା ଘର ଦୁଆରବନ୍ଧ ପାଖେ ତାଙ୍କର ସେ ଚପଲ ହଳକ ନ ଦେଖି ସପ୍ତର୍ଷି ଟିକେ ଆଶ୍ଚର୍ଯ୍ୟ ହୋଇଥିଲା । ଛତାଟିବି କାହିଁ ଝୁଲୁନାହିଁ ଖଟ ବାଡ଼ା କଡ଼ରେ ! ବାପା ନାହାନ୍ତି ଘର ଭିତରେ । ସପ୍ତର୍ଷି ବ୍ୟସ୍ତ ହେଇପଡ଼ିଲା । ଏତେ ସକାଳୁ ବାପା ତ କୁଆଡ଼େ ଯାଆନ୍ତି ନାହିଁ । ଯିବେ ବା କୁଆଡ଼େ ? ଗାଁ ହେଇଥିଲେ ଭିନେ କଥା । ବଡ଼ିସକାଳୁ ସେ ଅର୍ଜୁନ ବାଆଜି ପୋଖରୀକୁ ଗାଧୋଇ ବାହାରି ଯାଆନ୍ତି ଯେ ଫେରୁ ଫେରୁ ସକାଳ ସାଢ଼େ ସାତଟା ହୁଏ । ଏଠି ତ ଗାଧୁଆଘର, ଠାକୁରଘର ସବୁ ଏଇ କ୍ୱାଟର୍ସ ଭିତରେ । ବାପା ତାହାହେଲେ ଗଲେ କୁଆଡ଼େ ? ଆଖପାଖ ପଡ଼ିଶା କାହାରି ଘରକୁ ଗଲେ କି ?

 

ସପ୍ତର୍ଷିର ଉଠିବା ସବୁବେଳେ ଡେରି ହୁଏ । ସାନଭାଇ ଅଗସ୍ତି ରାଉରକେଲାରୁ ଆସି ସକାଳ ଛଅଟାରେ ପହଞ୍ଚି ନଥିଲେ ବାପାଙ୍କ ଅନୁପସ୍ଥିତି କଥା ସେ ହୁଏତ ଏତେଶୀଘ୍ର ଜାଣିପାରି ନଥାନ୍ତା । ଅଗସ୍ତି ବାପାଙ୍କୁ ପ୍ରଣାମ କରିବାପାଇଁ ଘର ଭିତରକୁ ଗଲାବେଳକୁ ବାପା ନାହାନ୍ତି । ସେ ଆଶ୍ଚର୍ଯ୍ୟ ମୁଦ୍ରାରେ ବୁଲିପଡ଼ି ସପ୍ତର୍ଷି ମୁହଁକୁ ଚାହିଁଲା–ବାପା କାହାନ୍ତି ?

 

ସପ୍ତର୍ଷି ଯେତିକି ବ୍ୟସ୍ତ ହେଲା ସେତିକି ବିବ୍ରତ । ଅଗସ୍ତି କଥାଟାକୁ ଭିନ୍ନ ଅର୍ଥରେ ନେଉ ନାହିଁ ତ ? ବାପାଙ୍କ ପ୍ରତି ଭାଇ ଭାଉଜ ସେ ପ୍ରକାର ଦୁର୍ବ୍ୟବହାର କରି ନଥିଲେ ତାଙ୍କ ପରି ଶାନ୍ତ ଓ ଶୃଙ୍ଖଳିତ ବୁଢ଼ା ମଣିଷଟେ ଅକୁହା ଅପୁଚ୍ଛା ଏମିତି କ’ଣ ଘରଛାଡ଼ି ଚାଲିଯାଇଥାନ୍ତେ ବୋଲି ଭାବୁନାହିଁ ତ ?

 

: କେଦାର ମଉସାଙ୍କ ଘରକୁ କାଳେ ଯାଇଥିବେ, ତିନି ନମ୍ବର ୟୁନିଟ୍‌ ଆଡ଼େ ।

 

: ପାଖ ଚା’ ଦୋକାନରେ ଥାଇପାରନ୍ତି ।

 

: ଚା’ ଦୋକାନକୁ ଗଲେ ଛତାଟା କାହିଁକି ନେଇକି ଯିବେ ?

 

: ସକାଳୁ କ’ଣ ଖରା ଏତେ ଟାଣ ହେଲାଣି ? –ସପ୍ତର୍ଷି ବିରକ୍ତିରେ ସ୍ତ୍ରୀକୁ ଜବାବ ଦେଲା-

 

ଅଧଘଣ୍ଟାଏ ଭିତରେ ସପ୍ତର୍ଷିର ଘରଟା ଗୋଟେ ପୋଲିସ୍‌ ଷ୍ଟେସନ୍‌ର ପୋଷାକ ପିନ୍ଧି ପକେଇଥିଲା । ନାନା ସନ୍ଦେହ, ସଂଶୟ, ପ୍ରଶ୍ନବାଚୀ ଓ କଳ୍ପନା–ଜଳ୍ପନାରେ ସପ୍ତର୍ଷିର ପରିବାରବର୍ଗ ମ୍ରିୟମାଣ ହେଇପଡ଼ିଲେ ।

 

ଅଗସ୍ତି କହିଲା, “ତମେମାନେ ଏଠି ଖୋଜାଖୋଜି କର । ମୁଁ ଗାଁକୁ ଚାଲିଲି । ଏ ସହରରେ ତାଙ୍କର କେହି ଜଣାଶୁଣା ନାହାନ୍ତି । ଭଦ୍ରକ ହେଇ ଗାଁକୁ ଯିବି । କାଳେ ଯଦି ବାପା ଗାଁକୁ ଚାଲିଯାଇଥିବେ । ଡେରି କରି ଲାଭ ନାହିଁ ।”

 

: ଜେଜେ ଏୟାରପୋର୍ଟ ଯାଇନାହାନ୍ତି ?–ନିଜକୁ ଜଣେ ଦାୟିତ୍ୱସମ୍ପନ୍ନ ସଦସ୍ୟ ମଣୁଥିବା ଲିଟୁ କହିଲା । ଲିଟୁ ଷ୍ଟାଣ୍ଡାର୍ଡ଼ ଟୁ’ରେ ପଢ଼ୁଛି, ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ।

 

ତା’ ମାଆ ଉହୁଙ୍କି ଆସିଲେ । ସବୁଯାକ ଦୋଷ ଯେମିତି ଏହି ଲିଟୁର । “ୟାରି ବଦମାସି ଯୋଗୁଁ ବାପା ଚିଡ଼ିଯାଇଥିବେ !” ନିଜକୁ ଦାୟିତ୍ୱମୁକ୍ତ କରିବାପାଇଁ ଗୋଟେ ବାଟ ଖୋଜୁଥିବା ସପ୍ତର୍ଷିର ସ୍ତ୍ରୀ ଅଳକାର ଅଭିଯୋଗ ।

 

: ବାପା ଏୟାରପୋର୍ଟ କାହିଁକି ଯିବେ ? କାହା ପାଖକୁ ଯିବେ ଉଡ଼ାଜାହାଜରେ ? ଅଗସ୍ତି ପୁତୁରାକୁ ବୁଝେଇଲା ।

 

: ନାଇଁ, ନାଇଁ ଦାଦା । ଜେଜେ ଥରେ କହୁଥିଲେ ଉଡ଼ାଜାହାଜ ଦେଖିଯିବା ପାଇଁ । ମୋତେବି ସାଙ୍ଗରେ ନେଇଯାଇ ଥାଆନ୍ତେ ।

 

: ଲିଟୁ ଠିକ୍‌ କହୁଥାଇପାରେ । ସପ୍ତର୍ଷି ହାତରେ ଆଉ ସମୟ ନାହିଁ । ପ୍ରଥମେ ବସ୍‌ଷ୍ଟାଣ୍ଡ୍‌, ରେଲୱେ ଷ୍ଟେସନ୍‌ ଦେଖିନେବା ଦରକାର । ତା’ପରେ ଏୟାରପୋର୍ଟ । ଫେରିବା ବାଟେ କେଦାର ମଉସାଙ୍କ ଘର ହେଇ ସେ ଆସିବ ।

 

ଅଗସ୍ତି ଯେମିତି ରାତିଅନିଦ୍ରା ଆସିଥିଲା ରାଉରକେଲାରୁ, ସେମିତି ଅଖିଆ ଅପିଆ ସେଇ ପୋଷାକରେ ଗାଁକୁ ବାହାରିଗଲାଣି । ସପ୍ତର୍ଷି ସ୍କୁଟର୍ ନେଇ ଏଇ ବାହାରିଗଲା ବାପାଙ୍କ ସନ୍ଧାନରେ । ସକାଳୁ ଘରଟା ଉପରେ ଏ ବିପତ୍ତି । ଅଳକା ଥକ୍କା ହେଇ ବସିପଡ଼ିଲା ଘର ବାରଣ୍ଡାରେ । ଚା’ ପାଣି, ରୋଷଇବାସ ସବୁ ବନ୍ଦ !

 

ଲିଟୁ ଓ ପୁପୁନ୍‌ ମଧ୍ୟ ଏହା ଭିତରେ ପରିସ୍ଥିତିର ଗାମ୍ଭୀର୍ଯ୍ୟ ବୁଝିସାରିଲେଣି । ଜେଜେ ଚାଲିଗଲେ ଲିଟୁକୁ ଖାଇବାବେଳେ, ଶୋଇବାବେଳେ ଗପ କହିବ କିଏ ? କାହା ପିଠିରେ ପୁପୁନ୍‌ ଘୋଡ଼ସବାର ହେବ ? କାଲି ରାତି ଦଶଟାଯାଏଁ ଦୁହେଁ ଗପୁଥିଲେ । କିଛି ତ ଟିକେ ସୁରାକ ଦେଇଥାନ୍ତେ !

 

କାହାକୁ କିଛି ନ କହି ବାପା କୁଆଡ଼େ ଗଲେ ? କାହିଁକି ଗଲେ ? ଅଳକାଙ୍କର ସବୁଠୁ ବେଶୀ ଦୁଶ୍ଚିନ୍ତା । ଯାହା ହେଲେବି ସବୁ ଦୋଷ ତାଙ୍କରି ମୁଣ୍ଡରେ ଯିବ । ପୁଅଙ୍କୁ କେହି ଦୋଷ ଦେବେ ନାହିଁ । ‘ପ୍ରଭୁ ଲିଙ୍ଗରାଜେ, ଏ କି ବିପଦ ଆଣିଦେଲ !’

 

ରାମଚନ୍ଦ୍ରପୁର ଗାଁରେ ମୁକୁନ୍ଦ ମହାପାତ୍ରଙ୍କର ଗୋଟେ ଅଲଗା ପରିଚୟ । ଏତେ ବାଟ ଯିବା ଦରକାର ନାହିଁ । ଗଦି ଛକ ଉପରେ ଓହ୍ଲେଇପଡ଼ି ଯାହାକୁ ଇଚ୍ଛା ତାକୁ ପଚାରିଦେଲେ ସେ ମୁକୁନ୍ଦ ମହାପାତ୍ରଙ୍କୁ ନିଶ୍ଚୟ ଜାଣିଥିବ । ସମସ୍ତେ ତାଙ୍କୁ ଚିହ୍ନନ୍ତି । ଏ ବ୍ଳକ୍‌ର ପ୍ରାୟ ସବୁ ପୁରୁଣା ପ୍ରାଇମେରୀ ସ୍କୁଲ୍‌ରେ ସେ ଶିକ୍ଷକତା କରିଛନ୍ତି । ନରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହେଡ଼୍‍ମାଷ୍ଟ୍ରେ ହେଇ ଏଇ ବର୍ଷକ ତଳେ ତ ଅବସର ନେଇଛନ୍ତି । ଆଦର୍ଶ ଶିକ୍ଷକଭାବେ ଦଶବର୍ଷ ତଳୁ ରାଜ୍ୟପାଳଙ୍କଠାରୁ ପୁରସ୍କାର ପାଇଛନ୍ତି ।

 

: ମହାପାତ୍ରେ ଆଦର୍ଶ ଶିକ୍ଷକ । ଦୋଷ ଭିତରେ ସ୍ୱଭାବ ଟିକେ ରକ୍ଷଣଶୀଳ । ଛୋଟଲୋକୀ ବରଦାସ୍ତ କରିପାରନ୍ତି ନାହିଁ କି ରାଜନୀତିଆ ଲୋକଙ୍କ ପାଖ ମାଡ଼ନ୍ତି ନାହିଁ । ସେତିକି ହେଇଥିଲେ ସେ ଢେର୍‌ ଉପରକୁ ଉଠିଥାନ୍ତେ ।–ତାଙ୍କ ବନ୍ଧୁମାନେ ମତ ଦିଅନ୍ତି ।

 

ତେବେ ମୁକୁନ୍ଦ ମହାପାତ୍ର ସେ କଥାରେ ବିଶ୍ୱାସ କରନ୍ତି ନାହିଁ । କଠୋର ଅନୁଶାସନ ଓ ଶୃଙ୍ଖଳା ତାଙ୍କ ଶିକ୍ଷକ ବୃତ୍ତିର ବୀଜମନ୍ତ୍ର । ଏ ସବୁରେ ସାଲିସ୍‌ କରିବା ଲୋକ ସେ ନୁହନ୍ତି ।

 

ଦୁଇ ପୁଅ । ଜଣେ ବ୍ୟାଙ୍କ୍‍ରେ ଫିଲ୍‌ଡ଼ ଅଫିସର । ଆଗେ ବ୍ରହ୍ମପୁରରେ ଥିଲା, ଏବେ ଭୁବନେଶ୍ୱରରେ । ଆଗରୁ ତା’ ବାହାଘର ସରିଛି । ବଡ଼ପୁଅର ଶ୍ୱଶୁର ଘର ସେଇ ଭୁବନେଶ୍ୱରରେ-। ସାନପୁଅଟି ରାଉରକେଲାରେ ଇଞ୍ଜିନିୟରିଙ୍ଗ ପଢ଼ୁଛି ।

 

ମହାପାତ୍ର ଟିକେ ଅଧିକ ପୁତ୍ରବତ୍ସଳ । ସାଙ୍ଗସୁଖରେ ବସିଗଲେ ପୁଅମାନଙ୍କ କଥା କହିବସନ୍ତି । ପୁଅବୋହୂ କେଉଁକାଳୁ ଲଗେଇଛନ୍ତି, ତାଙ୍କ ପାଖକୁ ଚାଲିଯିବା ପାଇଁ । ବୋହୂଟି ଭାରି ସୁଲକ୍ଷଣୀ...ଇତ୍ୟାଦି ଇତ୍ୟାଦି । ଶୁଣିବା ଲୋକ ପ୍ରସଙ୍ଗ ନ ବଦଳେଇବା ଯାଏଁ ମହାପାତ୍ରେ ପୁଅବୋହୂ ଓ ନାତିନାତୁଣୀଙ୍କ କଥା କହି ଚାଲିଥବେ ।

 

ଅବସର ନେବା ପର୍ଯ୍ୟନ୍ତ ମହାପାତ୍ରେ ପୁଅ ପାଖକୁ ଯିବା ପ୍ରସଙ୍ଗଟାକୁ ଏଡ଼ାଇ ଚାଲିଥିଲେ । ବୁଢ଼ୀଙ୍କର ତ ଅଲଗା କଥା ନାହିଁ । ବୁଢ଼ାଙ୍କ କଥାର ନଥା ସିଏ, ଛାୟାର କାୟା । ‘ପିଲାଏ ତାଙ୍କ ସଂସାର ନେଇ ଅଛନ୍ତି । ଆମେ କାହିଁକି ସେଠି ତାଙ୍କୁ ଅଡ଼ୁଆରେ ପକେଇବା ? ଅଗସ୍ତିଟିର ହାତକୁ ଦି’ହାତ ହେଇଗଲେ ଆମ କାମ ସରିବ । ତେଣିକି ତାଙ୍କ ସଂସାର ସେମାନେ ବୁଝିବେ ।’

 

ବୁଢ଼ୀ କିନ୍ତୁ ଅଗସ୍ତିର ଫୁଲନୋଳ ଦେଖିବା ପର୍ଯ୍ୟନ୍ତ ଅପେକ୍ଷା କଲେ ନାହିଁ । ମଗୁଶିର ମାସ ପ୍ରଥମ ଗୁରୁବାର ସଞ୍ଜବେଳା । ଘରବାଡ଼ି ଲିପାପୋଛା । ମାଣବସା ଘରେ ବହି ପଢ଼ା ହେଉଛି । ମୁକୁନ୍ଦ ମହାପାତ୍ର ଡିବିରି ଆଲୁଅରେ ‘ଲକ୍ଷ୍ମୀ ପୁରାଣ’ ବହି ପଢ଼ି ବୁଝଉଛନ୍ତି । ବୁଢ଼ୀଙ୍କ ଦେହ ଖରାପ ହେଲା । ପିଲାମାନଙ୍କ ପାଖକୁ ତାର ଗଲା । ତିହିଡ଼ିରୁ ଡାକ୍ତର ଆସିଲେ । ଏପଟେ ସ୍ୱାମୀ, ସେପଟେ ଦି’ ପୁଅ, ବୋହୂ, ନାତି ଓ ସାମ୍ନାରେ ଗୋଟେ ପରିପୂର୍ଣ୍ଣ ସଂସାର । ବୋହୂ ଗଙ୍ଗାଜଳ ପାଟିରେ ଦେଉଛନ୍ତି । ସାନ ପୁଅ ଗୋଡ଼ ଆଉଁଶି ଦେଉଛି । ସ୍ୱାମୀ ବସିଛନ୍ତି ନିଷ୍ପଲକ ନୟନରେ । ବୁଢ଼ୀ ଥରେ ସମସ୍ତଙ୍କୁ ଚାହିଁଦେଇ ଆଖି ବୁଜିଦେଲେ ।

 

ମହାପାତ୍ରଙ୍କର ଚାଳିଶିବର୍ଷର ଘରକରଣା ଉଜୁଡ଼ି ଗଲା ।

 

ମୁକୁନ୍ଦ ମହାପାତ୍ର ଭୁବନେଶ୍ୱର ଆସିବା ସପ୍ତାହେ ହେଲାଣି । ଗାଁ ପରି ଏଠି ଘରବାଡ଼ି ପ୍ରଶସ୍ତ ନୁହେଁ । ବର୍ଷ ପଚିଶ ତିରିଶଟାରେ କାପିଟାଲ କେତେ ବଦଳି ଗଲାଣିହେ ! ମହାପାତ୍ରେ ନିଜ ବିସ୍ମୟର ଉତ୍ତର ନିଜକୁ ନିଜେ ଦେଉଥିଲେ । ଗୋଟେ ପ୍ରାଇମେରୀ ସ୍କୁଲ୍‌ ଶିକ୍ଷକ କିପରି ବା ହିସାବ ରଖିପାରନ୍ତେ, ବିଜ୍ଞାନ ଓ ବୈଷୟିକ କୌଶଳ କେବଳ କାପିଟାଲର କୋଠାବାଡ଼ି କାହିଁକି, ସେଠି ରହୁଥିବା ମଣିଷମାନଙ୍କୁ ମଧ୍ୟ ଢେର୍‌ ବଦଳେଇ ସାରିଲାଣି । ଇଏତ ରାମଚନ୍ଦ୍ରପୁର ଗାଁ ନୁହେଁ !

 

ସପ୍ତର୍ଷି ମହାପାତ୍ର, ଫିଲ୍‌ଡ଼ ଅଫିସର, ୟୁକୋ ବ୍ୟାଙ୍କ୍ । ନେଳି ରଙ୍ଗର ଖଣ୍ଡେ ଟିଣ ନାମଫଳକ ଝୁଲୁଥିବା ଘରଟି ସାମ୍ନାରେ ଯେଉଁଦିନ ମୁକୁନ୍ଦ ମହାପାତ୍ର ଆସି ଓହ୍ଲେଇଥିଲେ, ଏତେ ବଡ଼ ସହର ଭିତରେ ନିଜ ପୁଅର ପରିଚୟ ଆବିଷ୍କାର କରି ଢେର୍‌ ଖୁସି ହେଇଥିଲେ । ସହରରେ ବହୁତ ମଣିଷ । ଜଣକର ଖବର ରଖିବାକୁ ଆର ଜଣକ ପାଖରେ ସମୟ ନାହିଁ । ‘କୁକୁର ପ୍ରତି ସାବଧାନ’ ‘ଦୟାକରି ଗେଟ୍‌ ବନ୍ଦ କରନ୍ତୁ’–ପରି ସତର୍କ ଓ ଅନୁରୋଧ ସୂଚକ ପରାମର୍ଶ ପରି ‘ସପ୍ତର୍ଷି ମହାପାତ୍ର ଏଇଠି ରହନ୍ତି’ର ସୂଚନା ଏ ନେଳି ଟିଣ ନାମଫଳକ ଖଣ୍ଡେ ।

 

: ହୁଁ, ଗଦି ବଜାରରୁ ପଚାରିଦେଲେ ଛଅ କୋଶ ଦୂରର ମଣିଷବି କହିଦେବ ମୁକୁନ୍ଦ ମହାପାତ୍ରଙ୍କ ଘରର ଠିକଣା ! କି ବିଚିତ୍ର ଏଠିକାର ଢଙ୍ଗରଙ୍ଗ ! କିଏ କାହାକୁ ଏଠି ଚିହ୍ନେ ?

 

ତିନି ଚାରି ଦିନ ତଳେ ମୁକୁନ୍ଦ ଘର ଅଗଣାରେ ବସି ଖବରକାଗଜ ପଢ଼ୁଥିଲେ । ଗେଟ୍‌ ସାମ୍ନାରେ ଫଟ୍‌ଫଟ୍‌ ଶବ୍ଦ କରି ଅଟକିଲା ଗୋଟେ ମୋଟର–ସାଇକେଲ୍‌ । ଅଦ୍ଭୁତ ବେଶପୋଷାକରେ ଯୁବକଟିଏ ସେଇଠୁ, ତା’ ଗାଡ଼ି ଉପରୁ ଦୁଇଗୋଡ଼ ଭୂଇଁରେ ଲଗେଇ ପଚାରିଲା, “ମହାପାତ୍ରବାବୁ ନାହାନ୍ତି ?”

 

: ନାହାନ୍ତି ମାନେ ? ସେ ପରା ସାମ୍ନାରେ ବସି ଖବରକାଗଜ ପଢ଼ୁଛନ୍ତି ! କିନ୍ତୁ ଏ ପ୍ରାଣୀଟି ସାଙ୍ଗେ ତ ମୁକୁନ୍ଦ ମହାପାତ୍ରଙ୍କର କିଛି ପରିଚୟ ନାହିଁ !

 

: କାହାକୁ ଖୋଜୁଛନ୍ତି ! ସପ୍ତର୍ଷିକୁ ?

 

: ହଁ, ମଉସା ! କହିଦେବେ, ବାବୁଲା ଖୋଜୁଥିଲା ।

 

ଯୁବକଟି ପୁଳାଏ ଧୂଆଁ ଉଡ଼େଇ ଭୁଁ କରି ଗାଡ଼ିଟାକୁ ବୁଲେଇ ଯେମିତି ଝଡ଼ ପରି ଆସିଥିଲା ସେମିତି ଚାଲିଗଲା । ଗୋଟାଏ ନମସ୍କାର ମଧ୍ୟ କଲା ନାହିଁ ମୁକୁନ୍ଦ ମହାପାତ୍ରଙ୍କୁ ।

 

: ରାମ୍‌ ରାମ୍‌, ଏ ପିଲାଗୁଡ଼ିକଙ୍କର କି ସଂସ୍କାର ! ଗୁରୁଜନମାନଙ୍କ ସାଙ୍ଗେ କିପରି କଥାବାର୍ତ୍ତା କରିବାକୁ ହୁଏ, ସେତିକିବି ଏମାନଙ୍କୁ ଜଣା ନାହିଁ !

 

ବଡ଼ପିଲାଙ୍କ କଥା ଛାଡ଼ । ସାନପିଲା କୋଉ କମ୍‌ ? ସକାଳୁ ପଡ଼ିଶା ଘରର ପିଲାଟା ଆସି କହିଲା–

 

: ଅଜା, ଲିଟୁକୁ ଟିକେ ଡାକିଦେଲ !

 

: ତମେ କିଏ ବାବା ?

 

: ମୁଁ ଲିଟୁର ଫ୍ରେଣ୍ଡ୍‌ ।

 

: ମୁଁ ଲିଟୁର ଅଜା ନୁହେଁ, ଜେଜେ ।

 

: ଓ–ହୋ, ଅଜା କି ଜେଜେ, ଏକା କଥା । ଡାକିଦିଅ ଟିକେ ।

 

ମୁକୁନ୍ଦ ମହାପାତ୍ରଙ୍କ ଗାଲକୁ ଯେପରି କିଏ ଆମ୍ପୁଡ଼ି ଦେଲା । ଏଠି ସେ କ’ଣ ମଉସା, ଜେଜେ କି ଅଜା ? ତାଙ୍କର ନିର୍ଦ୍ଦିଷ୍ଟ ପରିଚୟ କିଛି ନାହିଁ । ପୁଣି କି ଉପରମୁହାଁ ହେଇଛନ୍ତି ଏ ପିଲାଗୁଡ଼ିକ !

 

କି ପରିଚୟ ବା ତାଙ୍କର ଏଠି ଅଛି ଏ ସହରରେ ? ସପ୍ତର୍ଷିର ବାପା, ଅଳକାର ଶ୍ୱଶୁର, ଲିଟୁର ଅଜା, ସପ୍ତର୍ଷି ସାଙ୍ଗମାନଙ୍କର ମଉସା ନହେଲେ ଆଉ କିଛି... । ଅଥଚ ଗୋଟେ ଜାଗାରେ ମୁକୁନ୍ଦ ମହାପାତ୍ରଙ୍କ ପୁଅ, ବୋହୂ ଓ ନାତି ସମସ୍ତେ ତାଙ୍କରି ନାମରେ ଏବେବି ପରିଚିତ ହୁଅନ୍ତି । ସେଇଟା ଏଠି ସମସ୍ତେ ଭୁଲିଯାଉଛନ୍ତି ପରା !

 

ସକାଳୁ ଦୁଇଟା ଟଗର ଫୁଲ ମିଳେ ନାହିଁ ଏଠି ଆଖଣ୍ଡଳମଣିଙ୍କ ଫଟୋରେ ଦେବାପାଇଁ-। ନିଜେ ଆଖଣ୍ଡଳମଣିବି ଯୋଉ ଦଶାରେ, ଶିଡ଼ି ତଳ, ପୁରୁଣା ଟିଣ ଚଉକି, ଲିଟୁର ଖେଳଣା ଓ ମୁଗ, ଧାନ ବସ୍ତା ସନ୍ଧିରେ ଚାପି ହେଇ ଅଛନ୍ତି, ଦେଖିଲେ ମୁକୁନ୍ଦଙ୍କର ଦୟା ଆସେ-! ଆହା, କେତେ ବଡ଼ ଠାକୁରଘର ଆନନ୍ଦ ଦାସ ଗାଁରେ କରି ଯାଇଛନ୍ତି । ଏଠିକି କାହିଁକି ଆସିଲହେ ଠାକୁରେ–ମୁକୁନ୍ଦ ମହାପାତ୍ର ମନକୁ ମନ ଗୁଣୁଗୁଣୁ ହୁଅନ୍ତି । ସହରରେ ଗୁରୁବାର ସୋମବାର ଭେଦାଭେଦ ନାହିଁ । ସେଇ ନନ୍ଦ ପାଣିରେ ଶୌଚ ଓ ଠାକୁର ପୂଜା !

 

: ତୋ ବୋଉ ଥିଲେ ମୋତେ ଗୋଟାଏ ଦିନବି ଏଠି ରହିବାକୁ ଦିଅନ୍ତା ନାହିଁ–ଥରେ ଖାଇ ବସୁ ବସୁ ମୁକୁନ୍ଦ ମହାପାତ୍ର ସପ୍ତର୍ଷିକୁ କହିଥିଲେ । ସେଦିନ କେମିତି କେଜାଣି ଅକସ୍ମାତ୍‌ ସପ୍ତର୍ଷି ରାତିରେ ଶୀଘ୍ର ଫେରିଥିଲା । ନହେଲେ ତା’ର ଫେରୁ ଫେରୁ ସବୁଦିନେ ରାତି ନଅ, ଦଶ ।

 

: ଏଇ ଘରକୁ ଭଡ଼ା ବାରଶହ ଟଙ୍କା । କ’ଣ କରିବା ?

 

ଅଥଚ ଗାଁରେ ବାର ମାଣିଆ ଚକ ମୁକୁନ୍ଦ ମହାପାତ୍ରଙ୍କର ଭାଗରେ ଲାଗୁଛି । ପିଲାଏ ଗାଁକୁ ଗଲେ ନାହିଁ ।

 

ଦିନେ ମୁକୁନ୍ଦ ମହାପାତ୍ର ତିନି ନମ୍ବର ୟୁନିଟ୍‌ ଯାଇଥିଲେ, କେଦାର ଘରକୁ । କେଦାରର ଦଶାବି ସେଇଆ । ପରଦିନ ସେ ତା’ର ଗାଁକୁ ଚାଲିଗଲା । ତା’ ପୁଅ ବୋହୂ ଦିହେଁ ଚାକିରିଆ । ପିଲା ପାଳିବାକୁ ତାଙ୍କର ଲୋଡ଼ା ଥିଲା ବୁଢ଼ା କି ବୁଢ଼ୀଟେ । କେଦାର ସେକଥା କହି ମୁକୁନ୍ଦଙ୍କ ପାଖରେ ମନଦୁଃଖ କରିଥିଲା । ମୁକୁନ୍ଦ ଭିତରେ ଭିତରେ କେଦାରର ଦୁର୍ଭାଗ୍ୟ ପ୍ରତି ସମବେଦନା ଜଣାଇଥିଲେବି ଉପରକୁ ‘ତୁ ଗୋଟେ ବିଚିତ୍ର ଜନ୍ତୁ’–କହି ପରିହାସରେ ଏଡ଼ାଇ ଯାଇଥିଲେ । କେଦାର ଏବେ ଗାଁରେ ।

 

ଅଳକା କେଦାରର ବୋହୂ ପରି ନୁହେଁ । ତାଙ୍କ ଖାଇବା, ପିଇବା, ପିନ୍ଧିବା, ସବୁ ଉପରେ ଅଳକାର ନଜର, ଟିକେ ଅସୁବିଧା ହେବାକୁ ସେ ଦିଏ ନାହିଁ ।

 

କିନ୍ତୁ ତା’ ସତ୍ତ୍ୱେ ତାଙ୍କର ପରିଚୟ କିପରି ଏ ସହରରେ ଗୌଣ ହେଇଯାଉଥିବା ପରି ମୁକୁନ୍ଦଙ୍କୁ ଲାଗେ । ପଇଁତିରିଶବର୍ଷର ଜୀବନ ଭିତରେ ଛାଟ ଉଞ୍ଚେଇ ମୁକୁନ୍ଦ ମହାପାତ୍ର କେତେ ଛାତ୍ରଙ୍କୁ ଶାସନ କରି ଆସିଛନ୍ତି । ସାମ୍ନାରେ ବାଧ୍ୟ ଓ ବଶମ୍ବଦ ଛାତ୍ରମାନଙ୍କୁ ସେ ଦେଖି ଆସିଛନ୍ତି । ସ୍କୁଲ୍ ହତାର ସେ କ୍ଷୁଦ୍ର ରାଜ୍ୟରେ ମୁକୁନ୍ଦ ମହାପାତ୍ରହିଁ ଏକଛତ୍ରପତି ସମ୍ରାଟ । କେତେ ସ୍କୁଲ୍‌ ବୁଲିଛନ୍ତି, କେତେ ଅଭିଭାବକଙ୍କଠାରୁ ପ୍ରଶଂସା ଶୁଣିଛନ୍ତି । ଅଥଚ ଏଇଟି ଏପରି ଗୋଟେ ସହର, ଯେଉଁଠି ତାଙ୍କର ପ୍ରୟୋଜନ କେହି ଲୋଡ଼େ ନାହିଁ !

 

ଆଉ ଦେଖ ସେ ପାଷଣ୍ଡ ଲୋକଟାକୁ । କ୍ଷୀର ଦେଉଛି ଓ ପଇସା ନେଉଛି । ସକାଳୁ ଆସି ମୁକୁନ୍ଦ ମହାପାତ୍ରଙ୍କୁ ଡାକେ, ‘ବୁଢ଼ାବାବୁ ?’ ଇଏ ଗୋଟେ ସମ୍ବୋଧନ ? ତା’ର ଦୋଷ ନାହିଁ । ସଂସ୍କାରର ଦୋଷ, ଶିକ୍ଷାର ଦୋଷ ।

 

ମୁକୁନ୍ଦ ମହାପାତ୍ରଙ୍କ ପରିଚୟ କ୍ରମେ ମଧ୍ୟାହ୍ନର ତାଳଗଛ ଛାଇ ପରି ସଙ୍କୁଚିତ ହେଇଆସେ ।

 

ଏବେବି ଗଦିଠୁ ରାମଚନ୍ଦ୍ରପୁର ଯାଏଁ ସପ୍ତର୍ଷିର ପରିଚୟ ମୁକୁନ୍ଦ ମାଷ୍ଟ୍ରଙ୍କ ବଡ଼ପୁଅ । ସପ୍ତର୍ଷିର ବୟସ ସେଠି ବଢ଼ିନାହିଁ ।

 

ସେଇ ସପ୍ତର୍ଷି, ତାଙ୍କର ଜୀବନବ୍ୟାପି ସଂଗ୍ରାମର ଉପଲକ୍ଷ୍ୟ । ସବୁଦିନେ ଏକଜିଦିଆ, ଥରେ ରାଗି ବେତରେ ଦି’ ପାହାର ଦେଇଥିଲେ ବୋଲି ମାଆ ତା’ର ସାତଦିନ କଥାବାର୍ତ୍ତା କରି ନଥିଲା । ଅଭିଯୋଗ କରିଥିଲା, ଟାଣ ଶାସନ ଦେଖି ଦେଖି ପିଲାଏ ବେପରୁଆ ହେଇଯାଆନ୍ତି । ମାଷ୍ଟର ଆଉ ପୁଲିସଙ୍କ ପିଲାଏ ବାଳୁଙ୍ଗା ହୁଅନ୍ତି । ନରମ ଶାସନ ତମେ ଜାଣିଲ ନାହିଁ । ସପ୍ତର୍ଷିର ମାଆ ବେଶୀ ପାଠ ପଢ଼ି ନଥିଲା । କିନ୍ତୁ ତା’ କଥା ଦିପଦ ମୁକୁନ୍ଦ ମହାପାତ୍ରଙ୍କ ମନକୁ ସେଦିନ ଖୁବ୍‌ ଛୁଇଁଥିଲା । ସେଇଦିନୁ ପଣ କରିଥିଲେ, ବେତ ଉଞ୍ଚେଇ ଶାସନ କରିବେ । କାହାରି ପିଠିରେ ବେତଦାଗ ଦେଖିବେ ନାହିଁ ।

 

ପଛକୁ ଆସିଲା ଅଗସ୍ତି । ଅଗସ୍ତି ତା’ ମାଆର ପୁଅ । ସପ୍ତର୍ଷି ବାପାର ପୁଅ । ସପ୍ତର୍ଷି ଗୋଟେ ଲେକ୍‌ଚରର ହେଉ–ମୁକୁନ୍ଦଙ୍କର ବଡ଼ ଇଚ୍ଛା ଥିଲା । ବ୍ୟାଙ୍କ୍‍ରେ ପଶିଗଲା । ଏବେ ଦିନେ କହୁଥିଲା, ଏମିତି ୟୁ.ଜି.ସି. ସ୍କେଲ୍‌ ସେତେବେଳେ ଥିଲେ ସେ ବ୍ୟାଙ୍କ୍‍ରେ ପଶି ନଥାନ୍ତା ।

 

ଖାଲି ଅର୍ଥ ସବୁକିଛି ନୁହେଁ । ସନ୍ତୋଷହିଁ ବଡ଼କଥା !

 

ଅଗସ୍ତି ଇଞ୍ଜିନିଅର୍ ହେବ ! ପଢ଼ୁଛି, ପଢ଼ା ସରିବାକୁ ଦି’ବର୍ଷ ବାକି । ଗତବର୍ଷ ଖବରକାଗଜରେ ସେ ପଢ଼ିଥିଲେ ଇଞ୍ଜିନିଅରିଙ୍ଗ ପିଲାଏ ଜୋତା ସଫା କରୁଥିଲେ, ତାଙ୍କପାଇଁ ଚାକିରି ନାହିଁ । ଅଗସ୍ତି ସିନା ଗାଁ ଚାଷବାସ କଥା ବୁଝିଥାଆନ୍ତା । ପାହାଡ଼େ ଟଙ୍କା କ’ଣ ହେବ, ଗଉଣିଏ ଖୁଦର ମୂଲ୍ୟକୁ ଅକୁଳାଣ । ଶିଳ୍ପ ଫିଳ୍ପ ସବୁ ପଛକଥା । ଚାଷ ନହେଲେ ଓଡ଼ିଶାର ଭାଗ୍ୟ ପଥର ତଳେ । –ଇଏ ମୁକୁନ୍ଦ ମହାପାତ୍ରଙ୍କ ବିଚାର ।

 

ଜୀବନରେ ବେଶୀକିଛି ସଞ୍ଚୟ କରିନାହାନ୍ତି ମୁକୁନ୍ଦ ପ୍ରସାଦ । ବାପାଙ୍କ ଅମଳରୁ ଯାହା ଥିଲା ସେଇଥିରେ ଆଉ ଦି’ମାଣ ଜମି ଯୋଡ଼ିଛନ୍ତି । ପଇସା ସଞ୍ଚୟ କରି ଲାଭ କ’ଣ ? ପିଲାମାନେ ଯୋଗ୍ୟ ହେଲେ ପଇସା ଲୋଡ଼ା ନାହିଁ । ଅଯୋଗ୍ୟ ହେଲେ ନଈବାଲି ପ୍ରମାଣେ ଟଙ୍କାବି ଅକୁଳାଣ ହେବ । ଏପାଇଁ ସପ୍ତର୍ଷିର ମାଆ କେତେଥର ଉଲୁଗୁଣା ଦେଇଛି । କିନ୍ତୁ ସେ ବିଚାରୀ କ’ଣ ବୁଝିପାରିଥାନ୍ତା, ପ୍ରାଇମେରୀ ସ୍କୁଲ୍‌ର ମାଷ୍ଟରଟିଏ କେତେଟଙ୍କା ଦରମା ପାଏ ? ଶିକ୍ଷକର ଚାକିରି ରୋଜଗାର ପାଇଁ ନୁହେଁ । ଶିକ୍ଷାଦାନଠୁ ମହତ୍‌ ଦାନ ଆଉ କିଛି ନାହିଁ । ଅଭାବୀ ପିଲାଟିଏକୁ ମାଗଣାରେ ପାଠ ପଢ଼େଇ ବିଦା କଲାବେଳେ ଚାରିଟି ଆଖିରେ ଯେଉଁ ଚାରିଟୋପା ଲୁହ ଓହ୍ଲେଇ ଆସେ ତା’ ମୂଲ୍ୟ କିଏ ଦେଇପାରିବ ? ନିଜର ଛାତ୍ରଟିକୁ ହାକିମ ଚଉକିରେ ଦେଖିଲେ ଶିକ୍ଷକଟିର ଛାତି ଯେମିତି ଫୁଲିଉଠେ ତା’ ବାପର ଛାତି ସେପରି ଫୁଲିଉଠୁଥିବ ଅବା ! ଦୁନିଆଯାକର ଜିନିଷ ଅଛି ରୁଣ୍ଡେଇବାକୁ । ରୁଣ୍ଡେଇ ଲାଗିଥିଲେ ଜୀବନଟା ହାହାକାର କରୁଥିବ । ରୁଣ୍ଡେଇବ ତ ସ୍ନେହ ଶ୍ରଦ୍ଧା ରୁଣ୍ଡଉଥାଅ । ଟଙ୍କାପଇସା ତ ଅଢ଼େଇଦିନିଆ !

 

ଆଖି ଟିକିଏ ଲାଗିଆସିଥିଲା ମୁକୁନ୍ଦ ପ୍ରସାଦଙ୍କର । ସପ୍ତର୍ଷି ଗୋଟେ ଗାଡ଼ି କିଣିବ ବୋଲି କହି ବୋହୂ ସାଙ୍ଗେ କଥାବାର୍ତ୍ତା ହେଉଥିଲା । ଏତେଗୁଡ଼ା ଟଙ୍କା କୁଆଡ଼ୁ ଯୋଗାଡ଼ କରିବ ସେ ? ଦରମା କେତେ ପାଏ ସେ ?

 

ଗାଁରୁ ଆସିବା ଦିନ ରାତିରେ ସମସ୍ତେ ଖାଇ ବସିଥିବାବେଳେ ଅଳକା କହିଥିଲା, ‘ଗାଁରେ ତ କେହି ରହିବେ ନାହିଁ । ଇଏ କହୁଥିଲେ ଗାଡ଼ିଟେ କିଣିବାପାଇଁ । ଟ୍ରାଭେଲ୍ ଏଜେନ୍‌ସିକୁ ଦେଇଦେଲେ ଦିପଇସା ଆସନ୍ତା । କେଦାର ମଉସାଙ୍କ ପୁଅ ରାଜି ହେଇଛନ୍ତି । ବାରମାଣିଆ ଚକ-। ଆପଣ ରାଜି ନହେଲେ ଗାଡ଼ି କିଣିବା ନାହିଁ । କିନ୍ତୁ ଆପଣ ତ ଆଉ ଗାଁକୁ ଯାଇ ଚାଷ କରିବେ ନାହିଁ !’

 

ମୁକୁନ୍ଦ ପ୍ରସାଦ ଖାଇସାରିଥିଲେ । କେଦାର ପୁଅକୁ ଜମି ବିକିବାପାଇଁ କହିବା ଆଗରୁ ତାଙ୍କୁ କେହି କେମିତି ପଚାରିଲା ନାହିଁ, ସେଇଟାହିଁ ସେ ଚିନ୍ତା କରୁଥିଲେ । ସପ୍ତର୍ଷିର ପ୍ରସ୍ତାବ ଅବଶ୍ୟ ମନ୍ଦ ନୁହେଁ । କିନ୍ତୁ ସେ କଥାଟା ତାକୁ କାହିଁକି ଆଗେ କୁହାଗଲା ନାହିଁ ? କେଦାର ଥାଉଁଥାଉଁ ତା’ ପୁଅ ଜମି କିଣିବ ଓ ମୁକୁନ୍ଦ ପ୍ରସାଦ ଜିଇଁ ଥାଉଁଥାଉଁ ତାଙ୍କ ପୁଅ ଜମି ବିକିବ ? ଇଏ କି ଅଦ୍ଭୁତ କଥା !

 

ସେ ସେଇଠି ତାଙ୍କ ନିଷ୍ପତ୍ତି ଶୁଣେଇ ଦେଇଥିଲେ । ଅଗସ୍ତିର ବାହାଘର ନ ସରିବା ପର୍ଯ୍ୟନ୍ତ ଜମିଜମା ଯେମିତି ଅଛି ସେମିତି ଥାଉ । ତା’ ଚାକିରି ପାଇବା ନେଇ କି ଭରସା ଅଛି ?

 

ସନ୍ଧ୍ୟା ସାତଟା ଗଡ଼ିଗଲାଣି । ଅଗସ୍ତି ଯଦି ସିଧା ଗାଁକୁ ଯାଇଥାଏ ତାହାହେଲେ ଯିବା ଆସିବା ପାଞ୍ଚ ପାଞ୍ଚ ଦଶଘଣ୍ଟା । ସକାଳ ଆଠଟାରୁ ଯାଇଛି । ଆସିବା ଆସିବା ହଉଥିବ ପରା ! କିନ୍ତୁ ବାପା ଯଦି ଗାଁକୁ ଯାଇ ନଥିବେ ?

 

: କିଛିଦିନ ତଳେ ବାପା କହୁଥିଲେ ପୁରୀ ବୁଲିଯିବା ପାଇଁ । ତାଙ୍କ ଗୁରୁଙ୍କ ଆଶ୍ରମ ସେ ବୁଲିଯାଇ ଥାଆନ୍ତେ । ତମର ବ୍ୟାଙ୍କ୍‌ ସାଙ୍ଗ କେହି ପୁରୀରେ ନାହାନ୍ତି । ଟିକେ ଫୋନ୍‌ କଲ ନାହିଁ-? –ଅଳକା କହିଲା ।

 

: କିନ୍ତୁ ଗୁରୁଙ୍କ ଆଶ୍ରମ କେଉଁଠି, ସେ ସେଠି ଅଛନ୍ତି କି ନାହିଁ ନ ଜାଣି ଫୋନ୍‌ କରିଦେଲେ କାଲି ବ୍ୟାଙ୍କ୍‍ସାରା ଏ ଖବର ପ୍ରଚାର ହେଇଯିବ । କଥାଟାରେ ଅନ୍ୟ ଅର୍ଥ ସମସ୍ତେ ଖୋଜିବେ । ଆଜି ଅଗସ୍ତି ଫେରୁ । ସକାଳୁ ନିଜେ ନହେଲେ ପୁରୀ ଚାଲିଯିବି । ରାତି ପାହୁ । ସପ୍ତର୍ଷି ଉତ୍ତର ଦେଲା ।

 

: କିନ୍ତୁ ବୁଢ଼ା ମଣିଷ । କେଉଁଠିକି ଗଲେ, ବାଟରେ କିଛି ଅସୁବିଧାରେ ପଡ଼ିଲେ କି କ’ଣ-? ପାଖରେ ଟଙ୍କାପଇସା ଥିଲା କି ନାହିଁ, କିଏ କହିବ ? ପୁଲିସକୁ ଖବର ଟିକେ ଦିଅନ୍ତ ନାହିଁ-?

 

ସପ୍ତର୍ଷି ଚିଡ଼ିଗଲା । ଦିନସାରା ଆଶଙ୍କା ଓ ଉଦ୍‌ବେଗ । ତା’ ସାଙ୍ଗକୁ ଅଳକାର ଯେତେସବୁ ଉଦ୍ଭଟ ପ୍ରସ୍ତାବ । ପୁଲିସକୁ ଖବର ଦେଲେ ଗାଁରେ ତମେ ମୁହଁ ଦେଖେଇପାରିବ ? ସବୁ ତମରି ଗୁଣ ! ଗାଡ଼ି କିଣିବ, ଜମି କିଣିବ, ଘର କିଣିବ । ପୃଥିବୀଟା ତମର କିଣିବାକୁ ଇଚ୍ଛା । ଜଣେ ବୁଢ଼ା ଲୋକଙ୍କ ଖବର ବୁଝିପାରିଲ ନାହିଁ ।

 

ଅଳକା ଶାଢ଼ିକାନି ଦାନ୍ତରେ ଚାପି ସେଠୁ ଚାଲିଗଲା । ତା’ର କାନ୍ଦୁରା ମୁହଁ ଲାଜରେ ନାଲି ପଡ଼ିଗଲା । ସବୁ ଦୋଷ କ’ଣ ତା’ରି ? ସପ୍ତର୍ଷି ଜମି ବିକିବାକୁ ଚାହାନ୍ତି ନାହିଁ ? ଗାଡ଼ି କିଣିବାକୁ ଚାହାନ୍ତି ନାହିଁ ? “କେତେ ସମୟ ତମେ ବାପାଙ୍କ ପାଖରେ ବସୁଥିଲ ? ଆସିଲାଦିନୁ ଘଡ଼ିଏ ତାଙ୍କ ପାଖେ ବସି ତାଙ୍କ କଥା ଶୁଣିଛ ? ବ୍ୟାଙ୍କ୍‌ ଛୁଟି ହୁଏ ପାଞ୍ଚଟାରେ । ରାତି ଦଶଟା ଯାଏଁ କେଉଁ ଚିନ୍ତାରେ ବୁଲୁଥାଅ ତମେ ? ମୁଇଁ କିଣିବାକୁ ବସିଛି ପୃଥିବୀ... । ତମେ ଏଥିରେ କିଛି ଭାଗୀଦାର ନୁହ ? ଦି’ ଦିଇଟି ପିଲାଙ୍କୁ ନେଇ ମୁଁ ତ ମୋର ସଂସାର ଦୁଃଖରେ ଥାଏ । ମୋତେ ମିଛରେ କାହିଁକି ଦୋଷ ଦେଉଛ ?”

 

ସପ୍ତର୍ଷି ଦେଖିଲା, ବିପଦ ଆସିବାବେଳେ ଏହିପରି ହୁଏ । ପ୍ରଥମେ ମଣିଷ ଧୈର୍ଯ୍ୟ ହରାଏ, ତା’ପରେ ବିବେକ । ସେ ଲିଟୁକୁ, ‘ଯା ବସି ପଢ଼ିବୁ’ କହି ବାହାରକୁ ଚାଲିଗଲା । ବାପାଙ୍କ ଉପରେ ସେ ଖୁବ୍‌ ଚିଡ଼ିଗଲା । ନିଜେ ବରାବର କହନ୍ତି, ଯୁଆଡ଼କୁ ଗଲେ ଖବର ଦେଇଯିବ । ପହଞ୍ଚିଲାକ୍ଷଣି ଚିଠି ଦେବ । ସେ ଜାଗାରୁ ବାହାରିବା ପୂର୍ବରୁ ଚିଠି ଲେଖିବ ଅଥଚ କାହାକୁ କିଛି ନକହି କ’ଣ ଏମିତି କେହି ଘର ଛାଡ଼ି ଚାଲିଯାଏ ? କି ପିଲାଳିଆମି ଏ ବୁଢ଼ା ବୟସରେ ?

 

ସହରରେ ଲୋଡ଼୍‍ସେଡ଼ିଂ । ଦିନରେ ଛଅ ଘଣ୍ଟା ବିଜୁଳି ଯୋଗାଣ ବନ୍ଦ । କିଏ ଜଣେ ଗେଟ୍‌ ସେପଟେ ଲସରପସର ହେଉଛି ? ଅଗସ୍ତି ! ନା, ସେ ତ ଧୋତି ପିନ୍ଧେ ନାହିଁ । ସପ୍ତର୍ଷି ଚିତ୍କାର କରି ଉଠିଲା, “କିଏ ?”

 

: ମୁଁ... ମୁଁ । ଲୋକଟି ଟିକେ ଶଙ୍କିଯାଇଥିଲା ଚିତ୍କାର ଶୁଣି ।

 

: ମାଷ୍ଟ୍ରେ ପଠେଇଛନ୍ତି । ମୁଁ ମାଗୁଣି, ସାନବାବୁ !

 

ହଠାତ୍‌ କୋଟିଏ ଟଙ୍କାର ଲଟେରି ଜିଣିଥିଲେବି ସପ୍ତର୍ଷି ଏତେ ଖୁସି ହେଇ ନଥାନ୍ତା । ମାଗୁଣିର ହାତ ଧରି ସେ ଟାଣି ନେଇଗଲା ଘର ଭିତରକୁ । ଡାକ ପକେଇଲା, “ଅଳକା, ଅଳକା ।”

 

ମାଗୁଣି ଗୋଟେ ବସ୍ତାରେ ପୁଞ୍ଜାଏ ନଡ଼ିଆ, ଲୀଳାବତୀ ଚାଉଳ ଆଣିଥିଲା । ଆଉ ଗୋଟେ ମୁଣାରୁ କ’ଣ ବାହାର କରୁଥିଲା । ଚିଲ ଝାମ୍ପିଲା ପରି ସପ୍ତର୍ଷି ତା’ ପକେଟ୍‌ରୁ ଝାମ୍ପିନେଲା ବାପାଙ୍କ ଚିଠିଟାକୁ । ଏ ହସ୍ତାକ୍ଷର ସହ ତା’ର ଆଜନ୍ମ ସମ୍ପର୍କ ।

 

ବାପା ଲେଖିଥିଲେ, “ଶ୍ରୀମାନବାବୁ ସପ୍ତର୍ଷି, ତମକୁ କାହାରିକୁ ନ ଜଣେଇ ଚାଲି ଆସିଲି-। ଏଇଟା ମୋ ଜୀବନର ପ୍ରଥମ ଭୁଲ୍‌ । ବୋହୂକୁବି ବଡ଼ ଚିନ୍ତାରେ ପକେଇଲି । ବାଟରେ ଗାଡ଼ି ଡେରି କଲାରୁ ମାଗୁଣିକୁ ପଠେଇବା ଡେରି ହେଲା । ଆସିବାରେ କିଛି ଅସୁବିଧା ହେଇନାହିଁ-

 

“ବାବୁରେ, ଏଠି ମୋର ବହୁତ କାମ । ଚାକିରିରେ ଥାଇ ମା’ କଥା ଭୁଲିଗଲି । ସହର ମୋପାଇଁ ନୁହେଁ । ତୋ ବୋଉ ଏତେ ସଂସ୍ଥା ମେଲେଇ ଯାଇଛି, ତା’ ଖବର ବୁଝିବାକୁ ଆଉରି ଗୋଟେ ଲୋକ ଲୋଡ଼ା । ଏଠି ମୋ ଘରବାଡ଼ି, ମୋ ଗାଁ ସ୍କୁଲ୍‌, ମୋ ପୋଖରୀ ଓ ନଡ଼ିଆ ବଗିଚା; ଢେର୍‌ କାମ ।

 

“ରଜକୁ ପିଲାଙ୍କୁ ଓ ବୋହୂକୁ ନେଇ ଗାଁକୁ ଆସିବୁ । ଗୋଟେ ଦିନ ଅଧିକା ଛୁଟି ଆଣିଥିବୁ । କେଉଁଦିନ ତୋ ସାଙ୍ଗେ ଟିକେ ଭଲକି କଥାବାର୍ତ୍ତା ହେଇହେଲା କ’ଣ ? ଅଗସ୍ତିକୁ ଚିଠି ଦେବୁ । ତା’ ମନ ନେଇ ବୋହୂକୁ କହିବୁ । ଗାଡ଼ି କିଣିବା କଥା ସ୍ଥିର ହେଲେ ମୋତେ ଚିଠି ଦେବୁ । କେଦାର କିଣିବ କହୁଛି, କେଦାରକୁ ଜମି ଦେବା କଥା ମୁଁ ସ୍ଥିର କରିଛି । ଲିଟୁକୁ ଖରାଛୁଟିରେ ପଠେଇବୁ ନିଶ୍ଚୟ । ମାଗୁଣି ଯାଇ ନେଇ ଆସିବ । ମାଗୁଣିକୁ ସକାଳୁ ପଠେଇଦେବ । ସେ ଆସିଲେ ନଡ଼ିଆ ଗଛ ଝାଡ଼ିବ । ଘରଛପର କାମ ହେଇନାହିଁ । ଇତି–ତୁମର ଶୁଭାକାଂକ୍ଷୀ ବାପା, ମୁକୁନ୍ଦ ପ୍ରସାଦ ମହାପାତ୍ର ।

 

: କ’ଣ ଲେଖିଛନ୍ତି ବାପା–ଅଳକା ପଚାରୁଥିଲା ।

 

: ଜେଜେ କେଉଁଠି ଅଛନ୍ତି–ଲିଟୁର ପ୍ରଶ୍ନ ।

 

ନିରୁତ୍ତର ସପ୍ତର୍ଷି ବାପାଙ୍କର ଚିଠିଟା ଅଳକା ହାତକୁ ବଢ଼େଇଦେଲା ।

 

: ତମେ ଅଗସ୍ତିକୁ ବାଟରେ ଭେଟିନାହଁ ? ସେ ଗାଁକୁ ଯାଇଛି ।–ସପ୍ତର୍ଷି ମାଗୁଣିକୁ ପଚାରିଲା ।

 

: ମୁଁ ତ ସେଇଆ ଭାବୁଥେଲି ବାବୁ । ଭଦ୍ରକରେ ଆମ ସାନବାବୁଙ୍କ ପରି ଜଣକୁ ବାଇପାସ୍‌ରେ ଦେଖିଛି । ପୁଣି ଭାବିଲି ସେ କାହିଁକି ଏବେ ଗାଁକୁ ଯିବେ ?

 

ସେଦିନ ରାତିରେ ଅଳକା ତଥାପି ବାପାଙ୍କର ସହସା ଗାଁ ଫେରିଯିବାଟାକୁ ନ ବୁଝିପାରି ପଚାରୁଥିଲା, “ବାପା ଏଠୁ ପଳେଇଲେ କାହିଁକି ?”

 

: ସମ୍ରାଟମାନେ ଆଉ କାହା ପରିଚୟରେ ବଞ୍ଚିବାକୁ ଚାହାନ୍ତି ନାହିଁ ।–ସପ୍ତର୍ଷିର କଣ୍ଠସ୍ୱର ଆର୍ଦ୍ର ଓ ଓଜନିଆ ଶୁଣାଯାଉଥିଲା ।

Image

 

ଭାରତବର୍ଷ

 

ସେ ଗାଁକୁ ପୋଷ୍ଟ୍‍ମ୍ୟାନ୍‌ ଯାଏଁ ନାହିଁ । ଟେଲିଗ୍ରାମ୍‌ଟେ ପଠାଗଲେ ତାହା ପୋଷ୍ଟ୍‍କାର୍ଡ଼୍ ହେଇ ସପ୍ତାହକ ପରେ ପହଞ୍ଚେ । ପୋଷ୍ଟ୍‍କାର୍ଡ଼୍‍ଟେ କାହା ପାଖକୁ ଗଲେ ଡାକବାଲା ଛଅ ମାଇଲ ଦୂର ହାକିମପଡ଼ା ହାଟରେ ପଡ଼ୋଶୀ ଗାଁବାଲାଙ୍କ ହାତରେ ପଠେଇଦିଏ କିମ୍ବା ନିଜେ ଚିଠିଟା ପଢ଼ି ଖବରଟା ‘ଅମୁକ ଲୋକକୁ ଟିକେ କହିଦେବୁ’ ବୋଲି କହିଦିଏ । ପ୍ରାପକ ପାଖେ ଶେଷ ପର୍ଯ୍ୟନ୍ତ ଚିଠିଟି ପହଞ୍ଚେ ନାହିଁ । ଟେଲିଫୋନ୍‌ କି ବିଜୁଳି ଖୁଣ୍ଟଗୁଡ଼ିକ ସେ ଗାଁର ବାଳକ ବାଳିକାମାନଙ୍କ ପାଇଁ ଏପର୍ଯ୍ୟନ୍ତ ଅଭାବନୀୟ ବସ୍ତୁ ହେଇ ରହିଛନ୍ତି । ଗାଁକୁ ରାସ୍ତା ନଥିବାରୁ ନିର୍ବାଚନ ପ୍ରଚାରବେଳେ ପ୍ରଚାର ଗାଡ଼ି ଯାଇପାରେ ନାହିଁ । ଗତ ନିର୍ବାଚନବେଳେ ଗାଁ ଲୋକେ ମିଳିମିଶି ନିର୍ବାଚନ ବର୍ଜନ କରିଥିଲେ । କିଛି ହେଲା ନାହିଁ । ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ବ୍ୟବସ୍ଥା ଥିବା ସ୍କୁଲ୍‌ଟେ କୋଉ କାଳୁ ଭାଙ୍ଗିଯାଇଚି । ଘର ମରାମତି ହୋଇନାହିଁ । ମୁଣ୍ଡିଆ ପାଖ ଗାଁଟାଏ । ଡାକ୍ତରଖାନା କି ଦମକଳ ସୁବିଧା କଥା ସେଠିକା ଲୋକଙ୍କପାଇଁ ପରୀ କାହାଣୀ । ରାଜ୍ୟର ରାଜସ୍ୱ ମାନଚିତ୍ରରେ ସେମାନଙ୍କର ଗାଁଟି ଯେ ପ୍ରକୃତରେ ଅଛି, ସେ ନେଇ ଅନେକେ ସନ୍ଦେହରେ ପଡ଼ନ୍ତି । ଷାଠିଏ ସତୁରିଟି ଘରର ଗାଁ । ଗାଁକୁ ରାସ୍ତା ନାହିଁ । କେହି ଆସନ୍ତି ନାହିଁ ଗାଁକୁ । ହଇଜା, ମେଲେରିଆ, ଟାଇଫଏଡ଼୍ ପରି ରୋଗ ଆସନ୍ତି; କିନ୍ତୁ ଡାକ୍ତର, ସ୍କୁଲ୍‌, ଇନ୍‍ସପେକ୍ଟର, ବ୍ଲକ୍‌ ଉନ୍ନୟନ ଅଧିକାରୀ ଏପରିକି ସେମାନଙ୍କ ନିର୍ବାଚିତ ନେତାଙ୍କ ପ୍ରତିନିଧି ସୁଦ୍ଧା କେବେ ଆସନ୍ତି ନାହିଁ । ଗତ ପାଞ୍ଚବର୍ଷ ଭିତରେ କେହି ଜଣେ ସରକାରୀ ଅଧିକାରୀ ଏ ଗାଁକୁ ଆସି ନାହାନ୍ତି ।

 

ସୁତରାଂ ପ୍ରତିଦିନ ସକାଳେ ବସି ସ୍ୟାହି ଦୁଆତରେ କଲମ ବୁଡ଼େଇ ଗୋଲ ଗୋଲ ଅକ୍ଷରରେ ଘଣ୍ଟାଏ କି ତା’ଠୁ ବେଶୀକାଳ ଦେଇ ଚିଠି ହେଉ କିମ୍ବା ଦରଖାସ୍ତ ହେଉ ଲେଖିସାରି ରଘୁନାଥହିଁ ହାକିମପଡ଼ା ଅଭିମୁଖେ ବାହାରି ପଡ଼ନ୍ତି । ଖଦଡ଼ର ଆଣ୍ଠୁ ଲୁଚୁ ନଥିବା ଧୋତି, ଫତେଇ ପିନ୍ଧି, ତାଳିପକା ଛତା ଖଣ୍ଡକ ଧରି ରଘୁନାଥଙ୍କୁ ହାକିମପଡ଼ା ଯିବାର ଦେଖିଲେ ଗାଁ ପିଲାଏ ସକାଳ ଦଶଟା ବାଜିଛି ବୋଲି ଧରିନିଅନ୍ତି । ରଘୁନାଥ ନଈକୂଳିଆ ଗାଁଟିରୁ ବାହାରି ମୁଣ୍ଡିଆ ଡେଇଁ ହାକିମପଡ଼ା ରାସ୍ତାରେ ମିଶିଯାଆନ୍ତି । ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଚାଲିଗଲାବେଳେ ରଘୁନାଥ ଦିଶନ୍ତି ଚିତ୍ରର ଗାନ୍ଧୀଙ୍କ ପରି ।

 

ବୟସ ସତୁରି ଛୁଇଁବ ରଘୁନାଥଙ୍କୁ । ସ୍ୱାଧୀନତା ସଂଗ୍ରାମରେ ଅନେକ ଥର ଜେଲ୍‌ ଯାଇଥିଲେବି ରଘୁନାଥ ନିଜକୁ ସ୍ୱାଧୀନତା ସଂଗ୍ରାମୀ ବୋଲି କେଉଁଠି ପରିଚୟ ଦିଅନ୍ତି ନାହିଁ । ‘ସଂଗ୍ରାମ ସରିନାହିଁ, ସଂଗ୍ରାମୀ ଆସିଲେ କୁଆଡ଼ୁ’–ଇମିତି ପ୍ରଶ୍ନ ପଚାରନ୍ତି ରଘୁନାଥ । ପୁଅଟିଏ ଥିଲା, ଗତବର୍ଷ ଟାଇଫଏଡ଼୍‍ରେ ମରିଗଲା । ପତ୍ନୀ ବହୁଦିନ ତଳୁ ଚାଲିଯାଇଛନ୍ତି । ତିନି ବଖରିଆ ଘରଟି ଭିତରେ ଏକାକୀ ରଘୁନାଥ ରହନ୍ତି । ନିଜ ହାତରେ ରୋଷେଇ କରି ଖାଆନ୍ତି । ହାକିମପଡ଼ା ହାଟରୁ ଫେରି ମୁଗ ଚାଉଳ ମିଶା ଖେଚୁଡ଼ି ରାନ୍ଧିଦିଅନ୍ତି । ନିଜ କାମପାଇଁ କାହାରି ଉପରେ ନିର୍ଭର କରନ୍ତି ନାହିଁ ରଘୁନାଥ ।

 

ବେଳେବେଳେ ରଘୁନାଥଙ୍କ ଆଖି ଆଗରେ ଓହ୍ଲେଇ ଆସେ ଅତୀତର ସବୁ ସ୍ୱପ୍ନ, ସଂକଳ୍ପ ଓ ଇଚ୍ଛା ଧରି । ବରଗଛରୁ ଓହଳ ଓହଳିଲା ପରି ସେସବୁ ବିଛେଇ ହେଇପଡ଼ନ୍ତି ରଘୁନାଥଙ୍କ ଚାରିକଡ଼େ । ସେତେବେଳେ ସବୁଠୁ ବେଶୀ ମନେପଡ଼େ ପୁଅଟିର କଥା । ନବଘନ–ନାଆଁ ଦେଇଥିଲେ ରଘୁନାଥ । ସମସ୍ତେ ଡାକୁଥିଲେ ‘ନବ’ । ମାଆ ଗଲା ପରେ ପୁଅଟିହିଁ ଥିଲା ତାଙ୍କର ଏକମାତ୍ର ଅବଲମ୍ବନ । ତାକୁ ଦେଖି ସେ ନିଜର ସବୁ ଦୁଃଖକଷ୍ଟ ଭୁଲିଯାଉଥିଲେ ।

 

କିନ୍ତୁ...

 

ରଘୁନାଥ ଏଥର ସ୍ଥିର କରନ୍ତି ସେ ଦରଖାସ୍ତ ଖଣ୍ଡେ ଲେଖିବେ ଭାରତର ରାଷ୍ଟ୍ରପତିଙ୍କ ପାଖକୁ । ତେଲ, ଲୁଣ ଖର୍ଚ୍ଚ ପଇସାରେ କାଗଜ, ଲଫାଫା କିଣା ହେଇଆସେ । ରଘୁନାଥ ସ୍ୟାହି ଛିଞ୍ଚାଡ଼ି ଛିଞ୍ଚାଡ଼ି ଲେଖନ୍ତି, ଟୁ ଅନରେବଲ୍‌ ପ୍ରେସିଡ଼େଣ୍ଟ୍‌ ଅଫ୍‌ ଇଣ୍ଡିଆ, ନୂଆଦିଲ୍ଲୀ । ରଘୁନାଥ ଟିକିନିଖି କରି ଲେଖନ୍ତି ନିଜ ଗାଁଟିର ପୁରୁଣା ସମସ୍ୟା । ଗାଁ ଆଖପାଖରେ ଖଣ୍ଡେ ହେଲ୍‌ଥ ସେଣ୍ଟର ନାହିଁ । ଚବିଶବର୍ଷର ଯୁଆନ ଟୋକାଟି ଟାଇଫଏଡ଼୍‍ରେ ମରିଗଲା । ପ୍ରସୂତିମାନଙ୍କ ପାଇଁ ସାହାଭରସା କେହି ନାହିଁ । ପ୍ରତିବର୍ଷ ଜଣେ ଦି’ଜଣ ମାଆ ଏ ଗାଁରୁ ମରୁଛନ୍ତି । କୋଡ଼ଛୁଆଗୁଡ଼ିଏ ଜନ୍ମରୁ ମାତୃହରା ହେଉଛନ୍ତି । ମହାନୁଭବ ! ଦୟାକରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣପୂର୍ବକ ନୂଆପାଟ ଗ୍ରାମବାସୀଙ୍କୁ ଚିରକୃତଜ୍ଞ କରାଇବା ହେବେ ।

 

ଦରଖାସ୍ତଟି ଲଫାଫା ଭିତରେ ଭର୍ତ୍ତିକରି ଗୋଲ୍‌ ଗୋଲ୍‌ ଅକ୍ଷରରେ ଠିକଣା ଲେଖନ୍ତି ରଘୁନାଥ । ଛାତି ଭିତରୁ ହତାଶା ନୁହେଁ, ପ୍ରଚଣ୍ଡ ଆତ୍ମବିଶ୍ୱାସର ଦୀର୍ଘଶ୍ୱାସ ବାହାରିଆସେ । ଏଥର ନିଶ୍ଚୟ ସୁଦିନ ଫେରିବ । ତଳ ସ୍ତରରେ ସିନା ତାଙ୍କ ଦରଖାସ୍ତଗୁଡ଼ା ପଡ଼ିରହୁଛି ! ଲାଞ୍ଚ ରିସ୍ପତ୍‍ଖୋର ଅଧିକାରୀଏ ଚାପି ଦେଉଛନ୍ତି ସେସବୁ । କିନ୍ତୁ ରାଷ୍ଟ୍ରପତିଙ୍କ ଦପ୍ତରରେ ତ ସେପରି ହେବନାହିଁ ! ନିଶ୍ଚୟ ଜବାବ ଫେରିବ ।

 

ରାଷ୍ଟ୍ରପତିଙ୍କ ଦପ୍ତରରୁ ଖଣ୍ଡେ ଆକ୍‌ନଲେଜମେଣ୍ଟ୍‌ କାର୍ଡ଼ ଫେରେ । ଅଶୋକ ଚକ୍ର ଶୋଭିତ ସେହି ଧଳା କାର୍ଡ଼ ଖଣ୍ଡକରେ ଲେଖାଥାଏ, “ମହାଶୟ, ଆପଣଙ୍କ ପତ୍ରାଙ୍କ ନଂ ଶୂନ୍ୟ... ଏତିକି ତାରିଖର ପତ୍ର ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ହସ୍ତଗତ ହୋଇଛି । ସେ ଆପଣଙ୍କର ପତ୍ର ବିଭାଗୀୟ ଅଧିକାରୀଙ୍କ ପାଖକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରିଛନ୍ତି ।”

 

କାର୍ଡ଼ ଖଣ୍ଡକ ପାଇବା ପରଠାରୁ ରଘୁନାଥ ଦଶ ପନ୍ଦର ଦିନ ନୂଆ ଉଡ଼ି ଶିଖିବା ଚଢ଼େଇ ପରି ଖଣ୍ଡିଉଡ଼ା ଦିଅନ୍ତି । ତାଙ୍କ ପାଦ ଦୁଇଟି ଭୂଇଁରେ ଲାଗେନାହିଁ । ଯାହାକୁ ଦେଖନ୍ତି ତାକୁ ଦେଖାନ୍ତି ସେ କାର୍ଡ଼ ଖଣ୍ଡିକ । ରାଷ୍ଟ୍ରପତିଙ୍କ ଦପ୍ତରରୁ ସୁପାରିସ୍ ହେଇଛି ତାଙ୍କର ଦରଖାସ୍ତ । ଏଥର ନୂଆପାଟର ସମସ୍ୟା ନିଶ୍ଚୟ ସମାଧାନ ହେବ । ଗାଁସାରା ସେ ନିଜେ ପ୍ରଚାର କରିଦିଅନ୍ତି ସାଫଲ୍ୟର ଇସ୍ତାହାର ।

 

ହୁଏନାହିଁ କିନ୍ତୁ କିଛି । ଅଚଳାୟତନ ଶିଳାଖଣ୍ଡ ଟିକିଏବି ଚଙ୍କେ ନାହିଁ । ନୂଆପାଟ ମୁଣ୍ଡିଆ ସେପଟୁ ସୂର୍ଯ୍ୟ ପ୍ରତିଦିନ ଉଅଁନ୍ତି ପୁଣି ଅସ୍ତ ଯାଆନ୍ତି ନଈ ସେପଟେ । ଅଶିଣର ବର୍ଷା ଝରି ଝରି ଚାଲିଯାଏ, ଚଇତର ଜହ୍ନରାତି ସରି ସରି ଆସେ । ହେଲେ ନୂଆପାଟକୁ କେହି ଆସନ୍ତି ନାହିଁ । ରଘୁନାଥ ହାକିମପଡ଼ାରୁ ଫେରି ଛତାଟିକୁ କଣ୍ଟାରେ ଝୁଲେଇ ରୁଟି ସେକି ବସନ୍ତି । କହନ୍ତି ମନକୁ ମନ, ଏଥର ଟିକେ କଲେକ୍‍ଟରଙ୍କୁ ଯାଇ ନିଜେ ଭେଟିବେ । ଏତେଦିନ ହେଲା ରାଷ୍ଟ୍ରପତିଙ୍କ ଦପ୍ତରରୁ ଯେତେବେଳେ ଦରଖାସ୍ତଟା ଆସିଲାଣି, ନିଶ୍ଚେ ସେଇଟା କଲେକ୍‍ଟର ପାଇସାରିବେଣି ।

 

ପୁଣି ସେଇ ଛଅ ମାଇଲ ରାସ୍ତା ଚାଲି ଚାଲି, ସେଠୁ ଶଗଡ଼ରେ ଆଉ ଛଅ ମାଇଲ ଯାଇ ବସ୍‌ ଧରନ୍ତି ରଘୁନାଥ । କଲେକ୍‍ଟରଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାର ସୂଚନା ବୋର୍ଡ଼ଟିକୁ ନିରେଖି ନିରେଖି ପଢ଼ନ୍ତି । ସାକ୍ଷାତ ସମୟ: ବୁଧବାର ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୪ଟା । ଆଜି ବୁଧବାର-। ଦିନ ୧୨ଟା ବାଜିଲାଣି । ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ତାଲା ପଡ଼ିଛି । ତାଙ୍କ ପରି ଆଉରି ଅନେକ ଲୋକ ଅପେକ୍ଷା କରିଛନ୍ତି । ବୁଢ଼ାଟିଏ ଚୁଡ଼ାଗଣ୍ଡେ ବାନ୍ଧି ଆଣିଥିଲା । କେଉଁ ଦୂର ଗାଁରୁ ଆସିଛି ସେ ଦି’ ଦିଇଟା ନଈ ପାର୍‌ ହେଇ । ଚୁଡ଼ା ଗଣ୍ଡିକ ସରିଗଲାଣି । କଲେକ୍‍ଟର ଆସୁନାହାନ୍ତି-। ଲୋକଟିର ବିଶ୍ୱାସ ତୁଟିନାହିଁ । ଲୋକଟି ଦ୍ୱୀପ ଅଞ୍ଚଳରୁ ଆସିଛି, ବିଚରା !

 

ପେଣ୍ଟ୍‍ସାର୍ଟ୍ ପିନ୍ଧିଥିବା ଯୁବକଟିଏ ୟା ଭିତରେ ତିନି ଚାରିଥର ସାଇକେଲ୍‌ରେ ଆସି ପଇଁତରା ମାରିଲାଣି । ତା’ରବି ବୋଧେ କିଛି କାମ ଥିବ କଲେକ୍‍ଟରଙ୍କ ପାଖରେ ! ଖୁବ୍‌ ଅଧୈର୍ଯ୍ୟ ଜଣାପଡ଼ୁଛି ଯୁବକ ଠିକ୍‌ ନବଘନ ପରି । ପାଞ୍ଚ ମିନିଟ୍‌ ଥୟ ଧରି ଛିଡ଼ା ହେଇପାରୁନାହିଁ ଗୋଟେ ଜାଗାରେ ।

 

ରଘୁନାଥ ସିମେଣ୍ଟ ବେଞ୍ଚ୍ ଉପରେ ବସି ବସି ନବଘନର ସ୍ମୃତି ଦରାଣ୍ଡି ହୁଅନ୍ତି । ସାମପୁରର କେଳୁ ମହାନ୍ତିଙ୍କ ଝିଅ ସାଙ୍ଗେ ପୁଅପାଇଁ ପ୍ରସ୍ତାବ ପକେଇଥିଲେ ରଘୁନାଥ । ଝିଅଟିର ବାପା ବେଶୀ ଦେବାନେବା କରିପାରି ନଥାନ୍ତେ, କିନ୍ତୁ ପିଲାଟି ଭଲ । ରଘୁନାଥ କଥାଟାକୁ ମନେମନେ ପକ୍କା କରିନେଇଥିଲେ । କିନ୍ତୁ ଦୁର୍ଭାଗ୍ୟ, ତାଙ୍କରି କାନ୍ଧରେ ପୁଅ ଚାଲିଗଲା । ପାଚିଲା ତାଳ ଥାଉଁଥାଉଁ କଞ୍ଚାଟି ଖସିପଡ଼ିଲା । ରଘୁନାଥ ସେଦିନ ଲୁହ ନୁହେଁ, ରକ୍ତ କାନ୍ଦିଥିଲେ । ତାଙ୍କ ସାମ୍ନାରେ ପୁଅ–ବୋହୂ, ନାତି–ନାତୁଣୀ ପରିପୂର୍ଣ୍ଣ ଗୋଟେ କୋଳାହଳପୂର୍ଣ୍ଣ ସଂସାରର ଚିତ୍ର କାଚଗିଲାସ ପରି ଭାଙ୍ଗି ଛାରଖାର ହେଇଯାଇଥିଲା ।

 

କିଏ ଜଣେ କହିଲା, ଆଜି ଆଉ କଲେକ୍‍ଟର ଆସିବେ ନାହିଁ । ମନ୍ତ୍ରୀ ଆସିଛନ୍ତି ସହରକୁ । ବୃକ୍ଷରୋପଣ କରିବେ । କଲେକ୍‍ଟର ତାଙ୍କ ପାଖରେ ରହିବା ପ୍ରୟୋଜନ । ପୁଲିସ ଏସ୍‌.ପି. ଓ ଆଉ ସବୁ ବଡ଼ବଡ଼ ଅଧିକାରୀ ସେଇଠିକି ଯାଇଛନ୍ତି ।

 

ଚୁଡ଼ାଗଣ୍ଡିକ ଚୋବେଇ ପାଇପ୍‌ ପାଣି ପିଇ ବସିଥିବା ବୁଢ଼ାଲୋକଟି ହତାଶାରେ ଭାଙ୍ଗିପଡ଼ିଲା । ମୁଣ୍ଡ ଉପରୁ ଠେକାଟା ଖୋଲି କପାଳ ଓ ବେକମୂଳ ପୋଛି ହେଲା । ଖୁବ୍‌ ଗୁଳୁଗୁଳି ହେଉଛି । ବର୍ଷା ହେବ କି କ’ଣ ? ଚାରି ପାଞ୍ଚ ଥର ଆସିଲାଣି ସେ ଲୋକଟି, କଲେକ୍‍ଟରଙ୍କ ସାଙ୍ଗରେ ଦେଖା ହେଉନାହିଁ । ଅଥଚ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ବଡ଼ବଡ଼ ହରଫରେ ଲେଖାଅଛି ପ୍ରତି ବୁଧବାର ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ କଲେକ୍‍ଟର ସର୍ବସାଧାରଣଙ୍କ ଗୁହାରି ଶୁଣିବେ । ବୁଢ଼ାଲୋକଟିକୁ ଦେଖି ଖୁବ୍‌ ଦୁଃଖ ପାଉଥିଲେ ରଘୁନାଥ ।

 

କେବଳ ଦୁଃଖ ନୁହେଁ, ମନେମନେ ଖୁବ୍‌ ବିରକ୍ତବି ହୋଇ ଉଠିଲେ ରଘୁନାଥ । ଗଛଟେ ଲାଗିବ ବୋଲି ଜିଲ୍ଲାପାଳ, ଏସ୍‌.ପି. ସମସ୍ତେ ସବୁ କାମ ଛାଡ଼ି ଯାଇ ମନ୍ତ୍ରୀଙ୍କ ପାଖେ ହାଜର ହେବେ ! ଏଇ ହାତରେ ସେ ଶହ ଶହ ଗଛ ଲଗେଇଛନ୍ତି, କଲମି ଉତାରିଛନ୍ତି । କାହାରି ସାହାଯ୍ୟ ପ୍ରୟୋଜନ ପଡ଼ିନାହିଁ କୌଣସି ଦିନ । ଅଥଚ ମନ୍ତ୍ରୀ ଲଗାଉଥିବା ଗଛପାଇଁ ଏତେ ଲୋକବାକ କ’ଣ ଦରକାର ?

 

ରଘୁନାଥ ଫେରିଆସନ୍ତି ହାକିମପଡ଼ାରୁ ।

 

ସକାଳର ସୂର୍ଯ୍ୟ ଘୂରି ଘୂରି ନଈ ସେପଟେ ବୁଡ଼ିଯାଇଥାଏ ସେତେବେଳକୁ । ଅବସନ୍ନ କ୍ଳାନ୍ତ ପାଦଯୋଡ଼ିକ ଟାଣି ଘୋଷାରି ରଘୁନାଥ ନିଜ ଘର ଦୁଆର ଖୋଲନ୍ତି । ଛତାଟିକୁ ବନ୍ଦ କରି ଝୁଲେଇ ଦିଅନ୍ତି କଣ୍ଟା ଉପରେ । ଚଷମା କାଚଟିକୁ ପୋଛି ଭାଗବତ ଥାକରେ ରଖନ୍ତି । ଗୋଡ଼ହାତ ଧୋଇସାରି, ଲୁଗା ପାଲଟି, ରୋଷେଇରେ ଲାଗିପଡ଼ନ୍ତି ।

 

ଓଦା ଘଷି କି କାଠ ଚୁଲିକୁ ମୁହେଁଇ ଦେଇ ଧୂଆଁ ଫୁଙ୍କନ୍ତି ରଘୁନାଥ । ଆଖିରୁ ଲୁହ ବାହାରି ପଡ଼େ କୁହୁଳା ଧୂଆଁରେ । ରଘୁନାଥ ଆସନ୍ତାକାଲିର ଚିନ୍ତାରେ ବୁଡ଼ିଯାଆନ୍ତି ।

 

ସକାଳକୁ ପୁଣି ଦରଖାସ୍ତ ଲେଖା ହେବ । କାଲି ସେ ଲେଖିବେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଆବେଦନପତ୍ର । ସ୍ୱାଧୀନ ଭାରତର ନାଗରିକଭାବେ ନୂଆପାଟ ଗ୍ରାମବାସୀଙ୍କ ତରଫରୁ ସେ ତାଙ୍କର ସହଯୋଗ ଭିକ୍ଷା କରିବେ । ନୂଆପାଟରେ ସ୍କୁଲ୍ ନାହିଁ, ରାସ୍ତା ନାହିଁ, ଆଖି ପାଖରେ ଡାକ୍ତରଖାନା ନାହିଁ, ଡାକଘରଟେ ନାହିଁ । ଏ ଗାଁର ପିଲାଏ ରୋଗବଇରାଗରେ ପଡ଼ିଲେ ପୋକମାଛି ପରି ଝଡ଼ିପଡ଼ନ୍ତି । ଗାଁରେ ଅଘଟଣଟିଏ ଘଟିଲେ କେହି ‘ଆହା’ ପଦ କହି ସାହା ହୁଏ ନାହିଁ । ଟାଇଫଏଡ଼୍‍ରେ ପଡ଼ି ଗାଁର ଯୁଆନ ପୁଅ ବାପ କାନ୍ଧରେ ମଶାଣିକୁ ବୁହା ହେଇଯାଏ । ଆପଣ ନ ବୁଝିବେ ତ ଆଉ କିଏ ବୁଝିବ ନୂଆପାଟ ଗ୍ରାମବାସୀଙ୍କ ଦୁର୍ଦ୍ଦଶା !–ଭବଦୀୟ ବିଶ୍ୱସ୍ତ ରଘୁନାଥ ମହାନ୍ତି ।

 

ଚିଠିଟି ଲେଖିସାରି ଅଠା ଦେଇ ବନ୍ଦ କରନ୍ତି ରଘୁନାଥ । ଗୋଲ ଗୋଲ ଅକ୍ଷରରେ ଠିକଣା ଲେଖନ୍ତି । ମନ ଭିତରର କେଉଁ ଗୋଟାଏ କୋଣରେ ନୂଆ ବିଶ୍ୱାସର ଛୋଟ ଚାରାଟିଏ ପୁଣି ପତ୍ର କଅଁଳାଏ । କେଉଁ କଥା ତ ଦିନକରେ କି ଘଡ଼ିଏକରେ ହୋଇଯାଏ ନାହିଁ ! ଏଡ଼େ ବଡ଼ ଦେଶର କୋଟି କୋଟି ଲୋକଙ୍କ ସମସ୍ୟା ରହିଛି, ଲକ୍ଷ ଲକ୍ଷ ଗାଁର ଦୁଃଖ ରହିଛି । ରଘୁନାଥ ମନ ଊଣା କରନ୍ତି ନାହିଁ ।

 

ସେ ସ୍ୱାଧୀନତା ସଂଗ୍ରାମରେ ଯୁଦ୍ଧ କରିଛନ୍ତି । ନୁଖୁରା ଫୁଙ୍ଗୁଳା ପିଠିରେ ଲାଠିମାଡ଼ ଖାଇଛନ୍ତି । ତାଙ୍କର ଏ ଆକୁଳ ଆବେଦନ ବ୍ୟର୍ଥ ଯିବ ନାହିଁ । ନବଘନ ପରି ଆଉ କେହି ରୋଗରେ ପଡ଼ି ଚିକିତ୍ସା ଅଭାବରୁ ମରିବେ ନାହିଁ । ଆଉ କେଉଁ ବାପ ତାଙ୍କ ପରି ନିଃସଙ୍ଗ ଯନ୍ତ୍ରଣା ଭୋଗିବ ନାହିଁ । ପୁତ୍ର ଶୋକରେ ପ୍ରତିଟି ଦିନ, ପ୍ରତିଟି ରାତି ଛାତିରେ ପଥର ନଦି ଜିଇଁବ ନାହିଁ ।

 

କିନ୍ତୁ ନୂଆଦିଲ୍ଲୀର ଇମାରତ୍ ଜଙ୍ଗଲ ଭିତରେ ରଘୁନାଥଙ୍କର ଛୋଟ ଗୋଟେ ହାତଲେଖା ଆବେଦନପତ୍ର ହଜିଯାଏ ଗୋଟେ ଘରଚଟିଆର ଚିଁ–ଚିଁ ରାବ କୋଳାହଳ ଭିତରେ ହଜିଗଲା ପରି । ରଘୁନାଥ ପ୍ରତିଦିନ ହାକିମପଡ଼ା ଯାଆନ୍ତି । ଡାକଘର ବାରନ୍ଦାରେ ବସି ବସି ଅନାବଶ୍ୟକଭାବେ ପଚାରନ୍ତି ‘ମୋ ନାମରେ ଆଜି କିଛି ଚିଠି ଆସି ନାହିଁ ?’

 

ଚିଠି ଆସେ ନାହିଁ ।

 

ନୂଆପାଟର ଭାଗ୍ୟ ପୂର୍ବପରି ପଡ଼ି ରହିଥାଏ ପଥର ତଳେ । ଛାଇନେଉଟାବେଳ ହେଲେ ସେ ଫେରିଆସନ୍ତି ନୂଆପାଟ ।

 

ଏବେ ରଘୁନାଥଙ୍କ ଦେହ ଭଲ ରହୁନାହିଁ । ବୟସ ବଢ଼ିଗଲାଣି ଢେର୍‌ । ଆଣ୍ଠୁଗଣ୍ଠି ଧରିଲାଣି । ଆଖିକୁ ଭଲ ଦିଶୁନାହିଁ ଆଗପରି । ଜାଲୁଜାଲୁଆ ଆଲୁଅରେ କିଛି ଗୋଟେ ଲେଖିବା ପଢ଼ିବା ସମ୍ଭବ ହୁଏନାହିଁ ରଘୁନାଥଙ୍କ ପକ୍ଷେ । ମନଟା ଦବିଗଲାଣି । ଏକଲାପଣ ଆବୋରି ଗଲାଣି ରଘୁନାଥଙ୍କୁ । କିଛି ହେଲାନାହିଁ ତାଙ୍କଦ୍ୱାରା ।

 

ସବୁଦିନ ଆଉ ହାକିମପଡ଼ା ଯାଇପାରନ୍ତି ନାହିଁ ରଘୁନାଥ । ଅଭ୍ୟାସବଶତଃ ସକାଳ ଦଶଟାରୁ ଛତାଟି ଧରି ଚଲାବାଡ଼ି ଭରସାରେ ବାହାରି ପଡ଼ନ୍ତି ସିନା, ମୁଣ୍ଡିଆ ପାଖରେ ପହଞ୍ଚିଲାବେଳକୁ ଗୋଡ଼ ଆଗକୁ ଯାଏନାହିଁ । ସେଇଠୁ ଫେରିଆସି ଗାଁ ଚାରିପଟେ ଘେରାଏ ଘୂରି ଆସନ୍ତି । ନଈକୂଳ ମଶାଣି ଆଡ଼କୁ ଆଖି ଚାଲିଯାଏ । ବାପା, ବୋଉ, ନବଘନର ମାଆ ଓ ନବଘନ ସମସ୍ତଙ୍କୁ ସେ ସେଇଠି ଶୁଆଇ ଦେଇ ଆସିଛନ୍ତି । କେତେ ପୁରୁଷର ଅଜା ଗୋସାପବି ଶୋଇଛନ୍ତି ଘାସ ବୁଦା ମୂଳେ, ସେଇ ମଶାଣିରେ । ଖରା, ବରଷା, ଶୀତ, କାକର ଭିତରେ ମୁଣ୍ଡିଆତଳେ ମୁହଁମାଡ଼ି ପଡ଼ିରହିଛି ନୂଆପାଟ । ସେ ଭିତରେ ଭିତରେ ବତୁରି ଯାଉଥିଲେ ଗୋଟେ ଅପ୍ରକାଶ୍ୟ କୋହ ଏବଂ ବେଦନାରେ ।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କଲେକ୍‍ଟର–ସମସ୍ତଙ୍କ ପାଖକୁ ଦରଖାସ୍ତ ଲେଖି ଲେଖି ରଘୁନାଥ ଥକିଗଲେଣି । ଦରଖାସ୍ତଗୁଡ଼ିକର ନକଲ ସବୁ ଗୋଟେ ପେଟରା ଭିତରେ ସେ ଗୁଡ଼େଇ ସାଇତି ରଖିଛନ୍ତି । ସେଇ ପେଟରାଟି ଭର୍ତ୍ତି ହୋଇଗଲାଣି । ନିଜ ଗାଁର କେହି କେହି ଏବେ ତାଙ୍କୁ ବାୟା ବୁଢ଼ା କହିବା ଆରମ୍ଭ କରିଦେଲେଣି । ପ୍ରଥମେ ପ୍ରଥମେ ରଘୁନାଥଙ୍କୁ ଏକଥା ଟିକେ କଷ୍ଟ ଦେଉଥିଲା, ଆଜିକାଲି ସେସବୁ ବାଧେ ନାହିଁ । କିଏ ବାୟା କହୁ କି ପାଗଳା କହୁ, ତାଙ୍କର ସେଥିରେ ଯାଏଁ ଆସେ କେତେ ? ସେ ତାଙ୍କ କରିବା କାମ କରୁଛନ୍ତି ।

ଉପରେ ଉପରେ ନିଜକୁ ବୁଝେଇ ଦେଉଥିବା ରଘୁନାଥ ପ୍ରକୃତରେ ନିଜ ମନକୁ ବୁଝେଇ ପାରନ୍ତି ନାହିଁ । ଏଥର ସେ ଭୁବନେଶ୍ୱର ଯିବେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଦରକାର ହେଲେ ତାଙ୍କ ଘର ଆଗରେ ଅନଶନ କରିବେ । ନୂଆପାଟ ଗାଁର ସମସ୍ୟା କହିବେ । ସେ ନ ବୁଝିବା ପର୍ଯ୍ୟନ୍ତ ସେଠୁ ହଟିବେ ନାହିଁ ।

ଯେଉଁଦିନ ସକାଳୁ ରଘୁନାଥ ରାଜଧାନୀ ଯିବାକଥା, ତା’ ଆଗଦିନ ତାଙ୍କୁ ହେଲା ଭୀଷଣ ଜ୍ୱର । ରଘୁନାଥ ଗୋଟାପଣେ ଜ୍ୱରରେ କମ୍ପିଲେ । ଏକଲା ମଣିଷ । ନିଜ ହାତରେ ଆଉ ରୋଷେଇ କରିପାରିଲେ ନାହିଁ । ପୁତୁରା ବୋହୂ ଆସି ରୁଟି ଦିଖଣ୍ଡ, ଗରମ କ୍ଷୀର ଟିକେ ଦେଇଗଲା । ରଘୁନାଥ ହାତଯୋଡ଼ିକ କପାଳରେ ଛୁଆଁଇ ଠାକୁରଙ୍କୁ ଡାକିଲେ–ଠାକୁରେ, ମୋତେ ଭଲ କରିଦିଅ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗାଁ କଥାତକ କହି ଆସିଲା ପରେ ତମେ ଯାହା କରିବ ।

ଜ୍ୱର ବିଛଣାରେ ପଡ଼ିଥିବା ରଘୁନାଥଙ୍କ ଆଖି ଆଗରେ ନାଚିଯାଏ ଗୋଟେ ଛୋଟ ଖୁବ୍‌ ସୁନ୍ଦର ସ୍ୱପ୍ନ । ମୁଖ୍ୟମନ୍ତ୍ରୀ ତାଙ୍କ ହାତରୁ ନିଜେ ଗ୍ରହଣ କରି ନେଉଛନ୍ତି ଦରଖାସ୍ତ ଖଣ୍ଡକ । ରଘୁନାଥ ଫେରି ଗାଁରେ ପହଞ୍ଚିଲାବେଳକୁ ନୂଆପାଟର ଚେହେରା ବଦଳିଯାଇଛି । ସୁଦାମା ଦ୍ୱାରକାପୁରୀରୁ ଫେରି ଯେମିତି ଚିହ୍ନିପାରୁନାହାନ୍ତି ନିଜ ଘରବାଡ଼ି, ରଘୁନାଥବି ସେମିତି ଚିହ୍ନିପାରୁନାହାନ୍ତି ନିଜ ଗାଁକୁ-। ଗାଁମୁଣ୍ଡରେ ସ୍କୁଲ୍‌ଘର । ଆଗ ପଡ଼ିଆରେ ଡେଇଁ ଡେଇଁ ଖେଳୁଛନ୍ତି କୁନି କୁନି ପିଲାଏ । ମୁଣ୍ଡିଆ ପାଖ ପଡ଼ିଆରେ ଡାକ୍ତରଖାନା, ଡାକଘର । ଗାଁକୁ ବିଜୁଳି ଆସିଯାଇଛି ।

ନିଦ ଭାଙ୍ଗିଯାଏ ରଘୁନାଥଙ୍କର ।

ଦେହ ହାତରେ ଜ୍ୱର ଭରି ରହିଛି । ଏମିତି ଅବସ୍ଥାରେ ସେ ଏତେଦୂର ଚାଲି ଚାଲି ଯାଇପାରିବେ ନାହିଁ । ହାକିମପଡ଼ାରୁ ଛଅ ମାଇଲ ଦୂର ଗଲେ ଯାଇ ବସ୍‌ ଧରିବେ ରଘୁନାଥ । ଯିବାଆସିବା ବସ୍‌ ଭଡ଼ା ହିସାବ କରି ତକିଆ ତଳେ ରଖିଛନ୍ତି ସେ ।

ଦି’ ସପ୍ତାହ ପରେ ରଘୁନାଥ ଭାତ ଛୁଇଁଲେ ।

ଅଗଷ୍ଟ ପନ୍ଦର ସପ୍ତାହେ ବାକି । ରଘୁନାଥ ମନ ସ୍ଥିର କଲେ–ଏଇଥର ସେ ଶେଷ ଚେଷ୍ଟା କରିବେ ରାଜଧାନୀ ଯାଇ । ନିଶ୍ଚୟ ତାଙ୍କ କଥା ରହିବ । ଖବରକାଗଜରେ ନୂଆପାଟ ଗାଁର ସମସ୍ୟା ବାହାରିଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଦରଖାସ୍ତ ଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ସେ ସବୁ କାଗଜପତ୍ର ଗୋଟି ଗୋଟି କରି ଦେଖେଇବେ । ସେ ଶୁଣିବେ ରଘୁନାଥଙ୍କ କଥା । ସିଏବି ସ୍ୱାଧୀନତା ସଂଗ୍ରାମରେ ଲଢ଼ିଛନ୍ତି । ତାଙ୍କ କଥା କାହିଁକି ସେ ଶୁଣିବେ ନାହିଁ ?

ହେଇ, ଦୂରରୁ ଶୁଭୁଛି ‘ସାରେ ଜହାଁସେ ଆତା ସଙ୍ଗୀତର ସେଇ ପ୍ରାଣଛୁଆଁ ସୁର । ଦିନେ ଏଇ ଗୀତ ଖଣ୍ଡିକ ନିଆଁ ଜଳେଇ ଦେଇଥିଲା କୋଟିଏ ମଣିଷଙ୍କ ମନରେ, ପ୍ରାଣରେ । ଗଗନ, ପବନରେ ଗୀତର ଲହରାୟିତ ସ୍ୱର । ତ୍ରିରଙ୍ଗା ଉଡ଼ୁଛି ଫରଫର ହେଇ ଉଚ୍ଚା କୋଠା ଉପରେ । ଲୋକଙ୍କପାଇଁ ବାଡ଼ ଦିଆଯାଇଛି । ପୁଲିସ, ଦମକଳବାଲାଏ, କଲେଜ ସ୍କୁଲ୍‌ର ପିଲାଏ ପରେଡ଼୍ କରୁଛନ୍ତି । ବିଗୁଲ ବାଜୁଛି, ଡ୍ରମ୍‌ ବାଜୁଛି । ନୀଳ ଆକାଶ ତଳେ ତ୍ରିରଙ୍ଗା ଉଡ଼ୁଛି ଫରଫର ହେଇ । ମୁଖ୍ୟମନ୍ତ୍ରୀ ସଭାମଞ୍ଚ ଉପରୁ ଉଦ୍‌ବୋଧନ ଦେଉଛନ୍ତି । ଚାରିକଡ଼େ ଜାଗତିଆର ଅଛନ୍ତି ପୁଲିସବାହିନୀ ।

ଢେର୍‌ ସମୟ ହେଲା ରଘୁନାଥ ବ୍ୟାରିକେଡ଼୍ ପାଖରେ ଛିଡ଼ାହେଲେଣି । ତାଙ୍କୁ ଯିବାକୁ ହେବ । ଭାଷଣ ଦେଇ ସାରିଲେ ମୁଖ୍ୟମନ୍ତ୍ରୀ ଚାଲିଯିବେ । ସେ ଆଉ ତାଙ୍କୁ ଭେଟି ପାରିବେ ନାହିଁ । କଷ୍ଟେମଷ୍ଟେ ମୁଣ୍ଡ ଗଳେଇ ରଘୁନାଥ ବ୍ୟାରିକେଡ଼୍ ଏପଟକୁ ଚାଲି ଆସିଲେ ।

ପାଞ୍ଚ ଜଣ ପୁଲିସ ଧାଇଁ ଆସିଲେ ଏକାଥରକେ । ରଘୁନାଥ ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲେ, “ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏଇ ଦରଖାସ୍ତଟା କେବଳ ଦେବି । ଦେଖ, ଦରଖାସ୍ତ ଖଣ୍ଡକ ଲେଖି ଆଣିଛି, ସେଇଟିକୁ ତାଙ୍କରି ହାତରେ ଦେଇ ଚାଲିଆସିବି ।”

 

ଭାରୀ ଗଳାରେ ଜଣେ ଅଫିସର ପଚାରିଲେ, “କ’ଣ ସେ ଦରଖାସ୍ତ ? କ’ଣ ଲେଖା ଅଛି ?”

 

: ବହୁତ କଥା ବାବୁ । ନୂଆପାଟ ଗାଁର ଦୁଃଖ ଲେଖା ହେଇଚି ସେ ଦରଖାସ୍ତରେ । ମୁଁ ଟିକିଏ ତାଙ୍କୁ ଭେଟିକି କହିବି...

 

‘ଓ–ହୋ’, ରଘୁନାଥ ଚିତ୍କାର କରି ଉଠିଲେ ଯନ୍ତ୍ରଣାରେ । କିଏ ଗୋଟାଏ ପୁଲିସ ବାଡ଼ିରେ ଖୁବ୍‌ ଜୋରରେ ଧକ୍କାଟିଏ ଦେଇଥିଲା ପଛପଟୁ । ତଳେ ପଡ଼ିଯାଉ ଯାଉ ସେ ଶୁଣିପାରିଲେ କାହାର ତାଚ୍ଛଲ୍ୟ ବ୍ୟଙ୍ଗୋକ୍ତି–ଶଳା, ଗୋଟେ ଗାନ୍ଧୀ, ଗୋପବନ୍ଧୁ ସାଜିଛି । ଆମ ଚାକିରି ଖାଇବ ଏଠି ।

 

ରଘୁନାଥଙ୍କୁ ସେମାନେ ଟେକି ଟେକି ନେଇଯାଉଥିଲେ ଭିଡ଼ଠୁ ଦୂରକୁ । ଚିତ୍କାର କରୁଥିଲେ ରଘୁନାଥ, “ମୁଁ ଚୋର କି ତସ୍କର ନୁହେଁ ବାବୁ । ତମେମାନେ ମୋତେ କୁଆଡ଼େ ନେଇ ଯାଉଛ ?” ତାଙ୍କ କଥା କିନ୍ତୁ କାହାକୁ ଶୁଭୁ ନଥିଲା ।

 

ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ଶେଷ ହୋଇଥିଲା । ସେ ମଞ୍ଚରୁ ଓହ୍ଲେଇ ଧୀରେ ଧୀରେ ଆସୁଥିଲେ । ଜନତାର ସୁଅ ଦୁଇ ଭାଗ ହୋଇଯାଉଥିଲା । ସମ୍ଭ୍ରମରେ, ସମ୍ମାନରେ ସଭିଙ୍କୁ ଅଭିବାଦନ ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କ ଗାଡ଼ି ପାଖକୁ ଆଗେଇ ଯାଉଥିଲେ ।

 

ସେତିକିବେଳେ ସବୁଯାକ ବଳ ଖର୍ଚ୍ଚ କରି ରଘୁନାଥ ଧାଇଁ ଆସିଲେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପାଖକୁ । ତାଙ୍କ ପଛରେ ପୁଲିସ । ଦୁଷ୍ଟ ପିଲାଙ୍କୁ ଚାଟଶାଳିର ଅବଧାନ ଗୋଡ଼ାଇବା ପରି ସେମାନେ ଗୋଡ଼ାଉଥାନ୍ତି ରଘୁନାଥଙ୍କୁ । ଆଉ ଟିକିଏ ଦୂରରେ ମୁଖ୍ୟମନ୍ତ୍ରୀ ।

 

ଗୋଟେ ଡେଙ୍ଗା ପତଳା ବୁଢ଼ା ପଛରେ ପୁଲିସ ଗୋଡ଼ାଉଥିବାର ଦୃଶ୍ୟ ଦେଖଣାହାରିଙ୍କୁ ବେଶ୍‌ ଉତ୍ତେଜନା ଯୋଗାଇଥିଲା । ମୁଖ୍ୟମନ୍ତ୍ରୀ ପଚାରିଲେ, “ଘଟଣା କ’ଣ ?”

 

ପାଖେପାଖେ ଚାଲୁଥିବା ହାକିମ ଜଣକ ବୁଝେଇ ଦେଉଥିଲେ ଇଂରାଜୀ ଭାଷାରେ, “ଲୋକଟି ପାଗଳ ସାର୍‌ । ତା’ ସମସ୍ୟା ବୁଝାଯାଉଛି ।”

 

ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ହେଇ ଗାଡ଼ିରେ ବସିଲେ ।

 

ପୁଣି ଗୋଟିଏ ରୁଲ୍‌ବାଡ଼ି ଭୁସା । ରଘୁନାଥ ବତୁରା କାଗଜ ମେଞ୍ଚାଟେ ପରି ପଡ଼ିଗଲେ ବ୍ୟାରିକେଡ଼୍‍ଠୁଁ ଦୂର ଗୋଟାଏ ଗଛମୂଳେ । ଭୀଷଣ କଷ୍ଟରେ ଦାନ୍ତ ଚିପି ହେଇଯାଇଥିଲା । ପିଠି ଭେଦି ରକ୍ତ ବୋହିଆସୁଥିଲା ବୋଧହୁଏ । ଓଦା ଓଦା ଲାଗୁଥିଲା ପିଠି । ଚିଠି ପୁଳାକ ଥିବା ବ୍ୟାଗ୍‌ ଖଣ୍ଡକ ଟିକିଏ ଦୂରରେ ଛିଟିକି ପଡ଼ିଥିଲା ।

 

କ୍ରମେ ପରେଡ଼୍ ପଡ଼ିଆରୁ ଲୋକ ଭିଡ଼ ଘୁଞ୍ଚି ଘୁଞ୍ଚି ଯାଉଥିଲା । ଯେ ଯାହାର ଚାଲିଯାଉଥିଲେ ମେଳା ଶେଷରେ ପଡ଼ିଆକୁ ଛାଡ଼ିଗଲା ପରି ।

 

ଭିଡ଼ ଭିତରେ ନିଜର ହଜେଇ ଦେଇଥିବା ଖେଳଣାକୁ ଖୋଜି ଖୋଜି ଆସୁଥିବା ଗୋଟେ ପାଞ୍ଚ ଛଅବର୍ଷର ସ୍କୁଲ୍‌ ପୋଷାକ ପିନ୍ଧା ପିଲା ରଘୁନାଥଙ୍କର ଏ ରକ୍ତାକ୍ତ ଅବସ୍ଥା ଦେଖି ଚିତ୍କାର କରି ଉଠିଲା, “ବାପା, ବାପା, ଦେଖିବ ଆସ ।”

 

ପିଲାଟିର ବାପା ନିଜ ଗାଡ଼ି ପାଖରୁ ଥାଇ ଜବାବ ଫେରଉଥିଲେ, “ପାଇଲୁ ତ, ଆ, ଡେରି ହେଲାଣି । ମୋର ଢେର୍‌ କାମ ଅଛି ।”

ରଘୁନାଥ ହାତ ବଢ଼େଇଲେ ପିଲାଟି ଆଡ଼େ । ସେ କହିବାକୁ ଚେଷ୍ଟା କରୁଥିଲେ, “ସେମାନେ ସମସ୍ତେ ବ୍ୟସ୍ତ । ଖୁବ୍‌ ବ୍ୟସ୍ତ । କେହି ବୁଝିଲେ ନାହିଁ । କେହି ଶୁଣିଲେ ନାହିଁ ମୋ କଥା-। କେହି ଶୁଣୁନାହାନ୍ତି ମୋ ଗାଁର କଥା । ସେମାନେ ଭାରତ କଥା କ’ଣ ବୁଝିବେ ? ନେ, ଏ ଦରଖାସ୍ତ ବିଡ଼ାଟା ନେ, ତୁ ବୁଝିବୁ ମୋ ଗାଁର ଦୁଃଖ, ପଢ଼ିବୁ ସେଗୁଡ଼ା ଟିକେ ସମୟ ଦେଇ-।”

ଏଭଳି ଏକ ଅଭାବିତ ଘଟଣାରେ କିଂକର୍ତ୍ତବ୍ୟବିମୂଢ଼ ପିଲାଟି ଗାଡ଼ି ଭିତରେ ବସିଥିବା ବାପାଙ୍କୁ ବଡ଼ପାଟିରେ ଡାକୁଥିଲା, “ବାପା, ବାପା ।”

ରଘୁନାଥଙ୍କ ଦରଭଙ୍ଗା ଶବ୍ଦଗୁଡ଼ାକୁ ଠିକ୍‌ ବୁଝିପାରୁ ନଥିଲା ସାନ ପିଲାଟି । ରଘୁନାଥ ଦୁଇ ହାତ ମେଲେଇ ଚିତ୍‌କାତ୍‌ ହୋଇ ପଡ଼ିରହିଥିଲେ ଗଛମୂଳେ । ଲମ୍ବା ଶାଗୁଆ ଘାସ ପଡ଼ିଆ ଉପରେ ରଘୁନାଥଙ୍କ ଚେହେରା ଦିଶୁଥିଲା–ଭାରତବର୍ଷର ନକ୍ସାଟେ ପରି । ପାଦ ପାଖକୁ ଲୋଚାକୋଚା ହେଇ ପଡ଼ି ରହିଥିଲା ରଘୁନାଥଙ୍କର ବ୍ୟାଗ୍‌ ଖଣ୍ଡକ ଏବଂ ସେହି ବ୍ୟାଗ୍‌ ଭିତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଥିବା ଦରଖାସ୍ତଗୁଡ଼ିକର ନକଲ ।

ପିଲାଟି ଏଥର ବ୍ୟସ୍ତ ଓ ବିବ୍ରତଭାବେ ଦଉଡ଼ି ଦଉଡ଼ି ଯାଉଥିଲା ବାପାଙ୍କୁ ତା’ର ଏ ଦୁର୍ଦ୍ଦଶାର ଖବର ଦେବାକୁ । କିନ୍ତୁ କାହା ଦୁର୍ଦ୍ଦଶାର ଖବର ସେ ଦେବ ? ରଘୁନାଥଙ୍କର ନା ଭାରତବର୍ଷର ?

Image